ଅଗରତାଲାରେ ଢାକର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି । ଅକ୍ଟୋବର ୧୧ରେ ଦୁର୍ଗାପୂଜା ଏବଂ ପ୍ରତିବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ - ପେଣ୍ଡାଲଗୁଡ଼ିକର ଚୂଡ଼ା ବନ୍ଧା ହୁଏ, ମୂର୍ତ୍ତିକାରମାନେ ଦେବଦେବୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦିଅନ୍ତି, ପରିବାର ସବୁ ନୂଆ ପୋଷାକ କିଣନ୍ତି ।
ଢାକ, ଏକ ବ୍ୟାରେଲ୍ ଆକୃତିର ଡ୍ରମ୍ ଯାହାକୁ ବେକରେ ଝୁଲାଯାଏ ବା ଏକ ମଞ୍ଚ ଉପରେ ରଖାଯାଏ ଏବଂ ଲାଠି ଦ୍ଵାରା ବଜାଯାଏ। ଏହା ଏହିଭଳି ସମାରୋହର ଏକ ଅଭିନ୍ନ ଅଂଶ ।
ଢାକ ବଜାଇବା ଏକ ଋତୁକାଳୀନ କାମ । ପ୍ରତିବର୍ଷ ପୂଜାରେ ପାଞ୍ଚ ଦିନ, ଏବଂ ଶେଷ ବାଦ୍ୟ ଲକ୍ଷ୍ମୀପୂଜା ଦିନ ବଜାଯାଏ-ଚଳିତବର୍ଷ ଏହା ଅକ୍ବୋଟର ୨୦ ତାରିଖରେ ପଡୁଛି । ଦିପାବଳୀ ସମୟରେ ମଧ୍ୟ ବାଦ୍ୟ ବଜାଇବାକୁ କେତେକ ଢାକିଙ୍କୁ ଡକାଯାଏ । କିନ୍ତୁ ଦୁର୍ଗାପୂଜା ସମୟରେ ହିଁ ଅଗରତାଲା ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଢାକର ଚାହିଦା ଅଧିକ ଥାଏ ।
ଢାକିମାନଙ୍କୁ ପେଣ୍ଡାଲ କମିଟି ଏବଂ ପରିବାର ଦ୍ୱାରା ବଜାଇବାକୁ ନିମନ୍ତ୍ରଣ କରାଯାଇଛି । ବେଳେବେଳେ, ସେମାନଙ୍କୁ ଡକାଯିବା ପୂର୍ବରୁ, ସେମାନଙ୍କୁ ଏକ ପରୀକ୍ଷା ଭାବରେ ପ୍ରଦର୍ଶନ କରିବାକୁ କୁହାଯାଏ - ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରଦର୍ଶୀ, ପରିବାର ବରିଷ୍ଠ ସଦସ୍ୟଙ୍କଠାରୁ ଶିଖିଥାଆନ୍ତି । ୪୫ବର୍ଷୀୟ ଇନ୍ଦ୍ରଜିତ୍ ରିଷିଦାସ କୁହନ୍ତି, “ମୁଁ ମୋର ବଡ଼ ସମ୍ପର୍କୀୟ ଭାଇମାନଙ୍କ ସହିତ ବଜାଉଥିଲି । “ମୁଁ କାଶୀ (ଏକ ଛୋଟ ବାଡ଼ିରେ ବଜାଯାଉଥିବା ଏକ ଧାତବ ପ୍ଲେଟ ପରି ଯନ୍ତ୍ର)ବଜାଇବାରୁ ଆରମ୍ଭ କରିଥିଲି, ତା’ପରେ ଢୋଲ, ଏବଂ ପରେ ଢାକ୍ ବଜାଇଲି ।” (ସେ ଏବଂ ଅନ୍ୟମାନେ ଯେମିତି ରିଷିଦାସ, ରୋହିଦାସ ଏବଂ ରବିଦାସଙ୍କ ପରିବାର ମୋଚି ସମ୍ପ୍ରଦାୟର ଅଟନ୍ତି, ତ୍ରିପୁରାରେ ଏହା ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ ।)
ଅଗରତାଲାର ଅନେକ ଢାକିଙ୍କ ପରି ଇନ୍ଦ୍ରଜିତ୍ ବର୍ଷସାରା ଜଣେ ସାଇକେଲ ରିକ୍ସା ଚଲାଳି ଭାବରେ କାର୍ଯ୍ୟ କରନ୍ତି। ବେଳେବେଳେ, ଅନ୍ୟମାନଙ୍କ ପରି, ସେ ମଧ୍ୟ ବ୍ୟାଣ୍ଡରେ ବଜାନ୍ତି - ସ୍ଥାନୀୟ ଭାବରେ ଯାହା ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ପରିବେଷଣ କରୁଥିବା ‘ବ୍ୟାଣ୍ଡ-ପାର୍ଟି’ ଭାବରେ ଜଣାଶୁଣା। ଏହି ସାମୟିକ କାମ ବ୍ୟତୀତ, ଢାକିମାନେ ମଧ୍ୟ ଦିନ ମଜୁରୀ ହିସାବରେ ଇଲେକ୍ଟ୍ରିସିଆନ୍ କିମ୍ବା ପାଣି ପାଇପ୍ ମିସ୍ତ୍ରୀ ଭାବରେ କାମ କରନ୍ତି । କେତେକ ପନିପରିବା ବିକ୍ରେତା ଏବଂ କେତେକ ନିକଟସ୍ଥ ଗାଁର କୃଷକ ଯେଉଁମାନେ ପରିବେଷଣ ପାଇଁ ଅଗରତାଲାକୁ ଆସନ୍ତି।
ଜଣେ ସାଇକେଲ ରିକ୍ସା ଚାଳକ ଭାବେ, ଇନ୍ଦ୍ରଜିତ୍ ଦୈନିକ ପ୍ରାୟ ୫୦୦ ଟଙ୍କା ରୋଜଗାର କରନ୍ତି । ସେ କହନ୍ତି, ‘‘ଆମକୁ କିଛି କରିବାକୁ ଅଛି, ରୋଜଗାର ପାଇଁ ରିକ୍ସା ଚଳାଇବା ସହଜ ମାଧ୍ୟମ । ଭଲ କାମ ପାଇଁ ଅପେକ୍ଷା କରିବାରେ କିଛି ମାନେ ନାହିଁ । ’’ ଦୁର୍ଗା ପୂଜା ସମୟରେ ଜଣେ ଢାକି ଭାବେ ସେ ଗୋଟିଏ ସପ୍ତାହରେ ସେତିକି ଆୟ କରିଦିଅନ୍ତି ଯାହା ରିକ୍ସା ଚଳାଇ ଗୋଟିଏ ମାସରେ ଆୟ କରନ୍ତି- ଚଳିତ ଋତୁରେ ୨୦୨୧ରେ, ସେ ପେଣ୍ଡାଲ କମିଟି ପକ୍ଷରୁ ୧୫ ହଜାର ଟଙ୍କା ନେଇ ବଜାଇବାକୁ ଚୁକ୍ତିବଦ୍ଧ ହୋଇଛନ୍ତି-ଯଦିଓ କେତେକ ଏହାଠାରୁ କମ୍ ଟଙ୍କାରେ ମଧ୍ୟ ରାଜି ହୁଅନ୍ତି ।
ପେଣ୍ଡାଲ ଗୁଡ଼ିକରେ ଯେଉଁଠାରେ ଢାକିମାନେ (ଅଗରତାଲାରେ ସାଧାରଣତଃ ପୁରୁଷମାନେ ବାଦ୍ୟଯନ୍ତ୍ର ବଜାନ୍ତି) ପୂଜାର ପାଞ୍ଚ ଦିନ ପାଇଁ ଡକାଯାଆନ୍ତି, ଇନ୍ଦ୍ରଜିତ୍ କହନ୍ତି, ପୂଜକମାନଙ୍କ କହିବା ଅନୁସାରେ ଆମକୁ ସେହି ସମୟରେ ଉପସ୍ଥିତ ରହିବାକୁ ପଡ଼େ। ‘‘ଆମକୁ ସକାଳ ପୂଜା ସମୟରେ ପ୍ରାୟ ୩ ଘଣ୍ଟା ଏବଂ ସଂଧ୍ୟାରେ ୩-୪ ଘଣ୍ଟା ବଜାଇବାକୁ ହୁଏ।’’
‘ବ୍ୟାଣ୍ଡ ପାର୍ଟି’ କାମ ସାମୟିକ । ଇନ୍ଦ୍ରଜିତ୍ କହନ୍ତି, ‘‘ଆମେ ସାଧାରଣତଃ ୬ ଜଣ ଗୋଟିଏ ଟିମ୍ ହୋଇ କାମ କରିଥାଉ, ପ୍ରାୟତଃ ବିବାହ ଋତୁରେ ଏବଂ ଏବଂ ଆମେ ପ୍ରଦର୍ଶନ କରୁଥିବା ଦିନ ଅନୁଯାୟୀ ଚାର୍ଜ କରିଥାଉ। କେତେକ ଆମକୁ ଦିନେ ଦୁଇଦିନ ପାଇଁ ଡାକନ୍ତି, କେତେକ ୬-୭ ଦିନ ପାଇଁ ବି ଡାକନ୍ତି । ’’ ପୁରା ଟ୍ରୁପ୍କୁ ଏଥିରୁ ଦିନକୁ ମୋଟ ୫ରୁ ୬ ହଜାର ଟଙ୍କା ମିଳେ ।
ଗତ ବର୍ଷ କୋରୋନା ମହାମାରୀ ଯୋଗୁଁ, ଅଧିକାଂଶ ସେମାନଙ୍କର ପୂଜା ଯୋଜନା ବାତିଲ କରିଦେଲେ, ଢାକିମାନଙ୍କୁ ନିଜସ୍ୱ ସଞ୍ଚୟ ଓ ରିକ୍ସା ଚାଳନା ବା ଅନ୍ୟ କାମରୁ ସେମାନଙ୍କର ରୋଜଗାର ସଂଗ୍ରହ କରିବାକୁ ହେଲା । ଯଦିଓ କେତେକ ଶେଷ ମୂହୂର୍ତ୍ତରେ ଢାକ ବଜାଇବା ପାଇଁ ଡକାଗଲେ । (ଏହି କାହାଣୀରେ ଥିବା ସମସ୍ତ ଫଟୋ ଗତ ବର୍ଷ ୨୦୨୦ ଅକ୍ଟୋବରରେ ନିଆଯାଇଥିଲା)
ସାଧାରଣତଃ ଦୁର୍ଗାପୂଜାର ପ୍ରଥମ ଦିନର ଗୋଟିଏ ସପ୍ତାହ ପରେ ପଡୁଥିବା ଲକ୍ଷ୍ମୀପୂଜା ହେଉଛି ଅଧିକାଂଶ ଢାକିମାନଙ୍କୁ କାମ ମିଳିବାର ଶେଷ ଦିନ ହୋଇଥାଏ । ସେହି ସଂଧ୍ୟାରେ ସେମାନ ଅଗରତାଲାର ରାସ୍ତାକୁ ଏକୁଟିଆ ବା ଦୁଇ ଜଣ ଲେଖାଏଁ ନିଜର ଡ୍ରମ୍ ସହ ଓହ୍ଲାନ୍ତି । ପରିବାରମାନେ ସେମାନଙ୍କୁ ନିଜର ଘରେ ପାର୍ବଣର ଚିହ୍ନ ସଦୃଶ ୫-୧୦ ମିନିଟ ପାଇଁ ବଜାଇବାକୁ ଡାକନ୍ତି । ଏଥିପାଇଁ ଢାକିମାନଙ୍କୁ ପରିବାର ପିଛା ଅତି ବେଶୀରେ ୨୦-୨୫ ଟଙ୍କା ଦିଆଯାଏ, ଏବଂ ଅଧିକାଂଶ କୁହନ୍ତି ସେମାନେ କେବଳ ପରମ୍ପରା ବଜାୟ ରଖିବାକୁ ଏମିତି କରନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍