ଧନୁଶକୋଡ଼ି ହେଉଛି ଏକ ପରିତ୍ୟକ୍ତ ଜାଗା - ତାମିଲନାଡ଼ୁ ଅନ୍ତର୍ଗତ ଦକ୍ଷିଣ ଭାରତର ଶେଷ ମୁଣ୍ଡରେ ଅବସ୍ଥିତ ଏକ ନିର୍ଜନ ସ୍ଥାନ, ଧଳା ରଙ୍ଗର ବାଲିରେ ଆଛାଦିତ, ଚାରିପାଖରେ ବଙ୍ଗୋପସାଗର ଏବଂ ଭାରତ ମହାସାଗର। ଇଂରେଜମାନେ ୧୯୧୪ ମସିହାରେ ଏଠାରେ ଏକ ଛୋଟିଆ ବନ୍ଦର ନିର୍ମାଣ କରିଥିଲେ। ଧୀରେ ଧୀରେ ଏହା ଏକ ଚଳଚଞ୍ଚଳ ସହର ପାଲଟିଥିଲା। ତୀର୍ଥଯାତ୍ରୀ, ପର୍ଯ୍ୟଟକ, ମତ୍ସ୍ୟଜୀବୀ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ଗହଳି ଲାଗିଥିଲା।
ଅର୍ଦ୍ଧ ଶତାବ୍ଦୀ ପରେ, ୧୯୬୪ରେ, ଏକ ପ୍ରଳୟଙ୍କରୀ ବାତ୍ୟା ତାଣ୍ଡବ ରଚିଲା। ଡିସେମ୍ବର ୨୫ ତାରିଖ ସଂଧ୍ୟାରେ ଆରମ୍ଭ ହୋଇଥିବା ଏହି ବାତ୍ୟା ରାମନାଥପୁରମ ଜିଲ୍ଲାର ରାମେଶ୍ୱରମ ତାଲୁକର ଏହି ବନ୍ଦର ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା। ବିଶାଳ ବିଶାଳ ଲହଡ଼ି ଆସି ପୂରା ସହରକୁ ମାଟିରେ ମିଶାଇ ଦେଲା। ଏଥିରେ ୧,୮୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲା। ଶତାଧିକ ଲୋକଙ୍କୁ ନେଇ ପମ୍ବନରୁ ଆସୁଥିବା ଏକ ରେଳଗାଡ଼ି ଏଠାରୁ ୩୦ କିଲୋମିଟର ଦୂରରେ ସଂପୂର୍ଣ୍ଣ ବୁଡ଼ି ଗଲା।
ଏହି ବାତ୍ୟା ପରେ ଲୋକେ ଏହାକୁ ‘ଭୂତଙ୍କ ସହର’ ବୋଲି କହିଲେ। ଅର୍ଥାତ ‘ରହିବା ଉପଯୋଗୀ ନୁହେଁ’। ଏହା ଅବହେଳିତ ହୋଇ ପଡ଼ି ରହିଲା। ତେବେ ୪୦୦ ମତ୍ସ୍ୟଜୀବୀ ପରିବାର (ଜଣେ ସ୍ଥାନୀୟ ପଞ୍ଚାୟତ ନେତାଙ୍କ ଆକଳନ ଅନୁଯାୟୀ) ଧନୁଶକୋଡ଼ିରେ ରହିଲେ। ଏହି ନିଷ୍ଫଳା ଭୂମିକୁ ସେମାନେ ତାଙ୍କର ଏକମାତ୍ର ଘର ବୋଲି ଭାବିଲେ। ଏମାନଙ୍କ ଭିତରେ ଅଛନ୍ତି ବାତ୍ୟା ମୁହଁରୁ ବର୍ତ୍ତି ଯାଇଥିବା କିଛି ଲୋକ, ଯେଉଁମାନେ ଏଠାରେ ବିନା ବିଜୁଳି, ପାଇଖାନା ଏବଂ ପିଇବା ପାଣିରେ ୫୦ ବର୍ଷ କାଟିଲେଣି।
ଓଡ଼ିଶାଲାଇଭ୍