ବାଲାପାର୍ଲା ତିରୁପତାମ୍ମାଙ୍କ ଚିନ୍ତାର ଅନ୍ତ ଘଟିଥିଲା। ତାଙ୍କୁ ଚାକିରି ମିଳିଯାଇଥିଲା। ତାଙ୍କ କାମ ଥିଲା, ଗୁଣ୍ଟୁର ଜିଲ୍ଲା ନୀରୁକୁଣ୍ଡା ଗାଁରେ ନୂଆ କରି ଗଢ଼ା ହୋଇଥିବା ଏସ୍ଆର୍ଏମ୍ବିଶ୍ୱବିଦ୍ୟାଳୟ କୋଠାର ଚଟାଣରେ ପଡ଼ିଥିବା ରଙ୍ଗ ସଫା କରିବା। ସେ କହନ୍ତି, "ତିନି-ଚାରି ବର୍ଷ ହେଲା ଆମକୁ ବେଶି କିଛି କାମ ମିଳି ନଥିଲା। ଚାକିରି ପାଇ ଆମେ ଖୁସି ହୋଇଥିଲୁ। କିନ୍ତୁ ସେ ଖୁସି ବେଶି ଦିନ ରହିଲାନି।" ଦୁଇ ସପ୍ତାହ ପରେ, କୌଣସି କାରଣ ନ ଜଣାଇ, ୨୯ ବର୍ଷୀୟା ବାଲାପାର୍ଲାଙ୍କୁ କାମ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା।
୪୦ ବର୍ଷୀୟା ଉସ୍ତଲା ମେରି ମାତାଙ୍କୁ ବି ଚାକିରିରୁ ବିଦା କରାଯାଇଥିଲା। ସେ କହନ୍ତି, "ରଙ୍ଗ ସଫା କରିବା ଲାଗି ଆମକୁ ଦିନକୁ ୨୫୦ ଟଙ୍କା ଦିଆଯାଉଥିଲା। ଯେତେବେଳେ କାମ ସରିଗଲା, ଆମକୁ ଚାଲିଯିବାକୁ କୁହାଗଲା। ସେମାନେ କହିଲେ ଆମେ କୁଆଡ଼େ 'ବୁଢ଼ାବୁଢ଼ୀ' ଏବଂ କାମ ପାଇଁ ଅଯୋଗ୍ୟ।"
୨୦୧୮ମେ ମାସରେ ନୀରୁକୁଣ୍ଡାର ଦଳିତ କଲୋନିକୁ କେତେକ ଠିକାଦାର ଶ୍ରମିକ ଖୋଜିବାକୁ ଆସିଥିଲେ। ପ୍ରାୟ ୧୫୦୦ ଲୋକଙ୍କର ଏହି ଗାଁରୁ ସେମାନେ ୨୦ ଜଣ ପୁରୁଷ ଓ ମହିଳାଙ୍କର ଏକ ଦଳକୁନିଯୁକ୍ତ କରିଥିଲେ। ୬୦ ବର୍ଷର କୁରାଗାନ୍ତି ବଜ୍ରମ୍କହନ୍ତି, "କାମ ଥିଲା ବେଳେ ସେମାନେ ଆସି ଆମକୁ ନେଇଯାଆନ୍ତି। କାମ ସରିଗଲେ କୌଣସି ନା କୌଣସି ଆଳ ଦେଖାଇ ଆମକୁ ବିଦା କରି ଦିଅନ୍ତି। ଯାହାହେଲେ ବି ଏଠି ଶ୍ରମିକଙ୍କ ଅଭାବ ନାହିଁ, କାରଣ ଆମେ ସମସ୍ତେ ବେକାର।"
ବିଶ୍ୱବିଦ୍ୟାଳୟର ଉଦ୍ୟାନ ଓ ଗୃହକାର୍ଯ୍ୟ ବିଭାଗରେ କେତେକ ଗ୍ରାମବାସୀ କାମ କରୁଛନ୍ତି ସତ, କିନ୍ତୁ ଏହି କାମ କେତେଦିନ ଯାଏ ଚାଲିବ ତାହା ସେମାନେ ଜାଣିନାହାନ୍ତି। ବେସରକାରୀ ଏସ୍ଆର୍ଏମ୍ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ କେତେକ ଶିକ୍ଷାନୁଷ୍ଠାନ, ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀର ଏକ 'ନଲେଜ୍ହବ୍' – ଅମରାବତୀ 'ନଲେଜ୍ସିଟି'ରେ ସ୍ଥାନ ପାଇବେ। ଏଥିରେ ସାମିଲ ହେବ ଉଚ୍ଚତର ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ, କର୍ପୋରେଟ୍ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଗବେଷଣା ଏବଂ ବିକାଶ ବିଭାଗ ସମୂହ, 'ଦକ୍ଷତା ବିକାଶ' ସଂସ୍ଥା ଏବଂ ଏକ 'ଷ୍ଟାର୍ଟ୍ଅପ୍ହବ୍'। ୭୫ ଏକର ବ୍ୟାପୀ ଏହି କ୍ଲଷ୍ଟର୍ର ପ୍ରଥମ ପର୍ଯ୍ୟାୟ ୨୦୨୨ ସୁଦ୍ଧା ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୩୭ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ (APCRDA) ର ଏକ ଦସ୍ତାବିଜ୍ରୁ ଜଣାଯାଏ।











