ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତୁରନ୍ତ ଲକ୍ଷ୍ୟ କଲେ ଯେ ଏହି ନୋଟ୍ଗୁଡ଼ିକର ନମ୍ବର କ୍ରମାଗତ ଭାବରେ ଥିଲା-ଯେମିତିକି ସେଗୁଡ଼ିକ ଗୋଟିଏ ବ୍ୟାଙ୍କରୁ ନଗଦ ଅଣାଯାଇଥିଲା । ତେଣୁ ସେ ଜାଣିଲେ ଯେ ଏହି ଅବ୍ୟବହୃତ ଟଙ୍କା କୌଣସି ଗୁପ୍ତ ଖଜଣାରୁ ବାହାରିଛି । ସେ ସନ୍ଦେହ କଲେ ଯେ ଅନନ୍ତପୁରର ବ୍ୟବସାୟୀଙ୍କ ଦ୍ୱାରା ବହୁ ପରିମାଣର କଳାଧନ ବ୍ୟବହାର ହେଉଛି ଏବଂ ସେମାନେ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ବା ତାମିଲନାଡୁରୁ ଆସିଥାଆନ୍ତି ତାଡିମାରି ମଣ୍ଡଳ ଅନ୍ତର୍ଗତ ୧୧ଟି ଗାଁର ଚାଷୀଙ୍କଠାରୁ ଫସଲ କିଣିବା ପାଇଁ, ଯେଉଁଠାରେ ୩୨,୩୮୫ ଜନସଂଖ୍ୟା ମଧ୍ୟରୁ ସମସ୍ତେ ଗ୍ରାମୀଣ ଏବଂ ସାକ୍ଷରତା ହାର ଖୁବ୍ କମ୍ ।
ଉମେଶଙ୍କ ଭଳି କେତେକଙ୍କ ବ୍ୟତୀତ, ବିମୁଦ୍ରିକରଣ ତାଡିମାରୀ ଗାଁର ସମସ୍ତଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏବଂ ଯେହେତୁ ଉମେଶ ପୁରୁଣା ନୋଟ୍ (ଯାହାକୁ ସେ ନିଜ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ଆୟର ବୈଧ ଅଂଶ ଭାବେ ଜମା କରନ୍ତି) ଗ୍ରହଣ କରନ୍ତି, ଏଠାକାର ଚାଷୀମାନେ ସେମାନଙ୍କର ଦୀର୍ଘ ଦିନ ହେଲା ବାକିଥିବା ସାର ବକେୟା ପୈଠ କରୁଛନ୍ତି।
ଏହି ସମୟରେ, ସାର ଦୋକାନଠାରୁ ଅନତି ଦୂରରେ ତାଡିମାରି ଗାଁରେ ଥିବା ମଦ ଦୋକାନଗୁଡ଼ିକ ମଧ୍ୟ ପ୍ରଚୁର ବ୍ୟବସାୟ କରୁଛନ୍ତି - କାରଣ ଏହି ଦୋକାନଗୁଡ଼ିକ, ଅନୁମତିପ୍ରାପ୍ତ ହୁଅନ୍ତୁ ବା ବେଆଇନ, ସମସ୍ତେ ଏହି ପୁରୁଣା ନୋଟ୍ ମଧ୍ୟ ଗ୍ରହଣ କରୁଛନ୍ତି।
ଟିକିଏ ନିଶାରେ ଥିବା ଚାଇନା ଗଙ୍ଗାନ୍ନା ଆମକୁ ଦେଖାଇଲେ, ‘‘ଏହି ୫୦ ଟଙ୍କା ଆମକୁ ଫେରସ୍ତ ମିଳିଛି’’ । ସେ ମଦ କିଣିବା ପାଇଁ ଏବେ ଏବେ ଗୋଟିଏ ୧୦୦୦ ଟଙ୍କିଆ ନୋଟ୍ର ବ୍ୟବହାର କରିଛନ୍ତି – ଆଠ ଜଣ ଅନ୍ୟ ବେରୋଜଗାର କୃଷି ଶ୍ରମିକଙ୍କ ମଧ୍ୟରେ ଭାଗ କରିବା ପାଇଁ । ଗୋଟିଏ ୫୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଅତିକମ୍ରେ ୪୦୦ ଟଙ୍କା ମୂଲ୍ୟର ମଦ କିଣିବାକୁ ହେବ ।
ତାଡିମାରିରେ ଅନେକ ଲୋକଙ୍କୁ ଲାଗୁଛି ଯେ ନିଜର ପୁରୁଣା ନୋଟ୍କୁ ବଦଳାଇବାର ସବୁଠାରୁ ସହଜ ଉପାୟ ହେଲା ମଦ କିଣିବା । ଚାଷୀଙ୍କ ଜମିରେ ଟ୍ରାକ୍ଟର ଚଳାଉଥିବା ଏସ୍ ନାଗଭୂଷଣମ୍ କହନ୍ତି, ‘‘ମୁଁ ସବୁଦିନ [କାମ ପରେ] ଗୋଟିଏ ବୋତଲର ଏକ ଚତୁର୍ଥାଂଶ ପିଉଥିଲି । ଏଠାରେ ଦେଶୀ ମଦର ଗୋଟିଏ କ୍ବାର୍ଟରର ମୂଲ୍ୟ ପ୍ରାୟ ୬୦-୮୦ ଟଙ୍କା ପଡ଼େ । ନାଗଭୂଷଣ ଏବେ ତାଙ୍କର ସାଧାରଣ କୋଟାରୁ ୪-୫ ଗୁଣା ଅଧିକ ପିଉଛନ୍ତି । ତାଙ୍କର ଦୈନିକ ମଜୁରୀ ହେଲା ୫୦୦ ଟଙ୍କା – କିନ୍ତୁ ସେ ଏବେ ବେରୋଜଗାର, ତେଣୁ ତାଙ୍କ ରୋଜଗାରର ସମସ୍ତ ଟଙ୍କାଗୁ଼ଡ଼ିକ ହେଉଛି ପୁରୁଣା ନୋଟ୍ । ସେ ଏ ସବୁ ମଦ ଦୋକାନରେ ଖର୍ଚ୍ଚ କରନ୍ତି ।
ନାଗଭୂଷଣଙ୍କ ଭଳି, ତାଡିମାରିରେ କୃଷି ଶ୍ରମିକମାନଙ୍କୁ କାମ ପାଇବା କଷ୍ଟକର ହୋଇପଡୁଛି । ଅନନ୍ତପୁରରେ ଅଭାବୀ ମୌସୁମୀ ବର୍ଷା ଯୋଗୁଁ ଏଥର ଚିନାବାଦାମ ଚାଷ ଭଲ ହୋଇନାହିଁ । ବହୁତ ଚାଷୀଙ୍କର ଫସଲ ବରବାଦ ହୋଇଯାଇଛି, ଏବଂ କୃଷି ଶ୍ରମିକଙ୍କର ପାଉଣାଯୁକ୍ତ ଶ୍ରମ ଦିବସ କମିଯାଇଛି ।
ତାଡିମାରି ମଣ୍ଡଳରେ ଚାଷୀମାନେ ସେମାନଙ୍କର ଚିନାବାଦମ ଫସଲ ଦୀପାବଳି ପରେ ପ୍ରାୟ ନଭେମ୍ବରରେ ଅମଳ କରନ୍ତି ଏବଂ ଡିସେମ୍ବର ମାସ ଭିତରେ ବିକ୍ରି କରନ୍ତି । ଚାଷୀମାନେ ସେମାନଙ୍କ ଜମିରେ କାମ କରୁଥିବା କୃଷି ଶ୍ରମିକମାନଙ୍କୁ ପ୍ରତିଦିନ ବା ପ୍ରତି ସପ୍ତାହରେ ପଇଠ କରନ୍ତି ନାହିଁ । ଶ୍ରମିକମାନଙ୍କର ମଜୁରୀ ଏକାବେଳକେ ଋତୁର ଅମଳ ସରିବା ପରେ ପଇଠ କରାଯାଏ। ତେଣୁ ଚାଷୀମାନେ ବର୍ଷର ଏହି ସମୟରେ ବହୁ ପରିମାଣର ଟଙ୍କା ଆବଶ୍ୟକ କରନ୍ତି ।
ଚାଷୀମାନେ ଏହି ଟଙ୍କାର ଉପଯୋଗ ପରସ୍ପର ମଧ୍ୟରେ ନିଜର ଅନୌପଚାରିକ ଋଣ ପରିଶୋଧ କରିବା ପାଇଁ ବି କରନ୍ତି, ଯାହା ୨ ପ୍ରତିଶତ ମାସିକ ସୁଧ ହାରରେ ନିଆଯାଏ । ତାଡିମାରି ଗାଁ ଆଖପାଖରେ ପ୍ରାୟ ୧୬ ଏକର ଜମି ମାଲିକାନା ଥିବା ଚାଷୀଟି ବ୍ରହ୍ମାନନ୍ଦ ରେଡ୍ଡି କହନ୍ତି ‘‘ଯଦି ଆମେ ସମସ୍ତେ ଏହି ଟଙ୍କା ପରିଶୋଧ ନ କରିବୁ ତେବେ ସୁଧ ବଢ଼ିଚାଲିବ।’’
ରେଡ୍ଡି ବିମୁଦ୍ରିକରଣରର ଏକ ସପ୍ତାହ ପରେ ନିଜର ଚିନାବାଦାମ ଫସଲ ବିକ୍ରି କଲେ, ଏବଂ ଅନ୍ୟ ଜିଲ୍ଲାର ବ୍ୟବସାୟୀମାନେ ତାଙ୍କୁ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ଆକାରରେ ପଇଠ କଲେ । ସେ ନିଜ ଆକାଉଣ୍ଟରେ ସେହି ଟଙ୍କା ଜମା କଲେ, କିନ୍ତୁ ବକେୟା ଏବଂ ଶ୍ରମିକମାନଙ୍କୁ ପଇଠ କରିବାକୁ ତାଙ୍କୁ ବହୁତ ପରିମାଣର ନୂଆ ନୋଟ୍ ଆବଶ୍ୟକ-ଏବଂ ତାଡିମାରିର ତିନିଟି ବ୍ୟାଙ୍କରେ ଏହି ନୋଟଗୁଡ଼ିକ ଏବେ ବି ପର୍ଯ୍ୟାପ୍ତ ନାହିଁ ।