କେନ୍ଦ୍ର ଛତିଶଗଡ଼ରେ ଏକ ସହର ଭିଲାଇରେ ଲୋକ ସଂଗୀତଜ୍ଞମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ବାର୍ଷିକ ମେଳାରେ ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି ସେତେବେଳେ ପଞ୍ଚରାମ ଯାଦବ କହିଥିଲେ, ‘‘ଆମର ବଡ଼ମାନେ ଅନେକ ଦିନ ହେବ ଏହି ବାନ୍ସ ଗୀତ ଗାଇ ଆସୁଛନ୍ତି’’ ।
କିଛି ବର୍ଷ ପୂର୍ବେ ମେ’ ମାସରେ ଏହି ମେଳା ପଡ଼ିଆରେ ବୁଲୁଥିବା ସମୟରେ ମୁଁ ଏହି ଗୀତର ଗଭୀର ପ୍ରତିଧ୍ୱନିତ ଶବ୍ଦ ପ୍ରତି ଆକର୍ଷିତ ହୋଇଥିଲି । ତିନି ଜଣ ଲୋକ ବାନ୍ସ ବାଜା ବଜାଉଥିଲେ । ଏହା ଏକ ଲମ୍ବା, ଚମତ୍କାର ଭାବରେ ସଜାଯାଇଥିବା ସିଲିଣ୍ଡର ଆକୃତିର କାଠ ତିଆରି ପବନ ବାଦ୍ୟ । ଏହାକୁ ଛତିଶଗଡ଼ର ମୁଖ୍ୟତଃ ଦୁର୍ଗ (ଯେଉଁଠାରେ ଭିଲାଇ ସହର ଅବସ୍ଥିତ), ବାଲୋଦ, ଧମ୍ତାରି, ଗରିଆବନ୍ଦ, କାଙ୍କେର ଏବଂ ମହାସମୁନ୍ଦ ଜିଲ୍ଲାରେ ବାସ କରୁଥିବା ଯାଦବ ଜାତିର ଏକ ଓବିସି ଉପଗୋଷ୍ଠୀ ରାଉତମାନେ ବଜାନ୍ତି ।
ଯେତେବେଳେ ବୟସର ବିଳମ୍ବିତ ୫୦ ଏବଂ ୬୦ ଦଶକରେ ପହଞ୍ଚି ଯାଇଥିବା ଏହି ତିନି ଜଣ ଯାକ ବାଦକ ବାଦ୍ୟ ବଜାଉଥିଲେ, ସାଙ୍ଗରେ ଥିବା ଅଳ୍ପ କେଇ ଜଣ ଗାୟକ ବାଖ୍ୟା କରୁଥିଲେ ଏବଂ ଭଗବାନ କୃଷ୍ଣ ଏବଂ ଅନ୍ୟ କିମ୍ବଦନ୍ତୀୟ ଗୋପାଳକମାନଙ୍କର କାହାଣୀର ଗୀତ ସମାନ ଭାବରେ ପରିଷ୍କାର ସ୍ୱରରେ ଗାଉଥିଲେ ।
ଏହି ୪ରୁ ୫ ଫୁଟ୍ ଲମ୍ବା ବାନ୍ସ ବାଜା ପାରମ୍ପରିକ ଭାବରେ ଗୋପାଳକମାନଙ୍କର ବାଦ୍ୟ । କଳାକାରମାନେ (ଏହି ଜାତିର କେବଳ ପୁରୁଷମାନେ ଏହି ବାଦ୍ୟ ବଜାନ୍ତି) ସାଧାରଣତଃ ସେମାନଙ୍କର ବାଜା ନିଜେ ତିଆରି କରନ୍ତି, ବେଳେ ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ଠିକ୍ ବାଉଁଶ ଚୟନ କରିବା ଏବଂ ଏହା ପରେ ଚାରୋଟି ଛିଦ୍ର କରିବା ଏବଂ ଏହି ବାଦ୍ୟକୁ ଉଲ୍ର ଫୁଲ ଓ ରଙ୍ଗିନ୍ କପଡ଼ାରେ ସଜାଇବା ପର୍ଯ୍ୟନ୍ତ କାମ ସ୍ଥାନୀୟ ବଢ଼େଇମାନଙ୍କର ସାହାଯ୍ୟରେ କରିଥା’ନ୍ତି ।
ଏକ ପାରମ୍ପରିକ ପରିବେଷଣରେ ଦୁଇ ଜଣ ବାନ୍ସ ବାଜା ବାଦକଙ୍କ ସହିତ ଜଣେ କଥାକାର ବା ବର୍ଣ୍ଣନାକାରୀ ଏବଂ ଜଣେ ରାଗୀ ଥାଆନ୍ତି । ଯେତେବେଳେ ବର୍ଣ୍ଣନାକାରୀ ଗୀତ ଗାଆନ୍ତି ଏବଂ କାହାଣୀଟିକୁ ମନେ ପକାନ୍ତି ସେତେବେଳେ ରାଗୀ ବାଦ୍ୟକାର ଏବଂ ବର୍ଣ୍ଣନାକାରୀ – ଗାୟକଙ୍କୁ ତାଙ୍କର ଉତ୍ସାହ ବର୍ଦ୍ଧକ ଶବ୍ଦ ଏବଂ ବାକ୍ୟାଂଶ ଦ୍ୱାରା ସମର୍ଥନ ଦିଅନ୍ତି । ଏହି ପରିବେଷଣ ସରସ୍ୱତୀ, ଭୈରବ, ମହାମାୟା ଏବଂ ଗଣେଶଙ୍କ ପରି ଦେବତା ଓ ଦେବୀମାନଙ୍କ ସ୍ତୁତି ସହ ଆରମ୍ଭ ହୋଇଥାଏ । କାହାଣୀ ଉପରେ ନିର୍ଭର କରି ଗୋଟିଏ ପରିବେଷଣ ଅଧ ଘଣ୍ଟାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ ଏବଂ ପାରମ୍ପରିକ ଭାବରେ ସାରା ରାତି ମଧ୍ୟ ହୋଇଥାଏ ।
ବାଲୋଦ ଜିଲ୍ଲାର ଗୁନ୍ଦେରଦେହି ବ୍ଲକର ସିରି ଗ୍ରାମରୁ ଆସିଥିବା ପଞ୍ଚରାମ ଯାଦବ ଅନେକ ବର୍ଷ ହେବ ବାନ୍ସ ବାଜା ବାଦକମାନଙ୍କ ସହିତ ସେମାନଙ୍କ ପରିବେଷଣ ସମୟରେ ରହିଆସିଛନ୍ତି । ସେ କୁହନ୍ତି, ‘‘ଆମକୁ ଆମର ଐତିହ୍ୟ ରକ୍ଷା କରିବାକୁ ହେବ ଏବଂ ଆମର ନୂଆ ପିଢ଼ିଙ୍କୁ ଏଥିସହ ପରିଚୟ କରାଇବାକୁ ହେବ। କିନ୍ତୁ ତାଙ୍କ ସମୂହର ଅଧିକାଂଶ ଯୁବକ, ଯେଉଁମାନେ କି ପାଠ ପଢ଼ିଛନ୍ତି, ଏହି ପରାମ୍ପରାରେ ଆଗ୍ରହୀ ନୁହଁନ୍ତି ଏବଂ କେବଳ ବୟସ୍କ ଲୋକମାନେ ବାନ୍ସ ଗୀତକୁ ବଞ୍ଚାଇ ରଖିଛନ୍ତି ।
ପାଖ କାନାକୋଟ ଗ୍ରାମର ସହଦେବ ଯାଦବ କୁହନ୍ତି, ‘‘ଆଜିକାଲି ଯୁବପିଢ଼ି ଏହାକୁ ପସନ୍ଦ କରୁନାହାନ୍ତି । ସେମାନେ ଏହି ପାରମ୍ପରିକ ଛତିଶଗଡ଼ି ଗୀତ ବଦଳରେ ସିନେମା ଗୀତରେ ଅଧିକ ଆଗ୍ରହୀ । ବାନ୍ସ ଗୀତରେ ଆମେ ସାଧାରଣତଃ ବିଭିନ୍ନ ଅବସରରେ ପାରମ୍ପରିକ ଦାଦାରିଆ, କର୍ମା, ଏବଂ ଅନ୍ୟାନ୍ୟ ଗୀତ ଗାଇଥାଉ । ଲୋକମାନେ ଆମକୁ ପରିବେଷଣ ପାଇଁ ନିମନ୍ତ୍ରଣ କରିବା ସମୟରେ ଆମେ ସାଧାରଣତଃ ଅନେକ ସ୍ଥାନକୁ ଯାଉଥିଲୁ କିନ୍ତୁ ନୂଆ ପିଢ଼ି ଏଥିପ୍ରତି ଆଗ୍ରହୀ ନୁହେଁ । ବର୍ତ୍ତମାନ ଆମେ କଦବା କ୍ୱଚିତ୍ କୌଣସି ନିମନ୍ତ୍ରଣ ପାଉ । ଏହି କାରଣରୁ ଆମେ ଆମର ସଂଗୀତ ଟେଲିଭିଜନ୍ରେ ମଧ୍ୟ ପ୍ରୋତ୍ସାହିତ ହେବା ଚାହୁଁ।’’
ଅନେକ ସମୟରେ ଏହି ଦଳ ତଥାପି କୌଣସି ସରକାରୀ କାର୍ଯ୍ୟାଳୟକୁ ଏକ ସାଂସ୍କୃତିକ ଉତ୍ସବ କିମ୍ବା ଏକ ଯାଦବ ସମାଜ କାର୍ଯ୍ୟକ୍ରମରେ ପରିବେଷଣ ପାଇଁ, ଏକ ନଗଣ୍ୟ ଦେୟରେ କଦବା କ୍ୱଚିତ୍ ନିମନ୍ତ୍ରଣ ପାଇଥାଏ । ସେମାନଙ୍କ ମଧ୍ୟରୁ କେହି ବାଜା ଏବଂ ଜିଟରୁ ରୋଜଗାର ଉପରେ ନିର୍ଭର କରିପାରିବେ ନାହିଁ। ଅଳ୍ପ କେଇ ଜଣ ସଂଗୀତଜ୍ଞଙ୍କର ଛୋଟ ଛୋଟ ଜମି ଅଛି, ସେମାନଙ୍କର ମଧ୍ୟରୁ ଅଧିକାଂଶ ଜୀବିକା ନିର୍ବାହ ପାଇଁ ଗୋରୁ ଚରାନ୍ତି । ପଞ୍ଚରାମ ଯାଦବ କୁହନ୍ତି, ‘‘ଯଦି କେହି ଆମକୁ ନିମନ୍ତ୍ରଣ କରନ୍ତି, ଆମେ ସେଠାକୁ ଯାଉ, କାରଣ ଏହି ବାନ୍ସ ଗୀତ ହେଉଛି ଆମର ଐତିହ୍ୟ । ଆମେ କେବେ ହେଲେ ଏହା ଗାଇବା ବନ୍ଦ କରିବୁ ନାହିଁ ।’’
ଅନୁବାଦ: ଓଡ଼ିଶାଲାଇଭ୍