“ଯଦି ତୁଷାରପାତ ବିଷୟରେ ଆମକୁ ପୂର୍ବରୁ ସୂଚିତ କରାଯାଇଥାନ୍ତା, ତେବେ ଆମେ ଶୀଘ୍ର ଅମଳ କରିଦେଇଥାନ୍ତୁ,” ବୋଲି ମୁସ୍ତାକ୍ ଅହମଦ କୁହନ୍ତି ।
ଅହମଦ୍ ଦକ୍ଷିଣ କଶ୍ମୀରର ପାମ୍ପୋର୍ ବ୍ଲକ୍ର ନାମ୍ବାଲ୍ ବାଲ୍ ଗ୍ରାମରେ ରହନ୍ତି । ଏଠାରେ, ପ୍ରତିବର୍ଷ ପ୍ରାୟ ମେ ମାସର ମଧ୍ୟ ଭାଗରେ, ସେ ଓ ଅନ୍ୟ ଚାଷୀମାନେ କୋରସ୍ ସାଟିଭସ୍ – ‘ସାଫରନ୍ କ୍ରୋକସ୍’ ଗଛ ଲଗେଇଥାନ୍ତି । ପ୍ରାୟ ଅକ୍ଟୋବର୍ ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସେମାନ ଫୁଲ ଅମଳ କରିଥାନ୍ତି । ଏହାର ଗାଢ ଲାଲ୍ ବର୍ଣ୍ଣର ଅଂଶ (ଏହି ଫୁଲର ଫଳିକାଶୀର୍ଷ ଓ ଶଳାକା) ଜନପ୍ରିୟ ଓ ଉଚ୍ଚ-ମୂଲ୍ୟ ଯୁକ୍ତ କେଶରରେ ରୂପାନ୍ତରିତ ହୋଇଥାଏ ।
କାଶ୍ମୀର ହେଉଛି ଭାରତର ଏକମାତ୍ର ରାଜ୍ୟ (ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ) ଯେଉଁଠାରେ କେଶର ଉତ୍ପାଦନ କରାଯାଏ । ଏହାର କିଛି ଭାଗ ସ୍ଥାନୀୟ ଅଞ୍ଚଳରେ କହୱା ଚାହା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଏକ ବଡ ଭାଗ ଦେଶର ଅନ୍ୟ ରାଜ୍ୟମାନଙ୍କୁ ପଠାଯାଏ, ଯେଉଁଠାରେ ଏଗୁଡିକୁ ମୁଖ୍ୟତଃ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି, ଆୟୁର୍ବେଦ ଔଷଧ ପ୍ରସ୍ତୁତି ଓ ମନ୍ଦିରରେ ବିଭିନ୍ନ ରିତିନୀତିରେ ବ୍ୟବହାର କରାଯାଇଥାଏ ।
ତେବେ ଚଳିତ ବର୍ଷ, କାଶ୍ମୀରରେ ପ୍ରାୟ ଏକ ମାସ ପୂର୍ବରୁ ତୁଷାରପାତ ଆରମ୍ଭ ହୋଇଯାଇଛି – ନଭେମ୍ବର ୭ରେ । ଏହାଦ୍ୱାରା ଫୁଲ ଫୁଟିଥିବା ଏହି ଗଛଗୁଡିକ ପ୍ରଭାବିତ ହୋଇଛି । ଯାହାଫଳରେ, ପାମ୍ପୋର୍ର ମୈଜ୍ ଗ୍ରାମର ୱସୀମ୍ ମୈଜ୍ କେବଳ ୩୦- ୪୦ଗ୍ରାମ କେଶର ଅମଳ କରିବାକୁ ସମର୍ଥ ହୋଇପାରିଛନ୍ତି – ତେବେ ସେ ତାଙ୍କର ୬୦ କେନାଲ ଜମିରେ କେନାଲ ପ୍ରତି ପ୍ରାୟ ୨୫୦ – ୩୦୦ ଗ୍ରାମ ଅମଳ ହେବାନେଇ ଆଶାବାଦୀ ଥିଲେ । ବର୍ତ୍ତମାନ ପୂର୍ବ ଆକଳନ ମୁତାବକ କେନାଲ୍ ପ୍ରତି ୨୦,୦୦୦ଟଙ୍କା ଲାଭ ହେବା ପରିବର୍ତ୍ତେ (୮କେନାଲ ୧ ଏକର ସହିତ ସମାନ) ତାଙ୍କୁ ବର୍ତ୍ତମାନ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡୁଛି ।
“ଏହି ଋତୁରେ ଭଲ ଅମଳ ହେବ ବୋଲି ଆମେ ଆଶା କରୁଥିଲୁ, କିନ୍ତୁ ଅସମୟରେ ତୁଷାରପାତ ହେବା ଯୋଗୁଁ ଆମର ଚାଷ ନଷ୍ଟ ହୋଇଯାଇଛି,” ବୋଲି ୨୦୦୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଜେ ଓ କେ କେଶର ଉତ୍ପାଦନକାରୀ ସଂଘର ସଭାପତି ଅବ୍ଦୁଲ୍ ମଜିଦ୍ ୱାନି କୁହନ୍ତି । ୱାନି ଆକଳନ କରନ୍ତି ଯେ ଚଳିତ ବର୍ଷ କାଶ୍ମୀରର କେଶର ଚାଷୀମାନଙ୍କୁ ପ୍ରାୟ ୨୦କୋଟି ଟଙ୍କାର କ୍ଷତି ସହିବାକୁ ହେବ । କେଶର ବ୍ୟବସାୟରେ ପ୍ରାୟ ୨୦୦କୋଟି ଟଙ୍କାର କାରବାର ହୋଇଥାଏ ବୋଲି କାଶ୍ମୀର ଚାମ୍ବର ଅଫ୍ ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରୀଜ୍ର ସଭାପତି ଡ. ଜୈନୁଲ୍ ଅବିଦିନ କିଛି ଦିନ ପୂର୍ବେ ଏକ ପ୍ରେସ୍ କନ୍ଫରେନ୍ସରେ ଜଣାଇଛନ୍ତି ।
ଅହମଦ୍ ଓ ଖାଣ୍ଡେଙ୍କ ଗ୍ରାମ ଜମ୍ମୁ ଓ କାଶ୍ମୀରର ସେହି ୨୨୬ ଗ୍ରାମ ଅନ୍ତର୍ଭୁକ୍ତ ଅଟେ ଯେଉଁଠାରେ ପ୍ରାୟ ୩୨,୦୦୦ ପରିବାର କେଶର ଚାଷ କରନ୍ତି ବୋଲି କଶ୍ମୀରର ଡିଭିଜନାଲ୍ କମିଶନର୍ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି । ଏହା ମଧ୍ୟରୁ ଅନେକ ପୁଲ୍ୱାମା ଜିଲ୍ଲାର ପାମ୍ପୋର୍ ଅଞ୍ଚଳରେ ରହନ୍ତି । ସେମାନେ ସମସ୍ତେ ମିଳିତ ଭାବେ ପ୍ରତିବର୍ଷ ପ୍ରାୟ ୧୭ ଟନ୍ କେଶର ଉତ୍ପାଦନ କରିଥାନ୍ତି, ବୋଲି କୃଷି ନିର୍ଦ୍ଦେଶକ ଅଲ୍ତାଫ୍ ଐଜାଜ୍ ଅନ୍ଦ୍ରାବି କୁହନ୍ତି ।












