“ମୁଁ ସବୁପ୍ରକାରର ଝଡ଼ ଦେଖିଛି, କିନ୍ତୁ ଏହା ଭିନ୍ନ ଥିଲା। ଏହା ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ଣରେ, ପାଗଳ ଷଣ୍ଢ ଭଳି ଜଳପ୍ରଳୟ କ୍ଷେତରେ ପ୍ରବେଶ କରି ଆମ ଆଡ଼କୁ ମାଡ଼ି ଆସିଥିଲା। ମୁଁ ମୋ ଭାଇଙ୍କ ଭିନ୍ନକ୍ଷମ ପୁଅକୁ ଧରି ଦୌଡ଼ିଲି”, କୁହନ୍ତି ପଶ୍ଚିମବଙ୍ଗ ସୁନ୍ଦରବନ କ୍ଷେତ୍ରର ଦକ୍ଷିଣ କାସିଆବାଦ ଗ୍ରାମବାସିନ୍ଦା ପ୍ରାଥମିକ ସ୍କୁଲ ଶିକ୍ଷକ ସ୍ୱପନ ନାଏକ।
ମେ ୨୦ ତାରିଖରେ, ଘଣ୍ଟା ପ୍ରତି ୧୮୫ କିମି ବେଗରେ ପବନ ସହିତ ସାମୁଦ୍ରିକ ଝଡ଼ ଅମ୍ଫନ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ ବ୍ଲକ ଅନ୍ତର୍ଗତ ରାମଗୋପାଳପୁର ପଞ୍ଚାୟତ ଅଧୀନ ଗ୍ରାମ ନିକଟରେ ସ୍ଥଳଭାଗ ଛୁଇଁଥିଲା।
ଏମିତି ଝଡ଼ ଗାଁ ଲୋକମାନେ ପୂର୍ବରୁ କେବେ ବି ଦେଖିନଥିଲେ। ଏଠାକାର ଲୋକମାନେ କୁହନ୍ତି, (୨୦୦୯)ରେ ଆଇଲା ଏବଂ (୨୦୧୯)ରେ ବୁଲବୁଲ ବାତ୍ୟା ମଧ୍ୟ ସୁନ୍ଦରବନ ଅଞ୍ଚଳରେ ସେତିକି କ୍ଷତି କରିନଥିଲା ଯେତିକି କ୍ଷୟକ୍ଷତି ଅମ୍ଫନ କାରଣରୁ ହୋଇଥିଲା।
“ଆମ ସ୍କୁଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଛାତ ଉଡ଼ିଯାଇଛି ଏବଂ ଚାରିଟି ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧାର ହୋଇଯାଇଛି,” ଦକ୍ଷିଣ କାସିଆବାଦରେ ଥିବା ଘରୋଇ ଭାବେ ପରିଚାଳିତ ମାନବ ତୀର୍ଥ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ନାଏକ କୁହନ୍ତି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ‘ମହାବାତ୍ୟା’ ମେ ୨୦ ତାରିଖରେ ସୁନ୍ଦରବନ ଅଭିମୁଖେ ଗତି କରିଥିଲା। ଅପରାହ୍ଣ ପ୍ରାୟ ସାଢ଼େ ଚାରିଟା ସମୟରେ କାକଦ୍ୱୀପର ଦକ୍ଷିଣ ପଶ୍ଚିମ ସ୍ଥିତ ସାଗର ଦ୍ୱୀପ ନିକଟରେ ଅମ୍ଫନ ସ୍ଥଳ ଭାଗରେ ମାଡ଼ ହୋଇଥିଲା। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ, କୁଲତାଲି, ନାମଖାନା, ପଥରପ୍ରତିମା ଏବଂ ସାଗର ବ୍ଲକ ଆଦି ଅମ୍ଫନ ସ୍ଥଳଭାଗ ଛୁଇଁବା ସ୍ଥାନର ଖୁବ ନିକଟରେ ରହିଥିଲା ଏବଂ ଏଗୁଡ଼ିକ ଦକ୍ଷିଣ ବଙ୍ଗର ସବୁଠୁ ପ୍ରଭାବିତ କ୍ଷେତ୍ର ମଧ୍ୟରେ ଅନ୍ୟତମ ଥିଲା, ଯେଉଁଠି ମହାବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିଲା।
ମେ ୨୯ ତାରିଖରେ, ଆମେ କାକଦ୍ୱୀପ ବସଷ୍ଟାଣ୍ଡରୁ ଦକ୍ଷିଣ କାସିଆବାଦକୁ ଯିବା ସମୟରେ, ପ୍ରାୟ ୪୦ କିମି ରାସ୍ତାକୁ ପାଖାପାଖି ଦୁଇ ଘଣ୍ଟା ଲାଗିଥିଲା, ରାସ୍ତାର ଦୁଇ କଡ଼ରେ ଆମେ ପ୍ରଳୟଙ୍କରୀ ବାତ୍ୟାର ଧ୍ୱଂସାବଶେଷ ଦେଖିପାରିଲୁ, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଘର ଓ ଦୋକାନ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିଲା।
“ଦକ୍ଷିଣ କାସିଆବାଦ ଯିବା ବାଟରେ ନେତାଜୀ ପଞ୍ଚାୟତ ଅନ୍ତର୍ଗତ ମାଧବ ନଗର ପଡ଼ିଲା। ଏଠାରେ ନିଜ ଘର ପାଖରେ ଥିବା ମଧୁରଜଳ ପୋଖରୀରୁ ମାଛ ଧରୁଥିଲେ ରଞ୍ଜନ ଗାୟେନ ଓ ତାଙ୍କ ପରିବାରର ସଦସ୍ୟମାନେ। ବାତ୍ୟା ଯୋଗୁଁ ମାଡ଼ି ଆସିଥିବା ଲୁଣିପାଣି ପୋଖରୀ ପାଣିକୁ ସମ୍ପୂର୍ଣ୍ଣ ଦୂଷିତ କରି ଦେଇଥିଲା। “ଆମେ ଚଳିତ ବର୍ଷ ମଧୁର ଜଳରେ ମାଛ ଚାଷ କରିବା ଲାଗି ୭୦,୦୦୦ ଟଙ୍କା ନିବେଶ କରିଥିଲୁ। ଏବେ ସବୁ ମାଛ ମରିଯାଇଛନ୍ତି। ଆମେ ଦେଖୁଛୁ ଯଦି କିଛି ମାଛ ବଞ୍ଚିଯାଇଥିବେ ଆମେ ସେଗୁଡ଼ିକୁ ନେଇ ବଜାରରେ ବିକ୍ରି କରିବୁ। ମୋର ପାନ ପତ୍ରଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି ଏବଂ ମୋ ପରିବାର ଋଣ ଭାରରେ ବୁଡ଼ିଛି,” ବୋଲି ଗାୟେନ କୁହନ୍ତି, ଯାହାଙ୍କ ପରିବାର ପାଖାପାଖି ୧ ଲକ୍ଷ ଟଙ୍କାର କ୍ଷତି ସହିଛି। “ଆମ ପାଇଁ ଭଲ ଦିନଗୁଡ଼ିକ କେବେ ବି ଫେରିଆସିବ ନାହିଁ, କେବେବି ନୁହେଁ,”।
ଆମେ ମଧ୍ୟ ମାଧବ ନଗରର ପ୍ରୀତିଲତା ରାୟଙ୍କୁ ଭେଟିଲୁ। କାକଦ୍ୱୀପର ଅଧିକାଂଶ ମହିଳାଙ୍କ ଭଳି ସେ ଏଠାରୁ ୮୦ କିମି ଦୂର କୋଲକାତାର ଯାଦବପୁର ଅଞ୍ଚଳରେ ଘରୋଇ ଶ୍ରମିକ ଭାବେ କାମ କରନ୍ତି। ଏହା ତାଙ୍କର ମୁଖ୍ୟ ଆୟ ଥିଲା, କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ କୋଭିଡ-19 ଲକଡାଉନ ଘୋଷଣା ହେବା ପରେ ସେ କାମ ହରାଇଥିଲେ। ଅମ୍ଫନ ପ୍ରଳୟରେ ତାଙ୍କର ପାନ ବରଜ ନଷ୍ଟ ହୋଇଗଲା। ସେ ପାଖାପାଖି ୩୦,୦୦୦ ଟଙ୍କାର କ୍ଷତି ସହିଥିବା ଅନୁମାନ କରନ୍ତି।
ଆମେ ଦକ୍ଷିଣ କାସିଆବାଦରେ ପହଞ୍ଚିବା ପରେ ଗାଁରେ ବାତ୍ୟାର ଧ୍ୱଂସଲୀଳା ଦେଖି ଆଚମ୍ବିତ ହୋଇଯାଇଥିଲୁ। ଏଠାକାର ଚାଷୀଙ୍କ ମୁଖ୍ୟ ଆୟର ଉତ୍ସ ଥିବା ଅତି ସୂକ୍ଷ୍ମ ପାନ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏଠାକାର ଲୋକମାନେ ସାଧାରଣତଃ ନିକଟସ୍ଥ ହାଟରେ ମାଛ, ଧାନ ଓ ପାନ ବିକ୍ରି କରି ଚଳିଥାନ୍ତି। କୋଭିଡ ଲକଡାଉନ କାରଣରୁ ବଜାର ବନ୍ଦ ହେବା ଫଳରେ ସେମାନେ କ୍ଷତି ସହିଥିବା ବେଳେ ପ୍ରଳୟଙ୍କରୀ ଅମ୍ଫନର ତାଣ୍ଡବଲୀଳା ସେମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଅତିରିକ୍ତ କ୍ଷତି ଆଣି ଦେଇଛି।
“ଆମେ ପୂର୍ବପୁରୁଷ ଅମଳରୁ ପାନ ପତ୍ର ଚାଷ କରି ଆସୁଛୁ,” ବୋଲି ନିଜ ପରିଚୟକୁ ଗୋପନ ରଖି ଜଣେ ବ୍ୟକ୍ତି କୁହନ୍ତି। “ଏଥିରୁ ମୋର ମାସକୁ ୨୦,୦୦୦-୨୫,୦୦୦ ଟଙ୍କା ରୋଜଗାର ହେଉଥିଲା। ଲକଡାଉନ କେବଳ ଆମ ବ୍ୟବସାୟକୁ ପ୍ରଭାବିତ କରିଥିଲା, କିନ୍ତୁ ଅମ୍ଫନ ଆମ ଜୀବନକୁ ନଷ୍ଟ କରିଦେଲା।” ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଦକ୍ଷିଣ ୨୪ ପ୍ରଗଣା ଉଦ୍ୟାନ କୃଷି ବିଭାଗର ଆକଳନ ମୁତାବକ ବାତ୍ୟା ଅମ୍ଫନ କାରଣରୁ ପାନ ଚାଷୀମାନେ ଆନୁମାନିକ ୨,୭୭୫ କୋଟି ଟଙ୍କାର କ୍ଷତି ସହିଛନ୍ତି।
ମେ ମାସର ବାତ୍ୟା ପରେ ଲୁଣି ପାଣି ଦକ୍ଷିଣ କାସିଆବାଦର ଚାଷ ଜମିରେ ମାଡ଼ି ଯାଇଛି। “ପୂର୍ବରୁ ଲୁଣି ପାଣି ମାଡ଼ି ଆସିଥାଏ, କିନ୍ତୁ ଏତେ ଦୂରକୁ ଆସିନଥାଏ। ବାତ୍ୟା ଯୋଗୁଁ କେବଳ ଧାନ ଚାଷ ନଷ୍ଟ ହୋଇନାହିଁ। ଜମିର ଉର୍ବରତା ମଧ୍ୟ ନଷ୍ଟ ହୋଇଯାଇଛି,” ବୋଲି ଆଉ ଜଣେ ଚାଷୀ କୁହନ୍ତି। ବାତ୍ୟା ଅମ୍ଫନ ଆସିବା ପୂର୍ବରୁ ବୋରୋ ଧାନର ରବି ଫସଲ ଲକଡାଉନ କାରଣରୁ ଦେଖାଦେଇଥିବା ଶ୍ରମିକ ଅଭାବ ଓ ଖରାଦିନରେ ଅଦିନିଆ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା।
ଏହି ଗ୍ରାମରେ ରହୁଥିବା ଅଳ୍ପ କେତେକ ପରିବାର ଭଳି ନିୟୋଗି ପରିବାର ରଙ୍ଗିନ ବାଜାରିଗର ଚଢ଼େଇ ପାଳିଥାନ୍ତି। ଗୃହପାଳିତ ପକ୍ଷୀ ଭାବେ ଏଗୁଡ଼ିକ କୋଲକାତାରେ ଖୁବ ଲୋକପ୍ରିୟ। ନିୟୋଗୀ ପରିବାର ଏଗୁଡ଼ିକୁ ନେଇ ଏଠାରୁ ୮ କିମି ଦୂର ନାରାୟଣଗଞ୍ଜ ବଜାରରେ ବିକ୍ରି କରିଥାନ୍ତି। କିନ୍ତୁ ବାତ୍ୟା ଦିନ ଅଧିକାଂଶ ପଞ୍ଜୁରି ଭାଙ୍ଗିଯିବାରୁ ଚଢ଼େଇଗୁଡ଼ିକ ଉଡ଼ିଯାଇଥିଲେ। ପରଦିନ ସକାଳେ ସେମାନେ କେତେକ ପକ୍ଷୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ କିନ୍ତୁ ଅଧିକାଂଶ ଉଡ଼ିଯାଇଥିଲେ। ଏଥିସହିତ, ପକ୍ଷୀ ପାଳନ ପାଇଁ ସେମାନଙ୍କର ୨୦,୦୦୦ ଟଙ୍କାର ନିବେଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।
ଅନ୍ୟସବୁ କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଥିଲା। ବାତ୍ୟା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ମାନବ ତୀର୍ଥ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମାଧବ ଦାସ କୁହନ୍ତି, ବିଦ୍ୟାଳୟର ପୁନଃନିର୍ମାଣ ଲାଗି ଆମକୁ ୨୫୦,୦୦୦ ଟଙ୍କା ଦରକାର। “ଆମ ପାଖରେ ପାଣ୍ଠିର ଅଭାବ ରହିଛି ଏବଂ ଖୁବଶୀଘ୍ର ମୌସୁମୀ ଆସିଯିବ। କିନ୍ତୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସହ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ। ତେଣୁ ଆମକୁ ଆମ ସମସ୍ୟାକୁ ବାଦ ଦେଇ ଏହାକୁ ପୁନଃନିର୍ମାଣ କରିବାର ଜରୁରି,” ବୋଲି ଦାସ କୁହନ୍ତି।
ବାରମ୍ବାର ସାମୁଦ୍ରିକ ଝଡ଼, ଲୁଣିପାଣି ମାଡ଼ିଯିବା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପ୍ରଭାବିତ ହେଉଥିବା ସୁନ୍ଦରବନର ଏହି ଅଞ୍ଚଳର ଅଧିକାଂଶ ଲୋକଙ୍କୁ ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି- ସେମାନଙ୍କୁ ସବୁକିଛି ମୂଳରୁ ଆଉ ଥରେ ଆରମ୍ଭ କରିବାକୁ ପଡ଼ିଛି।
ଅନୁବାଦ: ଓଡ଼ିଶାଲାଇଭ୍