ଖ୍ରୀଷ୍ଟମାସ ଦିନ ପୂର୍ବାହ୍ନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ୩,୬୦୦ କୋଟି ବ୍ୟୟରେ ହେବାକୁ ଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତିର ଭିତ୍ତି ସ୍ଥାପନ କରିବାର ୨୪ ଘଣ୍ଟା ନହେବା ପୂର୍ବରୁ ମହାରାଷ୍ଟ୍ରର ନାସିକ ଜିଲ୍ଲାଠାରୁ ମାତ୍ର ୨୦୦ କିମି ଦୂରରେ ଅବସ୍ଥିତ ଧୋଣ୍ଡେଗାଓଁର ଯଶବନ୍ତ ଓ ହୀରାବାଇ ବେଣ୍ଡକୁଲେ ତାଙ୍କ ଜମିରେ ଥିବା ଟମାଟ ଲତାକୁ କାଟି ମୂଳରୁ ଉପାଡି ଦେଉଛନ୍ତି । “ଏକ ମାସରୁ ଅଧିକ ସମୟ ଧରି ଟମାଟର ମୂଲ୍ୟ ଅତ୍ୟନ୍ତ ନିମ୍ନସ୍ତରରେ ରହିଛି । ଏପରିକି ଫସଲକୁ ଯଦି ଆମେ ଏପରି ରଖିବୁ ତେବେ ମଧ୍ୟ ଆମକୁ କ୍ଷତି ସହିବାକୁ ହେବ ବୋଲି ଯଶବନ୍ତ ଅସ୍ପଷ୍ଟ ସ୍ୱରରେ କହିବା ସହିତ ଏହି ଆଦିବାସୀ ଦମ୍ପତି କାହିଁକି ଏପରି ଏକ ଭଲ ଫସଲ ଯେଉଁଥିରେ ସେମାନେ ୨୦,୦୦୦ ଟଙ୍କା ଓ ପରିବାରର ଶ୍ରମ ନିବେଶ କରିଛନ୍ତି, ତାହା ଏପରି ଭାବେ ଧ୍ୱଂସ କରୁଛନ୍ତି, ତାହା ବର୍ଣ୍ଣନା କରୁଥିଲେ । ପରିଷ୍କାର କରି ସାରିବା ପରେ ଏହି ଜମିରେ ସେମାନେ ଗହମ ବୁଣିବେ । କିଛି ନ ହେଲେ, ଗ୍ରୀଷ୍ମ ଋତୁରେ ଖାଇବା ପାଇଁ ଆମ ପାଖରେ ଖାଦ୍ୟ ଥିବ, ବୋଲି ହୀରାବାଇ କହିଲେ ।
ନଭେମ୍ବର ୮ରେ ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ସୃଷ୍ଟି ହୋଇଥିବା ନଗଦ ଅଭାବ ଯୋଗୁଁ ଟମାଟର ମୂଲ୍ୟ ଆହୁରି ଅଧିକ ହ୍ରାସ ପାଇବାକୁ ଲାଗିଲା । ନାସିକ୍ ସହରଠାରୁ ୨୦ କିମି ଦୁରରେ ଥିବା ଗିର୍ନାର୍ ମଣ୍ଡିରେ ବର୍ତ୍ତମାନ ଟମାଟର ମୂଲ୍ୟ କିଲୋଗ୍ରାମ ପ୍ରତି ୫୦ ପଇସାରୁ ୨ଟଙ୍କା ମଧ୍ୟରେ ଅଛି । ମୂଲ୍ୟ ଏତେ ତଳକୁ ଖସି ଯାଇଛି ଯେ ଏଥିରୁ ସେମାନେ ଆଦାୟରେ ହୋଇଥିବା ଖର୍ଚ୍ଚ ଓ ନିଜ ଉତ୍ପାଦ ସ୍ଥାନାନ୍ତରଣ କରିବା ଖର୍ଚ୍ଚ ମଧ୍ୟ ପାଇପାରିବେ ନାହିଁ । ଖୁଚୁରା ବଜାରରେ ଏହାର ମୂଲ୍ୟ କିଲୋଗ୍ରାମକୁ ୬-୧୦ ଟଙ୍କା ମଧ୍ୟରେ ଅଛି । ସମଗ୍ର ନାସିକ୍ରେ, ଯାହା ଭାରତର ଏକ ପ୍ରମୁଖ ହର୍ଟିକଲ୍ଚର୍ ଜିଲ୍ଲା ଭାବେ ପରିଚିତ, ହତୋତ୍ସାହିତ ହୋଇ ପଡିଥିବା ଚାଷୀମାନେ ସେମାନଙ୍କ ଫସଲକୁ ସମୂଳେ ଉପାଡି ଦେଉଛନ୍ତି, ଉତ୍ପାଦଗୁଡିକୁ ଅଳିଆ ଗଦାରେ ଫୋପାଡି ଦେଉଛନ୍ତି ଓ ସେମାନଙ୍କ ପରିବା ଜମି ଯେଉଁଥିରେ ସେମାନେ ଏହି ମୌସୁମୀ ଋତୁରେ ଏକର ପ୍ରତି ପ୍ରାୟ ୩୦,୦୦୦ ରୁ ୧.୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରିଥିଲେ ସେଥିରେ ଗାଈମାନଙ୍କୁ ଚରିବାକୁ ଛାଡିଦେଇଛନ୍ତି ।
ଗତ ବର୍ଷ ଭଲ ମୂଲ୍ୟ –କ୍ରାଟେ (୨୦ କେଜି) ପିଛା ୩୦୦ ଟଙ୍କାରୁ ୭୫୦ ପର୍ଯ୍ୟନ୍ତ- ମିଳିବା ଯୋଗୁଁ ଉଚ୍ଚ ଆଶା ସହିତ ୨୦୧୬ ବର୍ଷା ଋତୁରେ ଅଧିକରୁ ଅଧିକ କୃଷକ ଟମାଟ ବୁଣିଛନ୍ତି । ଅକ୍ଟୋବର ସୁଦ୍ଧା ସେମାନେ ଏହା ହୃଦୟଙ୍ଗମ କରିପାରିଲେ ଯେ ଭଲ ପାଣିପାଗ, କୌଣସି ପ୍ରକାରର ହାନିକାରକ କୀଟ ଫସଲ ଆକ୍ରମଣ ନକରିବା ଓ ଟମାଟ ଉତ୍ପାଦନକାରୀଙ୍କ ସଂଖ୍ୟା ବଢୁଥିବାରୁ ଏଥର ପ୍ରଚୁର ଆଦାୟ ହେବ । ଏଣୁ ମୂଲ୍ୟ ଅନୁକୂଳ ରହିବ କିନ୍ତୁ ତାହା ପୂର୍ବ ବର୍ଷ ଅନୁରୂପ ହେବ ନାହିଁ । ଅଧିକାଂଶ କୃଷକ କହିଲେ ଯେ ଦଶହରା ବେଳକୁ ଉଚିତ୍ ମୂଲ୍ୟ ମିଳିବ ଓ ଦୀପାବଳି ପର୍ଯ୍ୟନ୍ତ ବିଶେଷ ଲାଭ ବା କ୍ଷତି ହେବନି, କ୍ରାଟେ ପ୍ରତି ୧୩୦ଟଙ୍କା ମିଳିଯିବ ।
ତେବେ, ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅବୈଧ ଘୋଷିତ ହେବା ପରେ, ଆଦାୟ ବେଳେ ଭୟଙ୍କର ଅର୍ଥାଭାବ ଦେଖାଗଲା, ଯାହାଦ୍ୱାରା କ୍ରୟ ହାର କମିଗଲା ଓ ମୂଲ୍ୟ ମଧ୍ୟ ତଳକୁ ଖସିଗଲା । “ନଭେମ୍ବର ୧୧ବେଳକୁ ମୂଲ୍ୟ କମିଗଲା ଓ ତଜ୍ଜନିତ କ୍ଷତି ଆଉ ପୂରଣ ହୋଇପାରିଲା ନାହିଁ ” ବୋଲି ଗିରନାର୍ରେ ରହୁଥିବା କୃଷକ ନିତିନ ଗାଇକର୍ କୁହନ୍ତି । ତା’ପରେ ମୂଲ୍ୟ ଖସି କ୍ରାଟେ ପ୍ରତି ୧୦- ୪୦ ଟଙ୍କାରେ ପହଞ୍ଚିଗଲା । ଗାଇକର୍ଙ୍କ ମତରେ ନଗଦ ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ କୃଷି ଅର୍ଥନୀତି ଯାହା ଅନ୍ତର୍ଗତ କୃଷକ, ବେପାରୀ, ପରିବହନ ସଂସ୍ଥା, ଚାଷ ପାଇଁ ଆବଶ୍ୟକ ସାମଗ୍ରୀର ଖୁଚୁରା ବେପାରୀମାନଙ୍କ ମଧ୍ୟରେ ଆର୍ଥିକ ନେଣଦେଣ ଆଦି ରହିଛି, ସେସବୁକୁ ଇନ୍ଧନ ଯୋଗାଇଥାଏ ।
ଜିଲ୍ଲା ଅଧିକାରୀମାନେ ଏନେଇ ଚିନ୍ତିତ ଥିବା ଦେଖା ଯାଉନଥିଲେ । “ଏହା ଏକ ମୁକ୍ତ ବଜାର ଓ ଏଠାରେ ସବୁସମୟରେ ଆମେ ଦର ନିୟନ୍ତ୍ରଣ କରିପାରିବୁନି” ବୋଲି ନାସିକ କଲେକ୍ଟର ବି.ରାଧାକ୍ରିଷ୍ଣନ୍ କହିଲେ । ‘‘ମୂଲ୍ୟ ନିରୂପଣ କରିବା ସମ୍ପୂର୍ଣ୍ଣ ଭାବେ ବଜାର ଦ୍ୱାରା ପରିଚାଳିତ ହେଉଥିବା ଏକ ଗତିବିଧି ଅଟେ ।’’
ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡିକ, ଏନେଇ ଅଧିକ ଚିନ୍ତାରେ ଅଛନ୍ତି । “ମୁଁ ମୋର ଦୁଇ ଏକର୍ ପ୍ଲଟ୍ରେ ଟମାଟ କରିବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୋତେ ଏଥିରୁ ୩୦,୦୦୦ଟଙ୍କା ମିଳିନି’’ । “ଏଗୁଡିକୁ କିଣିବା ପାଇଁ କ୍ରେତା ଯୋଗାଡ଼ କରିବା ବହୁତ କଷ୍ଟକର, ଯେଉଁ କାରଣରୁ ମୁଁ ମୋ ଟମାଟ ଫସଲରେ ଗାଈମାନଙ୍କୁ ଚରିବାକୁ ଛାଡିଦେଇଛି,” ବୋଲି ସୋମନାଥ ଥେଟେ, ନିଜର ଦାନଶୀଳ ପ୍ଲଟ୍ ମଧ୍ୟରେ, ଯେଉଁଥିରେ ତିନିଟି ଗାଈ ତାଙ୍କ ଟମାଟ ଗଛଗୁଡ଼ିକୁ ଚରି ଖାଉଛନ୍ତି, ଚାଲୁ ଚାଲୁ କହିଲେ ।
ଆନୁମାନିକ ଭାବେ କହିଲେ, ଦେଶରେ ଏହି ଖରିଫ୍ ଋତୁରେ ବିକ୍ରି କରାଯାଇଥିବା ପ୍ରତ୍ୟେକ ଚାରିଟି ଟମାଟ ମଧ୍ୟରେ ଗୋଟିଏ ଟମାଟ ନାସିକ୍ରୁ ଆସିଛି । ଭାରତ ସରକାରଙ୍କ ଡାଟାରୁ ଏହା ସୂଚିତ ହେଉଛି ଯେ ସେପ୍ଟେମ୍ବର ୧,୨୦୧୬ ରୁ ଜାନୁୟାରୀ ୨,୨୦୧୭ ମଧ୍ୟରେ ବିକ୍ରି କରାଯାଇଥିବା ମୋଟ ଟମାଟର ୨୪ପ୍ରତିଶତ ଟମାଟ ଏହି ଜିଲ୍ଲାରୁ ଆସିଛି। ( ଅର୍ଥାତ୍, ୧୪. ୩ ଲକ୍ଷ ରୁ ୩.୪ ଲକ୍ଷ) ।
ବର୍ଷ ବର୍ଷ ଧରି ଅସ୍ଥିର ମୂଲ୍ୟ ଓ ଅସୁରକ୍ଷିତ ଆୟକୁ ସହନଶୀଳତା ସହିତ ଗ୍ରହଣ କରି ଆସିଥିବା କୃଷକମାନଙ୍କ ପାଇଁ କ୍ଷତି ସହି ବିକ୍ରି କରିବା କିମ୍ବା ଉତ୍ପାଦଗୁଡ଼ିକୁ ଅଳିଆ ଗଦାରେ ଫିଙ୍ଗିଦେବା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ଅଞ୍ଚଳରେ ଏହା ପୂର୍ବରୁ ଏତେ ପରିମାଣରେ ଆଦାୟ ପାଇଁ ପ୍ରସ୍ତୁତ ଫସଲକୁ ଧ୍ୱଂସ କରାଯିବା କେହି ଦେଖିନଥିଲେ, ବୋଲି ମରାଠି ଦୈନିକ ଖବର କାଗଜ ଏଗ୍ରୋଓନ୍ରେ କାର୍ଯ୍ୟରତ ନାସିକ ସମ୍ବାଦଦାତା କୁହନ୍ତି । “କୃଷକମାନେ ଏକ କ୍ରାଟେ ଉତ୍ପାଦନ କରିବା ପାଇଁ ହାରାହାରି ୯୦ଟଙ୍କା ବ୍ୟୟ କରୁଛନ୍ତି । ଯଦି ସେମାନେ କେବଳ ୧୫ -୪୦ଟଙ୍କା ପାଇବେ, ତେବେ ଏଥିରେ ସେମାନଙ୍କୁ କେତେ ପରିମାଣର କ୍ଷତି ସହିବାକୁ ପଡିବ, ତାହା କଳ୍ପନା କରନ୍ତୁ’’।
ଉଗାଲେଙ୍କ ହିସାବ, ଯାହା ନାସିକ୍ର ପାଞ୍ଚଟି ମଣ୍ଡିକୁ ଆସୁଥିବା ଜିନିଷ ଆଧାରରେ ପ୍ରସ୍ତୁତ କରାଯାଇଛି (କୃଷି ଭିତ୍ତିକ ମାନଦଣ୍ଡ) ଅନୁସାରେ ଏବେ ସୁଦ୍ଧା କୃଷକମାନଙ୍କ କ୍ଷତିର ସୀମା ବୃଦ୍ଧି ପାଇ ୧୦୦କୋଟି ଟଙ୍କାରେ ପହଞ୍ଚିଲାଣି । ଏଥିପାଇଁ ସରକାରୀ ହିସାବନିକାଶ? ନାସିକଠାରେ ଅବସ୍ଥିତ ଜିଲ୍ଲା କୃଷି ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କୃଷି ପରିଦର୍ଶକ ଭାବେ କାମ କରୁଥିବା ଭାସ୍କର ରାହାଣେ କହିଲେ ଯେ ଜିଲ୍ଲାରେ ଏକ ଏକର ପିଛା ଟମାଟ ଉତ୍ପାଦନ କରିବା ପାଇଁ ହେଉଥିବା ବ୍ୟୟ ଆକଳନ ୨୦୧୧-୧୨ରେ ଶେଷ ହୋଇଯାଇଛି । “କୃଷକମାନଙ୍କ କ୍ଷତି ନିର୍ଣ୍ଣୟ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । କୃଷକମାନେ ନିଜେ ସେମାନଙ୍କ ଆୟର ହିସାବ ରଖିବା ଉଚିତ, ଯେପରି ସେମାନେ ନିଜ ବ୍ୟୟ ସମ୍ବନ୍ଧୀୟ ତଥ୍ୟ ରଖୁଛନ୍ତି,” ବୋଲି ସେ କହିଲେ ।
ଗିର୍ନାର ମଣ୍ଡିର ଧୂଳି ପୂର୍ଣ୍ଣ ପଡିଆ, ଟମାଟର ଏକ ପ୍ରମୁଖ କେନ୍ଦ୍ର, ବର୍ଷର ଏହି ସମୟରେ ଅସ୍ୱାଭାବିକ ଭାବେ ଅବଦମିତ ହୋଇ ରହିଥିବା ଭଳି ମନେ ହେଉଛି । ଏହା ସହିତ ଯୋଗ କରୁଥିବା ସମସ୍ତ ରାସ୍ତା ଯେଉଁଠି ସାଧାରଣତଃ ଟମାଟ ବୋହି ଆଣୁଥିବା ଟ୍ରାକ୍ଟରଗୁଡିକ ରହିବା ଯୋଗୁଁ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଯାଏ, ଆଜି ତାହା ଭୟଙ୍କର ଭାବେ ପରିଷ୍କାର ଅଛି । ମହାରାଷ୍ଟ୍ର ବାହାରୁ ଆସୁଥିବା ଅଧିକାଂଶ ବେପାରୀ ଯେଉଁମାନେ ବର୍ଷକୁ ଥରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏଠାକୁ ଆସି କ୍ୟାମ୍ପ କରି ରୁହନ୍ତି ଓ ଏଠାରୁ ଟମାଟ କିଣନ୍ତି ଓ ସେହି ଟମାଟକୁ ସାରା ଭାରତରେ ବିଭିନ୍ନ ସ୍ଥାନକୁ ପଠାନ୍ତି, ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ସ୍ଥାନ ଛାଡି ଚାଲି ଯାଇଛନ୍ତି ।
ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାହତ୍ ଜାନ୍, ଯିଏ ବର୍ତ୍ତମାନ ଉତ୍ତର ପ୍ରଦେଶରେ ଥିବା ତାଙ୍କ ଘରେ ଅଛନ୍ତି । “ନାସିକ୍ ସହରର ଆଇସିଆଇସିଆଇ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି,” ସେ ଆମକୁ ଫୋନ୍ରେ କହିଲେ । ‘‘କିନ୍ତୁ ସେମାନେ ମୋତେ ଆଠ ଦିନରେ କେବଳ ୫୦,୦୦୦ ଟଙ୍କା ଦେଲେ । ଦୈନିକ ବ୍ୟବସାୟ ପାଇଁ ମୋତେ ୧- ୩ଲକ୍ଷ ଟଙ୍କା ଆବଶ୍ୟକ ହୁଏ” ବୋଲି ଜାନ୍ କୁହନ୍ତି । “ଯେତେବେଳ ପର୍ଯ୍ୟନ୍ତ କୃଷକମାନେ ଓ ପେଟ୍ରୋଲ୍ପମ୍ପରେ ପୁରୁଣା ନୋଟ୍ଗୁଡିକୁ ଗ୍ରହଣ କରାଯାଉଥିଲା ସେତେବେଳ ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରେ କାମ ଚଳେଇନେଲୁ । କିନ୍ତୁ ନୋଟ୍ ଅଭାବ ନ ହୋଇଥିଲେ, ମୁଁ ଆଉ ୧୫ପର୍ଯ୍ୟନ୍ତ ରହି ଟମାଟ କିଣିଥାନ୍ତି ।
ସମଗ୍ର ଦେଶରୁ ଆସିଥିବା ବେପାରୀମାନେ ଚାଲିଗଲେଣି, ମଣ୍ଡିରେ ବର୍ତ୍ତମାନ କେବଳ ମୁମ୍ବାଇ ନିକଟସ୍ଥ ବାଶୀ ଓ ବିରାର୍ରୁ ଆସିଥିବା କ୍ରେତାମାନେ ଦେଖା ଯାଉଛନ୍ତି । ସେମାନେ ମଧ୍ୟ ନିମ୍ନ ମୂଲ୍ୟ ଓ ନଗଦ ଅଭାବ ଜନିତ ସଂକଟର ମୁକାବିଲା କରୁଛନ୍ତି। ଆମେ ପିମ୍ପଳଗାଓଁର ବେପାରୀ କୈଳାସ ସାଲ୍ଭେଙ୍କୁ ୪୦୦୦ଟଙ୍କା ବିନିମୟରେ ୧୦୦ କ୍ରେଟ୍ ଟମାଟ କିଣୁଥିବା ଦେଖିବାକୁ ପାଇଲୁ। “ମୋ ପାଖରେ ଆଉ ଅଧିକ ଟଙ୍କା ନାହିଁ,” ‘‘ଏଣୁ ମୁଁ ଆଉ ଅଧିକ କିଣିପାରିଲି ନାହିଁ’’। ସେ ଗୁଜୁରାଟର ସୁରତରେ କ୍ରେତା ଅନୁସନ୍ଧାନ କରୁଛନ୍ତି ବୋଲି କହିଲେ।
“ଗତ ବର୍ଷ, ପ୍ରାୟ ଏହି ସମୟରେ, ଆମେ ୫୦ଲକ୍ଷ ଟଙ୍କାର ଟମାଟ ବ୍ୟବସାୟ କରିଥିଲୁ ଓ ୩ଲକ୍ଷ ଟଙ୍କା ଉପାର୍ଜନ କରିଥିଲୁ,” ବୋଲି ସାଲ୍ଭେ କହିଲେ । "ଚଳିତ ବର୍ଷ ଆମେ ଏବେ ସୁଦ୍ଧା କେବଳ ୧୦ଲକ୍ଷ ଟଙ୍କାର ଉତ୍ପାଦ କିଣିଛୁ ଓ ଏଥିରେ ଆମର କ୍ଷତି ହୋଇଛି । “ଦୁଇ ଦିନ ପରେ ସେ କ୍ଷତି ସହି ସୁରତର ଜଣେ କ୍ରେତାକୁ ଟମାଟଗୁଡିକ ବିକ୍ରି କରିଦେଲେ’’।
ଗତ ୧୫ବର୍ଷ ମଧ୍ୟରେ, ଟମାଟ ଅଙ୍ଗୁର କୋଳି ପରେ ଏହି ଅଞ୍ଚଳର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଫସଲରେ ପରିଣତ ହୋଇଛି । ଜମିର ପରିମାଣ ଯେତେ ଅଳ୍ପ ହେଲେ ମଧ୍ୟ, ଯଦି ସେମାନଙ୍କ ପାଖରେ ପୁଞ୍ଜି ଓ ଜଳର ମହଜୁଦ ଅଛି, ତେବେ ଆଦିବାସୀ ଓ ମରାଠି କୃଷକମାନେ ( ଯେପରିକି ବେନ୍ଦକୁଳେ ଓ ଗାଇକର୍ ଯଥାକ୍ରମେ) ଟମାଟ ଗଛ ଲଗେଇବାକୁ ଇଚ୍ଛା ପ୍ରକାଶ କରନ୍ତି। ଫଳସ୍ୱରୂପ, ଟମାଟ ବଜାରର ହଠାତ୍ ପତନ ଧ୍ୱଂସକାରୀ ପ୍ରମାଣିତ ହେଉଛି। ଜାନ୍ଙ୍କ ପରି କେତେକ ବେପାରୀଙ୍କ ଯୁକ୍ତି ହେଉଛି ଯେ ଅତ୍ୟଧିକ ଉତ୍ପାଦନ ହେବା ଯୋଗୁଁ ମଧ୍ୟ ମୂଲ୍ୟ ହ୍ରାସ ହେଉଛି । କୃଷକମାନଙ୍କ ମତରେ ଏହା ଏକ କାରଣ ହୋଇପାରେ, କିନ୍ତୁ ସେମାନେ ଅନ୍ୟ ପନିପରିବା ଯାହା ବହୁଳ ମାତ୍ରାରେ ଲଗାଯାଇ ନାହିଁ, ସେଥିପାଇଁ ମଧ୍ୟ ସେମାନଙ୍କୁ ନିମ୍ନ ମୂଲ୍ୟ ମିଳୁଥିବା ସେମାନେ ଉଲ୍ଲେଖ କରିଛନ୍ତି ।
“ଫୁଲକୋବି, ବାଇଗଣ, ଧନିଆ, ଲାଉ ଆଦିକୁ ଦେଖନ୍ତୁ – ଏସବୁ ମଧ୍ୟରୁ କାହାର ମୂଲ୍ୟ ଗତ ସପ୍ତାହରେ ସର୍ବନିମ୍ନସ୍ତରକୁ ଖସିନି’’? ବୋଲି ନାନା ଆଚାରୀ, ପ୍ରଶ୍ନ କରିବା ଢଙ୍ଗରେ କହିଲେ । ଧୋଣ୍ଡେଗାଓଁ ଗ୍ରାମର ଏକ ଆଦିବାସୀ କ୍ଷୁଦ୍ର ଚାଷୀ, ଆଚାରୀ ୨୦ ଦିନ ତଳେ ୨୦ ବସ୍ତା ବାଇଗଣ ନାସିକ୍ର ମଣ୍ଡିକୁ ଆଣିଥିଲେ କିନ୍ତୁ କୌଣସି କ୍ରେତା ନମିଳିବାରୁ ସେଠାରୁ ଫେରିଗଲେ । ପର ଦିନ ସେ ବାଶୀ ମଣ୍ଡିରେ ସମ୍ପୂର୍ଣ୍ଣ ମାଲ୍କୁ ମାତ୍ର ୫୦୦ଟଙ୍କାରେ ବିକ୍ରି କଲେ, ଯେଉଁଥିରୁ ପରିବହନ ଖର୍ଚ୍ଚ ବିୟୋଗ କରିବା ପରେ ତାଙ୍କ ପାଖରେ ଆଉ କେବଳ ୩୦ଟଙ୍କା ବାକି ରହିଲା । ଅନ୍ୟ ଜଣେ କୃଷକ, ବଡ୍ଗାଓଁ ଗ୍ରାମର କେରୁ କସ୍ବେ ଆମକୁ କହିଲେ ଯେ ସେ ଆଠ ଦିନ ପୂର୍ବେ ବାଶୀରେ ୭୦୦କିଲୋ ବାଇଗଣ ବିକିଛନ୍ତି। ସେଥିରୁ ସେ ସମୁଦାୟ ୨୦୦ଟଙ୍କା ପାଇଛନ୍ତି ବୋଲି କହିଲେ ।
କେତେକ ବେପାରୀ ଚେକ୍ ମାଧ୍ୟମରେ କୃଷକମାନଙ୍କୁ ଟଙ୍କା ପ୍ରଦାନ କରିଥାନ୍ତି । କିନ୍ତୁ ଡିଜେଲ୍ କିଣିବାକୁ ହେବ, ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ଦେବାକୁ ହେବ, ସାର କିଣିବାକୁ ପଡିବ । କୃଷକ କିମ୍ବା ବେପାରୀ କାହା ପାଖରେ ମଧ୍ୟ ଚେକ୍ ଜମା କରିବାକୁ ଓ ଲମ୍ବା ଧାଡିରେ ଠିଆ ହୋଇ ନଗଦ ଉଠେଇବାକୁ ସମୟ ନାହିଁ । ତାହା ମଧ୍ୟ ଥରକୁ ମାତ୍ର ୨୦୦୦ଟଙ୍କା ଉଠେଇ ହେବ, ସାଧାରଣତଃ ଗୋଟିଏ ନୂଆ ନୋଟ୍ ଆକାରରେ । ଏହାସହିତ, କୃଷକମାନେ ଚେକ୍କୁ ବିଶ୍ୱାସ କରନ୍ତି ନାହିଁ । ବିଜୟ କସ୍ବେ ବାଧ୍ୟ ହୋଇ ତାଙ୍କ ବେପାରୀଙ୍କ ପାଖରେ ଟଙ୍କା ନଥିବାରୁ ତାଙ୍କଠାରୁ ଗୋଟିଏ ଗ୍ରହଣ କରିଛନ୍ତି, ତେବେ ଏହା ଯଦି ବାଉନ୍ସ ହୋଇଯିବ ତେବେ ସେ ଅସହାୟ ହୋଇଯିବେ ବୋଲି ଆମକୁ କହିଲେ ।
ଅତିଶୟ ମୂଲ୍ୟ ଓ ଟଙ୍କାର ସଂକଟ ଯୋଗୁଁ ପର୍ଯ୍ୟାୟାନୁକ୍ରମେ ଫଳାଫଳ ଭୋଗ କରିବାକୁ ପଡୁଛି । ଆଦିବାସୀମାନଙ୍କୁ କୌଣସି କାମଧନ୍ଦା ମିଳୁନି ଓ ଏଭଳି ପରିସ୍ଥିତିରେ ୨୦୦୦ଟଙ୍କାର ନୋଟ୍ କଟା ଘାରେ ଚୂନ ଲଗେଇବା କାମ କରୁଛି । "୧,୧୦୦ଟଙ୍କାରୁ ଅଧିକ ଖର୍ଚ୍ଚ କଲେ ଯାଇ ଖୁଚୁରା ଟଙ୍କା ମିଳିପାରିବ ବୋଲି ଦୋକାନୀମାନେ କହୁଛନ୍ତି । ପେଟ୍ରୋଲ ପମ୍ପ ମାଲିକମାନେ ଅତି କମ୍ରେ ୩୦୦ଟଙ୍କାର ପେଟ୍ରୋଲ ଭର୍ତ୍ତି କରିବାକୁ ଆମକୁ କହୁଛନ୍ତି,” ବୋଲି ରାଜାରାମ ବେନ୍ଦକୁଲେ କହିଲେ । "ସେ ସବୁ ପେଟ୍ରୋଲ୍କୁ ଘରକୁ ଆଣ, ଚାଲ ଏହା ପିଇବା,” ବୋଲି ତାଙ୍କ ଖୁଡି ଦୁଃଖର ସହିତ କହିଲେ ।
ଚାଷ ସାମଗ୍ରୀ ବିକ୍ରି କରୁଥିବା ଖୁଚୁରା ବେପାରୀମାନେ ସବୁଠାରୁ ଅଧିକ ଅଧୀର ହେଉଛନ୍ତି । “ମୋର ପୁରା ବ୍ୟବସାୟ ତାହା ଉପରେ ନିର୍ଭର କରୁଛି,” ବୋଲି ଆବା କଦମ, ଖୁଚୁରା ବେପାରୀ, ମଣ୍ଡି ଆଡକୁ ଇଂଗିତ କରି କହିଲେ । “ମୁଁ ଉଭୟ କ୍ଷେତ୍ରରେ ପ୍ରଭାବିତ ହୋଇଛି । ଯେହେତୁ କୃଷକମାନେ ସେମାନଙ୍କ ଫସଲ ନଷ୍ଟ କରୁଛନ୍ତି, ସେମାନେ ବର୍ତ୍ତମାନ ମୋ ଠାରୁ କୌଣସି ସାମଗ୍ରୀ କିଣୁନାହାନ୍ତି । ସେପଟେ ଯେହେତୁ ବିକ୍ରିରେ ସେମାନଙ୍କୁ କିଛି ଲାଭ ହେଉନି, ଏଣୁ ଫସଲ ଋତୁରେ ମୁଁ ସେମାନଙ୍କୁ ଉଧାରରେ ଯେଉଁ ଟଙ୍କା ଦେଇଥିଲି ସେମାନଙ୍କ ଠାରୁ ଏବେ ପାଇବି ନାହିଁ ।’’
ଡିସେମ୍ବର ୩୦ରେ, ମୋଦି ବିମୁଦ୍ରୀକରଣ ଘୋଷଣା କଲେ, ଦେଶବାସୀଙ୍କୁ ୫୦ଦିନର ସମୟ ମାଗିଥିଲେ, ତାହା ଶେଷ ହୋଇଗଲା । ନୂଆ ବର୍ଷ ଆଗମନର ପୂର୍ବ ଦିନ, ପ୍ରତ୍ୟାଶା ସ୍ତର ଦୁର୍ଦ୍ଦଶା ସହିତ ସମାନ ହୋଇଗଲା । ମୋଦୀ ଆମର ଯେଉଁ କ୍ଷତି ହୋଇଛି ତାହାର ଭରଣା କରିବା ପାଇଁ ଆମ ଆକାଉଣ୍ଟରେ ଟଙ୍କା ଜମା କରିବା ଉଚିତ ବୋଲି ଜଣେ କୃଷକ କହିଲେ; କର୍ଜା ମାଫି (ଋଣ ଛାଡ) ବୋଲି ଅନ୍ୟ ଜଣେ କହିଲେ; ଫସଲ ଋଣ ଉପରେ ସୁଧ ହାର କମ୍ କରିବା ପାଇଁ, ତୃତୀୟ ଜଣକ କହିଲେ । ତେବେ, ମୋଦି ଡିସେମ୍ବର ୩୧ରେ ରାଷ୍ଟ୍ରକୁ ସମ୍ବୋଧନ କରି ଯେଉଁ ଭାଷଣ ଦେଲେ ସେଥିରେ କୃଷି କ୍ଷେତ୍ରର ଦୁର୍ଦ୍ଦଶା ଓ କ୍ଷତି ବିଷୟରେ କିଛି କହିଲେ ନାହିଁ ।
ଏବେ ସମସ୍ତଙ୍କ ନଜର ଅଙ୍ଗୁର ଚାଷ ଉପରେ ରହିଛି ଯାହା ଜାନୁୟାରୀ ଶେଷ ଆଡକୁ ଆଦାୟ କରାଯିବ। ଉଚିତ୍ ମୂଲ୍ୟ ପାଇ ପାରିଲେ କୃଷକମାନେ କିଛି ଲାଭ ପାଇପାରିବେ । ଖୁଚୁରା ବ୍ୟବସାୟୀ ଯେପରିକି କଦମ ଅଗ୍ରୀମ ଭାବେ ଦେଇଥିବା ତାଙ୍କ ଟଙ୍କା ପୁନର୍ଲାଭ କରିପାରିବେ । ବେପାରୀମାନେ କିନ୍ତୁ ଆଶାବାଦୀ ନାହାନ୍ତି । ଜାନ୍ କୁହନ୍ତି ଟଙ୍କାର ସଂକଟ ଯଥା ଶୀଘ୍ର ବନ୍ଦ ନହେଲେ, ସେ କୃଷକମାନଙ୍କ ଠାରୁ କିଛି କିଣିବା ପାଇଁ ସମର୍ଥ ହୋଇପାରିବେ ନାହିଁ । ଅବସାଦ ଗ୍ରସ୍ତ ସାଲ୍ଭେ, ଏକ କୃଷକ, କହିଲେ ଅଙ୍ଗୁର ମୂଲ୍ୟରୁ ମଧ୍ୟ ଆଶା ଜନକ ଲାଭ ମିଳିବନି ।
ଫଟୋ ଓ ଭିଡିଓ :ଚିତ୍ରାଙ୍ଗଦା ଚୋଧୁରୀ
ଅନୁବାଦ: ଓଡ଼ିଶାଲାଇଭ୍