“ଆମେ କାମ କରୁ, ସେଥିପାଇଁ ଆପଣମାନଙ୍କୁ ଖାଦ୍ୟ ମିଳିଥାଏ”, ପୁଣେ ଜିଲ୍ଲାର ଖେଡ଼ ତହସିଲ ଅନ୍ତର୍ଗତ ଜଣେ ମହିଳା ଚାଷୀ କୃଷ୍ଣାବାଇ କାରଲେ କହିଥିଲେ। ସରକାରଙ୍କୁ ଚେତାଇ ଦେବା ପାଇଁ ତାଙ୍କର ଏହି ଉକ୍ତିଟି ଉଦ୍ଦିଷ୍ଟ ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କରାଯାଇଥିବା ତିନୋଟି ନୂଆ କୃଷି ଆଇନ ନିଃସର୍ତ୍ତରେ ପ୍ରତ୍ୟାହାର କରି ନେବା ଲାଗି ଦାବି କରୁଥିବା ଅସଂଖ୍ୟ କୃଷକମାନଙ୍କ ମଧ୍ୟରୁ କୃଷ୍ଣାବାଇ ହେଉଛନ୍ତି ଜଣେ। ଡିସେମ୍ବର ୧୧ ତାରିଖରେ ପୁଣେରେ ଆୟୋଜିତ ଏକ ବୈଠକରେ ସେ ଦେଶରେ ଜାରି ରହିଥିବା ଚାଷୀ ଆନ୍ଦୋଳନର ସମର୍ଥନରେ ଏହି ମନ୍ତବ୍ୟ ଦେଇଥିଲେ।
ସାରା ଜିଲ୍ଲାରୁ କୃଷକ, କୃଷି ଶ୍ରମିକ ଏବଂ କୃଷି ଅଧିକାର କର୍ମୀ-ସମସ୍ତେ ମହିଳା-ପୁଣେ ସହରରେ କୃଷକ ଏବଂ ବିଶେଷ କରି ମହିଳାଙ୍କ ଉପରେ ନୂଆ ଆଇନର ପ୍ରଭାବକୁ ଉଜାଗର କରିବା ନିମନ୍ତେ ଏକତ୍ରିତ ହୋଇଥିଲେ।
ଭାରତରେ ଯଦିଓ ମହିଳାମାନେ କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି-ଅତିକମରେ ୬୫.୧ ପ୍ରତିଶତ ମହିଳା ଶ୍ରମିକ କୃଷି କ୍ଷେତ୍ରରେ କାମ କରିଥାନ୍ତି, କୃଷକ କିମ୍ବା କୃଷି ଶ୍ରମିକ ରୂପରେ (ଜନଗଣନା-୨୦୧୧)-ତଥାପି ସେମାନଙ୍କୁ କୃଷକ ଭାବେ ବିବେଚନା କରାଯାଏ ନାହିଁ ଏବଂ ଅଧିକାଂଶ ସମୟରେ ସେମାନଙ୍କୁ ନିଜ ପରିବାରର ଜମି ଉପରେ ମାଲିକାନା ଅଧିକାରରୁ ବଞ୍ଚିତ ରଖାଯାଇଥାଏ। ପୁଣେର ବୈଠକରେ କୃଷକମାନେ କହିଥିଲେ ଯେ କେନ୍ଦ୍ର ସରକାର ଆଇନ ଲାଗୁ କରିବା ପରିବର୍ତ୍ତେ -ଯାହାକି ସେମାନଙ୍କ ଜୀବିକା ପାଇଁ ବିପଦ ସୃଷ୍ଟି କରିଛି- ମହିଳାମାନଙ୍କୁ କୃଷକ ଭାବେ ମାନ୍ୟତା ଦେବା ଉଚିତ । “ମହିଳାମାନେ କେବଳ କାମ କରନ୍ତି ନାହିଁ, ବରଂ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି”, ଦୌଣ୍ଡ ତହସିଲର ଆଉ ଜଣେ ଚାଷୀ, ଆଶା ଆଟୋଲେ କହିଥିଲେ।
କୃଷକମାନଙ୍କର ଦେଶବ୍ୟାପୀ ଆନ୍ଦୋଳନର ୧୬ତମ ଦିନରେ ଆୟୋଜିତ, ୧୧ ଡିସେମ୍ବର ବୈଠକକୁ ‘କିଷାନ ବାଗ’-ନୂଆ ଆଇନକୁ ବାତିଲ କରିବା ଦାବିକୁ ନେଇ ଡିସେମ୍ବର ୮ ତାରିଖରେ ଆରମ୍ଭ ହୋଇଥିବା ଜନସଭା- ରୂପରେ ଆୟୋଜନ କରାଯାଇଥିଲା, ଯାହାକି ମହାରାଷ୍ଟ୍ରରେ ମହିଳା ସଂଗଠନଗୁଡ଼ିକର ୪୧ ବର୍ଷୀୟ ପୁରୁଣା ସଂଗଠନ ସ୍ତ୍ରୀ ମୁକ୍ତି ଆନ୍ଦୋଳନ ଦ୍ୱାରା କରାଯାଇଥିଲା।
ଆନ୍ଦୋଳନ ପ୍ରତି ମିଳିତ ଭାବେ ସମର୍ଥନ ବ୍ୟକ୍ତ କରି, କୃଷକମାନେ ଦୀର୍ଘ ସମୟ ଧରି ଜାରି ରଖିଥିବା ନିଜର ଦାବିଗୁଡ଼ିକୁ ଦୋହରାଇଥିଲେ, ଏଥିରେ ବ୍ୟାଙ୍କ ଋଣ ଏବଂ ବିପଣନ ସୁବିଧା ପ୍ରଦାନ କରିବା ଲାଗି ଦାବି ରହିଥିଲା।
ବୈଠକରେ ଘୋଷିତ ଦାବିଗୁଡ଼ିକର ତାଲିକାରେ, ସେମାନେ କହିଥିଲେ ଯେ କୃଷକମାନଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହି ବଦନାମ କରିବା ବନ୍ଦ କରିଦେବା ଉଚିତ। ସେମାନେ ଏହା ମଧ୍ୟ ଦାବି କରିଥିଲେ ଯେ ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଏବଂ ବିକେନ୍ଦ୍ରୀକୃତ କ୍ରୟ ସୁବିଧାରେ ଜାତୀୟ କୃଷି ଆୟୋଗ (ବା ସ୍ୱାମୀନାଥନ୍ ଆୟୋଗ)ର ସୁପାରିସଗୁଡ଼ିକୁ ଲାଗୁ କରିବା ଉଚିତ୍।
ଅନୁବାଦ: ଓଡ଼ିଶାଲାଇଭ୍