ବର୍ଡର ରୋଡ୍ ସଂଗଠନର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ଲଦାଖର ବିସ୍ତୃତ ଅଞ୍ଚଳରେ ଉଚ୍ଚ-ପତ୍ତନରେ ନିର୍ମାଣ ହୋଇଥିବା ବିଭିନ୍ନ ରାସ୍ତାର ନେଟ୍ୱର୍କ ଯୋଗୁଁ ଲଦାଖରେ ଯାତ୍ରା କରିବା ସୁଗମ ତଥା ସମ୍ଭବପର ହୋଇପାରିଛି । ଏହି ପାହାଡ଼ି ରାସ୍ତା ନିର୍ମାଣରେ ନିୟୋଜିତ ହୋଇଥିବା ଅଧିକାଂଶ ଶ୍ରମିକ ବିହାର, ଛତିଶଗଡ ଓ ଝାଡଖଣ୍ଡରୁ ପ୍ରବାସରେ ଆସିଛନ୍ତି । ସେମାନେ ଏଠାରେ ମେ ମାସରୁ ଅକ୍ଟୋବରର ମଧ୍ୟ ପର୍ଯ୍ୟନ୍ତ ରହନ୍ତି ଓ ସେନାକୁ ସେମାନଙ୍କ ଅତ୍ୟାବଶ୍ୟକ ଜିନିଷଗୁଡିକ ପରିବହନ କରିବା ପାଇଁ, ପର୍ଯ୍ୟଟକମାନେ ଓ ଲଦାଖ୍ରେ ବସବାସ କରୁଥିବା ଲୋକମାନଙ୍କ ଗମନାଗମନ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନକୁ ସ୍ଥଳପଥରେ ଯୋଡ଼ିବା ନିଶ୍ଚିତ କରିଥାନ୍ତି।
କିଛି ସପ୍ତାହ ପୂର୍ବେ ମୁଁ ଲେହ ସହରଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ଚିଲିଂ ସହରକୁ ଯାଇଥିଲି । ଶୀତଦିନେ ଭାରି ତୁଷାରପାତ ଯୋଗୁଁ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ପେନ୍ସି ଲା ପାସ୍ ଦେଇ ଯାତାୟତ କରିବା ସମ୍ଭବ ହୋଇପାରେନାହିଁ । ତେବେ ନିର୍ମାଣାଧୀନ ଅବସ୍ଥାରେ ଥିବା ଲେହ-ପାଦମ ରାଜପଥ, ଯାହା ଚିଲିଂ ଦେଇ ଯାଇଛି, ତାହା ସମ୍ପୂର୍ଣ୍ଣ ହେବାପରେ ଜାଂସକର ଉପତ୍ୟକାକୁ ବର୍ଷସାରା ଯିବାଆସିବା କରିବା ସମ୍ଭବ ହୋଇପାରିବ । ମୁଁ ସେହି ଶ୍ରମିକମାନଙ୍କ ସହିତ ସେମାନେ ରହୁଥିବା ଟେଣ୍ଟରେ କିଛି ରାତି ବିତେଇବାକୁ ଯୋଜନା କଲି ।
୧୧ x ୮.୫ ବର୍ଗଫୁଟର ଏହି ଟେଣ୍ଟଗୁଡିକରେ ସଂଖ୍ୟାଧିକ ଲୋକ ରହନ୍ତି, ଗୋଟିଏ ଟେଣ୍ଟରେ ପ୍ରାୟ ୬-୭ ଜଣ ଲୋକ ଛଅ ମାସ ପର୍ଯ୍ୟନ୍ତ ରହିଥାନ୍ତି । ସେମାନେ ସେହି ଥଣ୍ଡା ପୃଷ୍ଠ ଉପରେ କେବଳ ଖଣ୍ଡିଏ ଅଖା ପକେଇ ତା’ଉପରେ ଶୁଅନ୍ତି, ସେମାନଙ୍କ ବାସନକୁସନ ଓ ଅନ୍ୟ ସାମଗ୍ରୀଗୁଡିକ ରଖିବା ପାଇଁ ମଧ୍ୟ କିଛି ସ୍ଥାନ ଆବଶ୍ୟକ ହୋଇଥାଏ । ଏହି ଟେଣ୍ଟଗୁଡିକୁ ସାଧାରଣତଃ କାର୍ଯ୍ୟସ୍ଥଳିରୁ ପ୍ରାୟ ୧-୨କିଲୋମିଟର୍ ଦୂରରେ ପକାଯାଇଥାଏ ଓ ରାସ୍ତା କାମ ଆଗେଇବା ସହିତ ଏଗୁଡିକୁ ପୁଣି ନୂଆ ସ୍ଥାନକୁ ସ୍ଥାନାନ୍ତରିତ କରାଯାଏ ।
ମୁଁ ଏହି ଟେଣ୍ଟରେ ଗୋଟିଏ ରାତିରୁ ଅଧିକ ସମୟ ରହିପାରିଲି ନାହିଁ । ପବନ, ଧୂଳି ଓ ଥଣ୍ଡା – ଗ୍ରୀଷ୍ମ ଋତୁରେ ମଧ୍ୟ ରାତ୍ରିର ତାପମାତ୍ରା ଶୂନ୍ୟ ଡିଗ୍ରୀ ସେଲ୍ସିଅସ୍କୁ ଖସିଯାଏ -–ଟେଣ୍ଟ ଭିତରେ ଏହାକୁ ସହିବା ପ୍ରାୟତଃ ଅସମ୍ଭବ ହୋଇଥାଏ ।
ଏହି କାରଣରୁ ମୁଁ ଦିନବେଳା ସେମାନେ ଲଦାଖରେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟସ୍ଥଳିକୁ ବିଭିନ୍ନ ସମୟରେ ବୁଲିବାକୁ ଗଲି (କେବଳ ନିର୍ମାଣାଧୀନ ରାଜପଥ ନୁହେଁ)। ସେଠାରେ ଦିନ ବିତେଇବା ମଧ୍ୟ ସହଜ ନୁହେଁ। ଗ୍ରୀଷ୍ମ ଋତୁରେ ଏହାର ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିଅସ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ ଓ ସିଧାସଳଖ ପଡୁଥିବା ପାହାଡ଼ି ସୂର୍ଯ୍ୟକିରଣ ମଧ୍ୟ ରୁକ୍ଷ ମନେ ହେଉଥିଲା। ଲଦାଖ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୦୦୦ ରୁ ୧୮,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହାର ବାୟୁ ପତଳା। ଏଠାରେ ପର୍ଯ୍ୟାପ୍ତ ଅମ୍ଳଜାନ ଉପଲବ୍ଧ ହେଉନଥିବାରୁ ସମତଳ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ପାଇଁ ଏଠାରେ ରାସ୍ତା ନିର୍ମାଣ ପରି ଏକ ପରିଶ୍ରମ ସାପେକ୍ଷ କାମ କରିବା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟଦାୟକ – ଏପରିକି ସ୍ଥାନୀୟ ନିବାସୀମାନଙ୍କ ପାଇଁ ମଧ୍ୟ । ଏହି ଶ୍ରମିକମାନେ ଏଠାରେ ମାଟି ଖୋଳିବା କାର୍ଯ୍ୟ କରିଥାନ୍ତି ତଥା ମାଟି କାଦୁଅ ଓ ଓଜନିଆ ପଥର ସବୁ ବୋହିବା କାମ କରିଥାନ୍ତି । ପୁରୁଷମାନେ ଦିନକୁ ପ୍ରାୟ ୧୦ ଘଣ୍ଟା କାମ କରନ୍ତି, ସପ୍ତାହରେ ଛଅ ଦିନ , ଯେଉଁଥିପାଇଁ ସେମାନଙ୍କୁ ଦୈନିକ ୩୫୦ଟଙ୍କା – ୬୦୦ଟଙ୍କା ମଧ୍ୟରେ ମଜୁରି ମିଳିଥାଏ, ଯାହା ସେମାନଙ୍କ କାମ ଓ କାର୍ଯ୍ୟ ଅନୁଭୂତି ଉପରେ ନିର୍ଭର କରିଥାଏ ।
ଇଣ୍ଡସ୍ ନଦୀ କୂଳରେ ଅବସ୍ଥିତ ଚୁମାଥଙ୍ଗ ଗ୍ରାମରେ ବିହାର ଓ ଛତିଶଗଡରୁ ଆସି ରହୁଥିବା ଶ୍ରମିକମାନଙ୍କ ଏକ ଦଳ ମୋତେ ଏହା କହିଲେ ଯେ, “ଆମ ପାଖରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନକାରୀ ପୋଷାକ ନାହିଁ [ଆମ ମଧ୍ୟରୁ କିଛି ଲୋକ ହେଲ୍ମେଟ୍, ଜୋତା ଓ ଗଗଲ୍ସ ପିନ୍ଧନ୍ତି] । ରାତି ପାଇଁ ଭାରତୀୟ ସ୍ଥଳ ସେନା ପକ୍ଷରୁ କିଛି ଉଷୁମପ୍ରଦାନକାରୀ ପୋଷାକ ପ୍ରଦାନ କରାଯାଇଛି। କାର୍ଯ୍ୟସ୍ଥଳୀରେ ପିଇବା ପାଣିର ଅଭାବ ମଧ୍ୟ ରହିଛି ।
ଚୁଶୁଲ୍ ଗ୍ରାମ ପାଖରେ ଭକତ ରାମ ସୁର୍ଜି, ବୟସ ପ୍ରାୟ ୫୦ ପାଖାପାଖିଙ୍କ ସହିତ ମୋର ସାକ୍ଷାତ ହୋଇଥିଲା, ଯିଏ ଇଣ୍ଡସ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେ ଝାଡ଼ଖଣ୍ଡରୁ ଆସିଛନ୍ତି ଓ ଗତ ପାଞ୍ଚ ବର୍ଷ ହେବ ଲଦାଖରେ ରହି ଆସୁଛନ୍ତି । ସେ ଗତ ଚାରି ବର୍ଷ ହେବ ଏଠାକୁ ନିୟମିତ ଆସୁଛନ୍ତି, କିନ୍ତୁ ସେ କୁହନ୍ତି ଯେ “ଏଠାରେ କାମ କରିବାକୁ ମୋର ଇଚ୍ଛା ନାହିଁ। ଏଠାରେ ମଜୁରି କମ୍ ଓ କାମ ଅତ୍ୟନ୍ତ କଷ୍ଟକର । କେତେକ ସ୍ଥାନରେ ରାସ୍ତାକାମ କରିବା ଏତେ ବିପଦପୂର୍ଣ୍ଣ ଯେ ମୁଁ ଆସନ୍ତାକାଲିର ସୂର୍ଯ୍ୟୋଦୟ ଦେଖିପାରିବି କି ନାହିଁ ତାହା ତାହା ଜାଣିପାରେ ନାହିଁ । ମୁଁ ସବୁବେଳେ ଭାବେ ଯେ ଆସନ୍ତା ବର୍ଷ ମୁଁ ଏଠାକୁ ଆସିବି ନାହିଁ କିନ୍ତୁ ମୁଁ ପୁଣି ଆସେ । ମୁଁ ଆସିବାକୁ ବାଧ୍ୟ ହୋଇଥାଏ କାରଣ ମୁଁ ଯେଉଁ ସ୍ଥାନରେ ରହେ ସେଠାରେ ନିରନ୍ତର ଛଅ ମାସ ପର୍ଯ୍ୟନ୍ତ କିଛି କାମ କରିବାକୁ ମିଳେନାହିଁ ’’।
ଅନୁବାଦ: ଓଡ଼ିଶାଲାଇଭ୍