ମୀରାମନ୍ଭାଇ ଚାୱଡା ୧୨ବର୍ଷ ବୟସରେ ପରିବାରର ମୁଖିଆ ହୋଇଗଲେ। ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ, ଜ୍ୟେଷ୍ଠ ପୁତ୍ର ଭାବେ, ତାଙ୍କ ଭାଇଭଉଣୀ- ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କୁ ମୁଣ୍ଡେଇବାକୁ ପଡିଲା । ସେ ମାଟି ପାତ୍ର ତିଆରି କରି ଓ ସେଗୁଡିକୁ ସ୍ଥାନୀୟ ଗ୍ରାମଗୁଡ଼ିକରେ ବିକ୍ରି କରି ଓ ଦୂରବର୍ତ୍ତୀ ଗ୍ରାମଗୁଡିକରେ ବିକ୍ରି କରିବା ପାଇଁ ବ୍ୟବସାୟୀମାନଙ୍କୁ ବିକ୍ରି କରି ନିଜ ଦାୟିତ୍ୱ ତୁଲାଇଲେ । ୧୦ଖଣ୍ଡ ଆଖପାଖ ଗ୍ରାମରେ ସେ ଥିଲେ ଏକ ମାତ୍ର କୁମ୍ଭାର ।
ଅନେକ ଦଶନ୍ଧି ବିତିଗଲାଣି, ତଥାପି ଆଜି ମଧ୍ୟ ମୀରାମନ୍ ତାଙ୍କର ଘୂର୍ଣ୍ଣୟାମାନ ମଞ୍ଚ ପାଖରେ ବସି ସେହି ମୃତ ପ୍ରାୟ କଳା ପ୍ରୟୋଗ କରି ମାଟି ପାତ୍ର ଗଢନ୍ତି ଯେଉଁଥିରୁ ତାଙ୍କର ୧୦୦ଟଙ୍କା ଆୟ ହେବ । ସେ ଦିନରେ ଚାରି ଘଣ୍ଟା କାମ କରନ୍ତି ଓ ତାଙ୍କର ଆୟ ପ୍ରସ୍ତୁତ ହୋଇଥିବା ଉତ୍ପାଦର ବିକ୍ରି ଉପରେ ନିର୍ଭର କରିଥାଏ । ଦିନ ଭଲ ଥିଲେ, ସେ ଚାରି-ପାଞ୍ଚ ପାତ୍ର ବିକ୍ରି କରି ପ୍ରାୟ ୪୫୦ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରନ୍ତି । କିନ୍ତୁ ଏଭଳି ଦିନ ଅତି ନଗଣ୍ୟ ଅଟେ ।
“ଲୋକମାନେ ପାତ୍ର ବଦଳରେ ମୋତେ ଶସ୍ୟ, ଡାଲି, କପଡ଼ା ଓ ଜୋତା ଆଦି ଦେଉଥିଲେ । ଜୀବନ ଭାରି ଭଲ ଥିଲା,” ବୋଲି ସେ ଅନେକ ପୁରୁଣା ଦିନର କଥା ମନେପକାଇ କୁହନ୍ତି । ସେ ଭୂମିହୀନ ହୋଇଥିବାରୁ, ଏହି ପ୍ରକାରେ ପରିବାର ପାଇଁ ରାସନ୍ ଯୋଗାଡ଼ କରିବାକୁ ସମର୍ଥ ହୋଇ ପାରୁଥିଲେ ।
ମୀରାମନ୍ ଗୁଜୁରାଟର ପୋର୍ବନ୍ଦର ନିକଟରେ ଅବସ୍ଥିତ ଏକ ଗ୍ରାମ ମେଖାଡିରେ ଜନ୍ମଗ୍ରହଣ କରିଥିଲେ । ନିଜ ପରିବାରର ଲାଳନପାଳନର ଦାୟିତ୍ୱ ବହନ କରିବା ପରେ ସେ ଜୁନାଗଡ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମକୁ ସ୍ଥାନାନ୍ତରିତ ହୋଇଗଲେ । ଜୁନାଗଡ଼ ସେତେବେଳେ ନୱାବମାନଙ୍କ ଅଧିନସ୍ଥ ଏକ ନିର୍ବାଚନ କ୍ଷେତ୍ର ଥିଲା । “ମୁଁ ରୋଷେଇ କାମରେ ମଧ୍ୟ ସାହାଯ୍ୟ କରୁଥିଲି । ନୱାବମାନେ ସେମାନଙ୍କ ବିଭିନ୍ନ ଉତ୍ସବ ପାଳନ କରିବା ଅବସରରେ ମୋତେ ଖାଦ୍ୟ ଯୋଗାଇବା କାମ ପାଇଁ ବିଶ୍ୱାସର ସହିତ ନିୟୋଜିତ କରୁଥିଲେ,” ବୋଲି ସେ ଉତ୍ସାହ ସହିତ କୁହନ୍ତି ।
ସେ ସେମାନଙ୍କ ପାଇଁ ପାତ୍ର ନିର୍ମାଣ କରୁଥିଲେ । ସେ କୁହନ୍ତି “ପ୍ରତିଥର ଯେତେବେଳେ ନୱାବ ଜମାଲ୍ ଭକ୍ତେ ବାବି ମୋତେ ଡାକୁଥିଲେ, ମୁଁ ତାଙ୍କ ପାଖରେ ପହଞ୍ଚିବା ପାଇଁ ୭୧କିଲୋମିଟର ରାସ୍ତା ଚାଲିଚାଲି ଅତିକ୍ରମ କରୁଥିଲି, ଏଠାରୁ ପୂର୍ବାହ୍ନରେ ଶୀଘ୍ର ବାହାରି ଯାଉଥିଲି ଓ ସନ୍ଧ୍ୟାବେଳେ ଜୁନାଗଡ଼ରେ ପହଞ୍ଚୁଥିଲି । ମୁଁ ୧୨ଅଣା ରେଳ ଭଡ଼ା ଦେବାକୁ ଅସମର୍ଥ ଥିଲି କାରଣ ମୁଁ ମୋର ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲି ଓ ଦୁଇଟି ଭଉଣୀ ବାହା ହେବାକୁ ଥିଲେ।’’
ମୀରାମନ୍ ମନେ ପକାଉଥିବା ପରି ମନେହୁଏ ଯେ ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ବେଳକୁ ତାଙ୍କୁ ୩୩ବର୍ଷ ହୋଇଥିଲା। ଏହି ଆଧାରରେ ହିସାବ କଲେ ବର୍ତ୍ତମାନ ତାଙ୍କ ବୟସ ୧୦୦ବର୍ଷ ହେବ । ତଥାପି ଏହି ବୟସରେ ସେ କିଭଳି ପାତ୍ର ତିଆରି କରୁଛନ୍ତି ? “ସମସ୍ତେ କିଛି ନା କିଛି କାମ କରିବାକୁ ଜନ୍ମ ହୋଇଛନ୍ତି । ସେମାନେ ସେହି କାମ ସବୁ ପ୍ରକାର ପରିସ୍ଥିତିରେ କରିବାକୁ ବାଧ୍ୟ ଅଟନ୍ତି, ଯେପରି ସେମାନଙ୍କୁ ହିଁ କେବଳ ଏହି କାମ କରିବାକୁ ଅଛି । ମୋର ଶୈଶବ, ଯୌବନ ଓ ମୁଁ ଯେତେବେଳେ ସମସ୍ତ ଦାୟିତ୍ୱ ବହନ କରୁଥିଲି, ସେତେବେଳେ ମଧ୍ୟ ମୁଁ ଏହି କଳା ସହିତ ଯୋଡ଼ି ହୋଇ ରହିଥିଲି । ତାହାହେଲେ ଏବେ କାହିଁକି ବନ୍ଦ କରିଦେବି? ମୁଁ କଳା ସହିତ ବଞ୍ଚିଛି ଓ କଳା ସହିତ ମରିବି,” ବୋଲି ସେ କୁହନ୍ତି, ଯେତେବେଳେ ଆମେ ଚାଲି ଚାଲି ତାଙ୍କର ଛୋଟ ଅଗଣାକୁ ଯାଉଥିଲୁ, ଯେଉଁଠାରେ ସେ ବିଭିନ୍ନ ପ୍ରକାରର ଉପକରଣ ଓ କୁମ୍ଭାରକାମରେ ବ୍ୟବହାର ହେଉଥିବା ଯନ୍ତ୍ରର ଚିତ୍ତାକର୍ଷକ ସଂଗ୍ରହ ରହିଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍