“୧୯୭୦ ଓ ୮୦ରେ, ଆମ ଜାଲରେ ପ୍ରଚୁର ପରିମାଣରେ ମାଛ ପଡୁଥିଲେ । ଏପରିକି ଆମେମାନେ ମାକେରେଲ୍ ଭଳି ମାଛକୁ ମଧ୍ୟ ନଡିଆ ଉଦ୍ୟାନରେ ଖତ ଭାବେ ବ୍ୟବହାର କରିବା ପାଇଁ ବିକ୍ରି କରିଛୁ,” ବୋଲି ଉତ୍ତର ଗୋଆରେ ଅବସ୍ଥିତ କଳାଙ୍ଗୁଟେ ଗ୍ରାମର ଜଣେ ବୟସ୍କ ମତ୍ସ୍ୟଜୀବୀ ମାର୍ସେଲାଇନ୍ ଫର୍ଣ୍ଣାଣ୍ଡିସ୍ ମୋତେ କହିଛନ୍ତି । (ଏହି ବୃତ୍ତଚିତ୍ର ପାଇଁ ମୁଁ ତାଙ୍କ ସହିତ ସାକ୍ଷାତ କରିବା ପରେ ସେ ମରିଯାଇଛନ୍ତି।)
ବର୍ଷ ବର୍ଷ ଧରି ଯେହେତୁ ଗୋଆ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇ ରହିଆସିଛି, ସେଠାକୁ ବର୍ଷସାରା ପର୍ଯ୍ୟଟକମାନେ ଆସିବା ସହିତ, ବର୍ଷର ୧୨ ମାସ ମାଛର ଚାହିଦା ରହୁଛି – ଓ ଏଣୁ ଏହା ଏବେ ଆଉ ପ୍ରଚୁର ପରିମାଣରେ ଉପଲବ୍ଧ ହୋଇପାରୁ ନାହିଁ । ଗୋଆ ଉପକୂଳରେ ବଡ ବଡ ଟ୍ରଲର୍ ସହାୟତାରେ ମାଛ ଧରାଯାଉଥିବାରୁ, ମତ୍ସ୍ୟଜୀବୀମାନଙ୍କ ଜାଲରେ ଆଉ ଅଧିକ ସଂଖ୍ୟକ ମାଛ ପଡୁନାହାନ୍ତି ।
ଫଳସ୍ୱରୂପ, ରାଜ୍ୟର ୧୦୪ -କିମି ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ସେମାନଙ୍କ ପାରମ୍ପରିକ ବୃତ୍ତି ମାଛ ଧରିବା କାମ ଜାରି ରିଖିବା ସହିତ ଦୋକାନ, ଜଳ କ୍ରୀଡା ଓ ଅନ୍ୟ ପର୍ଯ୍ୟଟନ ସମ୍ପର୍କିତ ଗତିବିଧିଗୁଡିକ ଆରମ୍ଭ କରିଛନ୍ତି । ସମୟ ଅତିବାହିତ ହେବା ସହିତ, କାମ ଅନୁସନ୍ଧାନରେ ଯୁବ ପିଢିରୁ ଅନେକ ପଶ୍ଚିମ ଏସିଆ ଗସ୍ତ କରିଥିବା ବେଳେ, ଅଧିକାଂଶ ଛୋଟ ଛୋଟ ବିଚ୍ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବା ଅନ୍ୟ ପ୍ରକାରେ ପର୍ଯ୍ୟଟନ ଶିଳ୍ପରେ ନିଜକୁ ସାମିଲ କରିଛନ୍ତି ।
ଆଉ କିଛି ଏବେ ମଧ୍ୟ ଏହି ବୃତ୍ତି ସହିତ ଜଡିତ ଅଛନ୍ତି : “ମୋପ ପୂର୍ବପୁରୁଷମାନେ ମତ୍ସ୍ୟଜୀବୀ ଥିଲେ,” ବୋଲି ରୋନି ଫର୍ଣ୍ଣାଣ୍ଡିସ୍ କୁହନ୍ତି ଓ ‘‘ମୁଁ ଏହାକୁ ଭବିଷ୍ୟତରେ ମଧ୍ୟ ଜାରି ରଖିବା ପାଇଁ ଆଶାୟୀ ଅଛି ।’’
ବୃତ୍ତଚିତ୍ର ସିଫ୍ଟିଂ ସେଣ୍ଡସରେ ଉତ୍ତର ଗୋଆର ପର୍ଯ୍ୟଟନ କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏକ ଗ୍ରାମର ମତ୍ସ୍ୟଜୀବୀ ମହିଳା ଓ ପୁରୁଷମାନଙ୍କ ବିଷୟରେ ଦେଖାଯାଇଛି । ଏଥିରେ ସେମାନେ କିଭଳିଭାବେ ନିଜକୁ, ସେମାନଙ୍କ ବୃତ୍ତି ଓ ସେମାନଙ୍କ ଚାରିପାଖରେ ହେଉଥିବା ପରିବର୍ତ୍ତନକୁ ଗ୍ରହଣ କରୁଛନ୍ତି, ସେ ବିଷୟରେ ଅନୁସନ୍ଧାନ କରାଯାଇଛି ।
ବାଲି ହୁଏତ ଘୁଞ୍ଚି ଯାଇପାରେ ଓ ଜୁଆର ବଦଳିପାରେ, କିନ୍ତୁ କେତେକ ସମ୍ପର୍କ ସବୁବେଳେ ମଜବୁତ ରହିଥାଏ ।
ସୂଚନା : ପରୀର ସହଯୋଗୀ ସୋନିଆ ଫିଲିଣ୍ଟୋଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ସିଫ୍ଟିଂ ସାଣ୍ଡ ହେଉଛି ୨୦୧୨ - ୧୩ରେ ନିର୍ମିତ ହୋଇଥିବା ଏକ ସ୍ୱାଧୀନ ବୃତ୍ତଚିତ୍ର । ଏହା ୨୦୧୫ରେ ଫ୍ରାନ୍ସର ଲୋରିଏଣ୍ଟରେ ଅନୁଷ୍ଠିତ ହୋଇଥିବା ଲେ ଫେଷ୍ଟିଭାଲ୍ ଇଣ୍ଟରନାସ୍ନାଲ୍ ଡି ଫିଲ୍ମ ପେଚେୟୁର୍ସ ଡ୍ୟୁ ମଣ୍ଡେରେ ପ୍ରଦର୍ଶିତ ହୋଇଛି । ଏହାସହିତ ଗୋଆ, ବାଙ୍ଗାଲୋର୍ ଓ ଦୁବାଇରେ ମଧ୍ୟ ପ୍ରଦର୍ଶିତ ହୋଇସାରିଛି ।
ଅନୁବାଦ: ଓଡ଼ିଶାଲାଇଭ୍