ଆମେ ଜିପ୍ରୁ ଓହ୍ଲାଇବା ମାତ୍ରେ, କଡା ସୁରକ୍ଷା ବଳୟରେ ଥିବା ରାଜାଭୋମାଙ୍ଗି ପୋଲିସ୍ ଷ୍ଟେସନର କନେଷ୍ଟବଳମାନେ ନିଜ ନିଜ ସ୍ଥାନରେ ଭୟଭୀତ ହୋଇଉଠିଲେ। ଷ୍ଟେସନ ହିଁ ପୋଲିସ୍ ସୁରକ୍ଷା ବଳୟରେ ଥିଲା। ତା’ ଚାରିପଟେ ଘେରି ରହିଥିଲେ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ୍ ବାହିନୀ। ମାତ୍ର ଗୋଟିଏ କ୍ୟାମେରା ସହ ଯାଇଥିବା ଆମେ ଉତ୍ତେଜନା କମ୍ କରିବାରେ କିଛି ସହାୟକ ହେଲୁନାହିଁ। ପୂର୍ବ ଗୋଦାବରୀର ଏହି ଅଂଶରେ ପୋଲିସ୍ ଷ୍ଟେସନର ଫଟୋ ଉଠାଇବା ନିଷେଧ।
ଭିତର କରିଡରର ସୁରକ୍ଷା ବଳୟରେ ଥିବା ହେଡ୍ କନେଷ୍ଟବଳ ଆମେ କିଏ ବୋଲି ଜାଣିବାକୁ ଚାହିଁଲେ। ସାମ୍ବାଦିକ? ସ୍ଥିତି ଟିକିଏ ସହଜ ହେଲା। “ଆପଣ କିଛି ବିଳମ୍ବରେ ପ୍ରତିକ୍ରିୟା କଲେ ନାହିଁ”, ମୁଁ ପଚାରିଲି। “୭୫ ବର୍ଷ ତଳେ ତୁମ ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା”।
"କିଏ ଜାଣେ", ସେ ଦାର୍ଶନିକସୁଲଭ ଢଙ୍ଗରେ କହିଲେ। "ଆଜି ଅପରାହ୍ନରେ ବି ତାହା ଘଟିପାରେ"।
ଆନ୍ଧ୍ରପ୍ରଦେଶର ଏହି ଆଦିବାସୀବହୁଳ ଅଞ୍ଚଳ (ଏଜେନ୍ସି) ଅଞ୍ଚଳ ଭାବେ ପରିଚିତ। ଅଗଷ୍ଟ ୧୯୨୨ରେ ସେମାନେ ବିଦ୍ରୋହ କରିଥିଲେ। ପ୍ରାଥମିକ ଭାବେ ଯାହା ସ୍ଥାନୀୟ ଲୋକଙ୍କ ଆକ୍ରୋଶର ପ୍ରତିଫଳନ ବୋଲି ଲାଗୁଥିଲା ପରେ ତାହା ବ୍ୟାପକ ରାଜନୈତିକ ଅର୍ଥ ନେଇଥିଲା। ଜଣେ ଅଣଆଦିବାସୀ ଆଲୁରି ରାମଚନ୍ଦ୍ରରାଜୁ (ସୀତାରାମ ରାଜୁ ଭାବେ ଅଧିକ ଜଣାଶୁଣା) ମାନ୍ୟମ ବିଦ୍ରୋହରେ ଏହି ପାହାଡ଼ିଆ ଜାତିର ଲୋକଙ୍କ ନେତୃତ୍ୱ ନେଲେ। ଏଠାରେ, ଲୋକମାନେ କେବଳ ଅଭିଯୋଗର ଶୁଣାଣି ପାଇଁ ଦାବି କରୁନଥିଲେ। ୧୯୨୨ ସୁଦ୍ଧା ସେମାନେ ବ୍ରିଟିଶ ରାଜକୁ ହଟାଇବାକୁ ସଂଘର୍ଷ କରୁଥିଲେ। ଏଜେନ୍ସି ଅଞ୍ଚଳରେ ବହୁ ପୁଲିସ ଷ୍ଟେସନ୍ ଉପରେ ଆକ୍ରମଣ କରି ବିଦ୍ରୋହୀମାନେ ସେମାନଙ୍କର ଲକ୍ଷ୍ୟ ସଂପର୍କରେ ଘୋଷଣା କରିଦେଲେ। ସେଥିମଧ୍ୟରେ ରାଜାଭୋମାଙ୍ଗି ପୁଲିସ ଷ୍ଟେସନ୍ ବି ସାମିଲ ଥିଲା।
୭୫ ବର୍ଷ ତଳେ ବ୍ରିଟିଶମାନଙ୍କ ବିରୋଧରେ ଯେଉଁ ସମସ୍ୟା ପାଇଁ ଲଢେ଼ଇ କରାଯାଇଥିଲା, ତାହା ବର୍ତ୍ତମାନ ମଧ୍ୟ ରହିଛି।







