

Virudhunagar, Tamil Nadu
|WED, AUG 15, 2018
ଗାଁରୁ ପୋନ୍ନୁସାମୀଙ୍କ ବିଶ୍ୱ ଦର୍ଶନ
ତାମିଳନାଡ଼ୁ ବିରୁଦ୍ଧନଗର ଜିଲ୍ଲାର ତାଙ୍କ ଉପାନ୍ତ ଗାଁରେ ବସି, ପ୍ରତିଷ୍ଠିତ ଲେଖକ ପୋନ୍ନୁସାମୀ ୧୯୯୩ରେ ତତ୍କାଳୀନ କୃଷି ସଙ୍କଟ ନେଇ ସଂକେତ ଦେଇଥିଲେ। ଗତ ଅକ୍ଟୋବର ୩୦ରେ ତାଙ୍କର ଦେହାନ୍ତ ଘଟିଛି।
Author
Translator

P. Sainath
ଏ ସମଗ୍ର ପୃଥିବୀ ତାଙ୍କ ଗାଁ ଥିଲା। ୧୯୯୩ରେ ପୁଡୁକୋଟ୍ଟାଇରେ ମୁଁ ପ୍ରଥମେ ତାଙ୍କୁ ଦେଖିଥିଲି, ଯିଏ ପଞ୍ଚମରୁ ସ୍କୁଲ ଛାଡିଥିଲେ। କିନ୍ତୁ ସେ ଥିଲେ ଜଣେ ଖ୍ୟାତନାମା ସାରସ୍ୱତ ସାଧକ। ପରେ, ମୁଁ ତାଙ୍କୁ ତାଙ୍କ ଘରେ, କାମରାଜ (ଏବେ ବିରୁଦ୍ଧନଗର) ଜିଲ୍ଲାର ମେଲାନମରାଇ ନାଡ଼ୁ ଗାଁରେ ଭେଟିଥିଲି। ଅକ୍ଟୋବର ୩୦ରେ, ୬୬ ବର୍ଷ ବୟସରେ ମେଲାନମାଇ ପୋନ୍ନୁସାମୀଙ୍କ ଦେହାନ୍ତ ଘଟିଥିଲା। ଗ୍ରାମାଞ୍ଚଳର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ହରାଇଥିଲା ଭାରତ। ପୋନ୍ନୁସାମୀ ଜଣେ ସୃଜନଶୀଳ ସାହିତ୍ୟିକଠାରୁ ଆଉ କିଛି ଅଧିକ ଥିଲେ। ବିଚକ୍ଷଣ ରାଜନୈତିକ ବୁଦ୍ଧି, ଚିନ୍ତାନାୟକ ଏବଂ ଜଣେ ବିଶ୍ଳେଷକ ଥିଲେ। ତାଙ୍କ ପୁରୁଣା ଜନ୍ମଭୂମି ରାମନାଥପୁରମରେ (ରାମନାଦ ଭାବେ ଅଧିକ ଜଣାଶୁଣା) କାହିଁକି ଦାରିଦ୍ର୍ୟ ଏବଂ କ୍ଳେଶ ଥିଲା, ସେ ତାର ବର୍ଣ୍ଣନା କରିଛନ୍ତି।
ସେ ତାଙ୍କ ଗାଁକୁ କେନ୍ଦ୍ର କରି ସମଗ୍ର ପୃଥିବୀକୁ ବୁଝି ପାରିଥିଲେ। ‘ଶସ୍ୟ ସଂକଟ’ ଶବ୍ଦ ବ୍ୟବହାରର ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସେ କହୁଥିଲେ ଯେ, ନୂଆ ବିହନ ତାଙ୍କ ଗାଁର ଚାଷୀଙ୍କ ପାଇଁ ଧ୍ୱଂସକାରୀ ହେବ। ସେ କହିଲେ, “ଯେଉଁମାନେ ଏହି ବିହନ ବ୍ୟବହାର କରିବା ଆରମ୍ଭ କରିଛନ୍ତି, ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଏବେ ବହୁ ପରିମାଣରେ ବଢି ଯାଇଛି।” ଏହା ଥିଲା ୧୯୯୩ ମସିହାର କଥା।
ସାହିତ୍ୟ ଏକାଡେମୀ ପୁରସ୍କାର ସହ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପୋନ୍ନୁସାମୀ। ଜଣେ ବିଶିଷ୍ଟ ଲେଖକ ହୋଇଥିବା ସତ୍ତେ୍ବ ଗାଁରୁ ଯାଇ ମଦୁରାଇ କିମ୍ବା ଚେନ୍ନାଇ ଭଳି ଏକ ବଡ଼ ଜାଗାରେ ରହିବା ଚିନ୍ତାଧାରାର ସେ ପରିପନ୍ଥି ଥିଲେ। ସେ ଅନୁଭବ କରୁଥିଲେ ଯେ, ପୁରୁଣା ରାମନାଦ ଜିଲ୍ଲା (ବର୍ତ୍ତମାନ ବିରୁଦ୍ଧନଗର) ର ତାଙ୍କ ଗାଁରେ ରହି ସେ ଲେଖକୀୟ ସ୍ୱୀକୃତି ପାଇଛନ୍ତି । ତାଙ୍କ ଜୀବନର ଶେଷ ତିନି ଚାରି ବର୍ଷ ସେ ଭୀଷଣ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପୁଅ ପାଖକୁ ଚେନ୍ନାଇକୁ ପଳାଇ ଆସିଥିଲେ। ସେଠାରୁ ତାଙ୍କ ଡାକ୍ତର ଝିଅ ଅଳ୍ପ ଦୂରରେ ରହୁଥିଲେ।
କେତେ ମହାନ ଲେଖକ। କେତେ ସୁନ୍ଦର ମଣିଷ। କେତେ ଭୟଙ୍କର କ୍ଷତି। ମୋ ପୁସ୍ତକ ଏଭ୍ରିବଡି ଲଭ୍ସଏ ଗୁଡ୍ଡ୍ରଟ୍ରେ ତାଙ୍କ ଉପରେ ଲେଖିଥିବା ଏହି କାହାଣୀ।
ମେଲାନମରାଇ ନାଡ଼ୁ, କାମରାଜର (ତାମିଲ ନାଡ଼ୁ): ପଞ୍ଚମ ଶ୍ରେଣୀରୁ ସେ ସ୍କୁଲ ଛାଡ଼ି ଦେଇଥିଲେ। ବିଶ୍ୱବିଦ୍ୟାଳୟ ସ୍ତରରେ ତାଙ୍କର କେତୋଟି କ୍ଷୁଦ୍ରଗଳ୍ପ ପଢିବାର ଆବଶ୍ୟକତା ରହିଛି। ତାଙ୍କର ପ୍ରତିଟି ଲେଖା ବ୍ୟଙ୍ଗାତ୍ମକ, କିନ୍ତୁ ସେଥିରେ ଶାଣିତ ବାର୍ତ୍ତା ରହିଛି। ଅନ୍ୟ ଜିଲ୍ଲାରେ ଥିବା ବିଶ୍ୱିବିଦ୍ୟାଳୟମାନଙ୍କରେ ଏହି କାହାଣୀ ଗୁଡ଼ିକ ପଢାଯାଉଛି । କିନ୍ତୁ ତାଙ୍କ ପ୍ରିୟ ଜିଲ୍ଲା ରାମନାଦରେ କୌଣସି ବିଶ୍ୱିଦ୍ୟାଳୟ ନାହିଁ ।
ମୁଁ ପ୍ରଥମେ ତାଙ୍କୁ ପୁଡ଼ୁକୋଟ୍ଟାଇରେ ଦେଖିଥିଲି। ଏକ ଭରପୂର କକ୍ଷରେ ସାଧାରଣ ସଭାରେ ସେ ଉଦବୋଧ ଦେଉଥିଲେ। ଟେବୁଲ ଉପରେ ଆଗକୁ ଝୁଙ୍କିପଡ଼ି ସେ ଦର୍ଶକଙ୍କୁ କହୁଥିଲେ, କେମିତି ଗଲ୍ଫ ଯୁଦ୍ଧର ନାଟକୀୟ ପ୍ରଭାବ ପଡ଼ିଥିଲା ତାଙ୍କର ଛୋଟିଆ ଗାଁ ରାମନାଦ ଉପରେ। ସେଠାରେ ଥିବା କିଛି କୃଷକ ସେମାନଙ୍କ ‘ଆଧୁନିକୀକରଣ’, ଟ୍ରାକ୍ଟର ଏବଂ ଅନ୍ୟ ସବୁ ପ୍ରସଙ୍ଗରେ ବୁଝିପାରିଲେ। ସେତେବେଳକୁ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା(୧୯୯୧ରେ)। ପେଟ୍ରୋଲ, ଡିଜେଲ ଏବଂ ଆମଦାନୀ ହେଉଥିବା ବିଭିନ୍ନ ଜିନିଷର ଚଢା ଦର ଯୋଗୁଁ ସେମାନଙ୍କ ଯୋଜନାକୁ ନେଇ ସେମାନେ ଚିନ୍ତିତ ଥିଲେ।
ଏହି ସମୟରେ ବିଦ୍ୟୁତ ଚାଲିଗଲା। କିନ୍ତୂ ପୋନ୍ନୁସାମୀ ଗୋଟିଏ ମୁହୂର୍ତ୍ତ ପାଇଁ ବି ଅଟକି ନଥିଲେ। ସେମିତି ଭାଷଣ ଦେବାରେ ଲାଗିଥିଲେ। ହଲ ଭିତର ସଂପୂର୍ଣ୍ଣ ନିରବ ଥିଲା। ଅନ୍ଧାର ଭିତରେ ବି ସମସ୍ତେ ଭାଷଣରେ ମଜ୍ଜି ଯାଇଥିଲେ।
ଏହା ଥିଲା ଏକ ମାସ ପୂର୍ବର ଘଟଣା। ଏବେ ତାଙ୍କୁ ଆମେ ପୁଣିଥରେ ଅନ୍ଧାରରେ ଶୁଣିବାକୁ ଚାହୁଁଥିଲୁ। ତାଙ୍କ ଗାଁରେ ପହଞ୍ଚିବାକୁ ଆମକୁ ଅନେକ ଘଣ୍ଟା ଲାଗିଯାଇଥିଲା। ପ୍ରାୟ ରାତି ୨ଟାରେ ଆମେ ତାଙ୍କ ଗାଁରେ ପହଞ୍ଚିଥିଲୁ। ଚାଲିଚାଲି ପାଦ ଥକି ପଡିଥିଲା। ଖୁବ ଯନ୍ତ୍ରଣା ହେଉଥିଲା। ଏତେ ରାତିରେ ତାଙ୍କୁ ନିଦରୁ ଉଠାଇଥିବାରୁ ଆମେ ଅନ୍ତରର ସହ କ୍ଷମା ମାଗିଲୁ।
ତାଙ୍କ କଥା ଆମକୁ ଆଶ୍ଚର୍ଯ୍ୟ କଲା: ସେ କହିଲେ, “ଆଲୋଚନା ପାଇଁ ଏଇଟା କଣ ସବୁଠୁ ଉତ୍ତମ ସମୟ ନୁହେଁ? ” କିଛି ସମୟ ପରେ ଆମେ ଆଲୋଚନାରେ ମଜ୍ଜି ଯାଇଥିଲୁ।

P. Sainath
ସେ କେବଳ ଜଣେ ଉଚ୍ଚ ସମ୍ମାନିତ ଲେଖକ ନୁହନ୍ତି, ତାଙ୍କ ଜିଲ୍ଲାର ଅନୁନ୍ନତତା ସଂପର୍କରେ ମଧ୍ୟ ତାଙ୍କର ଗଭୀର ଅନୁଧ୍ୟାନ ରହିଛି। ରାମନାଦ ବିଭାଜିତ ହେବା ପରେ ତାଙ୍କ ଗାଁ ମେଲାନମରାଇ ନାଡ଼ୁ ପୃଥକ ହୋଇଯାଇଛି। ଏବେ ଏହା କମରାଜର ଜିଲ୍ଲାରେ ଅବସ୍ଥିତ। ରାମନାଦ କାହିଁକି ଏମିତି ରହିଯାଇଛି ତା ଉପରେ ସେ ଅନେକ ମାନସ ମନ୍ଥନ କରିଛନ୍ତି। ଗତ ୨୧ ବର୍ଷ ମଧ୍ୟରେ ସେ ଯେତେ କାହାଣୀ ଲେଖିଛନ୍ତି ସେ ସବୁ ରାମନାଦ ଉପରେ।
ପୋନ୍ନୁସାମୀ କଳ୍କୀ ପୁରସ୍କାର ବିଜେତା ଏବଂ ପ୍ରଗତିଶୀଳ ଲେଖକ ସଂଗଠନର ଜଣେ ଆଗଧାଡ଼ିର ଲେଖକ ହୋଇ ମଧ୍ୟ ତାଙ୍କ ବିଛିନ୍ନ ଗାଁରେ ରହିବାକୁ ସେ ପସନ୍ଦ କରନ୍ତି। କାହିଁକି ଏକ ବଡ଼ ସହରରେ ରହୁ ନାହାନ୍ତି ବୋଲି ପଚାରିବାରୁ ସେ କହିଲେ, “ଲେଖାର ସତ୍ୟନିଷ୍ଠତାକୁ ଏହା କ୍ଷତି ପହଞ୍ଚାଇବ।” ସେଇଥିପାଇଁ ସେ ମେଲାନମରାଇ ନାଡ଼ୁରେ ରହିଯାଇଛନ୍ତି। ଏହା ଏମିତି ଏକ ଗାଁ ଯାହାକୁ ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଲା। ଆମେ ଏଠି ନିର୍ଦ୍ଧାରିତ ସମୟର ପ୍ରାୟ ଛଅ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲୁ।
“ରାମନାଦର ଦାରିଦ୍ର୍ୟତାକୁ ନେଇ ଜଣେ ବିଶେଷଜ୍ଞ ଭାବେ ତୁମେ ମୋର ସାକ୍ଷାତକାର ନେବାକୁ ଯାଉଛ? ଜଣେ ଲେଖକ ଭାବେ ନୁହେଁ ?” ଆମର ଉଦ୍ଦେଶ୍ୟ ପୋନ୍ନୁସାମୀ ପରିଷ୍କାର ଭାବେ ଜାଣି ପାରିଥିଲେ।
ପୋନ୍ନୁସାମୀ କହିଲେ, “ରାମନାଥପୁରମ ଜିଲ୍ଲା ୧୯୧୦ ମସିହାରେ ଗଠନ ହୋଇଥିଲା”। “ଆଜି ପର୍ଯ୍ୟନ୍ତ ଏହି ଜିଲ୍ଲାରେ କୌଣସି ବିଶ୍ୱବିଦ୍ୟାଳୟ ନାହିଁ। ଏହି ଜିଲ୍ଲାରୁ ଆଉ ତିନିଟି ଜିଲ୍ଲା ଜନ୍ମ ନେଲେଣି ଏବଂ ଦୁଇ ଜଣ ମନ୍ତ୍ରୀ ଥାଇ ବି ଏଠାରେ କୌଣସି ମେଡ଼ିକାଲ କଲେଜ ନାହିଁ।” ଗୋଟିଏ ସରକାରୀ ଇଂଜିନିୟରିଂ କଲେଜ ମଧ୍ୟ ନାହିଁ। ଏଠାରେ ଥିବା ଏକମାତ୍ର ଘରୋଇ ଇଂଜିନିୟରିଂ କଲେଜ ଏବର୍ଷ ବୋଧହୁଏ ବନ୍ଦ ହୋଇଯିବ। ନୂଆ ଜିଲ୍ଲାରେ କେବଳ ତିନିଟି କଲେଜ ରହିଛି ଏବଂ ଏଗୁଡ଼ିକରେ ମାତ୍ର ଦୁଇଟି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି।
ସେ କହିଲେ, “ଏହି ଅନୁନ୍ନତାତା ତା ନିଜର ମାନସିକତାକୁ ଜନ୍ମ ଦେଇଛି”। “ରାମନାଦରେ ବିଶ୍ୱବିଦ୍ୟାଳୟ ପାଇଁ ଆଦୌ କେବେ ଦାବି ମଧ୍ୟ ହୋଇନାହିଁ। ଏହି ନିକଟ ଅତୀତରେ କେତେକ ରାଜନୈତିକ ଦଳ ଏହି ପ୍ରସଙ୍ଗ ଉଠାଇଥିଲେ। ଦୁଇ ପିଢି ପରେ ବି ଏଠି ମୌଳିକ ଶିକ୍ଷା ଅପହଞ୍ଚ ହୋଇ ରହିଛି।”
“ରାମନାଦବାସୀଙ୍କ ପାଇଁ ଦାବି କିମ୍ବା ଆବେଦନ ଏତେ ସହଜ ନଥିଲା। ୮୩ ବର୍ଷ ଧରି ଏହି ଜିଲ୍ଲାର ମୁଖ୍ୟାଳୟ ମଦୁରାଇ ଜିଲ୍ଲାରେ ଥିଲା! ଏପରିକି ଅଦାଲତ ମଧ୍ୟ ଗତ ଛଅ ମାସ ପୂର୍ବରୁ ସେହି ସହରରେ ଥିଲା। ୧୯୮୫ରେ ରାମନାଦ ଜିଲ୍ଲା ୩ଟି ଜିଲ୍ଲାରେ ବିଭାଜିତ ହେବା ପରେ ଏହି ପରିବର୍ତ୍ତନ ହୋଇଛି।”

P. Sainath
ଆଦୌ ପଶ୍ଚାତାପ କରୁନଥିବା ଜଣେ ବାମପନ୍ଥୀ ବୋଲି ପୋନ୍ନୁସାମୀ ନିଜକୁ କହନ୍ତି। ତାଙ୍କ ଭାଷାରେ - “ପ୍ରଶାସନ ଏମାନଙ୍କଠାରୁ ସବୁବେଳେ ଦୂରେଇ ରହି ଆସିଛି। ଅଧିକାରୀମାନେ ବହୁ ଦୂରରେ ଥିବାରୁ ଏସବୁ ସ୍ଥାନୀୟ ପ୍ରସଙ୍ଗ ସେମାନେ ଜାଣୁ ନଥିଲେ। ଆଞ୍ଚଳିକ ସମସ୍ୟା କଣ ବୁଝି ହେଉନଥିଲା। ବର୍ତ୍ତମାନ ଆମ ପାଖରେ ଅଦାଲତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟନ୍ୟ ସୁବିଧା ହେଲାଣି। ତଥାପି ସେଇ ପୁରୁଣା ଢାଞ୍ଚା ବଦଳିନି, କାରଣ ମୌଳିକ ପ୍ରସଙ୍ଗଗୁଡ଼ିକ ସେମିତି ପୂର୍ବଭଳି ପଡ଼ି ରହିଛି।”
ରାଜ୍ୟର ସବୁ ପଛୁଆ ଜିଲ୍ଲା ଭିତରେ ଏହି ଜିଲ୍ଲାର ଆୟ ସବା ଶେଷରେ ରହିଛି। ଅନ୍ୟ ଜିଲ୍ଲା ତୁଳନାରେ ଏହା ୨୦ ପ୍ରତିଶତ ମଧ୍ୟ ବିକଶିତ ହୋଇନାହିଁ। “ପୂର୍ବରୁ ଏହା ଏକ ଜମିଦାରୀ ଅଞ୍ଚଳ ଥିଲା। ପ୍ରକୃତରେ ଛୋଟଛୋଟ ଜାଗିରିକୁ ନେଇ ଏହି ଅଞ୍ଚଳ ଗଠିତ। ଏଥିରୁ ଅଧିକାଂଶ ପ୍ରାୟ ଜାତି ଆଧାରରେ ଚାଲିଥିଲା। ଏହି ଅଞ୍ଚଳ ପଛୁଆ ହୋଇ ରହିବା ଜାତିପ୍ରଥାର ଏକ ଅବଦାନ।”
ବ୍ରିଟିଶ ଅମଳରେ ମଧ୍ୟ ଏହି ଚଳଣି ବ୍ୟବସ୍ଥିତ ହୋଇନଥିଲା। ନିଯୁକ୍ତି ଏବଂ ଆୟ ପାଇଁ ଥିବା କେତେକ ବାଟକୁ ଏହା ଧ୍ୱଂସ କରି ଦେଇଛି। “ଏଠି ବହୁ ସଂଖ୍ୟାରେ ଲୋକ ବେଆଇନ୍ କାର୍ଯ୍ୟ କଲେ। ଅନ୍ୟମାନଙ୍କ ବଞ୍ଚିବାର ମାଧ୍ୟମକୁ ସେମାନେ ହଡ଼ପ କଲେ।” ଏବେ ରାମନାଦରେ ଜାତିପ୍ରଥା ଏବଂ ଅପରାଧର ଚରମ ହିଂସା।
“ଏଠି ଭୂ-ସଂସ୍କାରର ଅର୍ଥ କିଛି ନାହିଁ। ସମସ୍ତଙ୍କର ଗୋଟିଏ ଧାରଣା, ଏହି ଜିଲ୍ଲାରେ ଭଲ ଚାଷ ହୁଏ। କିନ୍ତୁ ସେଇ ମାନସକତାରେ ଏଠି କିଏ କାମ କରିଛି?” ରାମନାଦରେ ଜମି ଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କର ଦୁଇ ଏକରରୁ କମ୍ ଜାଗା ଅଛି। ତାହା ପୁଣି ବିଭିନ୍ନ କାରଣରୁ ଅର୍ଥକରୀ ନୁହେଁ। ଏହି ତାଲିକାର ସବୁଠୁ ଶୀର୍ଷରେ ରହିଛି ଜଳସେଚନର ଅଭାବ।
“ନିଯୁକ୍ତି ମଣିଷ ପାଇଁ ଏକ ବଡ଼ ପ୍ରସଙ୍ଗ। ଯଦି ଆପଣଙ୍କର ସିମେଣ୍ଟ କାରଖାନା ଅଛି, ତାହାଲେ ଆପଣଙ୍କ ପାଖରେ କେବଳ ସିମେଣ୍ଟ ନାହିଁ, ନିଯୁକ୍ତି ମଧ୍ୟ ଅଛି। କିନ୍ତୁ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ପ୍ରଥମେ ଆପଣଙ୍କୁ ଜାଗା ଚିହ୍ନଟ କରିବାକୁ ପଡ଼ିବ ଏବଂ କଣ ସାଧନ ରହିଛି ତାକୁ ଜାଣିବାକୁ ପଡ଼ିବ। ରାମନାଦରେ କଣ ସାଧନ ରହିଛି, ଏପର୍ଯ୍ୟନ୍ତ ସେ ନେଇ କିଛି ଆକଳନ କରାଯାଇ ନାହିଁ। ତେଣୁ ସ୍ଥାୟୀ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।”
ପୋନ୍ନୁସାମୀଙ୍କ ପାଖରେ ଏକ ହିସାବ ରହିଛି। “ଆନୁପାତିକ ଦୃଷ୍ଟିରୁ ରାମନାଦରେ ୪୦ ପ୍ରତିଶତରୁ କମ୍ ଲୋକଙ୍କ ପାଖରେ ବର୍ଷ ତମାମ କାମ ଅଛି। ” ଏହାର ଅର୍ଥ ବହୁ ସଂଖ୍ୟାରେ ଲୋକ ବଂଚିବା ପାଇଁ ବର୍ଷର ଅଧିକାଂଶ ମାସରେ ଏଣୁତେଣୁ କାମ କରନ୍ତି। “ଗୋଟେପଟେ ଜଳ ଉତ୍ସ ନଥିବାରୁ କୃଷି ଏକ ପ୍ରକାର ବିଫଳ ହୋଇଛି, ଅନ୍ୟପଟେ ଶିଳ୍ପ ବିକାଶ ନାହିଁ। ସଂକ୍ଷେପରେ କହିଲେ ନିଯୁକ୍ତି ପାଇଁ ଆଦୌ ସୁଯୋଗ ନାହିଁ। ତୁଳନାତ୍ମକ ଭାବେ ଏହି ଜିଲ୍ଲାର ଉତ୍ପାଦକତା ରାଜ୍ୟର ହାରାହାରି ଉତ୍ପାଦକତାର ୨୦ ପ୍ରତିଶତ।”
ରାମନାଦରେ ସବୁବେଳେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଏକ ନିଷ୍ପେସିତ ବର୍ଗ ରହିଛନ୍ତି। ଏହି ଜିଲ୍ଲାର ୨୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଏବଂ ଜନଜାତିର। ଏହାଛଡା ଆନୁପାତିକ ଭାବେ ଏହି ଜିଲ୍ଲାର ଏକ ବଡ଼ ଭାଗ ପଛୁଆ ବର୍ଗର। ଏଠାକାର ବେକାରୀ ସମସ୍ୟା ରାଜ୍ୟ ତୁଳନାରେ ସର୍ବାଧିକ, ତାହା ପୁଣି ଏହି ପଛୁଆ ବର୍ଗର ଲୋକଙ୍କ କ୍ଷେତ୍ରରେ ସବୁଠୁ ଉତ୍କଟ। “ଏହି ଜିଲ୍ଲାରେ ଆମକୁ ଶୋଷଣ କରୁଥିବା ଅନେକ ଲୋକ ମଧ୍ୟ ଅଛନ୍ତି।”

P. Sainath

P. Sainath
ରାମନାଦର ସ୍ୱାତନ୍ତ୍ର୍ୟତା ସାହୁକାର ପାଇଁ ହେଉ କି ଲଙ୍କା ଚାଷୀଙ୍କ ଦୁଃଖ ପାଇଁ ହେଉ, ସବୁ କିଛିକୁ ଲିପିବଦ୍ଧ କରିଛନ୍ତି ମେଲାନମାଇ ପୋନ୍ନୁସାମୀ। ବାରମ୍ବାର ମରୁଡି, ଦୀର୍ଘ ସମୟର ଦେଶାନ୍ତରୀ ବା ବେକାରୀ - ତାଙ୍କ ଲେଖାରୁ କିଛି ବାଦ ପଡ଼ିନି। ଏହା ଆଶ୍ଚର୍ଯ୍ୟଜନକ ଯେ, ତାଙ୍କ ଛୋଟିଆ ଗାଁରୁ ସେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ସେ ଏହି ଅନ୍ତର୍ଦୃଷ୍ଟି ଲାଭ କରିଛନ୍ତି। ଅନେକ ସମୟରେ ଏହାଦ୍ୱାରା ଅନେକ ସଫଳତା ମଧ୍ୟ ମିଳିଛି।
“ଲଙ୍କାଚାଷୀମାନେ ନୂଆ କିସମର ମଞ୍ଜି ବ୍ୟବହାର କରୁଥିଲେ। ସେମାନେ ନିର୍ଦ୍ଦିଷ୍ଟ ଭାବେ କେଉଁଠୁ ଆସିଛନ୍ତି ମୁଁ ଜାଣିନି। କିନ୍ତୁ ଚାଷୀଙ୍କ ଆର୍ଥିକ ପରିସ୍ଥିତିକୁ ସେମାନେ ବିଗାଡ଼ି ଦେଇଛନ୍ତି। ଏହି ନୂଆ ମଞ୍ଜିରୁ ସାମୟିକ ଭାବେ ହୁଏତ ଅଧିକ ଉତ୍ପାଦନ ହେବ। କିନ୍ତୁ ସାର ଏବଂ ଔଷଧରେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଏହା ବାଧ୍ୟ କରିବ। ସେମାନେ ଜମିକୁ ମାରି ଦେଉଛନ୍ତି। କିଛି ଦିନ ପରେ ଉତ୍ପାଦନ ପୁଣି ଖସିବା ଆରମ୍ଭ କରିଛି। ଯେଉଁମାନେ ଏହି ନୂଆ କିସମର ମଞ୍ଜି ବ୍ୟବହାର ଆରମ୍ଭ କରିଛନ୍ତି, ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ବହୁ ଅଧିକ ହେଲାଣି।”
ତେବେ, ତାଙ୍କର ଛଅଟି ଗଳ୍ପ ସଂକଳନ ଏବଂ ଗୋଟିଏ ଉପନ୍ୟାସରେ ଏକ ଅବିଚଳିତ ଆଶାବାଦ ପ୍ରତିଫଳିତ ହୋଇଛି। (ତାଙ୍କର ଗୋଟିଏ ଗଳ୍ପ ସଂକଳନର ଶୀର୍ଷକ ମାନବିକତାର ବିଜୟ ହେବ) “ଯେଉଁମାନଙ୍କ ଭିତର ଲଢିବାର ପ୍ରବଣତା ଅଛି, ସେମାନେ ରାମନାଦର ପରିବର୍ତ୍ତନ ଆଣିବେ। ସେଥିପାଇଁ ଆମକୁ କାମ କରିବାକୁ ପଡ଼ିବ।” ଏବଂ ଏହା ଭିତରେ ସେ କଣ କେବଳ ରାମନାଦ ଉପରେ ଲେଖି ଚାଲିବେ?
“ମୋ ଲେଖାରେ ମୁଁ ସତ୍ୟନିଷ୍ଠ। ତଥାପି, ସାଧୁତାର ସହ କହିଲେ, ମୁଁ ଏମିତି କିଛି ଉପସ୍ଥାପନ କରିବି ଯେଉଁଥିରେ ଏହି ଗାଁର ବାସ୍ତବତା ସହ ଉତ୍ତର ପ୍ରଦେଶର ଏକ ଗାଁର ବାସ୍ତବତା ମେଳ ଖାଇବ। ଏହା ନିର୍ଭର କରୁଛି ଆପଣ କାହା ସମସ୍ୟାକୁ ନିର୍ଦ୍ଦିଷ୍ଟ କରିବେ। ନୁହେଁ କି?”
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗାଁରୁ-ପୋନ୍ନୁସାମୀଙ୍କ-ବିଶ୍ୱ-ଦର୍ଶନ

