“ଏଇ କିଛି ଦିନ ତଳେ, ମୋ ଗୋଡ଼ ପାଖରେ ଗୋଟିଏ ଚନ୍ଦନ ବୋଡ଼ା ସାପ ଆକ୍ରମଣ ଲାଗି ଉଦ୍ୟତ ଅବସ୍ଥାରେ ଥିଲା । ଠିକ୍ ସମୟରେ ମୁଁ ତାକୁ ଦେଖି ପାରିଲି,” ବୋଲି କହନ୍ତି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ଶେନ୍ଦୁର ଗାଁର ଚାଷୀ ଦତ୍ତାତ୍ରେୟ କାସୋଟେ । ରାତିରେ ସେ ତାଙ୍କ ଜମିରେ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଏହି ଭୟଙ୍କର ସାପକୁ ଦେଖିଥିଲେ ।
ନିଜ ନିଜ ଜମିକୁ ଜଳସେଚିତ କରାଇବା ସକାଶେ କାସୋଟେଙ୍କ ଭଳି କାରବୀର ଏବଂ କାଗଲ ତାଲୁକାର ଅନେକ ଚାଷୀଙ୍କ ପାଇଁ ରାତିରେ କ୍ଷେତକୁ ଯାଇ ପାଣି ପମ୍ପ ଚଳାଇବା ସେମାନଙ୍କ ଜୀବନର ଏକ ଧାରାରେ ପରିଣତ ହୋଇଛି । ବିଦ୍ୟୁତ୍ ଶକ୍ତି ଯୋଗାଣରେ ଅନିୟମିତତା ଏବଂ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ଦୁଇ ତାଲୁକାର ଲୋକଙ୍କ ଭରସା ତୁଟିଗଲାଣି ।
ବିଦ୍ୟୁତ୍ ଯୋଗାଣର କୌଣସି ନିର୍ଦ୍ଧାରିତ ନିର୍ଘଣ୍ଟ ନାହିଁ: ହୁଏତ ବିଦ୍ୟୁତ୍ ରାତିରେ ଆସିପାରେ କିମ୍ବା କେବେ କେବେ ଦିନରେ, ତାହା ବି ଅନିର୍ଦ୍ଦିଷ୍ଟ ସମୟ ପାଇଁ ଏବଂ ଦିନକୁ ଆଠ ଘଣ୍ଟା ବିଦ୍ୟୁତ୍ ଯୋଗାଣ ସକାଶେ ସ୍ଥିର କରାଯାଇଥିଲେ ହେଁ ଏଥିରେ ବି ଯେଉଁ କାଟ୍ କରାଯାଉଛି ପରେ ସେ ବାବଦ ଭରଣା ମଧ୍ୟ କରାଯାଉନାହିଁ ।
ଏହା ଫଳରେ, ପ୍ରଚୁର ପରିମାଣରେ ପାଣି ଦରକାର କରୁଥିବା ଆଖୁ ଚାଷକୁ ଠିକ୍ ସମୟରେ ପାଣି ଯୋଗାଇ ହୁଏ ନାହିଁ ଏବଂ ଫସଲ ନଷ୍ଟ ହୋଇଥାଏ। ଚାଷୀମାନଙ୍କ କହିବା କଥା ଯେ ସେମାନେ ନିରୁପାୟ ହୋଇପଡ଼ିଲେଣି ଏବଂ ଜୀବିକା ଅର୍ଜନ ଲାଗି ଚାଷବାସ ଉପରେ ଭରସା ନ କରିବା ଲାଗି ନିଜ ନିଜ ପିଲାମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି। ଏ ଅଞ୍ଚଳର ଯୁବକମାନେ ମଧ୍ୟ ନିକଟସ୍ଥ ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ (MIDC)ରେ ମାସକୁ ୭,୦୦୦ରୁ ୮,୦୦୦ ଟଙ୍କା ଦରମାରେ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
କାରବୀରର ଜଣେ ଯୁବ ଚାଷୀ ଶ୍ରୀକାନ୍ତ ଚଭନ କହନ୍ତି, “ଏତେ ପରିଶ୍ରମ କରି ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଚାଷବାସରୁ ଭଲ ରୋଜଗାର ହେଉନାହିଁ । ଏହା ଅପେକ୍ଷା ଶିଳ୍ପ ସଂସ୍ଥାରେ କାମ କରି ଭଲ ଦରମା ପାଇବା ହିଁ ଶ୍ରେୟସ୍କର ମନେ ହେଉଛି।”
କୋହ୍ଲାପୁରର ଚାଷୀ ଓ ସେମାନଙ୍କ ଜୀବିକା ଉପରେ ବିଦ୍ୟୁତ୍ ଶକ୍ତି ଅଭାବର ପ୍ରଭାବ ସଂପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର।
ଅନୁବାଦ : ଓଡ଼ିଶାଲାଇଭ୍