ଓଗ୍ଲାରେ ଥିବା ଅଧା ଡଜନ୍ ଢାବା ପ୍ରାୟତଃ ଖାଲି ପଡ଼ିଛି । ଧୀରଜ୍ ଜିମ୍ୱାଲ୍ଙ୍କ ଢାବାରେ ମଧ୍ୟ, ଡିମୋନଷ୍ଟ୍ରେସନ୍ ନଭେମ୍ବର ୮ ପରେ ଅଳ୍ପ ସଂଖ୍ୟକ ଜୀପ୍ ଆସି ରହୁଛି। ଓଗ୍ଲା, ଉତ୍ତରାଖଣ୍ଡରେ ପିଥୋରାଗଡ଼ ଓ ଧର୍ଚୁଲା ମଝିରେ ଅବସ୍ଥିତ ଓ ନେପାଳ-ଭାରତ ସୀମାରୁ ଏହାର ଦୂରତା ୨୧କିଲୋମିଟର୍ରୁ କମ୍ ହେବ । ଏହି ରାସ୍ତା ଦେଇ ଯାଉଥିବା ଯାନଗୁଡ଼ିକ ସାଧାରଣତଃ ଟିକିଏ ବିରତି ନେବା ପାଇଁ ଓ ଖାଦ୍ୟ ପାନୀୟ ଗ୍ରହଣ କରି କିଛି ସମୟ ବିଶ୍ରାମ କରିବା ପାଇଁ ଏଠାରେ ଥିବା ଢାବାଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଟକିଥାନ୍ତି ।
“ଆଜିକାଲି ଅଧିକ ସଂଖ୍ୟକ ଗ୍ରାହକ ଆସୁନଥିବାରୁ ଆମେମାନେ ଅଳ୍ପ ପରିମାଣର ଖାଦ୍ୟ ପ୍ରସ୍ତୁତ କରୁଛୁ,” ବୋଲି ଜିମ୍ୱାଲ୍ କୁହନ୍ତି। ତାଙ୍କର ଢାବା ଓ କିରାଣା ଦୋକାନରୁ ମାସକୁ ଯାହା ଆୟ ହେଉଥିଲା, ତାହା ବର୍ତ୍ତମାନ କମିଯାଇଛି, ଯାହା ପ୍ରାୟ ୨୦,୦୦୦ଟଙ୍କାର ଏକ ତୃତୀୟାଂଶ ହେବ । “ଏକ ମାସ ପୂରିବାକୁ ଯାଉଛି ଓ ଆମେ ମାତ୍ର ୭,୦୦୦ଟଙ୍କା ଉପାର୍ଜନ କରିପାରିଛୁ,”ବୋଲି ସେ କୁହନ୍ତି । “ଏପରିକି ଆମେ ଇଚ୍ଛା କଲେ ମଧ୍ୟ, ୫୦୦ ଓ ୧୦୦୦ଟଙ୍କାର ନୋଟ୍ ଗ୍ରହଣ କରିପାରିବୁ ନାହିଁ କାରଣ ଚର୍ମାରେ ଥିବା ବ୍ୟାଙ୍କରେ ସୁବିଧାରେ ଏଗୁଡ଼ିକର ବିନିମୟରେ ଅନ୍ୟ ନୋଟ୍ ମିଳୁନାହିଁ । ଆମେ ଯେତେବେଳେ ବଡ଼ ନୋଟ୍ ସହିତ ବ୍ୟାଙ୍କକୁ ଗଲୁ, ବ୍ୟାଙ୍କ ଆମକୁ ୨୦୦୦ଟି ଏକ-ଟଙ୍କା କଏନ୍ ଦେଲେ! ମୋ ଢାବାକୁ ଖାଇବାକୁ ଆସୁଥିବା ଲୋକମାନଙ୍କୁ ମୁଁ କିଭଳି ଭାବେ ଖୁଚୁରା ପଇସା ଦେବି ?”
ଆମର ଜୀପ୍ ଓଗ୍ଲା ଓ ଜାଉଲ୍ଜିବି ରାସ୍ତା ଦେଇ ଧର୍ଚୁଲାକୁ ଯାଉଛି । ଆମର ଡ୍ରାଇଭର, ହରିସ୍ ସିଂ ପୁରୁଣା ନୋଟ୍ ଗ୍ରହଣ କରୁଛନ୍ତି କାରଣ ସେ ସେଗୁଡ଼ିକୁ ପିଥୋରାଗଡ଼ରେ ପେଟ୍ରୋଲ୍ ପମ୍ପରେ ନିଜ ଜୀପ୍ ଟାଙ୍କିରେ ପୁଣି ଥରେ ଇନ୍ଧନ ଭର୍ତ୍ତି କରିବା ପାଇଁ ବ୍ୟବହାର କରିପାରିବେ । “ବ୍ୟାଙ୍କଗୁଡ଼ିକ ନଗଦ ଶୂନ୍ୟ ହୋଇଯାଇଥିବାରୁ ରାସ୍ତାରେ ବହୁତ ଲୋକ ଯାତ୍ରା କରୁନାହାନ୍ତି” ବୋଲି ସେ କହିଲେ,” “ସୀମିତ ନଗଦ ଉପଲବ୍ଧ ଥିଲେ, ଲୋକମାନେ ପ୍ରଥମେ ଶସ୍ୟ କିଣିବେ ନା ଯାତ୍ରା କରିବେ’’?
ଏହା ମଧ୍ୟ ହେଉଛି ଭାରତ ଓ ନେପାଳ ସୀମାରେ ଅବସ୍ଥିତ ଗୋରି ଓ କାଳି ନଦୀର ସଂଗମସ୍ଥଳରେ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଜାଉଲ୍ଜିବି ମେଳାର ସମୟ । ନଭେମ୍ବର ୧୪ -୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ଏହି ଅଞ୍ଚଳର ଲୋକମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଜାଉଲ୍ଜିବିର ଏକ ସମୃଦ୍ଧ ବ୍ୟବସାୟିକ ଇତିହାସ ରହିଛି- ଭାରତ, ନେପାଳ ଓ ଏପରିକି ତିବତ୍ରୁ ଆସିଥିବା ବ୍ୟବସାୟୀମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଏଠାରେ ଏକତ୍ରିତ ହେଉଥିଲେ ଓ ସେମାନେ ଆଣିଥିବା ଜିନିଷଗୁଡ଼ିକ ସହିତ ନିମ୍ନ ଉପତ୍ୟକା କୃଷକମାନେ ଆଣିଥିବା ଶସ୍ୟ ସହିତ ବିନିମୟ କରୁଥିଲେ। ବର୍ତ୍ତମାନ ଅତୀତର ସେହି ପୁରାତନ ସଂକଳନ ଦେଖିବାକୁ ମିଳୁନାହିଁ ତଥାପି ବ୍ୟବସାୟୀମାନେ ବର୍ତ୍ତମାନର ସଂସ୍କରଣକୁ ମଧ୍ୟ ଅପେକ୍ଷା କରନ୍ତି – ସେମାନଙ୍କ ଉଷୁମ ପୋଷାକ, ଜ୍ୟାକେଟ, ଜୋତା ଓ ଅନ୍ୟ ଆଇଟମ୍ଗୁଡିକ ବିକ୍ରି କରିବା ପାଇଁ । କିଛି ଲୋକ ଏଠାରେ ଔଷଧୀୟ ଗୁଣ ଯୁକ୍ତ ଉଦ୍ଭିଦ ଓ ସମଲା, ଯାହା ସେମାନେ ହିମାଳୟର ସୁଉଚ୍ଚ ସ୍ଥାନଗୁଡ଼ିକରେ ସମୁଦ୍ର ପତ୍ତନରୁ ପ୍ରାୟ ୧୮୦୦୦ଫୁଟ ଉଚ୍ଚରେ ଥିବା ସ୍ଥାନରୁ ଆଣିଥାନ୍ତି, ତାହା ବିକ୍ରି କରନ୍ତି; ଏପରିକି କିଛି ଲୋକ ନେପାଳରୁ ଆଣିଥିବା ବଳିଷ୍ଠ ଘୋଡ଼ା ଓ ଖଚର ବିକ୍ରି କରିଥାନ୍ତି । ବର୍ଷ ବର୍ଷ ଧରି ପଶ୍ଚିମ ବଙ୍ଗଳା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପରି ଦୂରବର୍ତ୍ତୀ ସ୍ଥାନରୁ ଅନେକ ବ୍ୟବସାୟୀ ଏହି ମେଳାକୁ ଆସୁଛନ୍ତି।
ତେବେ ଚଳିତ ବର୍ଷ ଜାଉଲଜିବିର ଦୃଶ୍ୟ ବିଷାଦମୟ ଦେଖାଯାଉଛି । ଚଳିତ ଥର ମଧ୍ୟ ୩୫୦ଟି ଷ୍ଟଲ୍ ଖୋଲାଯାଇଛି କିନ୍ତୁ ଅଳ୍ପ ସଂଖ୍ୟକ ଗ୍ରାହକ ଆସୁଛନ୍ତି । “ମୁଁ ମୋ ପରିବାର ପାଇଁ ପୋଷାକ ଓ ଅନ୍ୟ ସାମଗ୍ରୀ କିଣିବା ପାଇଁ ମେଳାକୁ ଯିବାକୁ ଚାହୁଁଥିଲି । କିନ୍ତୁ ମୋ ପାଖରେ କେବଳ କଏନ୍ଗୁଡ଼ିକ ଅଛି । ମୁଁ ସେମାନଙ୍କୁ କିପରି ସେମାନଙ୍କ ଜିନିଷର ମୂଲ୍ୟ ପଇଠ କରିପାରିବି?”
ଇୟାସିନ, ବିଜାପୁର ଟାଉନ୍ରୁ ଏହି ମେଳାକୁ ଆସିଛନ୍ତି, ଯାହା ଏଠାରୁ ୩୦୦କିଲୋମିଟର୍ ଦୂରରେ ଅବସ୍ଥିତ ଉତ୍ତରାଖଣ୍ଡର ଉଧମ୍ ସିଂ ନଗର୍ ଜିଲ୍ଲାରେ ଅବସ୍ଥିତ । ସେ ଏଠାରେ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକ ବିକ୍ରି କରନ୍ତି ଯେପରିକି ପର୍ଦ୍ଦା ଓ ସୋଫା କଭର୍ ଓ ଏହି ୧୦ଦିନ ବ୍ୟାପି କାର୍ଯ୍ୟକ୍ରମରେ ସେ ପୂରା ୬୦,୦୦୦ଟଙ୍କା ଉପାର୍ଜନ କରନ୍ତି । “ମୋର କିଛି ଋଣ ପରିଶୋଧ କରିବାକୁ ଅଛି । ଯଦି ଏଠି ମୋର କିଛି ବ୍ୟବସାୟ ହେବନି ତେବେ ମୁଁ ତାହା କିପରି କରିପାରିବି?” ସେ ବିଷର୍ଣ୍ଣତା ସହିତ ଚାରିଆଡେ ଚାହିଁଲେ ।
ଜ୍ଞାନ ସିଂ ଦର୍ୟାଲ୍ ସମୁଦ୍ର ପତ୍ତନଠାରୁ ୧୪,୦୦୦ଫୁଟ ଉପରେ ଥିବା ଚାଲ୍ ଗ୍ରାମରୁ ଆସିଛନ୍ତି । ତାଙ୍କର ଷ୍ଟଲ୍ରେ ହିମାଳୟରେ ଉପଲବ୍ଧ ବିଭିନ୍ନ ପ୍ରକାରର ଔଷଧୀୟ ଉଦ୍ଭିଦ, ମସଲା ଓ ଉଚ୍ଚ ପତ୍ତନରେ ଫଳୁଥିବା ପାହାଡି ରାଜ୍ମା ଆଦି ରଖାଯାଇଛି । ଦର୍ୟାଲ୍ଙ୍କ ପରିବାର ନଭେମ୍ବରଠାରୁ ଏପ୍ରିଲ୍ ପର୍ଯ୍ୟନ୍ତ ଧର୍ଚୁଲା ଗ୍ରାମରେ ରୁହନ୍ତି, ଗ୍ରୀଷ୍ମ ଦିନ ଚାଲ୍ରେ ରହି କୃଷି କାମ କରନ୍ତି ଓ ଔଷଧୀୟ ଉଦ୍ଭିଦ ଓ ମସଲା ଆଦି ସଂଗ୍ରହ କରନ୍ତି । ଏହି ପରିବାର ନିଜ ଜମିରୁ ଯାହା ଆଦାୟ କରନ୍ତି ପ୍ରାୟ ନିଜେ ଖାଇ ଦିଅନ୍ତି । “ଔଷଧୀୟ ଉଦ୍ଭିଦ ଓ ମସଲା ବିକ୍ରି କରି ଆମେ ନଗଦ ରାଶି ପାଉ,” ବୋଲି ସେ କୁହନ୍ତି । “ପୂରା ପରିବାର ମିଳିମିଶି ଔଷଧୀୟ ଉଦ୍ଭିଦଗୁଡିକ ସଂଗ୍ରହ କରନ୍ତି ଓ ଜାଉଲ୍ଜିବି ମେଳାରେ ଏପରି ଏକ ଚରମ ଜଳବାୟୁ ଯୁକ୍ତ ଭୂଭାଗରେ ଆମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆମକୁ ଆମର ପ୍ରାପ୍ୟ ମିଳିଥାଏ ।
ଚଳିତ ବର୍ଷ, ଦର୍ୟାଲ୍ ଖୁବ୍ କମ୍ ଜିନିଷ ବିକ୍ରି କରିପାରିଛନ୍ତି । “ମେଳା ଦେଖିବାକୁ ବହୁତ ଲୋକ ଆସୁନାହାନ୍ତି,” ବୋଲି ସେ କୁହନ୍ତି। ଦର୍ୟାଲ୍ଙ୍କ ପାଖରେ କୌଣସି ସ୍ଥାୟୀ ଦୋକାନ ନାହିଁ । ଜଉଲ୍ଜିବି, ମୁଂଶିଆରୀ ଓ ବାଗେଶ୍ୱର ( ସବୁ ଉତ୍ତରାଖଣ୍ଡରେ ଅବସ୍ଥିତ)ରେ ସେ ପକାଉଥିବା ଷ୍ଟଲ୍ଗୁଡିକ ହେଉଛି ତାଙ୍କ ଉପାର୍ଜନର ଏକ ମାତ୍ର ମାଧ୍ୟମ । କିନ୍ତୁ, ସେ କୁହନ୍ତି, ବିମୁଦ୍ରୀକରଣ ତାଙ୍କ ଠାରୁ ଏ ସୁଯୋଗ ଛଡେଇ ନେଇଛି ।
ଅର୍ଚ୍ଚନା ସିଂ ଗୁଂଜିୱାଲ୍ ମଧ୍ୟ ଏହି ମେଳାକୁ ଆସିଛନ୍ତି । ସେ ୧୦,୩୭୦ ଉଚ୍ଚତାରେ ଥିବା ଗୁଂଜି ଗ୍ରାମର ଗ୍ରାମ ପ୍ରଧାନ । ସେ ଚୀନ୍ରେ ୧୨,୯୪୦ଫୁଟ୍ ଉଚ୍ଚତାରେ ଥିବା ତାକ୍ଲାକୋଟ୍ ମଣ୍ଡିରୁ ଜାକେଟ୍ ଓ ଉଷୁମ ପୋଷାକ ଜାଉଲ୍ଜିବିରେ ବିକ୍ରି କରିବାକୁ ଆଣିଛନ୍ତି । ଏହି ମଣ୍ଡି ଜାଉଲ୍ଜିବି ଠାରୁ ୧୯୦କିଲୋମିଟର୍ ଦୂରତାରେ ଅବସ୍ଥିତ ଓ ଏଠାକୁ ଆସିବା ପାଇଁ ବେପାରୀମାନେ ପ୍ରାୟ ଅଧା ଦୂରତା ଚାଲିଚାଲି ଅତିକ୍ରମ କରିଥାନ୍ତି ।
“ମେଳାରେ ପ୍ରଥମ କିଛି ଦିନ ଏପରି ଲାଗିଲା ଯେପରିକି ଆମକୁ ଆମ ମଧ୍ୟରେ ହିଁ ଜିନିଷଗୁଡ଼ିକ ବିକ୍ରି କରିବାକୁ ହେବ,” ସେ କୁହନ୍ତି । “ଏଥର ମୁଁ କେବଳ ୫୦ପ୍ରତିଶତ ଜିନିଷ ବିକ୍ରି କରିପାରିଛି” । ଡିସେମ୍ବର ଓ ଜାନୁଆରୀରେ ହେବାକୁ ଥିବା ମୁଂସିଆରୀ ଓ ବାଗେଶ୍ୱର ମେଳାରେ ଭଲ ବିକ୍ରି ହେବା ନେଇ ସେ ଆଶାବାଦୀ ଅଛନ୍ତି । “ସେତେବେଳକୁ, ବୋଧହୁଏ ଏହି ସଂକଟ (ନଗଦ ରାଶି) ଟଳି ଯାଇଥିବ।’’
ସେଠାକୁ ନେପାଳର ଜୁମ୍ଲା ଓ ହୁମ୍ଲା ଜିଲ୍ଲାର ଘୋଡା ବେପାରୀମାନେ ମଧ୍ୟ ଆସିଛନ୍ତି – ଏଠାରେ ପହଁଞ୍ଚିବାକୁ ସେମାନେ ନିଜ ପଶୁମାନଙ୍କ ସହିତ ପୂରା ୧୦ ଦିନ ଅବିରତ ଚାଲିଛନ୍ତି । ଗୋଟିଏ ଦଳ ୪୦ଟି ଘୋଡା ଓ ଖଚର ଆଣିଥିବା ବେଳେ ସେଥିରୁ ମାତ୍ର ୨୫ ଟି ବିକ୍ରି ହୋଇପାରିଛି । ପୂର୍ବ ବର୍ଷ ଏହି ମେଳାକୁ ଅଣାଯାଇଥିବା ପ୍ରାୟ ସମସ୍ତ ପଶୁ ବିକ୍ରି ହୋଇଯାଇଥିଲା । ଗୋଟିଏ ଘୋଡ଼ାର ମୂଲ୍ୟ ହେଉଛି ୪୦,୦୦୦ଟଙ୍କା ଓ ଗୋଟିଏ ଖଚରର ମୂଲ୍ୟ ହେଉଛି ୨୫,୦୦୦ଟଙ୍କା । ଏହି ପରିଶ୍ରମୀ ପଶୁଗୁଡ଼ିକ ପାହାଡ଼ିଆ ଅଞ୍ଚଳ ପାଇଁ ବହୁତ ଉପଯୋଗୀ ଅଟନ୍ତି ଓ ଏହିପରି ଅଞ୍ଚଳ ଯେଉଁଠାରେ ରାସ୍ତାର ସୁବିଧା, ସେଠାରେ ଭାର ବୋହିବା ପାଇଁ ଗ୍ରାମବାସୀମାନେ ଏଗୁଡିକୁ ଅତ୍ୟଧିକ ଗୁରୁତ୍ୱ ଦେଇଥାନ୍ତି ।
“ଆଜି ହେଉଛି ମେଳାର ଶେଷ ଦିବସ ଓ ଆମେ ସାତଟି ଘୋଡ଼ା ମଧ୍ୟ ବିକ୍ରି କରିପାରିନୁ,” ବୋଲି ନର ବାହାଦୂର, ହୁମ୍ଲାରୁ ଆସିଥିବା ଆଉ ଏକ ଦଳର ଘୋଡ଼ା ବେପାରୀ ଜଣକ କୁହନ୍ତି । “ଆମକୁ ଏହି ବିମୁଦ୍ରୀକରଣ ବିଷୟରେ କିଛି ଜଣାନଥିଲା। ଆମେ ଯେତେବେଳେ ଜାଉଲ୍ଜିବି ପହଞ୍ଚିଲୁ ସେତେବେଳେ ଆମର ଭାଗ୍ୟରେ କ’ଣ ଅଛି ତାହା ଜାଣିପାରିଲୁ।
ପାହାଡ଼ରେ ରାତିର ଆଗମନ ପୂର୍ବରୁ ମୁଁ ଜାଉଲ୍ଜିବି ଛାଡ଼ିବି । ପରଦିନ ପୂର୍ବାହ୍ନ ୯ଟା ବେଳକୁ, ଧର୍ଚୁଲାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ଡଜନ୍ ଡଜନ୍ ମହିଳା ଓ ପୁରୁଷ ଯଥାକ୍ରମେ ନିଜ ନିଜ ଧାଡିରେ ଠିଆ ହୋଇ, ନଗଦ ଟଙ୍କା ଉଠେଇବା ପାଇଁ ଅପେକ୍ଷା କରିରହିଥିଲେ । ସେତେବେଳ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲି ନଥିଲା ।
ଧର୍ଚୁଲା ହେଉଛି ନେପାଳ-ଭାରତ ସୀମାରେ ସବୁଠାରୁ ଶେଷରେ ଅବସ୍ଥିତ ଏକ ସହର । ଏହା ଟାକ୍ଲାକୋଟ୍ ପର୍ଯ୍ୟନ୍ତ ବ୍ୟାପିଛି । ଟାକ୍ଲାକୋଟ୍ ହେଉଛି ଧର୍ଚୁଲାଠାରୁ ୧୫୫କିଲୋମିଟର ଦୂରରେ ଅବସ୍ଥିତ ଚୀନ୍ର ସ୍ୱଂୟଶାସିତ ତୀବତ୍ ଅଞ୍ଚଳ । ଏହି ସହର ଅନେକ ଦିନରୁ ନେପାଳର ଲୋକ ଓ ଏହାର ମୁଦ୍ରାକୁ ଗ୍ରହଣ କରିଛି । କିନ୍ତୁ ବର୍ତ୍ତମାନ ଏଠାରେ ପଡ଼ୋଶୀ ଦେଶର ମୁଦ୍ରାର ଅଧିକ ଚାହିଦା ରହିଛି – ଯାହା ଏଠାରେ ଭାରତୀୟ ମୁଦ୍ରା ତୁଳନାରେ ସମ୍ଭବତଃ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି ।
“ଆମ ପାଖରେ ଭାରତୀୟ ଟଙ୍କା ନାହିଁ । ଏଣୁ ଗ୍ରାହକମାନେ ଆମକୁ ଭାରତୀୟ ଟଙ୍କା ଦିଅନ୍ତି ଓ ଆମେ ସେମାନଙ୍କୁ ଖୁଚୁରା ଟଙ୍କା ଫେରେଇବା ବେଳେ ନେପାଳୀ ମୁଦ୍ରା ଦେଇଥାଉ । ଆମ ମଧ୍ୟରେ ଅଧିକାଂଶ କିରାଣା ଜିନିଷ ଓ ରାସନ୍ କିଣିବା ପାଇଁ ନେପାଳୀ ମୁଦ୍ରା ବ୍ୟବହାର କରୁଛନ୍ତି । ଆମେ ସମସ୍ତେ ଅର୍ଥ ବିନିମୟ ହୋଇ ପାରୁଥିବା କାଉଣ୍ଟର୍ରେ [ସୀମାରେ] ମୁଦ୍ରା ବିନିମୟ କରିପାରିବୁ,” ବୋଲି ଟ୍ୟାକ୍ସି ଷ୍ଟାଣ୍ଡରେ ଠିଆ ହୋଇଥିବା ଜଣେ ଦୋକାନୀ ହରିଶ ଧାମି କୁହନ୍ତି ।
ବିମୁଦ୍ରୀକରଣ ହେବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ଲୋକମାନେ ଧର୍ଚୁଲରେ ଥିବା ଏହି କାଉଣ୍ଟର୍କୁ ଭାରତୀୟ ମୁଦ୍ରାକୁ ନେପାଳୀ ମୁଦ୍ରା ସହିତ ବିନିମୟ କରିବା ପାଇଁ ଆସିଲେ । ସେମାନଙ୍କ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଭାରତରେ କାମ କରୁଥିବା ଶ୍ରମିକ ଓ ଏହି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଭାରତୀୟମାନେ । “ଭାରତୀୟ ୧୦୦ଟଙ୍କା ନେପାଳୀ ୧୬୦ଟଙ୍କା ସହିତ ସମାନ । ସାଧାରଣତଃ ଲୋକମାନେ ନେପାଳୀ ଟଙ୍କା ବିନିମୟରେ ଭାରତୀୟ ଟଙ୍କା ନେଇଥାନ୍ତି କାରଣ ଯେଉଁମାନେ ସୀମାବର୍ତ୍ତୀ ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ନିଜ ପାଇଁ ଆବଶ୍ୟକ ଜିନିଷ କିଣିବାକୁ ଭାରତୀୟ ବଜାରକୁ ଆସିବାକୁ ପଡିଥାଏ,” ବୋଲି ଧର୍ଚୁଲାରେ ଅମର ଉଜାଲାର ସ୍ଥାନୀୟ ସାମ୍ବାଦିକ କ୍ରିଷ୍ଣା ଗର୍ବିୟାଲ୍ କୁହନ୍ତି । "ନଭେମ୍ବର ୮ପରେ କିନ୍ତୁ ପରିସ୍ଥିତି ବଦଳିଯାଇଛି’’।
ବିମୁଦ୍ରୀକରଣର ଛଅ ଦିନ ପରେ ଧର୍ଚୁଲାରେ ୨୦୦୦ଟଙ୍କା ଓ ୫୦୦ଟଙ୍କାର ନୂଆ ନୋଟ୍ ପହଞ୍ଚିଥିଲା । “ଏହି ସହରରେ କେବଳ ୨୫,୦୦୦ଲୋକ ବସବାସ କରନ୍ତି ଓ ଏଠାରେ ତିନୋଟି ବ୍ୟାଙ୍କ ଅଛି, ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ବେଶୀ ଭିଡ ଜମୁନଥିଲା,” ବୋଲି ଗର୍ବିୟାଲ୍ କୁହନ୍ତି । “କିନ୍ତୁ ଯେତେବେଳେ ବ୍ୟାଙ୍କ ଓ ଏଟିଏମ୍ରୁ ୨- ୩ ଦିନ ପର୍ଯ୍ୟନ୍ତ ଟଙ୍କା ବିତରଣ ହେବା ବନ୍ଦ ହୋଇଗଲା, ସେତେବେଳେ ନଗଦ ସଂକଟ ଯୋଗୁଁ ଲୋକମାନେ ପ୍ରଭାବିତ ହେବାକୁ ଲାଗିଲେ । ସେତେବେଳେ ସେମାନଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ ନେପାଳୀ ମୁଦ୍ରା ସବୁବେଳେ ରହିଛି’’।
ଲେଖକ ଜଣକ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନଭେମ୍ବର ଶେଷ ଭାଗରେ ଧର୍ଚୁଲାକୁ ଯାତ୍ରା କରିଥିଲେ ।
ଅନୁବାଦ: ଓଡ଼ିଶାଲାଇଭ୍