ଏଠାକାର ଲୋକେ କହନ୍ତି ଏକଦା ଏହି ଗାଁ ସବୁଜିମାରେ ଭରି ରହିଥିଲା । ଜଣେ ଆଦିବାସୀ ବୃଦ୍ଧ ତଥା କ୍ଷୁଦ୍ର ଚାଷୀ ଆଦ୍ୟା ମୋଟା କହନ୍ତି ‘‘ଆମେ ସର୍ବଦା ପ୍ରକୃତି ସହିତ ବାସ କରିଆସିଛୁ ଏବଂ ଏଥିରୁ ହିଁ ନିଜର ଆବଶ୍ୟକତା ପୂରଣ କରିଆସିଛୁ।’’ ‘‘କିନ୍ତୁ ବଜାରିଆ (ଆଧୁନିକ)ମଣିଷମାନେ ଆସିବା ପରେ ଏଠାକୁ ଆସିବା ପରେ ଜଙ୍ଗଲ ପଦା ହୋଇଗଲା ଏବଂ ଆମେ ବଜାର ଉପରେ ନିର୍ଭରଶୀଳ ହୋଇଗଲୁ।’’
ଆଦ୍ୟା ମୋଟା ହେଉଛନ୍ତି ଏହି ଗାଁର ୬୨ଟି ପରିବାରରେ ରହୁଥିବା ୩୧୨ ଜଣ ଭିଲମାନଙ୍କ ମଧ୍ୟରୁ ଜଣେ । ଗୁଜୁରାଟର ସହର ଗୁଡ଼ିକର ଶିଳ୍ପାୟନ ଜନିତ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅନ୍ଧାଧୂନ ଗଛ କଟାଯିବା ଯୋଗୁଁ ସେମାନଙ୍କର ଜଙ୍ଗଲ ସବୁ ପଦା ହୋଇଗଲା ।
ଆଉ ଜଣେ ଆଦିବାସୀ ବୟସ୍କ, ଜଳସିନିଧି ଗାଁର ଭାବା ମାହାରିଆ କହନ୍ତି, ‘‘ଆମେ ସର୍ବଦା ଜଙ୍ଗଲର ସଂରକ୍ଷଣ କରିଆସିଛୁ ଏବଂ କେବଳ ସେତିକି ବ୍ୟବହାର କରିଆସିଛୁ, ଯେତିକି ଆମର ଆବଶ୍ୟକ। ଯେହେତୁ ଜଙ୍ଗଲ ଆମର ଏକମାତ୍ର ପରିସଂସ୍ଥା ଏବଂ ଜୀବନ ଆମେ କେବେ ବି ଜଙ୍ଗଲକୁ ଶୋଷଣ କରିନାହୁଁ ।’’



























