ମଶରୁ ଭାଇ କହିଲେ, ‘‘ଆମ ରବାରୀମାନଙ୍କ ନିକଟରେ ତାରାଗୁଡ଼ିକ ଲାଗି ଯେଉଁ ନାଁ ରହିଛି ତାହା ଆପଣମାନଙ୍କର ନାଁଠାରୁ ଅଲଗା। ‘ତୁମହାରା ଧ୍ରୁବ ତାରା, ହମାରା ପାରୋଡିୟା [ତୁମର ଧ୍ରୁବତାରା ହେଉଛି ଆମର ପାରୋଡିୟା]।’’

ଆମେ ୱାର୍ଦ୍ଧା ଜିଲ୍ଲାର ଡେନୋଡ଼ା ଗାଁରେ ତାଙ୍କର ଡେରା, ଏକ ଅସ୍ଥାୟୀ ବସ୍ତିରେ ଅଛୁ। ଏହା ନାଗପୁର ନିକଟରୁ ୬୦ କିମି ଏବଂ ସେ ନିଜର ଘର ବୋଲି କହୁଥିବା କଚ୍ଛଠାରୁ ୧୩୦୦ କିମି ଦୂର।

ଏହି ରବାରୀ ଡେରାରେ ସନ୍ଧ୍ୟା ନଇଁ ଆସୁଛି। ଏହା ମାର୍ଚ୍ଚ ମାସର ଆରମ୍ଭ ସମୟ, ଶୀତରୁ ଖରାକୁ ପରିବର୍ତ୍ତନର ଋତୁ ଯେତେବେଳେ ସାନ୍ଧ୍ୟ ଆକାଶରେ ନାରଙ୍ଗୀ ରଙ୍ଗ କିଛି ଅଧିକ ସମୟ ରହିଥାଏ। ଜଙ୍ଗଲର ଜ୍ୱଳନ୍ତ ଅଗ୍ନି, ପଳାଶ କିମ୍ବା କେସୁଡୋ (ବ୍ୟୁଟିଆ ମୋନୋସ୍ଫର୍ମା) ପୃଥିବୀକୁ ନାରଙ୍ଗୀ ରଙ୍ଗରେ ସୁଶୋଭିତ କରିଥାଏ। ରଙ୍ଗର ପର୍ବ ହୋଲି ପାଖେଇ ଆସୁଛି।

ମଶରୁ ମାମା ଯେଉଁ ନାଁରେ ସେ ନିଜର ଲୋକମାନଙ୍କ ମଧ୍ୟରେ ଶ୍ରଦ୍ଧାରେ ପରିଚିତ ଏବଂ ମୁଁ ଏହି ବିଦର୍ଭ ଅଞ୍ଚଳର ପରିଷ୍କାର ସାନ୍ଧ୍ୟ ଆକାଶକୁ ଦେଖୁଛୁ। ଆମେ ଏକ କପା କ୍ଷେତର ମଝିରେ ତାଙ୍କ ଖଟ ଉପରେ ବସିଛୁ, ସୂର୍ଯ୍ୟଙ୍କ ତଳେ ସବୁକିଛି ଯେପରିକି; ତାରା, ତାରାମଣ୍ଡଳ, ପରିବର୍ତ୍ତିତ ଜଳବାୟୁ ଏବଂ ପରିବେଶ, ତାଙ୍କ ଲୋକ ଓ ପଶୁଙ୍କର ଅଗଣିତ ମନୋଭାବ, ବିଖଣ୍ଡିତ, କଷ୍ଟକର, ସବୁବେଳେ ଯାତ୍ରା କରୁଥିବା ଜଣେ ଯାଯାବରର ଜୀବନ ଏବଂ ସେ ଜାଣିଥିବା ଲୋକକଥା, କିମ୍ବଦନ୍ତୀ ଓ ଆହୁରି ଅନେକ କିଛି ସଂପର୍କରେ କଥା ହେଉଛୁ।

ରବାରୀମାନଙ୍କ ଲାଗି ତାରାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି କାରଣ ସେମାନେ ସେମାନଙ୍କର ଯାତ୍ରା ଲାଗି ମାର୍ଗଦର୍ଶନ କରିବାକୁ ତାରାମାନଙ୍କ ଉପରେ ନିର୍ଭର କରନ୍ତି ବିଶେଷ କରି ରାତିରେ। ସେ ବୁଝାଇଲେ, ‘‘୭ଟି ତାରାର ତାରା ମଣ୍ଡଳ, ସପ୍ତର୍ଷି ଆମ ଲାଗି ହରନ୍ [ହରିଣ]।’’ ସେ ଦାର୍ଶନିକ ଭାବେ କହିଲେ, ‘‘ଭୋର୍  ସମୟରେ ୭ଟି ତାରା ମ୍ଳାନ ହୋଇଯାନ୍ତି, କିନ୍ତୁ ଯେତେବେଳେ ଅନ୍ଧାର ଆହୁରି ଥାଏ, ସେମାନେ ଏକ ନୂଆ ପ୍ରତ୍ୟୁଷ, ନୂଆ ଚ୍ୟାଲେଞ୍ଜ ଏବଂ ଅନେକ ସମ୍ଭାବନାର ଆଗମନକୁ ସୂଚାଇଥାନ୍ତି।’’

PHOTO • Jaideep Hardikar
PHOTO • Jaideep Hardikar

ମଶରୁ ରବାରୀ (ବାମ) ଏବଂ ରବାରୀ ସଂପ୍ରଦାୟର ଅନ୍ୟମାନେ ସେମାନଙ୍କର ଡେରାରେ, ୱାର୍ଦ୍ଧା ଜିଲ୍ଲାର ଡେନୋଡା ଗାଁରେ ଥିବା ଏକ ଅସ୍ଥାୟୀ ବସ୍ତିରେ। ତାଙ୍କର ବାର୍ଷିକ ସ୍ଥାନାନ୍ତର ମାର୍ଗରେ ଡେରା ନାଗପୁର, ୱାର୍ଦ୍ଧା, ଚନ୍ଦ୍ରପୁର ଏବଂ ୟବତମାଲ୍ ଜିଲ୍ଲା ଓ ଏବଂ ଆଖପାଖ ଅଞ୍ଚଳରେ ବୁଲିଥାଏ

ଏକ ମୋଟା ନିଶ, ପାଚିଲା କେଶ, ବଡ଼ ପାପୁଲି ଏବଂ ଏକ ବିଶାଳ ହୃଦୟର ଅଧିକାରୀ ପ୍ରାୟ ୬୦ ବର୍ଷୀୟ ଜଣେ ଡେଙ୍ଗା ସୁସ୍ଥସବଳ ଲୋକ-ମଶରୁ ମାମା ଡେରାର ସବୁଠୁ ବୟସ୍କ ସଦସ୍ୟ। ସେ ଏବଂ ୫ଟି ଅନ୍ୟ ପରିବାର ଯାହାକୁ ନେଇ ଡେରା ଗଠିତ ସେମାନେ କିଛି ଦିନ ତଳୁ ଏଠାରେ ପହଞ୍ଚିଛନ୍ତି। ସେ ମୋତେ କହିଲେ, ‘‘ଆମେ ଆଜି ଏଠାରେ ଅଛୁ ଏବଂ ୧୫ ଦିନ ପରେ ନାଗପୁର ଜିଲ୍ଲାରେ ଥିବୁ। ବର୍ଷାର ଆରମ୍ଭ ସମୟରେ ଆପଣ ଆମକୁ ୟବତମାଲର ପଂଢାରକୱାଡା ନିକଟରେ ପାଇବେ। ଆମେ ବର୍ଷସାରା ପରିଚିତ ସ୍ଥାନରେ ବୁଲିଥାଉ ଏବଂ କ୍ଷେତରେ ରହୁ।’’

ବର୍ଷସାରା ଆକାଶ ତଳେ ଏକ ଖୋଲା କ୍ଷେତ ତାଙ୍କ ଘର ପାଲଟିଥାଏ।

*****

ରବାରୀମାନେ ହେଉଛନ୍ତି ମୂଳତଃ ଗୁଜରାଟ କଚ୍ଛର ଏକ ଅର୍ଦ୍ଧ-ଗ୍ରାମୀଣ ପଶୁଚରାଳୀ ସଂପ୍ରଦାୟ। ମଶରୁ ମାମା ଙ୍କ ଭଳି ଅନେକ ଲୋକ ମଧ୍ୟ ଭାରତର ବିଦର୍ଭକୁ ଏବେ ପିଢି ପରେ ପିଢି ନିଜର ଘର କରିସାରିଛନ୍ତି। ସେମାନେ ଛେଳି, ମେଣ୍ଢା ଏବଂ ଓଟଙ୍କର ବଡ଼ ପଲଙ୍କୁ ପାଳନ୍ତି। କଚ୍ଛରେ ରହିଯାଇଥିବା ଅଧିକାଂଶ ରବାରୀ ନିଜର ଜମିରେ କାମ କରନ୍ତି; ମଶରୁ ମାମା ଙ୍କ ଭଳି ଅନ୍ୟମାନେ ସବୁବେଳେ ଯାତ୍ରା କରନ୍ତି ଏବଂ କ୍ୟାମ୍ପରେ ରହନ୍ତି।

ମଶରୁ ମାମା ଆକଳନ କରନ୍ତି ଯେ ପୂରା ବିଦର୍ଭ ଏବଂ ପଡୋଶୀ ଛତିଶଗଡ଼ରେ ଏଭଳି ୩୦୦୦ରୁ ଊର୍ଦ୍ଧ ଡେରା ରହିଛି। ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ସ୍ଥାନାନ୍ତର ଶୈଳୀ ରହିବ, କିନ୍ତୁ ସେମାନଙ୍କ ରହିବାର ଠିକଣା କେବେହେଲେ ସ୍ଥିର ନ ଥାଏ।

ସେମାନେ ବିଭିନ୍ନ ଜିଲ୍ଲା ଦେଇ ଯାତ୍ରା କରନ୍ତି ଏବଂ ସେମାନଙ୍କର ସ୍ଥାନାନ୍ତର ମାର୍ଗରେ ପ୍ରତି  କିଛି ଦିନର ଅନ୍ତରାଳରେ ଏକ ଭିନ୍ନ ସ୍ଥାନରେ କ୍ୟାମ୍ପ ସ୍ଥାପନ କରନ୍ତି। ସେମାନେ ରାସ୍ତାରେ କେତେଥର କ୍ୟାମ୍ପ ପକାନ୍ତି ଏହା କହିବା କଷ୍ଟକର, କିନ୍ତୁ ଏକ ଋତୁରେ ସେମାନଙ୍କୁ ୫୦-୭୫ଟି ଭିନ୍ନ ଭିନ୍ନ ସ୍ଥାନ ମଧ୍ୟରେ ଯାତ୍ରା କରୁଥିବାର ଦେଖାଯାଇଥାଏ। ଦିନେ ସେମାନେ ୱାର୍ଦ୍ଧା ଜିଲ୍ଲାରେ ଏକ ଗାଁରେ ଥିବାବେଳେ ପରଦିନ ସେମାନେ ୟବତମାଲ ଜିଲ୍ଲାର ୱାନି ନିକଟରେ ଥିବେ। ଋତୁ ଓ ସ୍ଥାନୀୟ ଚାଷୀଙ୍କ ସହ ସେମାନଙ୍କର ସଂପର୍କ ଆଧାରରେ ପ୍ରତି ସ୍ଥାନରେ ସେମାନଙ୍କର ରହିବାର ଅବଧି କିଛି ଦିନରୁ ନେଇ ଏକ ପକ୍ଷ ଯାଏ ହୋଇପାରେ।

PHOTO • Jaideep Hardikar
PHOTO • Jaideep Hardikar

ମଶରୁ ମାମା ଛେଳି, ମେଣ୍ଢା ଏବଂ ଓଟଙ୍କର ଏକ ବଡ଼ ପଲଙ୍କୁ ପାଳନ୍ତି। ତାଙ୍କର ବିଶ୍ୱସ୍ତ ଭାବେ ବିବେଚନା କରାଯାଉଥିବା ରାମ(ବାମ) ପଶୁମାନଙ୍କର ଯତ୍ନ ନେବାରେ ସହାୟତା କରିଥାନ୍ତି ଏବଂ ପରବର୍ତ୍ତୀ ଠିକଣାର ସନ୍ଧାନ କରନ୍ତି

ଚାଷୀ ଏବଂ ରବାରୀମାନଙ୍କ ମଧ୍ୟରେ ଏକ ଘନିଷ୍ଠ ସଂପର୍କ ରହିଛି। ଚାଷୀମାନେ ପଶୁ ପଲଙ୍କୁ ମୁକ୍ତ ଭାବେ ଚରିବା ଲାଗି ଅନୁମତି ଦେଇଥାନ୍ତି, ପଶୁମାନେ ଘାସ କିମ୍ବା ଫସଲର ପତ୍ରକୁ ଖାଇଥାନ୍ତି ଯାହାର ଚାଷୀଙ୍କ ନିକଟରେ କୌଣସି ମୂଲ୍ୟ ନଥାଏ ଏବଂ ପ୍ରତି ବଦଳରେ ରବାରୀମାନେ ଛୋଟ ପଶୁଙ୍କର ମଳ, ମୂତ୍ର ପକାଇବା ମାଧ୍ୟମରେ ଚାଷୀଙ୍କର ଜମିକୁ ଉର୍ବର କରିଥାନ୍ତି।

ବେଳେବେଳେ ଚାଷୀମାନେ ବି ଏପ୍ରିଲରୁ ଜୁଲାଇ ମାସ ଯାଏ ସେମାନଙ୍କର ମେଣ୍ଢା ଓ ଛେଳି ପଲଙ୍କୁ ଚାଷ ଜମିରେ ରଖିବା ଲାଗି ରବାରୀମାନଙ୍କୁ ବେଶ୍ ମୋଟା ଅଙ୍କର ଟଙ୍କା ଦେଇଥାନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ମିଳୁଥିବା ଟଙ୍କା ପଶୁଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ, କିନ୍ତୁ କିଛି ଆକଳନରେ ଯେପରିକି ନାଗପୁରଭିତ୍ତିକ ସେଣ୍ଟର ଫର୍ ପିପୁଲ୍ସ କଲେକ୍ଟିଭ୍ ଦ୍ୱାରା ଏବେ ଯାଏ ପ୍ରକାଶିତ ହୋଇନଥିବା ଏକ ପେନିଂ(ପଶୁଙ୍କର ମଳ, ମୂତ୍ର ମାଧ୍ୟମରେ ଜମିକୁ ଉର୍ବର କରିବା) ଅଧ୍ୟୟନରେ ଏହାକୁ ବର୍ଷକୁ ୨-୩ ଲକ୍ଷ ଟଙ୍କା ଭାବେ ଦର୍ଶାଯାଇଛି। ପଶୁଙ୍କର ମଳ, ମୂତ୍ର ମାଧ୍ୟମରେ ଜମିକୁ ଉର୍ବର କରିବା ପରେ ଜମିର ଉତ୍ପାଦକତା ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଥାଏ।

ମାମା ଙ୍କ ପାଖରେ ଏକ ହଜାରରୁ ଅଧିକ ପଶୁ ଅଛନ୍ତି-ତାହା ତାଙ୍କର ଟ୍ରମ୍ପ କାର୍ଡ।

ତାଙ୍କର ୩ଟି ଓଟ କଚ୍ଛି ପ୍ରଜାତିର ଯାହାକି ବର୍ତ୍ତମାନ ନିକଟବର୍ତ୍ତୀ ବୁଦୁବୁଦୁକିଆ ଜଙ୍ଗଲରୁ ଫେରିଥିବା ସନ୍ତରଣକାରୀ ଖରାଇ ଓଟଙ୍କଠାରୁ ଭିନ୍ନ। ସେମାନେ ମାମାଙ୍କର ବିଶ୍ୱସ୍ତ ଲୋକଙ୍କ ମଧ୍ୟରୁ ଅନ୍ୟତମ ରାମଙ୍କ ସହ ବାହାରେ ଚରୁଥିଲେ। ପଶୁମାନଙ୍କ ଦେଖାଶୁଣା କରିବା ବ୍ୟତୀତ ସେ ମଧ୍ୟ ପରବର୍ତ୍ତୀ ଠିକଣା ସନ୍ଧାନରେ ସହାୟତା କରିଥାନ୍ତି। ଯେଉଁଠାରେ ଆମେ ବସିଛୁ ଏବଂ ଗପସପ ହେଉଛୁ ସେଠାରୁ ଓଟଗୁଡ଼ିକ ଦେଖାଯାଉନାହାନ୍ତି, କିନ୍ତୁ ଆମେ ସେମାନଙ୍କର ଧୀର ଶବ୍ଦକୁ ଏକ ନିକଟବର୍ତ୍ତୀ ଗଛ ପାଖରୁ ଆସୁଥିବା ଶୁଣିବାକୁ ପାଉଛୁ ଯେଉଁଠାରେ ସେମାନଙ୍କର ଛାୟା କ୍ଷୀଣ ଆଲେକରେ ଦେଖାଯାଉଛି।

ବର୍ତ୍ତମାନର କ୍ୟାମ୍ପଠାରୁ କିଛି ଦୂରରେ ତାଙ୍କ ଡେରାର ବୀପରିତ ପାଖରେ ଥିବା ଏକ କପା କ୍ଷେତରେ ତାଙ୍କର ମେଣ୍ଢା ଏବଂ ଛେଳିଗୁଡ଼ିକ ତାଜା ସବୁଜ ପତ୍ର ଖାଉଛନ୍ତି। ଏକ ଡେରାରେ ଆପଣ ସବୁବେଳେ ଗୋଟିଏ କୁକୁର ପାଇବେ ଏବଂ ଏଠାରେ ମାମାଙ୍କର କୁକୁର ମୋତି ରବାରୀ ମହିଳାଙ୍କ ଦ୍ୱାରା ନିର୍ମିତ ହାତ ବୁଣା ନରମ ଜୋହାଡ଼ (କମ୍ବଳ) ଘୋଡ଼ିହୋଇ ଆମର ଖଟ ନିକଟରେ ଜୋରରେ ଖେଳୁଛି।

PHOTO • Jaideep Hardikar

ମଶରୁ ମାମା ହଜାରେରୁ ଅଧିକ ପଶୁଙ୍କର ମାଲିକ ଏବଂ ସେଗୁଡ଼ିକ ସହ ଯାତ୍ରା କରିଥାନ୍ତି। ‘ରବାରୀମାନେ ଶୀତ ଏବଂ ବର୍ଷାରେ ନରମ ହୋଇଯାନ୍ତି ଏବଂ ଖରାଦିନରେ ଗ୍ରୀଷ୍ମପ୍ରବାହ ଫଳରେ କଠିନ ହୋଇଯାନ୍ତି’

*****

ମହାରାଷ୍ଟ୍ରର ପୂର୍ବ ଭାଗରେ ବର୍ଷା ଉପରେ ନିର୍ଭର ଗୋଟିଏ ଫସଲ ହେଉଥିବା ବହୁ ଜମି ଯେଉଁଗୁଡ଼ିକ ପ୍ରାୟତଃ କ୍ଷୁଦ୍ର ଚାଷୀଙ୍କ ମାଲିକାନାରେ ରହିଛି ତାହା ଏବେ ପଡ଼ିଆ ପଡ଼ିଛି। କପା ସଂପୂର୍ଣ୍ଣ ଭାବେ ଅମଳ ହୋଇସାରିଛି। ଶୀତଦିନିଆ ଫସଲ-ସବୁଜ ଚଣା, ଏଠି ସେଠି ଥିବା କିଛି ଗହମ ଏବଂ ଯଅ ( ସ୍ୱ ିଟ୍ ସୋରଘୁମ) ଶେଷ ପର୍ଯ୍ୟାୟରେ ରହିଛି ଯାହାକୁ କି ୧୫ ଦିନ ମଧ୍ୟରେ ଅମଳ କରାଯିବ। ମଶରୁ ମାମା କିଛି ଦିନ ମଧ୍ୟରେ ଏକ ନୂଆ ଚାଷ ଜମିକୁ ଯିବେ, ତାଙ୍କର ମେଣ୍ଢା ଏବଂ ଛେଳିଗୁଡ଼ିକ ଏହି ଜମିର ବଳି ପଡ଼ିଥିବା ଶେଷ କିଛି ସବୁଜ ପତ୍ରକୁ ଖାଇ ସାରିଛନ୍ତି।

ମଶରୁ ମାମା କହିଲେ, ‘‘ମୋର ଏଠାରେ କୌଣସି ଠିକଣା ନାହିଁ।’’ ବର୍ଷା ହେଲେ ଡେରା ର ପ୍ରାୟ ୧୫-୨୦ ଘନିଷ୍ଠ ସଂପର୍କୀୟ ପୁରୁଷ ଏବଂ ମହିଳା ତାରପୋଲିନ୍ ସିଟରେ ଆବୃତ୍ତ ଖଟ ତଳେ ଆଶ୍ରୟ ନେଇଥାନ୍ତି। ତାଙ୍କର ଓଟ, ମେଣ୍ଢା ଏବଂ ଛେଳି ପଲ ବର୍ଷାରେ ଓଦା ହୋଇଥାନ୍ତି। ସେ କହିଲେ, ‘‘ରବାରୀମାନେ ଶୀତ ଓ ବର୍ଷାରେ ନରମ ହୋଇଯାନ୍ତି, ଖରାଦିନର ଗ୍ରୀଷ୍ମପ୍ରବାହରେ କଠୋର ହୋଇଯାନ୍ତି। ସେମାନେ ହେଉଛନ୍ତି ପ୍ରକୃତ ପାଣିପାଗ ରକ୍ଷକ। ’’

ସେ ହସିଲେ, ‘‘ଆମ ଜୀବନରେ ଏକମାତ୍ର ସ୍ଥିରତା ହେଉଛି ଅନିଶ୍ଚିତତା। ସେ ସଂପର୍କରେ ନିଶ୍ଚିତତା ରହିଛି।’’ ତାଙ୍କର ଡେରା ନାଗପୁର, ୱାର୍ଦ୍ଧା, ଚନ୍ଦ୍ରପୁର ଏବଂ ୟବତମାଲ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବୁଲିଥାଏ। ‘‘ମୌସୁମୀ ବଦଳୁଛି। ଜଙ୍ଗଲ ଚାଲିଯାଇଛି। କ୍ଷେତରେ ଏକଦା ଥିବା ଗଛଗୁଡ଼ିକ ନଷ୍ଟ ହୋଇସାରିଛି।’’ ମଶରୁ ମାମା କୃଷି ସଂକଟ ଏବଂ ଚାଷୀଙ୍କ ଦୁର୍ଭାଗ୍ୟକୁ ଅତି ନିକଟରୁ ଦେଖିଛନ୍ତି। ଯେଉଁଠି ବ୍ୟାପକ ଆର୍ଥିକ ପରିବର୍ତ୍ତନ ହୋଇଛି ସେ କହିଛନ୍ତି ଯେ ପରିବେଶ ଓ ଜଳବାୟୁଜନିତ କାରକଗୁଡ଼ିକର ଏକ ଜଟିଳ ସେଟର ମଧ୍ୟ ଭୂମିକା ରହିଛି।

ମଶରୁ ମାମା ଙ୍କ ଅନୁସାରେ, ପରିବେଶ ପରିବର୍ତ୍ତନ ଏକ ଦୁର୍ଭାଗ୍ୟ ଯାହାକି ଜମି, ପାଣି, ଜଙ୍ଗଲ ଏବଂ ପଶୁମାନଙ୍କୁ ନଷ୍ଟ କରୁଛି। ସେ ବୁଝାଇଲେ, ସେମାନଙ୍କର କିଛି ପୁରୁଣା ଠିକଣା ଏବେ ବିପଦରେ। ସେମାନେ ଏହି ଅଞ୍ଚଳରେ ଆଉ ସେତେ ସବୁଜ ପତ୍ର ଏବଂ ଘାସ ଦେଖୁନାହାନ୍ତି ଯାହା ସେମାନେ ୩୦ ବର୍ଷ ପୂର୍ବରୁ ଦେଖୁଥିଲେ। ଏହା ତାଙ୍କର ପଶୁ ପଲଙ୍କ ଉପରେ ବି ପ୍ରଭାବ ପକାଇଛି। ଏହି ବରିଷ୍ଠ  ଯାଯାବର ଜଣକ କହିଲେ, ‘‘ଦେଖିୟେ ପ୍ରକୃତି ମେଁ ପ୍ରୋବ୍ଲମ୍ ହୁଆ, ତୋ ଆଦମୀ କୋ ପତ୍ତା ଭି ନେହିଁ ଚଲେଗା କି ଅବ୍ କ୍ୟା କରନା ହୈ [ଯଦି ପ୍ରକୃତିରେ କୌଣସି ସମସ୍ୟା ରହିଛି, ମଣିଷ କିଭଳି ତାର ସମାଧାନ କରିବ ତାହା ବୁଝିପାରିବ ନାହିଁ କିମ୍ବା ଜାଣିପାରିବ ନାହିଁ]।’’

PHOTO • Jaideep Hardikar
PHOTO • Jaideep Hardikar

ସନ୍ଧ୍ୟା ଧୀରେ ଧୀରେ ଆରମ୍ଭ ହେବା ସହିତ ନିକଟବର୍ତ୍ତୀ ବୁଦୁବୁଦୁକିଆ ଜଙ୍ଗଲରୁ ଚରିସାରି ମଶରୁ ମାମାଙ୍କ ଓଟମାନେ ଡେରାକୁ ଫେରୁଛନ୍ତି। ‘ଓଟମାନେ ଆମର ଜାହାଜ, ହମାରା ଜାହାଜ ହୈ, ଆମର ଭଗବାନ’

ନିକଟରେ ଘଟିଥିବା ଏକ ଘଟଣା ଯେଉଁଥିରେ କିଛି ରବାରୀ ପଶୁଚରାଳୀମାନଙ୍କ ବିରୋଧରେ ଭୁଲ୍ କ୍ରମେ ହାଇଦ୍ରାବାଦର କଂସେଇଖାନାକୁ ଓଟ ଚାଲାଣ କରୁଥିବାର ଅଭିଯୋଗ ଆସିଥିଲା ସେ ନେଇ ଦୁଃଖ ବ୍ୟକ୍ତ କରି ସେ କହିଲେ, ‘‘ଯେଉଁ ଲୋକମାନେ ଆମକୁ ଜାଣନ୍ତି ନାହିଁ ସେମାନେ ଆମର ଓଟଙ୍କ ସହ ଆମର ସଂପର୍କକୁ ବୁଝିପାରିବେ ନାହିଁ।’’( କଚ୍ଛ ଓଟଙ୍କ ହେପାଜତ: ଯାଯାବରର ଜାହାଜ )

ସେ କହିଲେ, ‘‘ଓଟଗୁଡ଼ିକ ଆମର ଜାହାଜ, ହମାରା ଜାହାଜ ହୈ, ଆମର ଭଗବାନ। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ପ୍ରତି ଡେରା ରେ ସେମାନଙ୍କର ଜିନିଷପତ୍ର ଏବଂ ପିଲାଙ୍କୁ ବୋହିବା ଲାଗି ୩-୪ଟି ଓଟ ଥାଆନ୍ତି।’’

ମଧ୍ୟ ଭାରତର ରବାରୀମାନଙ୍କ ସଂପର୍କରେ ସବୁଠୁ କମ୍ ଗବେଷଣା ହୋଇଛି; ଏପରିକି ସରକାରୀସ୍ତରରେ ସେମାନେ ସେହି ଅଞ୍ଚଳରେ ରହୁଥିବା କଥାକୁ ସ୍ୱୀକାର କରାଯାଇନାହିଁ। ମଶରୁ ମାମା ୱାର୍ଦ୍ଧା ଜିଲ୍ଲାର ଏକ କ୍ଷେତରେ ଜନ୍ମ ହୋଇଥିଲେ। ସେ ବିବାହ କଲେ ଏବଂ ତାଙ୍କର ପରିବାରକୁ ବିଦର୍ଭର ଏହି ସବୁ ଜମିରେ ମଧ୍ୟ ପାଳନପୋଷଣ କଲେ। ଏସବୁ ମଧ୍ୟରେ ବି ସେମାନଙ୍କର ଉପସ୍ଥିତିକୁ କେହି ଜାଣିନାହାନ୍ତି ।

ସେ ଯେତିକି ସହଜରେ ଗୁଜରାଟୀ ଭାଷାରେ କଥା ହୋଇଥାନ୍ତି ସେତିକି ସହଜରେ ବିଦର୍ଭର ପଶ୍ଚିମ ଭାଗରେ କୁହାଯାଉଥିବା ମରାଠୀର ଏକ ଉପଭାଷା ବରହାଡ଼ିରେ କଥା ହୋଇପାରିବେ। ମଶରୁ ମାମା ଙ୍କ ଅନୁସାରେ, ‘‘ଗୋଟିଏ ଅର୍ଥରେ ମୁଁ ଜଣେ ବରହାଡି।’’ ସେ ସଂପୂର୍ଣ୍ଣ ଭାବେ ଧଳା ରବାରୀ ପୋଷାକ; ଶରୀରର ଉପର ଭାଗରେ ଏକ ବସ୍ତ୍ର, ଏକ ଧୋତି ଓ ଧଳା ପଗଡ଼ି ପିନ୍ଧୁଥିବାରୁ ଲୋକମାନେ ତାଙ୍କୁ ବାହାରର ବୋଲି ଭାବିପାରନ୍ତି। କିନ୍ତୁ ସେ ସ୍ଥାନୀୟ ସଂସ୍କୃତି  ସହିତ ଗଭୀର ଭାବେ ଜଡିତ ଏବଂ ଅଞ୍ଚଳର ପ୍ରଥା ଓ ପରମ୍ପରାକୁ ଜାଣନ୍ତି। ଆବଶ୍ୟକ ପଡ଼ିଲେ ସେ ସ୍ଥାନୀୟ ଅପଶବ୍ଦ ଏବଂ ଗାଳି  ଦେଇପାରନ୍ତି!

ଯଦିଓ ରବାରୀମାନେ କଚ୍ଛରେ ନିଜର ମାତୃଭୂମିରୁ ଦୂରରେ ରହନ୍ତି ତଥାପି ଏହି ଜନଜାତି ସେମାନଙ୍କର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ସେମାନେ ମଧ୍ୟ କଚ୍ଛରେ ଥିବା ସେମାନଙ୍କର ସଂପର୍କୀୟଙ୍କ ସହିତ ଘନିଷ୍ଠ ସଂପର୍କ ରଖିଥାନ୍ତି। ମଶରୁ ମାମା ଙ୍କ ପତ୍ନୀ ଏବେ କଚ୍ଛ ଜିଲ୍ଲାର ଅଞ୍ଜର ବ୍ଲକର ଭାଦ୍ରୋଇ ଗାଁକୁ ଯାଇଛନ୍ତି। ତାଙ୍କର ଦୁଇ ବଡ଼ ଝିଅଙ୍କ ବିବାହ ସେଠାକାର ସମାନ ଜନଜାତିର ଲୋକଙ୍କ ସହ ହୋଇଛି।

PHOTO • Jaideep Hardikar
PHOTO • Jaideep Hardikar

ବର୍ଷସାରା ମଶରୁ ମାମାଙ୍କ ଘର ହେଉଛି ଆକାଶ ତଳେ ଏକ ଖୋଲା କ୍ଷେତ। ଯେତେବେଳେ ଅତିଥିମାନେ ଆସନ୍ତି ସେତେବେଳେ ଡେରାର ମହିଳାମାନେ ଭୋଜି ରାନ୍ଧନ୍ତି ଏବଂ ପରିବାରଗୁଡ଼ିକ ଏକତ୍ର ଭୋଜନ କରନ୍ତି

ସେ କହନ୍ତି, ‘‘ନୟି ପିଢି ୟହାଁ ନେହିଁ ରେହନା ଚାହତି [ନୂଆ ପିଢି ଚାଷ ଜମିରେ ରହିବାକୁ ଚାହୁଁନାହିଁ]।’’ ଡେରା ର ପିଲାମାନଙ୍କୁ ବାକି ପରିବାର ସହ ରହିବାକୁ ପଠାଇ ଦିଆଯାଇଥାଏ ଯେପରିକି ସେମାନେ ସ୍କୁଲ ଯାଇପାରିବେ, ଶିକ୍ଷିତ ହେବେ ଏବଂ ଚାକିରି ପାଇବେ। ମଶରୁ ମାମା କହିଲେ, ‘‘ଲୋଗ୍ ମେହନତ୍ ଭି ନେହିଁ କର ରହେ; ଦୌଡ଼ ଲଗି ହୈ [ଲୋକମାନେ ପୂର୍ବାପେକ୍ଷା ପରିଶ୍ରମୀ ନାହାନ୍ତି; ଏକ ପାଗଳ ଦୌଡ଼ ଚାଲିଛି]’’। ତାଙ୍କର ନିଜ ପୁଅ ଭରତ ଦୂରରେ ମୁମ୍ବାଇରେ ଅଛି, ଇଞ୍ଜିନିୟରିଂରେ ଡିପ୍ଲୋମା କରିବା ପରେ ଏକ ସ୍ଥିର ଚାକିରି ଖୋଜିବାକୁ ଉଦ୍ୟମ କରୁଛି।

ତାଙ୍କର ସବା ସାନ ଝିଅ ତାଙ୍କ ସହିତ ଅଛି। ସେ ଏବଂ ଡେରା ର ଅନ୍ୟ ୫ ଜଣ ମହିଳା ରାତ୍ରିଭୋଜନ ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନଙ୍କର ଅସ୍ପଷ୍ଟ କଥାବାର୍ତ୍ତା ପଶୁ ଓ ପକ୍ଷୀଙ୍କ ଶବ୍ଦ ସହ ମିଶିଯାଇଛି। ଚୁଲୀ ଜଳାଗଲା ଏବଂ ଆଖପାଖରେ ବସିଥିବା ମହିଳାମାନଙ୍କ ମୁହଁ ଉପରେ ନିଆଁ ଏକ ସୁନେଲି ଆଲୋକ ପକାଇଲା। ସେମାନେ ସମସ୍ତେ କଳା ପୋଷାକ ପିନ୍ଧିଛନ୍ତି।

ମହିଳାଙ୍କ ଲାଗି କାହିଁକି କଳା ପୋଷାକ ଏବଂ ପୁରୁଷଙ୍କ ଲାଗି ଧଳା?

ଜଣେ ସୁନ୍ଦରୀ ରବାରୀ ରାଜକୁମାରୀଙ୍କ ଲାଗି ସେମାନଙ୍କୁ ଶାସନ କରୁଥିବା ସଂପ୍ରଦାୟର ଦେବୀ ସତୀ ମା’ ଏବଂ ଜଣେ ଆକ୍ରମଣକାରୀ ରାଜାଙ୍କ ମଧ୍ୟରେ ବହୁ ବର୍ଷ ପୂର୍ବରୁ ହୋଇଥିବା ଯୁଦ୍ଧର ଏକ କିମ୍ବଦନ୍ତୀ ଶୁଣାଇ ମଶରୁ ମାମା ଏହାର ଉତ୍ତର ଦେଲେ। ରାଜା ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଜନଜାତି ମନା କରିଦେଲେ ଏବଂ ଜୟସେଲମୀରରେ ଏକ ଯୁଦ୍ଧ ଆରମ୍ଭ ହେଲା। ସେଥିଯୋଗୁ ଅନେକ ରକ୍ତପାତ ହେଲା ଏବଂ ଶେଷରେ ରାଜକୁମାରୀ ସ୍ଥାୟୀ ଶାନ୍ତି ଲାଗି ମା’ ପୃଥିବୀଙ୍କ କୋଳରେ ଆଶ୍ରୟ ନେଲେ। ସେ କହିଲେ, ‘‘ଆମେ ତାଙ୍କ ଲାଗି ଶୋକ ପ୍ରକଟ କରୁଛୁ। ଆମେ ଏବେ ବି କରୁ।’’

ଏବେ ଘନ ଅନ୍ଧାର; ରାତ୍ରିଭୋଜନ ପ୍ରସ୍ତୁତ ହୋଇସାରିଛି। ସାଧାରଣତଃ ଡେରା ର ୫-୬ଟି ପରିବାର ଅଲଗା ଅଲଗା ରୋଷେଇ କରିଥାନ୍ତି। କିନ୍ତୁ ଯେତେବେଳେ ଅତିଥିମାନେ ଆସନ୍ତି-ଯେପରିକି ଏହି ସନ୍ଧ୍ୟାରେ ଆମେମାନେ ଆସିଛୁ, ସେମାନେ ଭୋଜି ରାନ୍ଧନ୍ତି ଏବଂ ଏକାଠି ଖାଆନ୍ତି। ଆଜିର ସ୍ୱତନ୍ତ୍ର ଖାଦ୍ୟ ହେଲା ମେଣ୍ଢା କ୍ଷୀର, ଗୁଡ଼ରେ ପ୍ରସ୍ତୁତ ଚାଉଳ କ୍ଷୀରି, ମେଣ୍ଢା କ୍ଷୀର-ଲହୁଣୀରୁ ପ୍ରସ୍ତୁତ ଘିଅ, ରୁଟି, ଏକ ମସଲାଦିଆ ଡାଲି, ଚାୱଲ (ରନ୍ଧାଯାଇଥିବା ଭାତ) ଏବଂ ଦହି।

ଆମେ ମୋବାଇଲ୍ ଫୋନଗୁଡ଼ିକର ଟର୍ଚ୍ଚଲାଇଟରେ ରାତ୍ରିଭୋଜନ କରିବା ଲାଗି ବସିଲୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

ஜெய்தீப் ஹார்டிகர் நாக்பூரிலிருந்து இயங்கும் பத்திரிகையாளரும் எழுத்தாளரும் ஆவார். PARI அமைப்பின் மைய உறுப்பினர்களுள் ஒருவர். அவரைத் தொடர்பு கொள்ள @journohardy.

Other stories by Jaideep Hardikar
Editor : Pratishtha Pandya

பிரதிஷ்தா பாண்டியா பாரியின் மூத்த ஆசிரியர் ஆவார். இலக்கிய எழுத்துப் பிரிவுக்கு அவர் தலைமை தாங்குகிறார். பாரிபாஷா குழுவில் இருக்கும் அவர், குஜராத்தி மொழிபெயர்ப்பாளராக இருக்கிறார். கவிதை புத்தகம் பிரசுரித்திருக்கும் பிரதிஷ்தா குஜராத்தி மற்றும் ஆங்கில மொழிகளில் பணியாற்றுகிறார்.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE