ରାମକ୍ରିଷ୍ଣ ରେଡ୍ଡି କ୍ରିଷ୍ଣା ଜିଲ୍ଲାର ବଡ୍ଲାମାନୁ ଗାଁରେ ୨.୫ ଏକର ଭାଗ ଜମିରେ ମକା ଚାଷ କରନ୍ତି । ଆନ୍ଧ୍ରପ୍ରଦେଶର ଆଗିରିପାଲେ ମଣ୍ଡଳରେ ସେ ଏବଂ ଗାଁର ଅନ୍ୟ ୮ଜଣ ଚାଷୀ ହାଇଦ୍ରାବାଦସ୍ଥିତ ଆଇଏମ୍ଏଲ୍ ସିଡ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ମଞ୍ଜି ବିକ୍ରି କରିବା ପାଇଁ ସମୁଦାୟ ୩୦ ଏକର ଜମିରେ ମକା ଚାଷ କରିଛନ୍ତି । ୪୫ବର୍ଷ ବୟସ୍କ ରାମକ୍ରିଷ୍ଣ କୁହନ୍ତି , “ଆମେ ୨୦୧୬ ସେପ୍ଟେମ୍ବର ମାସରେ ମଞ୍ଜି ବୁଣିଥିଲୁ ଏବଂ ୨୦୧୭ ମାର୍ଚ୍ଚରେ (ପ୍ରାୟ ୮୦ ଟନ୍) ମଞ୍ଜି ବିକ୍ରି କଲୁ । ଏ ମଧ୍ୟରେ ବର୍ଷେରୁ ଅଧିକ ସମୟ ହୋଇଗଲାଣି , କିନ୍ତୁ କମ୍ପାନୀ ଏ ପର୍ଯ୍ୟନ୍ତ ଆମ ୯ଜଣଙ୍କୁ ଆମର ୧୦ ଲକ୍ଷ ଟଙ୍କା ପାଉଣା ପୈଠ କରିନାହିଁ । ”
ଏହି ବ୍ୟବସାୟରେ କମ୍ପାନୀ ଚାଷୀମାନଙ୍କୁ ପ୍ରତିବର୍ଷ ପ୍ରାୟ ସେପ୍ଟେମ୍ବର ମାସରେ ହାଇବ୍ରିଡ୍ ବିହନ ପ୍ରଦାନ କରେ । ବିହନ ଚାଷୀମାନେ ଏହି ବିହନ ଚାଷ କରନ୍ତି ଏବଂ ବର୍ଦ୍ଧିତ ବିହନକୁ ପରବର୍ଷ ମାର୍ଚ୍ଚ ମାସରେ କମ୍ପାନୀକୁ ଫେରାନ୍ତି । କମ୍ପାନୀ ଏହି ମଞ୍ଜିକୁ ମକା ଚାଷୀମାନଙ୍କୁ ଲାଭଜନକ ଦରରେ କ୍ରୟ କରେ । ବିହନ ଚାଷୀମାନେ କମ୍ପାନୀଠାରୁ ସେମାନଙ୍କର ପାଉଣାର କିଛି ଅଂଶ କୀଟନାଶକ , ରୋଗନାଶକ ଭାବରେ ପାଆନ୍ତି ଏବଂ ବାର୍ଷିକ ୨୪ରୁ ୩୬ ପ୍ରତିଶତ ସୁଧ ହାରରେ କରଜ ମଧ୍ୟ ପାଇଥାଆନ୍ତି । ଏହି ଋଣ ଅର୍ଥ-କରଜ ଏବଂ ସୁଧ- ଚାଷୀମାନଙ୍କ ବାର୍ଷିକ ପାଉଣାରୁ କାଟିଦିଆଯାଏ ।
କମ୍ପାନୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେମାନଙ୍କ ପାଉଣା ପୈଠ କରିବା କଥା । କିନ୍ତୁ ଏହି ଅର୍ଥ ସାଧାରଣତଃ ୨-୩ ମାସ ପରେ ଆସେ । ୨୦୧୭ ମସିହାରେ ଆଇଏମ୍ଏଲ୍ସିଡ୍ସ ଚାଷୀମାନଙ୍କୁ ଆଦୌ ଅର୍ଥ ପୈଠ କରିନାହିଁ। ସେମାନଙ୍କର ବକୈୟା ପାଉଣା ଗତ କେଇବର୍ଷ ଧରି ନିବେଶ ରାଶି ସହ ମେଳ ଖାଉନାହିଁ । ଏହା ଅନେକ ମକା ବିହନ ଚାଷୀଙ୍କୁ ଅଧିକ ଋଣ ଭିତରକୁ ନେଇଯିବା ସହ କେତେକଙ୍କୁ କୃଷି ଛାଡ଼ିବାକୁ ବାଧ୍ୟ କରୁଛି ।
୪୦ବର୍ଷ ବୟସ୍କ ପିଲି ଶ୍ରୀନିବାସ ବାଡଲାମାନୁ ଗ୍ରାମର ୯ଜଣ ଚାଷୀଙ୍କ ମଧ୍ୟରୁ ଜଣେ । ୧୫ବର୍ଷ ଧରି ମକା ବିହନ ଚାଷ କରୁଥିବା ଶ୍ରୀନିବାସ କୁହନ୍ତି , “ମୋର ସମୁଦାୟ ୧୫ଲକ୍ଷ ଟଙ୍କା ଋଣ ଅଛି (ଘରୋଇ ଋଣ ପ୍ରଦାନକାରୀଙ୍କଠାରୁ) । ମୋର ଅଧିକ ଜମି ନଥିବାରୁ ଜମିର ଭଡ଼ା ବାବଦରେ ମୋତେ ବାର୍ଷିକ ୧୫ ହଜାର ଟଙ୍କା ଦେବାକୁ ହେଉଛି । ତେଣୁ ମୁଁ କୃଷି ଛାଡ଼ିବାକୁ ଏବଂ କୃଷି ଶ୍ରମିକ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛି।” ଶ୍ରୀନିବାସ ବର୍ତ୍ତମାନ ଦିନ ମଜୁରିରେ ୨୫୦-୩୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ନିଜର ଅଧ ଏକର ଜମି ବିକ୍ରି କରି କିଛି କରଜ ଶୁଝିବାକୁ ଆଶା କରୁଛନ୍ତି ।
କିନ୍ତୁ ଆଇଏମ୍ଏଲ୍ ସିଡ୍ସ ଲିମିଟେଡ୍ ଏମିତି କୌଣସି ଅର୍ଥ ଦେୟ ସମସ୍ୟା ଥିବା ଅସ୍ୱୀକାର କରୁଛି । କ୍ରିଷ୍ଣା ଜିଲ୍ଲାରେ କମ୍ପାନୀର କାର୍ଯ୍ୟ ପରିଚାଳନା କରୁଥିବା ଚେରୁକୁରୀ ଭେଙ୍କଟ ସୁବା ରାଓ କହିଥିଲେ , “ଏହି ବିହନଗୁଡ଼ିକରେ (ସେହି ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା) ‘ଗଜା ହେବାର ସମସ୍ୟା’ ରହିଛି । ତଥାପି ଆମେ ସେମାନଙ୍କୁ ୧୦ ଦିନରେ ପାଉଣା ଦେଇଦେବୁ ।” ୨୦୧୮ ମେ’ ମାସରେ ମୁଁ ତାଙ୍କ ସହ ଆଲୋଚନା କଲାବେଳେ ସେ ଏହା କହିଥିଲେ । ଚାଷୀମାନେ ତଥାପି ସେମାନଙ୍କର ପାଉଣା ପାଇନାହାନ୍ତି । ଜୁଲାଇ ମାସର ମଝାମଝି ମୁଁ ଯେତେବେଳେ ତାଙ୍କୁ ଆଉଥରେ ଫୋନ୍ କଲି ସେ ପୁଣି ଥରେ କହିଲେ , ଚାଷୀମାନଙ୍କୁ ୧୦-୧୫ ଦିନରେ ସେମାନଙ୍କ ପାଉଣା ଦିଆଯିବ ।
ରାମକ୍ରିଷ୍ଣା କୁହନ୍ତି , “କମ୍ପାନୀ ବର୍ଷେ ହେବ କହିଆସୁଛି ଯେ ସେମାନେ ଆମକୁ ଅର୍ଥ ଦେଇଦେବେ । କମ୍ପାନୀ ଆମକୁ ଯେଉଁ ବିହନ ଦେଇଥିଲା , ଆମେ ସେହି ବିହନ ଚାଷ କରିଥିଲୁ । ସେମାନଙ୍କ ନିଜ ବିହନ ଯଦି ଗଜା ହେବାରେ ସମସ୍ୟା ହେଲା , ତା’ହେଲେ ଆମେ ସେଥିପାଇଁ ଦାୟୀ କେମିତି ? ”
ବିହନ ମଞ୍ଜିର ମାନ ଉପରେ କମ୍ପାନୀ ଚାଷୀମାନଙ୍କୁ ଟନ୍ ପିଛା କେତେ ଦାମ୍ ଦେବ ତାହା ନିର୍ଣ୍ଣୟ କରେ । କିନ୍ତୁ ପ୍ରାୟ ୨୦୦୨-୨୦୦୪ ପରଠାରୁ ଦାମ ବିଶେଷ ବଢ଼ିନାହିଁ ବୋଲି କୃଷକମାନେ କୁହନ୍ତି । ଏହି ସମୟ ବେଳକୁ ପଶ୍ଚିମ କ୍ରିଷ୍ଣା ଅଞ୍ଚଳ ଯଥା- ନୁଜଭିଦ୍ , ଆଗିରିପାଲେ , ଚତ୍ରାଇ ଏବଂ ମୁସୁନୁର ମଣ୍ଡଳରେ ପ୍ରଥମକରି ବିହନ ନିମନ୍ତେ ମକା ଚାଷ କରାଯାଇଥିଲା ବୋଲି ଚାଷୀମାନେ କୁହନ୍ତି ।
କ୍ରିଷ୍ଣା ଜିଲ୍ଲାର କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମୋହନ ରାଓ କୁହନ୍ତି , “୨୦୧୭-୧୮ କୃଷି ଋତୁରେ ପ୍ରାୟ ୪ହଜାର ଚାଷୀ ୧୫ , ୮୮୭ ଏକର ଜମିରେ ୨୦ ଟି କମ୍ପାନୀ ପାଇଁ ବିହନ ଉଦ୍ଦେଶ୍ୟରେ ମକା ଚାଷ କରିଥିଲେ।” ରାଜ୍ୟର ପଶ୍ଚିମ ଗୋଦାବରୀ , ପୂର୍ବ ଗୋଦାବରୀ ଏବଂ ପ୍ରକାଶମ୍ ସହ ଅନ୍ୟ ଜିଲ୍ଲାମାନଙ୍କରେ ବୀହନ ପାଇଁ ମକା ଚାଷ କରାଯାଏ। ”
ମୁସୁନୁରୁ ମଣ୍ଡଳର ଚିନ୍ତଲାଭାଲି ଗ୍ରାମର ପେଡିନେନି ଭେଙ୍କଟ ଶ୍ରୀନିବାସ ରାଓ ପ୍ରଥମ ବ୍ୟକ୍ତି ଭାବରେ ମକା ବିହନ ବିକ୍ରି ପାଇଁ ଚାଷ କରିଥିଲେ । ତାଙ୍କର ନିଜର ୧୧ ଏକର ଜମି ଅଛି ଏବଂ ସେ ବେଙ୍ଗାଲୁରୁସ୍ଥିତ ସିପି ସିଡ୍ସ ଇଣ୍ଡିଆ ପାଇଁ ୧୦ ଏକର ଜମିରେ ମକା ଚାଷ କରିଥିଲେ । ଏହି କମ୍ପାନୀର ନୁଜଭିଡ୍ ସହରରେ ଏକ ଫ୍ୟାକ୍ଟ୍ରି ଅଛି । ୫୪ବର୍ଷ ବୟସ୍କ ଶ୍ରୀ ରାଓ କୁହନ୍ତି , “୮ ବର୍ଷ ତଳେ (୨୦୧୦ ମସିହାରେ), ଟନ୍ ପିଛା ଦର ପ୍ରାୟ ୧୨ , ୦୦୦-୧୪ , ୦୦୦ ଟଙ୍କା ଥିଲା ଏବଂ ଚଳିତବର୍ଷ ଏହି ଦାମ୍ ୧୬ , ୦୦୦-୧୮ , ୦୦୦ ଟଙ୍କା ଅଛି, କିନ୍ତୁ ଏ ମଧ୍ୟରେ ଚାଷରେ ନିବେଶ ୨ରୁ ୩ଗୁଣ ବୃଦ୍ଧି ପାଇଛି । ”
“ଆମେ କେବେ ବି କମ୍ପାନୀ କିମ୍ବା ସେମାନଙ୍କର ମାଲିକଙ୍କୁ ଦେଖିନୁ । କମ୍ପାନୀଗୁଡ଼ିକ ସେମାନଙ୍କ ସଂଯୋଜକ ଜରିଆରେ କାମ କରନ୍ତି । ତେଣୁ ଦର ବୃଦ୍ଧି ପାଇଁ ଆମ ଦାବି ସେମାନେ କେବେ ଶୁଣିପାରନ୍ତି ନାହିଁ । ”
ବେଙ୍ଗାଲୁରୁସ୍ଥିତ ସିପି ସିଡ୍ସ ଇଣ୍ଡିଆ ପାଇଁ ୩ଏକର ଜମିରେ ମକା ଚାଷ କରିଥିବା ଚିନ୍ତଲାଭାଲି ଗ୍ରାମର ୪୫ବର୍ଷ ବୟସ୍କ ତାଲକୋଣ୍ଡା ଶ୍ରୀନୁ କୁହନ୍ତି , “ଜମି ଭଡ଼ା ଏ ମଧ୍ୟରେ ୨ , ୦୦୦ରୁ ୨୫ , ୦୦୦ ଟଙ୍କାକୁ ବୃଦ୍ଧି ପାଇଲାଣି । ଏଥିସହ ଏକର ପିଛା ଚାଷ ଖର୍ଚ୍ଚ ୭୫ , ୦୦୦ ଟଙ୍କା ହୋଇଯାଉଛି । କମ୍ପାନୀ ଟନ୍ ପିଛା ୧୬ , ୦୦୦ ଟଙ୍କା ଦେଉଛି । ଯଦି ଆମେ ଏକର ପିଛା ହାରାହାରି ୩ ଟନ୍ ଅମଳ ହେବ ବୋଲି ଧରିନେବା ତଥାପି ଆମେ ମାତ୍ର ୪୮ , ୦୦୦ ଟଙ୍କା ପାଇବା । ” ଶ୍ରୀନୁଙ୍କର ବର୍ତ୍ତମାନ ବାର୍ଷିକ ୩୬ ପ୍ରତିଶତ ବାର୍ଷିକ ସୁଧହାରରେ ଘରୋଇ ଋଣ ପ୍ରଦାନକାରୀଙ୍କ ଠାରୁ ୨ଲକ୍ଷ ଟଙ୍କାର ଋଣ ରହିଛି । ଏହାଛଡ଼ା ସେହି ସୁଧ ହାରରେ କମ୍ପାନୀ ସହ ଆଉ ଏକ କରଜ ରହିଛି ।
କିନ୍ତୁ ଶ୍ରୀନୁ କହନ୍ତି , “ଯଦିଓ ଆମର କ୍ଷତି ହେଉଛି ତଥାପି ଆମେ କମ୍ପାନୀ ପାଇଁ ବିହନ ଚାଷ କରୁଛୁ । କାରଣ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ । ବ୍ୟବସାୟିକ ଭାବରେ ମକା ବିକ୍ରିର ଦାମ ଆହୁରି କମ୍ (ବଜାରରେ) ଏବଂ ଏହି ଅଞ୍ଚଳରେ ଅନ୍ୟ କୌଣସି ଫସଲ ହୁଏନାହିଁ । ଏଥିସହ ମୁଁ ଜଣେ ଚାଷୀ ହୋଇ ଏବେ (କୃଷି) ଶ୍ରମିକ ଭାବରେ କିପରି କାମ କରିବି ? ”
ଆନ୍ଧ୍ରପ୍ରଦେଶ ଅନୁମୋଦିତ ଚାଷୀ ଆଇନ ଭାଗ ଚାଷୀମାନଙ୍କୁ ଏକ ଋଣ ଯୋଗ୍ୟତା କାର୍ଡ ଏବଂ ଶୂନ୍ୟ ସୁଧ ହାରରେ ବ୍ୟାଙ୍କ ଋଣ ପାଇଁ ଅନୁମୋଦନ କରିଛି । କିନ୍ତୁ ଅଧିକାଂଶ ମକା ବିହନ ଚାଷୀ ଭାଗ ଚାଷ କରନ୍ତି ଏବଂ ସେମାନଙ୍କର ବ୍ୟାଙ୍କ ଋଣ ପାଇବା ପାଇଁ କୌଣସି ପ୍ରକାର ସୁବିଧା ହେଉନାହିଁ । ଏହି କାରଣରୁ ଅଧିକାଂଶ ବିହନ ଚାଷୀ କୃଷି ଶ୍ରମିକ କିମ୍ବା ମନରେଗା ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।
ଯେତେବେଳେ କୃଷକମାନେ କ୍ଷତିରେ ପଡ଼ନ୍ତି , ବିହନ କମ୍ପାନୀଗୁଡ଼ିକ ପ୍ରଚୁର ଲାଭ କରନ୍ତି । ଶ୍ରୀନୁଙ୍କ ଆକଳନ ଅନୁଯାୟୀ , “କମ୍ପାନୀଗୁଡ଼ିକ (ବିଭିନ୍ନ ନର୍ସରୀ ଜରିଆରେ) ଚାଷୀମାନଙ୍କୁ ଏକ କିଲୋ ବିହନ ୩୨୦ ଟଙ୍କା ଦରରେ ବିକ୍ରି କରନ୍ତି । ଫଳରେ ଏକର ପିଛା ସେମାନେ ୭ରୁ ୮ଲକ୍ଷ ଟଙ୍କା ଲାଭ କରନ୍ତି ।”
୨୦୧୭ ସେପ୍ଟେମ୍ବର ମାସରେ, ବଡ୍ଲାମାନୁ ଗ୍ରାମର ୯ଜଣ ଚାଷୀଙ୍କ ମଧ୍ୟରୁ କେଇଜଣ ଅନ୍ୟ ଚାଷୀମାନେ ବେଙ୍ଗାଲୁରୁସ୍ଥିତ ଆଗ୍ରୋ-ବାୟୋଟେକ୍ କମ୍ପାନୀ ମେଟାହେଲିକ୍ସ ଲାଇଫ୍ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥିବା ବିହନ ନେଇଥିଲେ ଏବଂ ବହୁଗୁଣିତ ବିହନ ୨୦୧୮ ମାର୍ଚ୍ଚ ମାସରେ କମ୍ପାନୀକୁ ଦେଇଥିଲେ । ସେହି ମାସରେ ମେଟା ହେଲିକ୍ସ ଚାଷୀମାନଙ୍କୁ ଟନ୍ ପିଛା ୧୯ , ୭୦୦ ଟଙ୍କା ଦରରେ ପାଉଣା ଦେଇଥିଲା । କିନ୍ତୁ ଆଇଏମ୍ଏଲ୍ର ଦର (ଯେତେବେଳେ ଅର୍ଥ ପ୍ରଦାନ କରାଯାଇଛି)ଟନ୍ ପିଛା ୧୭ , ୫୦୦ ଟଙ୍କା ।
କିନ୍ତୁ ଏ ପ୍ରକାର ବିକଳ୍ପ ଖୁବ୍ ସୀମିତ ଏବଂ ‘ସଂଯୋଜକମାନଙ୍କ’ ଦ୍ୱାରା ସ୍ଥିରୀକୃତ । ବିହନ ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକରେ, ପ୍ରତ୍ୟେକ ଗ୍ରାମରେ ଜଣେ ବା ଦୁଇଜଣ ବ୍ୟକ୍ତି କମ୍ପାନୀ ଓ କୃଷକଙ୍କ ମଧ୍ୟରେ ସଂଯୋଜକ ବା ମଧ୍ୟସ୍ଥି ଭାବରେ କାମ କରନ୍ତି । ସେମାନେ ଗାଁରୁ ବିହନ ସଂଗ୍ରହ କରନ୍ତି ଏବଂ କମ୍ପାନୀକୁ ଏହା ପଠାନ୍ତି । ଏ ବାବଦରେ ସେମାନେ ୨୦୦ ଟଙ୍କା କମିଶନ ପାଆନ୍ତି ।
ଶ୍ରୀନୁ କୁହନ୍ତି , “ ଆମେ କେବେ ବି କମ୍ପାନୀ କିମ୍ବା ସେଗୁଡ଼ିକର ମାଲିକମାନଙ୍କୁ ଦେଖିନୁ । କମ୍ପାନୀଗୁଡ଼ିକ ସେମାନଙ୍କ ସଂଯୋଜକ ଜରିଆରେ କାମ କରନ୍ତି । ବୋଧହୁଏ ସେହି କାରଣରୁ ଦରବୃଦ୍ଧି ପାଇଁ ଆମର ଦାବି ସେମାନଙ୍କୁ ଶୁଣାଯାଉନି । ” ଏଥିସହ ଯେତେବେଳେ ଆମେ ସଂଯୋଜକଙ୍କୁ ଆମର ଉତ୍ପାଦ ବିକ୍ରି କରିଦେଉ , ଏହାପରେ ଆମର ପାଉଣା ଅର୍ଥ ପାଇଁ କେହି ଦାୟୀ ରୁହନ୍ତି ନାହିଁ । ଏହି କାରଣରୁ ଅନେକ ମାସ ହେବ ବିକ୍ରି କରିବା ପରେ (୨୦୧୮ ମାର୍ଚ୍ଚରେ) ଆଜି ବି ମୁଁ ସିପି ସିଡ୍ସରୁ ଅର୍ଥ ପାଇବା ପାଇଁ ଅପେକ୍ଷା କରିଛି । ”
ଅନେକ ଚାଷୀ ଜାଣନ୍ତି ନାହିଁ , ସେମାନେ କେଉଁ କମ୍ପାନୀ ପାଇଁ ବିହନ ଚାଷ କରୁଛନ୍ତି । ସେମାନେ କେବଳ ସେମାନଙ୍କ ଗାଁର ସଂଯୋଜକଙ୍କୁ ହିଁ ଜାଣନ୍ତି । ସିପି ସିଡ୍ସର ନୁଜଭିଡ୍ ଶାଖାର ପ୍ରବକ୍ତା କୁମାର ମୋତେ କହିଲେ , “ଆମର ରେକର୍ଡ ଦର୍ଶାଉଛି ସମସ୍ତ ଦେୟ ସଂଯୋଜକଙ୍କୁ ପୈଠ କରାଯାଇଛି । ଯଦି ସେମାନେ ଚାଷୀମାନଙ୍କୁ ଅର୍ଥ ପୈଠ କରିବାରେ ବିଳମ୍ବ କରନ୍ତି , ସେଥିପାଇଁ ଆମେ ଦାୟୀ ନୁହେଁ । ଆମର ଆଇନଗତ ଚୁକ୍ତି ସଂଯୋଜକଙ୍କ ସହ । ତେଣୁ ଦୟାକରି ତାଙ୍କୁ ପଚାରନ୍ତୁ ।”
ଯେତେବେଳେ ମୁଁ ସିପି ସିଡ୍ସ ଇଣ୍ଡିଆର ଚିନ୍ତଲାଭାଲି ଗାଁର ସଂଯୋଜକ ବଲ୍ଲଭନେନି ମୁରଲୀଙ୍କୁ ପଚାରିଲି , ସେ କହିଲେ , “ମୁଁ କମ୍ପାନୀଠାରୁ ଅର୍ଥ ପାଇବା ପାଇଁ ଅପେକ୍ଷା କରିଛି । ମୁଁ କିପରି ନିଜ ପକେଟରୁ ଚାଷୀମାନଙ୍କୁ ଅର୍ଥ ପୈଠ କରିପାରିବି ? ” ଏହା ସଂଯୋଜକମାନଙ୍କୁ ଉତ୍ତରଦାୟୀ କରି କୃଷକମାନଙ୍କ ଅଭିଯୋଗ ଏବଂ ଯେ କୌଣସି ପ୍ରକାରର ଦାୟିତ୍ୱରୁ ନିଜକୁ ମୁକ୍ତ ରଖିବା ପାଇଁ କମ୍ପାନୀଗୁଡ଼ିକର କୌଶଳ ।
“ଏପିଏସ୍ଏସ୍ସିଏ (ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ସିଡ୍ ସାର୍ଟିଫିକେସନ ଅଥରିଟି) ଚାଷୀ ଏବଂ ବିହନ କମ୍ପାନୀ ଭିତରେ ହୋଇଥିବା ଚୁକ୍ତି ଦେଖିବା କଥା । କିନ୍ତୁ ସେମାନେ ତାହା କରନ୍ତି ନାହିଁ ।” ଏକଥା କହିଥିଲେ କ୍ରିଷ୍ଣା ଜିଲ୍ଲାର ଅଖିଳ ଭାରତୀୟ କୃଷକ ସଭାର ସମ୍ପାଦକ ନିମ୍ମଗଡ୍ଡା ନରସିଂହା । “ଏପିଏସ୍ଏସ୍ସିଏ ବିହନଗୁଡ଼ିକୁ ଅନୁମୋଦନ କରିବା ଉଚିତ୍ । କିନ୍ତୁ ଏହା ପ୍ରାୟ କରେ ନାହିଁ । ଫଳରେ ଏହା ଖରାପ ବିହନ ସୃଷ୍ଟି କରେ , ଯାହା ବଡ୍ଲାମାନୁରେ ହେଲା।’’ ”
ଶ୍ରୀନିବାସ ରାଓ (ଉପରେ ପ୍ରଚ୍ଛଦ ଫଟୋରେ) ହତାଶାର ସହ କୁହନ୍ତି , “ଆମେ କମ୍ପାନୀର କ୍ରୀତଦାସ । ବିହନ କମ୍ପାନୀଗୁଡ଼ିକ ଭାରତରେ ଇଂରେଜ ଶାସନ ପରି ।” ତା’ହେଲେ କୃଷକମାନଙ୍କୁ ବ୍ୟବସାୟିକ ଭାବରେ ମକା ଚାଷ କରି ସେଗୁଡ଼ିକୁ ନିଜେ ବଜାରରେ ବିକ୍ରି କରିବାକୁ କ’ଣ ଅଟକାଉଛି ? ରାଓଙ୍କର ଉତ୍ତର ଥିଲା , “ବର୍ତ୍ତମାନ ବଜାରରେ ମକାର ଦାମ ଟନ୍ ପିଛା ୧୧ , ୦୦୦ ଟଙ୍କା । ଅସ୍ଥିର ବଜାର ଦରରେ କିଣାବିକା କରିବା ଅପେକ୍ଷା କମ୍ପାନୀଗୁଡ଼ିକୁ ୧୬ , ୦୦୦ ଟଙ୍କା ଦରରେ ବିକ୍ରି କରିବା ଆମ ପାଇଁ ଭଲ ।”
ବିକଳ୍ପର ସନ୍ଧାନ । ଚିନ୍ତଲାଭାଲି ଗ୍ରାମର ୪୪ବର୍ଷ ବୟସ୍କ ସୁଗାସନି ଭେଙ୍କଟ ନଗେନ୍ଦ୍ରବାବୁ ୩ବର୍ଷ ତଳୁ ବଡ଼ କମ୍ପାନୀଗୁଡ଼ିକ ପାଇଁ ନିଜର ୧୩ ଏକର ଜମିରେ ମକା ଚାଷ କରିବା ବନ୍ଦ କରିଦେଇଛନ୍ତି । ସେ କୁହନ୍ତି , “ମକା ପାଇଁ କୌଣସି ଭଲ ଦର ନାହିଁ । ଅଧିକ କୀଟନାଶକ ଏବଂ ଉର୍ବରକର ବ୍ୟବହାର ଯୋଗୁ ଜମିର ଉର୍ବରତା ନଷ୍ଟ ହେଉଛି । ବର୍ତ୍ତମାନ ମୁଁ ପ୍ରାକୃତିକ କୃଷି ପ୍ରଣାଳୀ ଦ୍ୱାରା ପ୍ରଭାବିତ ଏବଂ ଏହି ପଦ୍ଧତିରେ କଦଳୀ ଓ ଆଖୁ ଚାଷ କରୁଛି। ତେଣୁ ପରିସ୍ଥିତି ଏବେ ଟିକେ ଭଲ ।”