ସେ ମୁନ୍ସିଙ୍କଠାରୁ ତାଙ୍କ ପୁରସ୍କାର ଭାବରେ – ଗୋଟିଏ ଚକ୍ଚକିଆ ଏକ ପଇସା ମୁଦ୍ରା –ଗ୍ରହଣ ପାଇଁ ମଞ୍ଚ ଉପରେ ଥିଲେ। - ମୁନ୍ସି ହେଉଛନ୍ତି ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ନିୟନ୍ତ୍ରଣ ଅଧିନରେ ଅନେକଗୁଡ଼ିଏ ସ୍କୁଲ୍ ରହିଥାଏ । ଏହା ଥିଲା ୧୯୩୯ରେ ପଞ୍ଜାବର ଘଟଣା, ତାଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ ଏବଂ ୩ୟ ଶ୍ରେଣୀରେ ସବୁଠାରୁ ଭଲ କରିଥିବା ଛାତ୍ର ଥିଲେ ସେ । ମୁନ୍ସି ତାଙ୍କ ମୁଣ୍ଡକୁ ଆଉଁଷି ଦେଲେ ଏବଂ ‘ବ୍ରିଟାନିଆ ଜିନ୍ଦାବାଦ୍, ହିଟ୍ଲର ମୁର୍ଦ୍ଦାବାଦ’ ବଡ଼ ପାଟିରେ କହିବା ପାଇଁ କହିଲେ । ବାଳକ ଭଗତ ସିଂହ ଉତ୍ସବରେ ଥିବା ଦର୍ଶକଙ୍କ ଆଡ଼କୁ ମୁହଁ କଲେ ଏବଂ ଚିତ୍କାର କଲେ: ‘‘ବ୍ରିଟାନିଆ ମୁର୍ଦ୍ଦାବାଦ, ହିନ୍ଦୁସ୍ତାନ ଜିନ୍ଦାବାଦ୍’’ । ଏହି ଭଗତ ସିଂହଙ୍କୁ ତାଙ୍କ ସମନାମ ବିଶିଷ୍ଟ ଶହିଦ ଭଗତ ସିଂହ ବୋଲି ଭାବନ୍ତୁ ନାହିଁ ।
ତାଙ୍କ ଧୃଷ୍ଟତାର ପରିଣାମ ତତ୍କାଳ ଥିଲା । ସେହିଠାରେ ଏବଂ ସେହି ସମୟରେ ନିଜେ ମୁନ୍ସି ବାବୁ ତାଙ୍କୁ ପିଟିଲେ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସମୁନ୍ଦ୍ରାରୁ ତାଙ୍କୁ ବାହାର କରିଦେଲେ । ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ନିରବରେ ଚାହିଁଲେ ଏବଂ ଏହା ପରେ ଦୌଡ଼ି ଚାଲିଗଲେ । ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ – ଯାହାକୁ ବର୍ତ୍ତମାନ ଆମେ ହୁଏତ ବ୍ଲକ୍ ଏଜୁକେସନ୍ ଅଫିସର୍ କହିବା – ଏହି ଅଞ୍ଚଳର ଡେପୁଟି କମିଶନରଙ୍କ ବକ୍ତବ୍ୟ ଅନୁଯାୟୀ ଏକ ଚିଠି ଜାରି କଲେ। ଏହି ସ୍ଥାନ ବର୍ତ୍ତମାନ ପଞ୍ଜାବର ହୋଶିଆରପୁର ଜିଲ୍ଲାରେ ରହିଛି । ଏହି ଚିଠି ୧୧ ବର୍ଷ ବୟସରେ ତାଙ୍କୁ ‘ବିପଜ୍ଜନକ’ ଏବଂ ଜଣେ ‘କ୍ରାନ୍ତିକାରୀ’ ଭାବରେ ବର୍ଣ୍ଣନା କରି ତାଙ୍କର ବହିଷ୍କାର ନିଶ୍ଚିତ କରିଥିଲା ।
ଏହାର ସିଧାସଳଖ ଅର୍ଥ ଥିଲା ବ୍ଲାକ୍ଲିଷ୍ଟ ହୋଇଥିବା ଭଗତ ସିଂହଙ୍କ ପାଇଁ ସବୁ ବିଦ୍ୟାଳୟର ଦ୍ୱାର ବନ୍ଦ ହୋଇ ଯାଇଥିଲା ଏବଂ ଆଖପାଖରେ ଅଧିକ ବିଦ୍ୟାଳୟ ମଧ୍ୟ ନଥିଲା । ତାଙ୍କ ପିତାମାତାଙ୍କ ବ୍ୟତୀତ ଅନ୍ୟ କେତେ ଜଣ ମଧ୍ୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ବନତି କରିଥିଲେ । ଜଣେ ପ୍ରଭାବଶାଳୀ ଜମିଦାର, ଗୁଲାମ ମୁସ୍ତାଫା ତାଙ୍କ ପକ୍ଷରୁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ବ୍ରିଟିଶ୍ରାଜ୍ର ପ୍ରତିନିଧିମାନେ କ୍ରୋଧିତ ଥିଲେ। ଗୋଟିଏ ଛୋଟ ବାଳକ ସେମାନଙ୍କ ଉଚ୍ଚାଧିକାରୀଙ୍କୁ ଲଜ୍ଜିତ କରିଥିଲା । ଭଗତ ସିଂହ ଝୁଗିଆନ୍ ତାଙ୍କର ଅନନ୍ୟ ରଙ୍ଗରେ ରଙ୍ଗୀନ୍ ଏବଂ ଏପର୍ଯ୍ୟନ୍ତ ଚାଲୁ ରହିଥିବା ଜୀବନର ଅବଶେଷ ଅଂଶ ପାଇଁ କେବେବି ଔପଚାରିକ ଶିକ୍ଷାକୁ ଫେରିନଥିଲେ ।
କିନ୍ତୁ ସେ ୯୩ ବର୍ଷ ବୟସରେ ମଧ୍ୟ କଠୋର ଆଘାତ ଦେଇଥିବା ସେହି ସ୍କୁଲ୍ର ଜଣେ ତାରକା ଛାତ୍ର ଥିଲେ ଏବଂ ସବୁବେଳେ ରହିବେ ।
ହୋଶିଆରପୁର ଜିଲ୍ଲାର ରାମଗଡ଼ ଗ୍ରାମରେ ଥିବା ତାଙ୍କ ଘରେ ଆମ୍ଭମାନଙ୍କ ସହ ଆଲୋଚନା କରିବା ସମୟରେ ସେହି ନାଟକକୁ ମନେପକାଇ ସେ ହସନ୍ତି । ସେ ଏହାକୁ ନେଇ ଭୟଭୀତ ହୋଇନଥିଲେ ? ତେବେ ସେ କୁହନ୍ତି, ‘‘ମୋର ପ୍ରତିକ୍ରିୟା ଥିଲା – ଏବେ ମୁଁ ବ୍ରିଟିଶ୍ ବିରୋଧୀ ସଂଗ୍ରାମରେ ଯୋଗ ଦେବାକୁ ମୁକ୍ତ।’’
ସେ ଏହା କରିବା ପାଇଁ ମୁକ୍ତ ଥିଲେ ତାହା ଅନ୍ୟମାନଙ୍କ ଲକ୍ଷ୍ୟରୁ ବାଦ୍ ପଡ଼ିନଥିଲା । ଯଦିଓ ପ୍ରଥମେ ସେ ତାଙ୍କ ପରିବାରର କ୍ଷେତରେ କାମ କଲେ – ତାଙ୍କ ଖ୍ୟାତି ବ୍ୟାପି ସାରିଥିଲା । ପଞ୍ଜାବର କଠୋର ପନ୍ଥୀ ଗୋଷ୍ଠୀଗୁଡ଼ିକ ତାଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କଲେ । ସେ କିର୍ତ୍ତି ପାର୍ଟି ନାମକ ଗୋଟିଏ ପାର୍ଟିରେ ଯୋଗ ଦେଲେ । ଏହା ୧୯୧୪-୧୫ରେ ରାଜ୍ୟରେ ଗଦର ବିଦ୍ରୋହ କରିଥିବା ଗଦର ପାର୍ଟିର ଏକ ଶାଖା ଥିଲା ।
ଏହି କିର୍ତ୍ତି ପାର୍ଟି ଏମିତି ଅନେକଙ୍କୁ ନେଇ ଗଠିତ ହୋଇଥିଲା ଯେଉଁମାନେ ସାମରିକ ଏବଂ ବୈଚାରିକ ପ୍ରଶିକ୍ଷଣ ନିମନ୍ତେ କ୍ରାନ୍ତିକାରୀ ଋଷିଆକୁ ଯାଇଥିଲେ । ଗଦର ବିପ୍ଳବକୁ ଧୂଳିସାତ୍ କରିଦିଆଯାଇଥିବା ପଞ୍ଜାବକୁ ଫେରିବା ପରେ ସେମାନେ କିର୍ତ୍ତି ନାମକ ଏକ ପ୍ରକାଶନୀ ଆରମ୍ଭ କରିଥିଲେ । ଏହାର ସବୁଠାରୁ ବିଖ୍ୟାତ ସହଯୋଗକାରୀ ସାମ୍ବାଦିକମାନଙ୍କ ମଧ୍ୟରେ ଥିଲେ କିମ୍ବଦନ୍ତୀ ପୁରୁଷ ଭଗତ ସିଂହ । ଯିଏକି ଏହି ପ୍ରକାଶନୀ ଏହାର ସମ୍ପାଦକଙ୍କୁ ହରାଇବା ପରେ ମେ’ ୨୭, ୧୯୨୭ରେ ନିଜର ଗିରଫଦାରୀ ପୂର୍ବରୁ ତିନି ମାସ ପର୍ଯ୍ୟନ୍ତ କିର୍ତ୍ତିକୁ ଚଳାଇଥିଲେ । ମେ’ ୧୯୪୨ରେ କିର୍ତ୍ତି ପାର୍ଟି ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ସହିତ ମିଶିଯାଇଥିଲା ।
ହଁ ଏହା ନୁହେଁ ଯେ ମହାନ୍ ଭଗତ ସିଂହଙ୍କ ନାମ ଅନୁଯାୟୀ ଝୁଗିଆନ୍ଙ୍କର ନାମକରଣ କରାଯାଇଥିଲା, ଯଦିଓ ସେ କୁହନ୍ତି, ‘‘ମୁଁ ତାଙ୍କ ସମ୍ପର୍କରେ ଲୋକମାନେ ଗୀତ ଗାଉଥିବା ଶୁଣି ଶୁଣି ବଡ଼ ହୋଇଥିଲି – ଅନେକ ଗୀତ ଥିଲା ।’’ ସେ ମଧ୍ୟ ୧୯୩୧ରେ ବ୍ରିଟିଶ୍ମାନଙ୍କ ଦ୍ୱାରା ଫାଶି ପାଇଥିବା ଏହି ମହାନ୍ କ୍ରାନ୍ତିକାରୀଙ୍କ ଉପରେ ଲିଖିତ ସେହି ସମୟର ଗୀତ ମଧ୍ୟରୁ କିଛି ଶବ୍ଦ ଆବୃତ୍ତି କରନ୍ତି । ସେହି ସମୟରେ ସମନାମ ବିଶିଷ୍ଟ ଝୁଗିଆନ୍ଙ୍କ ବୟସ ଥିଲା ମାତ୍ର ତିନି ବର୍ଷ।
ସ୍କୁଲ୍ରୁ ବହିଷ୍କୃତ ହେବା ପରିବର୍ତ୍ତୀ ବର୍ଷଗୁଡ଼ିକରେ ବାଳକ ଭଗତ ସିଂହ ଝୁଗିଆନ୍ କ୍ରାନ୍ତିକାରୀମାନଙ୍କ ନିମନ୍ତେ ଜଣେ ସନ୍ଦେଶ ବାହକ ପାଲଟିଥିଲେ । ସେ କୁହନ୍ତି ତାଙ୍କ ପରିବାରର ପାଞ୍ଚ ଏକର ଜମିରେ କାମ କରିବା ମଧ୍ୟରେ, ‘‘ସେମାନେ ମୋତେ ଯାହା କରିବାକୁ କୁହନ୍ତି ମୁଁ କରେ ।’’ ସେ ମଧ୍ୟରୁ ଗୋଟିଏ ହେଉଛି କିଶୋର ବୟସରେ ମଧ୍ୟ ଏକ ଛୋଟ, ଖୋଲା ଯାଇଥିବା ଏବଂ ‘‘ଭୀଷଣ ଓଜନିଆ’’ ଛାପାକଳକୁ ଦୁଇଟି ଅଖାରେ ଭର୍ତ୍ତି କରି କ୍ରାନ୍ତିକାରୀମାନଙ୍କର ଏକ ଗୁପ୍ତ ଶିବିରକୁ ଅନ୍ଧାରରେ ୨୦ କିଲୋମିଟର ଚାଲିକରି ବୋହି ନେବା । କହିବାକୁ ଗଲେ, ସ୍ୱାଧୀନତାର ଜଣେ ପଦାତିକ-ସୈନିକ ।
‘‘ସେ ପାଖରୁ ମଧ୍ୟ ସେହି ସମାନ ଦୂରତା ବୋହିନେବା ପାଇଁ ସେମାନେ ମୋତେ ଖାଦ୍ୟଥିବା ଏକ ଓଜନିଆ ବ୍ୟାଗ୍ ଏବଂ ଅନ୍ୟାନ୍ୟ ଜିନିଷ ଆମ ନେଟ୍ୱାର୍କରେ ଥିବା ସାଥୀମାନଙ୍କ ପାଇଁ ପଠାଇଥିଲେ ।’’ ତାଙ୍କ ପରିବାର ମଧ୍ୟ ଆତ୍ମଗୋପନରେ ଥିବା ସଂଗ୍ରାମୀମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଯୋଗାଉଥିଲେ ।
ସେ ଯେଉଁ ମେସିନ୍କୁ ନେଇଥିଲେ ତାକୁ କୁହାଯାଉଥିଲା ‘ଉଡ଼ାରା ପ୍ରେସ୍’ (ଶବ୍ଦଗତ ଅର୍ଥ ହେଉଛି ଉଡ଼ନ୍ତା ପ୍ରେସ୍ କିନ୍ତୁ ପ୍ରକୃତ ଅର୍ଥ ହେଉଛି ବହନଯୋଗ୍ୟ) । ଏହା ସ୍ପଷ୍ଟ ନୁହେଁ ଯେ ଏହା ଏକ ଭଙ୍ଗାଯାଇଥିବା ପ୍ରେସ୍ ଥିଲା ନା କିମ୍ବା ଗୋଟିଏ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଅଂଶ କିମ୍ବା ଏକ ସାଇକ୍ଲୋଷ୍ଟାଇଲିଂ ମେସିନ୍ ଥିଲା । ତାଙ୍କର କେବଳ ମନେ ଅଛି ‘‘ଏହାର ବଡ଼ ଏବଂ ଓଜନିଆ କାଷ୍ଟ ଆଇରନ୍ ଯନ୍ତ୍ରାଂଶ ଥିଲା ।’’ ବିପଦ ଏବଂ ଭୟ ପାଇଁ କେବେ ହେଲେ ନା ନ କହି ସେ ତାଙ୍କର ଏହି ସନ୍ଦେଶ ବାହକ ସମୟକୁ ପ୍ରାୟତଃ ସୁରକ୍ଷିତ ରଖିଥିଲେ, – ଏବଂ ସେ ଏଥିନେଇ ଗର୍ବିତ ଯେ ବର୍ଷ ବର୍ଷ ଧରି, ‘‘ମୁଁ ପୋଲିସକୁ ଯେତିକି ଭୟ କରୁନଥିଲି ସେମାନେ ମୋତେ ତାହାଠାରୁ ଅଧିକ ଭୟ କରୁଥିଲେ ।’’
*****
ଏବଂ ଏହା ପରେ ବିଭାଜନ ହୋଇଗଲା ।
ସେହି ସମୟ ସମ୍ପର୍କରେ କଥାବାର୍ତ୍ତା କରିବା ସମୟରେ ଭଗତ ସିଂହ ଝୁଗିଆନ୍ ସବୁଠାରୁ ଅଧିକ ଭାବପ୍ରବଣ ହୋଇଯାଇଥିଲେ। ସେହି ସମୟର ଅରାଜକତା ଏବଂ ଗଣହତ୍ୟା ସମ୍ପର୍କରେ କହିବା ସମୟରେ ଏହି ବୃଦ୍ଧ ବ୍ୟକ୍ତିଙ୍କ ଆଖିରୁ ଲୁହ ବୋହିଯାଉଥିଲା । ‘‘ସୀମା ପାରହେବାକୁ ଯାଉଥିବା ଅଗଣତି ହଜାର ହଜାର ଲୋକଙ୍କ ଦଳ ଉପରେ ବାରମ୍ବାର ଆକ୍ରମଣ ହେଉଥିଲା, ଲୋକମାନଙ୍କୁ ହାଣି ଦିଆଯାଉଥିଲା । ଠିକ୍ ଏହି ସ୍ଥାନ ଆଖପାଖରେ ଗଣହତ୍ୟା ହୋଇଥିଲା।’’
ସ୍କୁଲ୍ ଶିକ୍ଷକ, ଲେଖକ ଏବଂ ସ୍ଥାନୀୟ ଐତିହାସିକ ଆଜ୍ମେର ସିଧୁ କୁହନ୍ତି, ‘‘ମାତ୍ର ଚାରି କିଲୋମିଟର ଦୂରରେ ଥିବା ସିମ୍ବଲି ଗ୍ରାମରେ ପ୍ରାୟ ୨୫୦ ଲୋକଙ୍କୁ ଦୁଇ ରାତି ଏବଂ ଗୋଟିଏ ଦିନରେ ହତ୍ୟା କରାଯାଇଥିଲା, ସେମାନେ ସମସ୍ତେ ମୁସଲମାନ୍ ଥିଲେ । ତଥାପି, ଗଡ଼ଶଙ୍କର ପୋଲିସ ଷ୍ଟେସନ୍ର ଥାନାଦାର ମାତ୍ର ୧୦୧ଟି ମୃତ୍ୟୁ ରେକର୍ଡ କରିଥିଲେ ।’’ ଆମେ ଭଗତ ସିଂହ ଝୁଗିଆନ୍ଙ୍କୁ ସାକ୍ଷାତ କରିବା ସମୟରେ ସିଧୁ ଆମ ସହ ସେଠାରେ ଥିଲେ ।
ଭଗତ ସିଂହ କୁହନ୍ତି, ‘‘ଅଗଷ୍ଟ ୧୯୪୭ରେ ଏଠାରେ ଦୁଇଟି ଗୋଷ୍ଠୀର ଲୋକ ଥିଲେ । ଗୋଟିଏ ଗୋଷ୍ଠୀ ମୁସଲମାନ୍ମାନଙ୍କୁ ହତ୍ୟା କରୁଥିଲେ, ଅନ୍ୟଟି ଆକ୍ରମଣକାରୀଙ୍କଠାରୁ ସେମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ ।’’
ଏଥିସହ ସେ କୁହନ୍ତି, ‘‘ମୋ ଜମି ନିକଟରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କର ଅନ୍ତ୍ୟେଷ୍ଟି ପାଇଁ ଆମେ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ ସେ ଭୟଭୀତ ଥିଲେ ଏବଂ ତାଙ୍କ ଦଳ ସହିତ ଚାଲିଯାଇଥିଲେ । ଆମେ ସେହି ମୃତ ଦେହକୁ ନିଜ ଜମିରେ ପୋତିଥିଲୁ । ଏଠାରେ ଏହି ଅଗଷ୍ଟ ୧୫ ଭଲ ନଥିଲା ।’’
ଯେଉଁମାନେ ସୀମା ପାର କରିବାରେ ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଗୁଲାମ ମୁସ୍ତଫା, ସେହି ବଡ଼ ଜମିଦାର ଯେ କି ଏକଦା ଭଗତ ସିଂହ ଝୁଗିଆନ୍ଙ୍କୁ ସ୍କୁଲ୍କୁ ଫେରାଇ ନେବା ପାଇଁ ଚେଷ୍ଟା କରିଥିଲେ ।
ଭଗତ ସିଂହ କୁହନ୍ତି, ‘‘ଅବଶ୍ୟ, ମୁସ୍ତଫାଙ୍କ ପୁଅ, ଅବ୍ଦୁଲ୍ ରେହମନ୍ ଅଧିକ କିଛି ଦିନ ରହିଥିଲେ ଏବଂ ଭୀଷଣ ସଙ୍କଟ ମଧ୍ୟରେ ଥିଲେ । ଦିନେ ରାତିରେ ମୋ ପରିବାର ରେହମନ୍ଙ୍କୁ ଗୋପନରେ ଆମ ଘରକୁ ଆଣିଥିଲେ । ତାଙ୍କ ସହ ଗୋଟିଏ ଘୋଡ଼ା ଥିଲା ।’’
କିନ୍ତୁ ମୁସଲମାନ୍ମାନଙ୍କୁ ଖୋଜୁଥିବା ଉପଦ୍ରବକାରୀମାନେ ଏହାର ଖବର ପାଇଗଲେ । ‘‘ତେଣୁ ଦିନେ ରାତିରେ ଆମେ ଗୋପନରେ ତାଙ୍କୁ ବାହାରକୁ ନେଇଗଲୁ ଏବଂ ସାଙ୍ଗସାଥୀ ଓ କମ୍ରେଡ୍ମାନଙ୍କର ଏକ ନେଟ୍ୱାର୍କ ଜରିଆରେ ସେ ଅକ୍ଷତ ଅବସ୍ଥାରେ ସୀମା ପାର୍ କରିପାରିଲେ ।’’ ଏହା ପରେ ସେମାନେ ମଧ୍ୟ ସୀମା ଆରପାଖରେ ତାଙ୍କୁ ତାଙ୍କର ଘୋଡ଼ା ଫେରାଇ ଦେଇଥିଲେ । ମୁସ୍ତାଫା ଗ୍ରାମରେ ଥିବା ତାଙ୍କ ସାଙ୍ଗସାଥୀଙ୍କୁ ପଠାଇଥିବା ଚିଠିରେ ଝୁଗିଆନ୍ଙ୍କର ପ୍ରଶଂସା କରିଥିଲେ ଏବଂ ଦିନେ ତାଙ୍କୁ ଭେଟିବାକୁ ଭାରତ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ‘‘କିନ୍ତୁ ସେ କେବେବି ଫେରିଆସିନଥିଲେ ।’’
ବିଭାଜନ ସମ୍ପର୍କରେ ଆଲୋଚନା ଭଗତ ସିଂହଙ୍କୁ ଦୁଃଖୀ ଏବଂ ଅସହଜ କରିଦିଏ । ଆଉ ଥରେ କଥା କହିବା ପୂର୍ବରୁ ସେ କେଇ ମୁହୂର୍ତ୍ତ ପାଇଁ ନିରବ ହୋଇଯାଆନ୍ତି । ଯେତେବେଳେ ହୋସିଆରପୁରରେ ଥିବା ବିରାମପୁର ଗ୍ରାମରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଏକ ସମ୍ମିଳନୀରେ ପୋଲିସ ପହଞ୍ଚିଥିଲେ ସେତେବେଳେ ତାଙ୍କ ୧୭ ଦିନର ସ୍ୱଳ୍ପ ଅବଧି ପାଇଁ ଜେଲ୍ ଯିବାକୁ ହୋଇଥିଲା ।
୧୯୪୮ରେ ସେ ଲାଲ୍ (ରେଡ୍) କମ୍ୟୁନିଷ୍ଟ୍ ପାର୍ଟି ହିନ୍ଦ୍ ୟୁନିୟନ୍ରେ ଯୋଗ ଦେଇଥିଲେ, ଏହା ସିପିଆଇରେ ମିଶିଥିବା ତତ୍କାଳୀନ କିର୍ତ୍ତି ପାର୍ଟିର ଗୋଟିଏ ବିଚ୍ଛିନ୍ନ ଗୋଷ୍ଠୀ ଥିଲା ।
କିନ୍ତୁ ସେହି ସମୟରେ ତେଲେଙ୍ଗାନା ଏବଂ ଅନ୍ୟ କେତେକ ସ୍ଥାନରେ ବିଦ୍ରୋହ ପରେ ୧୯୪୮ ଏବଂ ୧୯୫୧ ମଧ୍ୟରେ ସମସ୍ତ ସାମ୍ୟବାଦୀ ଗୋଷ୍ଠୀଗୁଡ଼ିକୁ ନିଷେଧ କରାଯାଇଥିଲା । ଭଗତ ସିଂହ ଝୁଗିଆନ୍ ଦିନରେ କୃଷକ ଏବଂ ରାତିରେ ଗୁପ୍ତ ସନ୍ଦେଶ ବାହକ ଏବଂ ସ୍ଥାନ ବଦଳାଉଥିବା କର୍ମୀମାନଙ୍କ ପାଇଁ ଆଶ୍ରୟଦାତାର ଭୂମିକାକୁ ଫେରିଲେ । ସେ ନିଜେ ତାଙ୍କ ଜୀବନର ସେହି ପର୍ଯ୍ୟାୟରେ ଏକ ବର୍ଷ ଭାବରେ କଟାଇଥିଲେ ।
ଏହା ପରେ ୧୯୫୨ରେ, ଲାଲ୍ ପାର୍ଟି ଭାରତୀୟ ସାମ୍ୟବାଦୀ ପାର୍ଟି ସହିତ ମିଶିଥିଲା । ଯେତେବେଳେ ୧୯୬୪ରେ ସିପିଆଇର ବିଖଣ୍ଡନ ହେଲାସେ ନବ ଗଠିତ ସିପିଆଇ-ଏମ୍ ସହିତ ଯୋଗ ଦେଲେ ଯାହା ସହିତ ସେ ସବୁବେଳେ ରହିଛନ୍ତି ।
ସେହି ସମୟରେ ସେ କୃଷକମାନଙ୍କୁ ପ୍ରଭାବିତ କରୁଥିବା ଭୂମି ଏବଂ ଅନ୍ୟ ସଂଘର୍ଷରେ ଯୋଗ ଦେଇଥିଲେ । ଭଗତ ସିଂହ ୧୯୫୯ରେ ଖୁସ୍ ହସିୟାତି କର ମୋର୍ଚ୍ଚା (ଅଣ-ଉନ୍ନୟନକାରୀ କର ସଂଘର୍ଷ) ସମୟରେ ଗିରଫ ହୋଇଥିଲେ । ତାଙ୍କର ଅପରାଧ ଥିଲା: କାଣ୍ଡି ଅଞ୍ଚଳ (ବର୍ତ୍ତମାନ ପଞ୍ଜାବର ଉତ୍ତରପୂର୍ବ ସୀମା)ର କୃଷକମାନଙ୍କୁ ଅନୁପ୍ରାଣିତ କରିବା । କ୍ରୋଧିତ ପ୍ରତାପ ସିଂହ କୈରୋଁଙ୍କ ସରକାର ତାଙ୍କ ମଇଁଷି ଏବଂ ଚାରା କାଟିବା ମେସିନ୍ ଜବତ କରି – ଏବଂ ସେଗୁଡ଼ିକୁ ନିଲାମ କରି ତାଙ୍କୁ ଦଣ୍ଡିତ କରିଥିଲା । କିନ୍ତୁ ଦୁଇଟି ଯାକକୁ ସେହି ଗ୍ରାମର ଜଣେ ବାସିନ୍ଦା ୧୧ ଟଙ୍କାରେ କିଣିଥିଲେ ଯେ କି ପରେ ସେଗୁଡ଼ିକୁ ତାଙ୍କ ପରିବାରକୁ ଫେରାଇ ଦେଇଥିଲେ ।
ଏହି ପ୍ରତିବାଦ ସମୟରେ ଭଗତ ସିଂହ ମଧ୍ୟ ତିନି ମାସ ଲୁଧିଆନା ଜେଲ୍ରେ କାଟିଥିଲେ । ଏବଂ ସେହି ବର୍ଷ ପରେ ପଟିଆଲା ଜେଲ୍ରେ ତିନି ମାସ କାଟିଥିଲେ।
ଯେଉଁ ଗ୍ରାମରେ ସେ ତାଙ୍କର ସାରା ଜୀବନ କଟାଇଥିଲେ ପ୍ରଥମେ କୁଡ଼ିଆଗୁଡ଼ିକ (ବସ୍ତି ଘର)ର ସମୂହ ଥିଲା ଏବଂ ତେଣୁ ଝୁଗିଆନ୍ କୁହାଯାଉଥିଲା । ଏହି କାରଣରୁ ଭଗତ ସିଂହ ଝୁଗିଆନ୍ ନାମ ରହିଛି । ଏହା ବର୍ତ୍ତମାନ ଗଡ଼ଶଙ୍କର ତହସିଲ୍ରେ ଥିବା ରାମଗଡ଼ ଗ୍ରାମର ଏକ ଅଂଶ ।
୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ବିପକ୍ଷରେ ସଂଗ୍ରାମ କରି ଲୋକମାନଙ୍କୁ ପ୍ରେରିତ କରି, ଯେତେବେଳେ ଆବଶ୍ୟକ ସମ୍ବାଦ ବାହକ ହୋଇ, ଜରୁରୀକାଳୀନ ବିରୋଧୀ ଲେଖା ବଣ୍ଟନ କରି ସେ ପୁଣି ଥରେ ଏକ ବର୍ଷ ପାଇଁ ଆତ୍ମଗୋପନ କରିଥିଲେ।
ଏହି ବର୍ଷମାନଙ୍କରେ ସେ ନିଜ ଗ୍ରାମ ଏବଂ ଅଞ୍ଚଳରେ ରହିଥିଲେ । ୩ୟ ଶ୍ରେଣୀ ପରଠାରୁ ଆଉ ଆଗକୁ ଯାଇପାରିନଥିବା ଏହି ବ୍ୟକ୍ତିଙ୍କର ଶିକ୍ଷା ଓ ରୋଜଗାର ସହ ସଂଘର୍ଷ କରୁଥିବା ତାଙ୍କ ଆଖପାଖର ଯୁବପିଢ଼ି ପ୍ରତି ଏକ ଗଭୀର ଆଗ୍ରହ ରହିଛି । ସେ ସାହାଯ୍ୟ କରିଥିବା ପିଲାମାନଙ୍କ ମଧ୍ୟରୁ ଅନେକ ଭଲରେ ଅଛନ୍ତି, ଏପରିକି କେତେ ଜଣ ସରକାରୀ ସେବାରେ ମଧ୍ୟ ଅଛନ୍ତି ।
*****
୧୯୯୦ ଭଗତ ସିଂହଙ୍କ ପରିବାର ଜାଣିବାକୁ ପାଇଥିଲେ ଯେ ସେମାନେ, ସେମାନଙ୍କର ନଳକୂପ ଏବଂ ଆତଙ୍କ ମଧ୍ୟରେ ମାତ୍ର କେଇ ମିନିଟ୍ ବାକି ଅଛି । ଭାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଖାଲିସ୍ଥାନୀ ହିଟ୍ ସ୍କ୍ୱାର୍ଡ ତାଙ୍କ କ୍ଷେତରେ ଅଟକିଛି, ସେମାନଙ୍କ ଘରଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ନଳକୂପରେ ଖୋଦେଇ ହୋଇଥିବା ତାଙ୍କ ନାମରୁ ସେମାନଙ୍କର ଲକ୍ଷ୍ୟ ନିଶ୍ଚିତ କରୁଛି । ସେଠାରେ ସେମାନେ ଆକ୍ରମଣ ପାଇଁ ଛକି ଥିବାବେଳେ ସେମାନଙ୍କୁ ଦେଖାଯାଇଥିଲା ।
୧୯୮୪ରୁ ୧୯୯୩ ମଧ୍ୟରେ ପଞ୍ଜାବ ଆତଙ୍କବାଦ ଯୋଗୁଁ ଯନ୍ତ୍ରଣା ଜର୍ଜରିତ ହୋଇଯାଇଥିଲା। ଶହ ଶହ ଲୋକଙ୍କୁ ଗୁଳି କରାଯାଇଥିଲା, ଆକ୍ରମଣରେ ମୃତ୍ୟୁବରଣ କରିଥିଲେ କିମ୍ବା ଅନ୍ୟ ପ୍ରକାରେ ହତ୍ୟା କରାଯାଇଥିଲା । ସେମାନଙ୍କ ମଧ୍ୟରେ ସିପିଆଇ, ସିପିଆଇ-ଏମ୍ ଏବଂ ସିପିଆଇ- ଏମ୍ଏଲ୍ର ବହୁ ସଂଖ୍ୟକ କର୍ମକର୍ତ୍ତା ଥିଲେ କାରଣ ସେହି ପାର୍ଟିଗୁଡ଼ିକ ଖାଲିସ୍ଥାନୀମାନଙ୍କୁ ଦୃଢ଼ ପ୍ରତିରୋଧ କରୁଥିଲେ । ସେହି ସମୟରେ ଭଗତ ସିଂହ ସବୁବେଳେ ହିଟ୍ ଲିଷ୍ଟ୍ରେ ଥିଲେ।
ଯଦିଓ ୧୯୯୦ରେ ହିଁ ସେ ସେହି ତାଲିକାରେ ରହିବାର ଅର୍ଥ କ’ଣ ତାହା ନିକଟରୁ ଜାଣିବାକୁ ପାଇଥିଲେ। ତାଙ୍କର ତିନି ପୁଅ ପୋଲିସ ଦ୍ୱାରା ସେମାନଙ୍କୁ ପ୍ରଦାନ କରାଯାଇଥିବା ବନ୍ଧୁକ ସହ ଛାତ ଉପରେ ଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ସରକାର ହତ୍ୟା ଧମକ ପାଉଥିବା ଲୋକମାନଙ୍କୁ ଆତ୍ମରକ୍ଷା ନିମନ୍ତେ ନିଜେ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦେଉଥିଲେ, ଏପରିକି ସହଯୋଗ ମଧ୍ୟ ଦେଉଥିଲେ ।
ସେହି ସମୟକୁ ମନେପକାଇ ଭଗତ ସିଂହ କୁହନ୍ତି, ‘‘ସେମାନେ ଆମକୁ ଯାହା ଦେଇଥିଲେ ଅର୍ଥାତ୍ ସେହି ବନ୍ଧୁକଗୁଡ଼ିକ, ବେଶୀ ଭଲ ନଥିଲା । ତେଣୁ ମୁଁ ଏକ ୧୨-ବୋର୍ ସଟ୍ଗନ୍ ଯୋଗାଡ଼ କରିଥିଲି ଏବଂ ଏପରିକି ପରେ ମୋ ନିଜ ପାଇଁ ଏକ ସେକେଣ୍ଡ୍ ହ୍ୟାଣ୍ଡ୍ କିଣିଥିଲି’’ ।
ତାଙ୍କ ପୁଅ ପରମଜିତ୍, ୫୦, କୁହନ୍ତି, ‘‘ଏକଦା ମୁଁ ଉଗ୍ରବାଦୀମାନଙ୍କଠାରୁ ମୋ ବାପାଙ୍କ ନିକଟକୁ ଆସିଥିବା ଏକ ଧମକପୂର୍ଣ୍ଣ ଚିଠି ଖୋଲିଥିଲି ଏବଂ ପଢ଼ିଥିଲି: ‘ତୁମ ଗତିବିଧି ବନ୍ଦ କର ନଚେତ୍ ତୁମର ସମୁଦାୟ ପରିବାର ପୋଛି ହୋଇଯିବ ।’ ମୁଁ ଏହାକୁ ଲଫାପା ମଧ୍ୟରେ ରଖିଦେଲି ଏବଂ ଅଭିନୟ କଲି ଯେମିତି କେହି ଏହା ଦେଖିନାହାନ୍ତି । ମୁଁ ଭୟ କରୁଥିଲି ମୋ ବାପା କେମିତି ପ୍ରତିକ୍ରିୟା ପ୍ରକାଶ କରିବେ । ସେ ଶାନ୍ତ ଭାବରେ ଚିଠି ପଢ଼ିଲେ, ଏହାକୁ ଚଉତାଇଲେ ଏବଂ ନିଜ ପକେଟ୍ରେ ରଖିଲେ । କିଛି ସମୟ ପରେ ସେ ଆମ ତିନି ଜଣଙ୍କୁ ଛାତ ଉପରକୁ ନେଲେ ଏବଂ ସତର୍କ ରହିବାକୁ କହିଲେ । କିନ୍ତୁ ସେହି ଚିଠି ବିଷୟରେ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ ।’’
୧୯୯୦ର ଘଟଣା ଲୋମହର୍ଷକ ଥିଲା । ଏଥିରେ ସନ୍ଦେହ ନଥିଲା ଯେ ଏହି ସାହସୀ ପରିବାର ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିବେ । କିନ୍ତୁ ଏଥିରେ ମଧ୍ୟ ସନ୍ଦେହ ନଥିଲା ଯେ ସେମାନେ ହୁଏତ ଏକେ-୪୭ ଏବଂ ଅନ୍ୟ ଭୟଙ୍କର ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ତାଲିମପ୍ରାପ୍ତ ହିଟ୍ ସ୍କ୍ୱାଡ୍ର ଆଗ୍ନେୟାସ୍ତ୍ର ଦ୍ୱାରା ଭୟଭୀତ ହୋଇଯିବେ ।
ଯେତେବେଳେ ଉଗ୍ରବାଦୀମାନଙ୍କ ମଧ୍ୟରୁ ଜଣେ ନଳକୂପରେ ତାଙ୍କ ନାମ ଚିହ୍ନି ନେଇଥିଲେ । ଏହି ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ କୁହନ୍ତି, ‘‘ସେ ଅନ୍ୟମାନଙ୍କ ଆଡ଼କୁ ବୁଲି ପଡ଼ିଲେ ଏବଂ କହିଲେ, ‘ଯଦି ଭଗତ ସିଂହ ଝୁଗିଆନ୍ ହିଁ ଆମର ଲକ୍ଷ୍ୟ ହୋଇଥା’ନ୍ତି, ମୁଁ ଏହା କରିବି ନାହିଁ’ ।’’ ଏହି ହିଟ୍ ସ୍କ୍ୱାଡ୍ ଏହା ବାତିଲ୍ କରିବାକୁ ନିଷ୍ପତ୍ତି ନେଲେ ଏବଂ କ୍ଷେତରୁ ଚାଲିଗଲେ ଏବଂ ଅଦୃଶ୍ୟ ହୋଇଗଲେ ।
ଏହା ଜଣାପଡ଼ିଥିଲା ଯେ ସେହି ଉଗ୍ରବାଦୀଙ୍କ ସାନ ଭାଇ ସେହି ଯୁବକମାନଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ଭଗତ ସିଂହ ଗାଁରେ ସାହାଯ୍ୟ କରିଥିଲେ । ଯେ କି ପ୍ରକୃତରେ ଜଣେ ପଟୱାରୀ (ଗ୍ରାମ ରେକର୍ଡଗୁଡ଼ିକର ରକ୍ଷକ) ଭାବରେ ଏକ ସରକାରୀ ଚାକିରି ପାଇବା ପାଇଁ ଯାଇଥିଲେ । ଭଗତ ସିଂହ ସ୍ମିତହାସ୍ୟ କରି କୁହନ୍ତି, ‘‘ସେମାନେ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପର୍ଯ୍ୟନ୍ତ ସେହି ବଡ଼ ଭାଇ ମୋତେ କେତେବେଳେ ଏବଂ କେଉଁଠାକୁ ଯିବ ନାହିଁ ସେ ସମ୍ପର୍କରେ ସୂଚନା ଏବଂ ସତର୍କତା ପଠାଉଥିଲେ...’’ ଯାହା ତାଙ୍କୁ ତାଙ୍କ ଜୀବନ ଉପରେ ପରବର୍ତ୍ତୀ ଆକ୍ରମଣଗୁଡ଼ିକରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ।
ତାଙ୍କ ପରିବାର ଏହି ଘଟଣା ସମ୍ପର୍କରେ ଯେପରି ଭାବରେ କୁହନ୍ତି, ତାହା ସମ୍ପୂର୍ଣ୍ଣ ଭାବରେ ଅବିଭୂତ କରିଦେଇଥିଲା। ଏ ସମ୍ପର୍କରେ ଭଗତ ସିଂହଙ୍କର ବିଶ୍ଳେଷଣ ଭାବପ୍ରବଣତାହୀନ ଥିଲା । ସେ ବିଭାଜନ ସମ୍ପର୍କରେ କହିବା ସମୟରେ ଖୁବ୍ ଅଧିକ ଭାବପ୍ରବଣ ଥିଲେ । ତାଙ୍କ ପତ୍ନୀଙ୍କର ଅବସ୍ଥା କ’ଣ ଥିଲା, ସେ ସେତେବେଳେ ଭୟଭୀତ ହୋଇନଥିଲେ କି? ଗୁର୍ଦେବ କୌର, ୭୮, ସମ୍ପୂର୍ଣ୍ଣ ଶାନ୍ତ ଭାବରେ କୁହନ୍ତି, ‘‘ମୁଁ ଦୃଢ଼ ନିଶ୍ଚିତ ଥିଲି ଯେ ଆମେ ଏହି ଆକ୍ରମଣକୁ ପ୍ରତିହତ କରିପାରିବୁ ।’’ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଗଠନର ଜଣେ ପ୍ରାକ୍ତନ କର୍ମୀ ଥିବା କୌର କୁହନ୍ତି: ‘‘ମୋ ପୁଅମାନେ ବଳୁଆ ଥିଲେ, ମୋର କୌଣସି ଭୟ ନଥିଲା ଏବଂ ଗ୍ରାମବାସୀମାନେ ମଧ୍ୟ ଆମକୁ ସାହାଯ୍ୟ କରୁଥିଲେ ।’’
ଗୁର୍ଦେବ କୌର ଭଗତ ସିଂହଙ୍କୁ ୧୯୬୧ରେ ବିବାହ କରିଥିଲେ – ଭଗତ ସିଂହଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ତାଙ୍କର ପ୍ରଥମ ପତ୍ନୀ ସେମାନଙ୍କ ବିବାହର ଅଳ୍ପ କିଛି ବର୍ଷ ପରେ ୧୯୪୪ରେ ମୃତ୍ୟୁବରଣ କରିଥିଲେ ଏବଂ ସେମାନଙ୍କର ଦୁଇ ଝିଅ ବିଦେଶରେ ରହୁଛନ୍ତି । ଗୁର୍ଦେବ କୌର ଏବଂ ତାଙ୍କ ବିବାହରୁ ତିନୋଟି ପୁଅ ଥିଲେ । କିନ୍ତୁ ବଡ଼ ପୁଅ ଜସବୀର୍ ସିଂହ ୨୦୧୧ରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କଲେ । ଅନ୍ୟ ଦୁଇ ଜଣ ହେଉଛନ୍ତି କୁଲ୍ଦୀପ ସିଂହ, ୫୫ ଯେ କି ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି ଏବଂ ପରମ୍ଜିତ୍ ଯେ କି ସେମାନଙ୍କ ସହ ରହୁଛନ୍ତି ।
ତାଙ୍କ ପାଖରେ ଏବେବି ୧୨-ବୋର୍ ବନ୍ଧୁକ ଅଛି ? ହସି ହସି ଏହି ୯୩ ବର୍ଷୀୟ ବୃଦ୍ଧ ଜଣକ କୁହନ୍ତି , ‘‘ନା, ମୁଁ ଏହା ଦେଇଦେଲି । ଥିଲେ ବି ବର୍ତ୍ତମାନ ତା’ର ଲାଭ କ’ଣ ହୋଇଥା’ନ୍ତା – ଗୋଟିଏ ଛୋଟ ପିଲା ବି ମୋ ହାତରୁ ତାହା ଛଡ଼ାଇ ନେଇପାରିବ।
୧୯୯୨ ରାଜ୍ୟ ବିଧାନସଭା ନିର୍ବାଚନ ତାଙ୍କ ଦ୍ୱାରଦେଶକୁ ପୁଣି ଥରେ ବିପଦ ଆଣିଥିଲା । କେନ୍ଦ୍ର ସରକାର ପଞ୍ଜାବରେ ନିର୍ବାଚନ କରାଇବା ପାଇଁ ଦୃଢ଼ ସଂକଳ୍ପ ଥିଲେ । ନିର୍ବାଚନକୁ ପଙ୍ଗୁ କରାଇବା ପାଇଁ ସଂକଳ୍ପବଦ୍ଧ ଖାଲିସ୍ଥାନୀମାନେ ପ୍ରାର୍ଥୀମାନଙ୍କୁ ହତ୍ୟା କରିବା ଆରମ୍ଭ କରିଦେଇଥିଲେ । ଭାରତୀୟ ନିର୍ବାଚନ ଆଇନ ଅଧିନରେ ପ୍ରଚାର ସମୟରେ ଗୋଟିଏ ଅଧିସ୍ୱୀକୃତ ରାଜନୈତିକ ଦଳର ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ସେହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ‘ସ୍ଥଗିତ’ କିମ୍ବା ରଦ୍ଦ କରୁଥିଲା। ବର୍ତ୍ତମାନ ପ୍ରତ୍ୟେକ ପ୍ରାର୍ଥୀ ଭୀଷଣ ବିପଦରେ ଥିଲେ ।
ଅବଶ୍ୟ, ହିଂସାର ଆକାଶଛୁଆଁ ସ୍ତର ସେହି ନିର୍ବାଚନଗୁଡ଼ିକୁ ଜୁନ୍ ୧୯୯୧ରେ ବାତିଲ୍ କରାଇଥିଲା । ସେହି ବର୍ଷ ମାର୍ଚ୍ଚ ଏବଂ ଜୁନ୍ ମଧ୍ୟରେ ଏସିଆନ୍ ସର୍ଭେ ଜର୍ନାଲ୍ରେ ଗୁର୍ହର୍ପାଲ୍ ସିଂହଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ଦର୍ଶାଇଥିଲା ‘’୨୪ ଜଣ ବିଧାନସଭା ଏବଂ ସଂସଦୀୟ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିଲା; ଦୁଇଟି ଟ୍ରେନ୍ର ୭୬ ଜଣ ଯାତ୍ରୀଙ୍କର ଗଣସଂହାର ହୋଇଥିଲା; ଏବଂ ଭୋଟ୍ ଗ୍ରହଣର ଗୋଟିଏ ସପ୍ତାହ ପୂର୍ବରୁ ପଞ୍ଜାବ ଏକ ଅଶାନ୍ତ ଅଞ୍ଚଳ ଭାବରେ ଘୋଷିତ ହୋଇଥିଲା ।’’
ତେଣୁ ଉଗ୍ରବାଦୀମାନଙ୍କର ଲକ୍ଷ୍ୟ ସ୍ପଷ୍ଟ ଥିଲା । ଯଥେଷ୍ଟ ପ୍ରାର୍ଥୀଙ୍କୁ ହତ୍ୟା କର । ସରକାର ପ୍ରାର୍ଥୀମାନଙ୍କୁ ଅଦ୍ୱିତୀୟ ସ୍ତରର ସୁରକ୍ଷା ଯୋଗାଇ ଦେଇ ପ୍ରତ୍ୟୁତ୍ତର ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ, ଭଗତ ସିଂହ ଝୁଗିଆନ୍ ଯେ କି ଗଡ଼ଶଙ୍କର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିଲେ । ଅକାଳୀ ଦଳର ସମସ୍ତ ଗୋଷ୍ଠୀ ଏହି ନିର୍ବାଚନକୁ ବହିଷ୍କାର କରିଥିଲେ । ‘‘ ପ୍ରତ୍ୟେକ ପାର୍ଥୀ ଙ୍କୁ ଏକ ୩୨ ଜଣିଆ ସୁରକ୍ଷା ଦଳ ଯୋଗାଇ ଦିଆଯାଇଥିଲା ଏବଂ ଅଧିକ ବିଶିଷ୍ଟ ନେତାମାନଙ୍କ ପାଇଁ ଏହି ସଂଖ୍ୟା ୫୦ କିମ୍ବା ଏହାଠାରୁ ଅଧିକ ଥିଲା ।’’ ଅବଶ୍ୟ, ଏସବୁ କେବଳ ନିର୍ବାଚନ ସମୟ ପାଇଁ ଉଦ୍ଦିଷ୍ଟ ଥିଲା ।
ଭଗତ ସିଂହଙ୍କ ୩୨ ଜଣିଆ ଦଳ କିପରି ଥିଲା? ସେ କୁହନ୍ତି, ‘‘ଏଠାରେ ମୋ ଦଳୀୟ କାର୍ଯ୍ୟାଳୟରେ ୧୮ ଜଣ ସୁରକ୍ଷା କର୍ମଚାରୀ ଥିଲେ । ଅନ୍ୟ ୧୨ ଜଣ ସବୁ ସମୟରେ ମୋ ସହ ଥିଲେ ଏବଂ ମୁଁ ପ୍ରଚାରରେ ଯେଉଁ ସ୍ଥାନକୁ ଯାଉଥିଲି ମୋ ସହ ଯାଉଥିଲେ ଏବଂ ଦୁଇ ଜଣ ସବୁ ସମୟରେ ମୋ ଘରେ ମୋ ପରିବାର ସହ ଥିଲେ ।’’ ନିର୍ବାଚନ ପୂର୍ବରୁ ବର୍ଷ ବର୍ଷ ଧରି ଉଗ୍ରବାଦୀମାନଙ୍କ ହିଷ୍ଟ୍ ଲିଷ୍ଟ୍ରେ ଥିବାରୁ ତାଙ୍କ ପ୍ରତି ବିପଦ ଅଧିକ ଥିଲା । କିନ୍ତୁ ସେ ଏହାକୁ ଭଲରେ ଅତିକ୍ରମ କରିଗଲେ। ସେନା, ଅର୍ଦ୍ଧସୈନିକ ଏବଂ ପୋଲିସ କର୍ମଚାରୀମାନଙ୍କର ଏକ ବିଶାଳ ସୁରକ୍ଷା ଅଭିଯାନ ଉଗ୍ରବାଦୀମାନଙ୍କୁ ପ୍ରତିହତ କରିଥିଲା ଏବଂ ଅଧିକ ଧନଜୀବନ ହାନି ବିନା ଭୋଟ୍ ଗ୍ରହଣ ହୋଇଥିଲା ।
ପରମ୍ଜିତ୍ କୁହନ୍ତି, ‘‘ନିଜକୁ ଉଚ୍ଚ ପ୍ରାଥମିକତା ଲକ୍ଷ୍ୟରେ ପରିଣତ କରିବା ଦ୍ୱାରା ତାଙ୍କ ନିଜ ପ୍ରତି ଖାଲିସ୍ଥାନୀମାନଙ୍କର ଧ୍ୟାନ ଆକର୍ଷଣ କରି ତାଙ୍କ କନିଷ୍ଠ ସାଥୀମାନଙ୍କୁ ରକ୍ଷା କରିପାରିବେ ଏହା ବିଶ୍ୱାସ କରି ସେ ୧୯୯୨ ନିର୍ବାଚନ ଲଢ଼ିଥିଲେ।’’
କଂଗ୍ରେସ ପ୍ରାର୍ଥୀଙ୍କଠାରୁ ଭଗତ ସିଂହ ନିର୍ବାଚନ ହାରିଗଲେ । କିନ୍ତୁ ସେ ପୂର୍ବରୁ ଅନେକଗୁଡ଼ିଏ ନିର୍ବାଚନ ମଧ୍ୟ ଜିତିଥିଲେ । ୧୯୫୭ରେ ଦୁଇଟି ଗ୍ରାମ ରାମଗଡ଼ ଏବଂ ଚକ୍ ଗୁଜ୍ଜରଣର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେ ଚାରି ଥର ସରପଞ୍ଚ ହୋଇଥିଲେ । ତାଙ୍କର ଶେଷ କାର୍ଯ୍ୟକାଳ ଥିଲା ୧୯୯୮ ।
ସେ ୧୯୭୮ରେ ନୱାଂଶହର (ବର୍ତ୍ତମାନ ସହିଦ୍ ଭଗତ ସିଂହ ନଗର) ରେ ଥିବା ସମବାୟ ଚିନି କଳର ଜଣେ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଥିଲେ । ସେ ଅକାଳୀ ଦଳ ସହିତ ମେଣ୍ଟ କରିଥିବା ଜଣେ କ୍ଷମତାଶାଳୀ ଜମିଦାର ସଂସାର ସିଂହଙ୍କୁ ହରାଇଥିଲେ । ୧୯୯୮ରେ ସେ ପୁଣି ଥରେ ଏହି ପଦ ପାଇଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।
*****
ସ୍କୁଲ୍ରୁ ମାଡ଼ ଖାଇ ବିତାଡ଼ିତ ହେବାଠାରୁ ସେହି ଆଠ ଦଶକ ହେବ ଭଗତ ସିଂହ ଝୁଗିଆନ୍ ରାଜନୈତିକ ଭାବରେ ସଚେତନ, ସତର୍କ ଏବଂ ସକ୍ରିୟ ଅଛନ୍ତି ଏବଂ ରହିବେ । ଚାଲିଥିବା କୃଷକ ଆନ୍ଦୋଳନରେ କ’ଣ ଚାଲିଛି ସେ ସମ୍ପର୍କରେ ସେ ସବୁକିଛି ଜାଣିବାକୁ ଚାହାଁନ୍ତି । ସେ ତାଙ୍କ ଦଳର ରାଜ୍ୟ ନିୟନ୍ତ୍ରଣ କମିଶନଠାରେ ବସନ୍ତି ଏବଂ ସେ ମଧ୍ୟ ଜଳନ୍ଧରରେ ଦେଶ୍ ଭଗତ ୟାଦ୍ଗାର୍ ହଲ୍ ଚଳାଉଥିବା ଅନୁଷ୍ଠାନର ଜଣେ ଟ୍ରଷ୍ଟି । ଅନ୍ୟ ଯେ କୌଣସି ଅନୁଷ୍ଠାନ ଅପେକ୍ଷା ଡିବିୱାଇଏଚ୍ ପଞ୍ଜାବର କ୍ରାନ୍ତିକାରୀ ଆନ୍ଦୋଳନଗୁଡ଼ିକୁ ଅଧିକ ଭାବରେ ରେକର୍ଡ କରେ, ଦସ୍ତାବିଜ୍କରଣ କରେ ଏବଂ ସ୍ମରଣୀୟ କରିଥାଏ। ଏହି ଟ୍ରଷ୍ଟ ଗଦର୍ ଆନ୍ଦୋଳନର କ୍ରାନ୍ତିକାରୀମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ।
ତାଙ୍କ ବନ୍ଧୁ ଦର୍ଶନ ସିଂହ ମଟ୍ଟୁ କୁହନ୍ତି . ‘‘ଆଜି ମଧ୍ୟ, ଯେତେବେଳେ ଜଥାଗୁଡ଼ିକ (ପ୍ରତିବାଦକାରୀମାନଙ୍କର ସଂଗଠିତ ଗୋଷ୍ଠୀ) ଏହି ଅଞ୍ଚଳରୁ କୃଷକମାନଙ୍କ ସମସ୍ୟା ନେଇ ବାହାରକୁ ଯାଆନ୍ତି ଯେମିତିକି ଦିଲ୍ଲୀ ସୀମାରେ ପ୍ରତିବାଦ ଶିବିରଗୁଡ଼ିକରେ ଯୋଗ ଦେବା ପାଇଁ, ସେମାନେ ପ୍ରଥମେ ସାଥୀ ଭଗତ ସିଂହଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କ ଘରକୁ ଯାଆନ୍ତି’’ । ସିପିଆଇ-ଏମ୍ର ପଞ୍ଜାବ ରାଜ୍ୟ ସମିତିର ଜଣେ ସଦସ୍ୟ ମଟ୍ଟୁ ଟିପ୍ପଣୀ ଦିଅନ୍ତି, ‘‘ସେ ପୂର୍ବ ତୁଳନାରେ ଶାରୀରିକ ଭାବରେ ସୀମିତ ହୋଇଛନ୍ତି । କିନ୍ତୁ ତାଙ୍କର ପ୍ରତିବଦ୍ଧତା ଏବଂ ପ୍ରଗାଢ଼ତା ପୂର୍ବ ପରି ଦୃଢ଼ ରହିଛି । ଏପରିକି ବର୍ତ୍ତମାନ ସେ ଶାହଜାହାନପୁରଠାରେ ଶିବିର ପକାଇଥିବା ଆନ୍ଦୋଳନକାରୀ କୃଷକମାନଙ୍କ ନିମନ୍ତେ ଚାଉଳ, ତେଲ, ଡାଲି, ଅନ୍ୟାନ୍ୟ ସାମଗ୍ରୀ ଏବଂ ଅର୍ଥ ପଠାଇବା ପାଇଁ ରାମଗଡ଼ ଓ ଗଡ଼ଶଙ୍କରରେ ହେଉଥିବା ଉଦ୍ୟମର ଏକ ଅଂଶ । ଏଥିରେ ତାଙ୍କର ବ୍ୟକ୍ତିଗତ ଯୋଗଦାନ ମଧ୍ୟ ରହିଛି।’’
ଆମେ ବାହାରିବା ସମୟରେ ତାଙ୍କ ୱାକର ସାହାଯ୍ୟରେ ଖୁବ୍ ଶୀଘ୍ର ଚାଲି ସେ ଜୋର କରି ଆମକୁ ବାଟେଇ ଦେବାକୁ ଆସିଥିଲେ, । ଭଗତ ସିଂହ ଝୁଗିଆନ୍ ଚାହାଁନ୍ତି ଆମେ ଏହା ଜାଣୁ ଯେ ସେ ଯେଉଁ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ ସେ ସେହି ଦେଶର ଏହି ଅବସ୍ଥା ପସନ୍ଦ କରନ୍ତି ନାହିଁ । ସେ କୁହନ୍ତି, ‘‘ଦେଶ ଚଳାଉଥିବା ଲୋକମାନଙ୍କ ମଧ୍ୟରୁ କେହି ସ୍ୱାଧୀନତା ସଂଗ୍ରାମର କୌଣସି ଉତ୍ତରାଧିକାରିତ୍ୱ ବହନ କରୁନାହାନ୍ତି । ସେମାନେ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଶକ୍ତିଗୁଡ଼ିକ ସ୍ୱାଧୀନତା କିମ୍ବା ମୁକ୍ତିର ସଂଘର୍ଷରେ କେବେବି ନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ନୁହଁନ୍ତି । ଯଦି ସେମାନଙ୍କୁ ଅଟକା ନଯାଏ ସେମାନେ ଏହି ଦେଶକୁ ଧ୍ୱଂସ କରିଦେବେ ।’’ ସେ ବିବ୍ରତ ହୋଇ କୁହନ୍ତି ।
ଏବଂ ଏହା ପରେ ସେ ଯୋଗ କରନ୍ତି: ‘‘କିନ୍ତୁ ମୋତେ ବିଶ୍ୱାସ କରନ୍ତୁ, ଏହି ରାଜ୍ରେ ମଧ୍ୟ ସୂର୍ଯ୍ୟ ଉଇଁବ ।’’
ଲେଖକଙ୍କ ଟିପ୍ପଣୀ : ସେମାନଙ୍କର ଅମୂଲ୍ୟ ତଥ୍ୟ ପ୍ରଦାନ ଏବଂ ସହଯୋଗ ନିମନ୍ତେ ଦି ’ ଟ୍ରିବୁନ୍ , ଚଣ୍ଡିଗଡ଼ର ବିଶ୍ୱ ଭାରତୀ ଏବଂ ମହାନ୍ କ୍ରାନ୍ତିକାରୀ ସହିଦ୍ ଭଗତ ସିଂହଙ୍କର ପୁତୁରା ପ୍ରଫେସର୍ ଜଗମୋହନ ସିଂହଙ୍କ ପ୍ରତି ମୋର ହାର୍ଦ୍ଦିକ ଧନ୍ୟବାଦ । ଏଥିସହିତ ସହୃଦୟ ସାହାଯ୍ୟ ଏବଂ ତଥ୍ୟ ପ୍ରଦାନ ନିମନ୍ତେ ଆଜ୍ ମେର୍ ସିଧୁଙ୍କୁ ପ୍ରତି ମଧ୍ୟ ମୋର ଧନ୍ୟବାଦ ।
ଅନୁବାଦ: ଓଡ଼ିଶାଲାଇଭ୍