କିନ୍ତୁ ମରୁଡ଼ିଗ୍ରସ୍ତ ମରାଠୱାଡ଼ାର ପାଲ୍ବନ୍ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂର ଏହି ୧୦୦ ଏକର ପରିମିତ ଜମିରେ ଯାହା ପ୍ରଚୁର ପରିମାଣରେ ରହିଛି, ତାହା ହେଲା ଧୈର୍ଯ୍ୟ ।
ଗୃହପାଳିତ ପଶୁଙ୍କ ରହିବା ପାଇଁ ମାଗଣା ଘର, ପାଣି ଓ ପଶୁଖାଦ୍ୟ ଏବଂ ସେମାନଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଆଶାରେ ଦୂର ଏବଂ ନିକଟ ଗାଁଗୁଡ଼ିକରୁ ଗୃହପାଳିତ ପଶୁଙ୍କୁ ଧରି ଆସିଥିବା ଶହ ଶହ ଲୋକଙ୍କ ଭିତରୁ ଜଣେ, ୨୮ ବର୍ଷୀୟ ବିଷ୍ଣୁ ବାଗ୍ଲାନେଙ୍କ କଥାରୁ ଏହା ପ୍ରତିଫଳିତ। କ୍ରମାଗତ ମରୁଡ଼ି ଯୋଗୁଁ ମାଟି ଶୁଖି ଯାଇଥିବା ଏବଂ ଜମି ପଡ଼ିଆ ପଡ଼ିଥିବା ସମୟରେ ରାଜ୍ୟ ସରକାରଙ୍କ ସହାୟତାରେ ଏକ ଅଣ-ସରକାରୀ ସଂସ୍ଥା ଏ ସବୁ ଯୋଗାଇ ଦିଏ ।
ତାପମାନ ୪୫ ଡିଗ୍ରୀ ଛୁଇଁବାକୁ ଯାଉଥିବା ବେଳେ, ତାଙ୍କର ୨୦ଟି ପାଳିତ ପଶୁଙ୍କ ମଧ୍ୟରୁ ଗୋଟିକ ଉପରେ ମଗ୍ରୁ ପାଣିଛାଟୁ ଛାଟୁ ବିଷ୍ଣୁ କହନ୍ତି, “ଦିନରେ ବହୁ ଥର ମୁଁ ନିଜକୁ ନିଜେ ହାର୍ ନ ମାନିବାକୁ କହେ’’। ‘‘ଆଉ ଅଧିକ କେଇଟା ମାସ ପାଇଁ ପଡ଼ି ରହିବା କଥା ।”
ଏଥର ଭଲ ବର୍ଷା ହେବ ବୋଲି ସେ ଆଶା ରଖିଛନ୍ତି ।
ମରାଠୱାଡ଼ା ଲଗାତର ଚତୁର୍ଥ ଥର ପାଇଁ ମୌସୁମୀ ବର୍ଷା ନହେବା ପରେ, ସେପ୍ଟେମ୍ବରରୁ ଏଠାରେ ରହିଆସୁଛନ୍ତି ବିଷ୍ଣୁ ଏବଂ ତାଙ୍କ ବାପା, ୬୪ ବର୍ଷୀୟ ରଘୁନାଥ ବାଗ୍ଲାନେ। ପୁଅ,ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ପାଳିତ ପଶୁମାନଙ୍କର ଦେଖାରଖା କରନ୍ତି ଏବଂ ବାପା, ରାତ୍ରୀଭୋଜନ ପରେ ରାତିରେ ଗୋଶାଳାରେ ଶୋଇବାକୁ ଆସନ୍ତି ।
ଅନେକ ସମୟରେ, ପାଞ୍ଚ କିଲୋମିଟର ଦୂର କାକାଧିରେ ଗାଁରେ ଥିବା ସେମାନଙ୍କ ଘରୁ ପରିବାରର ମହିଳାମାନେ ଆସନ୍ତି। ସେମାନେ ସାଙ୍ଗରେ ଆଣିଥିବା ପିଲାମାନେ ସେଠାରେ ଡିଆଁଡେଇଁ କରି ଖେଳନ୍ତି। ବେଳେବେଳେ ନିକଟ ସଂପର୍କୀୟମାନେ ବି ସେଠାକୁ ଆସନ୍ତି ।
ଚାରା ଛାଓନିର ଏକ ଲମ୍ବା ଇତିହାସ
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏକ ସ୍ୱଳ୍ପକାଳୀନ ମରୁଡ଼ି ମୁକାବିଲା ବ୍ୟବସ୍ଥା ରୂପେ ଗୃହପାଳିତ ପଶୁ ଶିବିର କିମ୍ବା ଚାରା ଛାଓନିର ଏକ ଲମ୍ବା ଇତିହାସ ରହିଛି। ଶିବାଜୀଙ୍କ ଶାସନ କାଳ୧୭ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ବୋଲି ପ୍ରତୀୟମାନ ହୁଏ । ୨୦୧୧ରୁ ଏହା ମହାରାଷ୍ଟ୍ରର, ନିର୍ଦ୍ଦିଷ୍ଟ ଭାବେ ଏହାର ଶୁଷ୍କ କେନ୍ଦ୍ରୀୟ ଓ ପଶ୍ଚିମାଞ୍ଚଳର, ଗ୍ରୀଷ୍ମକାଳୀନ ଭୂଚିତ୍ରର ଅଂଶ ଭାବେ ରହିଆସିଛି।
କିନ୍ତୁ ଗତ ବର୍ଷ ସେମାନଙ୍କ ମଧ୍ୟରୁ କେତେକ ଶୀତଋତୁ ପର୍ଯ୍ୟନ୍ତ ଏମିତିକି ନୂଆ ବର୍ଷଯାଏ ଚାଲିଥିଲା ଏବଂ ଏବର୍ଷ ଖରାଦିନେ ବି ଚାଲିଛି।
ସାମାଜିକ ସଂଗଠନ କିମ୍ବା ଚିନି କଳଗୁଡ଼ିକ ମରୁଡ଼ି ଯୋଗୁଁ ପଡ଼ିଆ ପଡ଼ିଥିବା ଚାଷଜମିକୁ ଏସବୁ ଶିବିର ସ୍ଥାପନ ନିମନ୍ତେ ଲିଜ୍ରେ ଦିଅନ୍ତି ଏବଂ ରାଜ୍ୟ ସରକାର ଏବଂ ସଦିଚ୍ଛାକାମୀ ରାଜନୈତିକ ଦଳ ସହାୟତାରେ ଏଗୁଡ଼ିକର ପରିଚାଳନା କରନ୍ତି।
ମହାରାଷ୍ଟ୍ରର ସର୍ବାଧିକ ମରୁଡ଼ି ପ୍ରପୀଡ଼ିତ ତିନିଟି ଜିଲ୍ଲା: ଲାଟୁର, ଓସ୍ମାନାବାଦ ଓ ବୀଡ୍ରେ ପ୍ରାୟ ୩୫୦ଟି ଗୃହପାଳିତ ପଶୁ ଶିବିରରେ ପାଖାପାଖି ୨୫୦,୦୦୦ ଗୃହପାଳିତ ପ୍ରାଣୀଙ୍କୁ ଆଶ୍ରୟ ଦିଆଯାଇଛି। ବୀଡ୍ରେ ଛୋଟ ବଡ଼ କରି ୨୬୫ଟି, ଓସ୍ମାନାବାଦରେ ୮୦ରୁ କିଛି ଅଧିକ ଏବଂ ଲାଟୁର୍ରେ ମାତ୍ର ଗୋଟିଏ ଶିବିର ରହିଛି ।
ବୀଡ୍ ସହରଠାରୁ ୧୫ କିଲୋମିଟର ଦୂର ପାଲ୍ବନ୍ରେ ଥିବା ଶିବିରରେ ୩୨ଟି ଗାଁର ପ୍ରାୟ ୩୦୦ କୃଷକଙ୍କର ଛୋଟ ବଡ଼ ମିଶି ପ୍ରାୟ ୫,୦୦୦ ଗୃହପାଳିତ ପଶୁ ରହିଛନ୍ତି।