ଗୁଜୁରାଟର ଜୁନାଗଡ଼ ଜିଲ୍ଲା ଅନ୍ତର୍ଗତ ମାଲିଆ ତାଲୁକାରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ତାଙ୍କ ମୃତ ପିତାଙ୍କ ଜମିରୁ ଭାଗ ମିଳିପାରିଛି, ଯାହାକୁ ତାଙ୍କର କକା ହଡ଼ପ କରିବା ଲାଗି ଚାହୁଁଥିଲେ; ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତା ହେବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳା ତାଙ୍କ ସମ୍ପତ୍ତିରୁ ଭାଗ ପାଇପାରିଛନ୍ତି ଏବଂ ଏବେ ସେ ନିଜର ପିଲାମାନଙ୍କୁ ସ୍କୁଲକୁ ପଠାଇପାରୁଛନ୍ତି ଯେତେବେଳେ କି ତାଙ୍କର ସ୍ୱାମୀ ଏବେ ପଳାୟନପନ୍ଥୀ ସାଜିଛନ୍ତି; ଆଉ ଜଣେ ମହିଳା ତାଙ୍କର ବ୍ୟଭିଚାରୀ ସ୍ୱାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କୁ ଆର୍ଥିକ କ୍ଷତିପୂରଣ, ରାଜକୋଟରେ ଏକ ଘର ଏବଂ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି।
କାୟା ବିସ୍ତାର କରିଥିବା ଲିଙ୍ଗଭେଦ ବିରୋଧରେ ଏକ ମହିଳା ଗୋଷ୍ଠୀର ଲଢ଼େଇ କାରଣରୁ ମାଲିଆ (କିଛି ସରକାରୀ ରେକର୍ଡରେ ମାଲିୟା)ର ବିଭିନ୍ନ ଗ୍ରାମରେ ମହିଳାମାନଙ୍କୁ ଏପରି ବିଜୟ ମିଳିପାରିଛି। ସେମାନେ ଘରୋଇ ହିଂସା ଏବଂ ଅନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଏକ ବଡ଼ ମହାସଂଘ ମାଲିୟା ମହିଳା ମଞ୍ଚ ଅଧୀନରେ ନ୍ୟାୟ ସମିତିର ଗଠନ କରିଛନ୍ତି। ଏହାର ଗଠନରେ ଆଗା ଖାନ ଗ୍ରାମୀଣ ସହାୟତା କାର୍ଯ୍ୟକ୍ରମ ସମ୍ପୃକ୍ତ ରହିଛି। ୨୦୦୬ରେ ଆରମ୍ଭ ହୋଇଥିବା ଏହି ମଞ୍ଚ ୭୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଯେଉଁଥିରେ ୫୬ଟି ଗ୍ରାମର ୧,୧୮୬ ଜଣ ମହିଳା ସାମିଲ ଅଛନ୍ତି। ଏହାର ବିଭିନ୍ନ ସମିତି ମଧ୍ୟରେ ରହିଛି ଯେପରିକି, ନ୍ୟାୟ ସମିତି, ଏକ ସ୍ୱାସ୍ଥ ସମିତି, ଏକ ଶିକ୍ଷଣ ସମିତି ଏବଂ ବାୟବତି ସମିତି। ଏମାନେ ସରକାରଙ୍କ ସହିତ ମିଶି ନ୍ୟାୟ, ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ଏବଂ ଯୋଗାଯୋଗ ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି।
ନ୍ୟାୟ ସମିତିରେ ବିଭିନ୍ନ ସାମାଜିକ ଏବଂ ଜାତି କ୍ଷେତ୍ରର ପାଞ୍ଚ ଜଣ ସଦସ୍ୟ ଅଛନ୍ତି-ହିରାବେନ ପର୍ମାର, ହାଲିମବେନ ଲାଖା, ଗୀତାବେନ ନେମବତ, କଞ୍ଚନବେନ ଖାନପାଡ଼ା ଏବଂ ଜୟାବେନ ଖୋରାସା। ମହାସଂଘ ଏମାନଙ୍କୁ ସର୍ବସମ୍ମତିକ୍ରମେ ସମିତିର ସଦସ୍ୟ ଭାବେ ଚୟନ କରିବା ପୂର୍ବରୁ ୪୦ରୁ ୫୦ ବର୍ଷ ବୟସ୍କ ଏହି ମହିଳାମାନେ ପାଖାପାଖି ୫ ବର୍ଷ ଧରି ସ୍ୱୟଂ ସହାୟତା ଗୋଷ୍ଠୀର ସଦସ୍ୟା ଥିଲେ।
ଏହି ସମିତି ଗଠନ ହେବା ସମୟରେ, ଏହାର ସଦସ୍ୟମାନଙ୍କୁ ଜୁନାଗଡ଼ ଜିଲ୍ଲା ନ୍ୟାୟାଳୟରେ ଜଣେ ସରକାରୀ ଆଇନ ପରାମର୍ଶଦାତା ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଭଲଭାବେ ଆଇନ ବିଷୟରେ ଜାଣିବା ପରେ, ସେମାନେ ଅଭିଯୋଗ ଓ ମାମଲାଗୁଡ଼ିକର ସମାଧାନ କରିବା ଆରମ୍ଭ କଲେ। ଏହା ଫଳରେ ସେମାନେ ଅଭିଯୁକ୍ତମାନଙ୍କୁ ଆଇନଗତ ନୋଟିସ ପଠାଇପାରିଲେ। ଦୁଇ ଜଣ ସଦସ୍ୟା, ହୀରାବେନ ଓ କଞ୍ଚନବେନ, କିଛି ପାଠ ପଢ଼ିଛନ୍ତି ଏବଂ ମଞ୍ଚର ଲେଟରହେଡରେ ନୋଟିସ ଲେଖିଥାନ୍ତି। ସମୟକ୍ରମେ, ବିଭିନ୍ନ ମାମଲା ପରିଚାଳନା କରିବା ପରେ, ସମିତିର ସମସ୍ତ ପାଞ୍ଚ ଜଣ ସଦସ୍ୟା ସଠିକ ଆଇନ ବିଷୟରେ ପରିଚିତ ହୋଇସାରିଲେଣି, ଏବଂ ଆଇନ ପରାମର୍ଶଦାତା ମଧ୍ୟ ଅନେକ ସମୟରେ ସାହାଯ୍ୟ କରିଥାନ୍ତି।
ସବୁ ମାସ ୧୪ ତାରିଖରେ ବସୁଥିବା ଏକ ଗ୍ରାମ୍ୟ ‘ନ୍ୟାୟାଳୟ’ରେ ବିଚାର କରାଯାଇ ରାୟ ଦିଆଯାଇଥାଏ। ଭଣ୍ଡୁରି ଗ୍ରାମରେ ଏହି ଅଦାଲତ ସେମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଛି।
ହୀରାବେନ କୁହନ୍ତି, “ଜଣେ ପୀଡ଼ିତ ମାତ୍ର ୨୫ ଟଙ୍କାର ପରିଚାଳନା ଶୁଳ୍କ ଦେଇ ମାମଲା ରୁଜୁ କରିପାରିବ’’। “ଆମେ ଅଭିଯୁକ୍ତଙ୍କୁ ଏକ ନୋଟିସ ପଠାଇଥାଉ ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସମ୍ଭାବ୍ୟ ତାରିଖ ଦେଇଥାଉ। ଆମେ ହତ୍ୟା ଧମକ ଭଳି ଅନେକ ସମସ୍ୟାର ସମ୍ମୁଖିନ ହୋଇଛୁ। କିନ୍ତୁ କିଛି ଭଲ କାମ କରିବାକୁ ବାହାରିଲେ ସାହସ ଆପେ ଆପେ ଆସିଯାଇଥାଏ”।
ସମିତି ଉଭୟ ପକ୍ଷଙ୍କ କଥା ଶୁଣିଥାଏ ଏବଂ ଉଭୟଙ୍କୁ ଗ୍ରହଣୀୟ ହେବା ଭଳି ଏକ ରାୟ ଦେଇଥାଏ। ସେମାନଙ୍କର କୌଣସି ସରକାରୀ ମାନ୍ୟତା ନାହିଁ ଏବଂ ସେମାନଙ୍କର ସମାଧାନ ପ୍ରକ୍ରିୟା ବୁଝାମଣା, ମଧ୍ୟସ୍ଥତା ଉପରେ ଆଧାରିତ। ବେଳେବେଳେ ଆଲୋଚନାକୁ ବଡ଼ ସମୁଦାୟ ଆଗରେ ଉପସ୍ଥାପନ କରିବାକୁ ପଡ଼ିଥାଏ, ଆଲୋଚନା କେବେ କେବେ ସାରା ଦିନ କିମ୍ବା ଗୋଟିଏରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରୁହେ।
ଯଦି, ଯାହାକି ଅଧିକାଂଶ ସମୟରେ ଘଟିଥାଏ, ଜଣେ ଅଭିଯୁକ୍ତ ‘ବିଚାର’କୁ ମାନିନଥାଏ, ସମିତି ଏହାକୁ ପୁଲିସ ସହାୟତାରେ ଲାଗୁ କରିଥାଏ କିମ୍ବା ଏହି ମାମଲାକୁ ଜିଲ୍ଲା ନ୍ୟାୟାଳୟକୁ ନେଇଯାଏ। ମାମଲାର ସଫଳତା ପୂର୍ବକ ସମାଧାନ ହେଲେ, ‘ମହକିଲ’ ସମିତିକୁ ପରିଚାଳନା ଶୁଳ୍କ ଆକାରରେ ୫୦୦ ଟଙ୍କା ଦେଇଥାନ୍ତି। ମହକିଲ ମଧ୍ୟ ପୋଲିସ ଷ୍ଟେସନକୁ କିମ୍ବା କୋର୍ଟକୁ ଯିବା ଲାଗି ଯାତ୍ରା ଖର୍ଚ୍ଚ ଦେଇଥାନ୍ତି। ୫୦୦ ଟଙ୍କା ସମିତିର ଆକାଉଣ୍ଟକୁ ଯାଇଥାଏ ଏବଂ ଏଥିରେ ଛୋଟ ଛୋଟ ଖର୍ଚ୍ଚ କରାଯାଇଥାଏ କିମ୍ବା ସେହି ଅଭିଯୋଗକାରୀଙ୍କ ପାଇଁ ଖର୍ଚ୍ଚ ହୁଏ ଯେଉଁମାନେ ଆଦୌ ଟଙ୍କା ଦେବାକୁ ଅକ୍ଷମ ହୋଇଥାନ୍ତି।
ନ୍ୟାୟ ପାଇଁ ଲଢ଼ୁଥିବା ସମିତିର ଉଲ୍ଲେଖନୀୟ ଉପଲବ୍ଧିକୁ ବ୍ୟକ୍ତ କରୁଥିବା ଅନେକଗୁଡ଼ିଏ ସଫଳ କାହାଣୀ ରହିଛି। “ଆମର ଗୋଟିଏ ମାମଲାରେ, ଜଣେ ସ୍ୱାମୀ (ଜଣେ ପ୍ରତିଷ୍ଠିତ ନିର୍ମାଣ ଠିକାଦାର) ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିଲେ”, ହମିଲବେନ ସ୍ମରଣ କରି କୁହନ୍ତି। “ବିଶ୍ୱାସଘାତକତା ବିଷୟରେ ପଚାରିବାରୁ, ସେ ତାଙ୍କ ପତ୍ନୀଙ୍କୁ ନିୟମିତ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କୁ ଓ ତାଙ୍କର ଦୁଇ ପିଲାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଗଲେ।” ପୂର୍ବର ଜଣେ ମହକିଲ ସମ୍ପୃକ୍ତ ମହିଳାଙ୍କୁ ନ୍ୟାୟ ସମିତିର ସହାୟତା ନେବା ପାଇଁ ରାଜି କରାଇଲେ। ପ୍ରଥମେ ସେ ଏପରି କରିବା ଲାଗି ଡରୁଥିଲେ, ଏହାଫଳରେ ସେ ଅଧିକ ମାଡ଼ ଖାଇପାରନ୍ତି ବୋଲି ତାଙ୍କର ଡର ଥିଲା-କିନ୍ତୁ ସେ ସମିତିକୁ ଆସିଲେ।
ସେହି ବ୍ୟକ୍ତିଙ୍କୁ ଏକ ସମନ ଜାରି କରାଗଲା। ସେ ହାଜର ହେବାକୁ ମନା କରିଦେଲେ ଏବଂ ଓଲଟି ସମିତି ସଦସ୍ୟାମାନଙ୍କୁ ଟାର୍ଗେଟ କରିବାକୁ ଲାଗିଲେ। “ସେ କିଛି ଗୁଣ୍ଡାଙ୍କୁ ନେଇ ଆମ କାର୍ଯ୍ୟାଳୟକୁ ଆସୁଥିଲେ ଏବଂ ଆମକୁ ଡରାଉଥିଲେ, ଏଥିସହିତ ରାତିରେ ଆମ ଘରକୁ ପଥର ଫିଙ୍ଗୁଥିଲେ। ପ୍ରଥମେ ଆମେ ଡରିଗଲୁ, କିନ୍ତୁ ପୋଲିସ ଆମକୁ ସମର୍ଥନ କଲା,” ହୀରାବେନ କୁହନ୍ତି।
ସମିତିର ସଦସ୍ୟାମାନେ ଏହି ମାମଲା ସମାଧାନ କରିବାକୁ ସଂକଳ୍ପବଦ୍ଧ ଥିଲେ, ତେଣୁ ସେମାନେ ଆହୁରି ତିନୋଟି ସମନ ପଠାଇଲେ। ଯେତେବେଳେ ସେହି ପୁରୁଷ ଜଣକ ଶୁଣିଲେ ନାହିଁ, ସେମାନେ ପୁଣିଥରେ ପୁଲିସରେ ଅଭିଯୋଗ କଲେ। ଏଥର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟକ୍ତି ଜଣକ ହାଜର ହେବାକୁ ବାଧ୍ୟ ହେଲେ।
ଅଦାଲତ ବାହାରେ ମାମଲା ସମାଧାନ ଲାଗି ସମିତି ଚେଷ୍ଟା କରିଥାଏ। ଉଭୟ ପକ୍ଷଙ୍କୁ ଏକତ୍ରିତ ହୋଇ ଆଲୋଚନା କରିବାକୁ କୁହାଗଲା। ଶୁଣାଣି ପରେ ପ୍ରତ୍ୟେକ ପକ୍ଷଙ୍କୁ ଭିନ୍ନ ବିକଳ୍ପ ଉପରେ ବିଚାର କରିବାକୁ କୁହାଗଲା, ବିଶେଷ କରି ସେମାନଙ୍କର ପିଲାମାନଙ୍କ ସମ୍ପର୍କରେ। ଠିକାଦାର ମାମଲାରେ, ବିସ୍ତୃତ ଆଲୋଚନା କରାଯିବା ପରେ, ସମିତି ତାଙ୍କୁ ଝାଡ଼ପତ୍ର ପରେ ରାଜକୋଟରେ ଥିବା ତାଙ୍କର ଏକ ଘର ଓ ୨.୫ ଲକ୍ଷ ଟଙ୍କା ତାଙ୍କ ପତ୍ନୀଙ୍କୁ ଦେବାକୁ କୁହାଗଲା।
କିନ୍ତୁ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅଧିକାଂଶ ସମୟରେ ସମିତି ଅସୁବିଧା ଭୋଗିଥାଏ। ହୀରାବେନ କୁହନ୍ତି, “ଏହି ସମାନ ମାମଲାରେ, ଆମେ ସମ୍ପୃକ୍ତ ମହିଳାଙ୍କୁ ରାଜକୋଟରେ ଥିବା ତାଙ୍କ ଘରକୁ ନେଇଗଲୁ ଏବଂ ତାଙ୍କର ସ୍ୱାମୀ ସେଥିରେ ପକାଇଥିବା ତାଲା ଭାଙ୍ଗି ତାଙ୍କୁ ସେଠାରେ ରଖିଲୁ ଏବଂ ଠିକାଦାରଙ୍କୁ ଏ ସମ୍ପର୍କରେ ସୂଚୀତ କଲୁ। ପୁରୁଷ ଜଣକ ସେହି ରାତିରେ ଗାଁକୁ ଆସିଲେ ଏବଂ ଅତି ନିଷ୍ଠୁର ଭାବରେ ତାଙ୍କ ପତ୍ନୀଙ୍କୁ ପିଟିବାକୁ ଲାଗିଲେ। ସେ କୌଣସିମତେ ସେଠାରୁ ଦୁଇ ପିଲାଙ୍କ ସହିତ ଖସି ଆସି ମୋତେ ଫୋନ କଲେ। ମୁଁ ଏଥିରେ ହସ୍ତକ୍ଷେପ କରିବା ଲାଗି ରାଜକୋଟର ସବଇନ୍ସପେକ୍ଟରଙ୍କୁ ଫୋନ କଲି।”
ଏପରି ମାମଲାରେ କାମ କରୁଥିବା ସମୟରେ ସମିତିର ମହିଳାମାନଙ୍କୁ ଅନେକ ବାଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏପରିକି ତାଙ୍କ ପରିବାର ଲୋକମାନଙ୍କଠାରୁ ମଧ୍ୟ ତାଙ୍କୁ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିଥାଏ। ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ସମୟରେ ସେମାନେ, ଗାଁକୁ ସରକାରୀ ଯୋଜନା ଆଣୁଥିଲେ, ଯାହାକି ସେମାନଙ୍କୁ ପ୍ରାରମ୍ଭିକ ପ୍ରୋତ୍ସାହନ ଦେଲା ତଥା ସେମାନଙ୍କର ବିଶ୍ୱସନୀୟତା ବଢ଼ାଇଲା। ସମୟକ୍ରମେ, ବିବାଦ ସମାଧାନ କ୍ଷେତ୍ରରେ ସେମାନଙ୍କର ସଫଳତା, ପରିବାରଗୁଡିକର ସମନ୍ୱୟ କିମ୍ବା ଅନ୍ୟାନ୍ୟ ସମସ୍ୟାର ସମାଧାନରେ ସେମାନଙ୍କୁ ବ୍ୟାପକ ବିଶ୍ୱସନୀୟତା ଓ ଗ୍ରହଣୀୟତା ପ୍ରଦାନ କଲା।ହୀରାବେନ, ସାମାଜିକ ପଛୁଆ ଜାତିରୁ ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଗାଁ ବାହାରେ ଥିବା ନିଜ ଘରେ ରହିଥାନ୍ତି, କିନ୍ତୁ ସମିତିରେ ତାଙ୍କ କାର୍ଯ୍ୟ ତାଙ୍କୁ ନିଜ ସମୁଦାୟ ଏବଂ ଅନ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସମ୍ମାନ ଓ ପ୍ରତିଷ୍ଠା ଦେଇଛି। “ଆମେ ସମାଧାନ କରୁଥିବା ମାମଲାଗୁଡ଼ିକ ଅନ୍ୟ ହିଂସା ପୀଡ଼ିତମାନଙ୍କୁ ନୈତିକ ମନୋବଳ ପ୍ରଦାନ କରିଥାଏ। ଆମର ମହକିଲମାନେ ଅନ୍ୟ ମହିଳାମାନଙ୍କୁ ରାଜି କରାଇଥାନ୍ତି ଏବଂ ସେମାନଙ୍କୁ ପୁରୁଷ ପ୍ରଧାନ ସମାଜରେ ନିଜ ଅଧିକାର ପାଇଁ ମୁହଁ ଖୋଲିବା ନିମନ୍ତେ ସାହସ ଦେଇଥାନ୍ତି। ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଏକ ପ୍ରକାରର ସଶକ୍ତିକରଣ ନୁହେଁ କି?” ଗର୍ବର ସହିତ ସେ ପ୍ରଶ୍ନ କରିଥାନ୍ତି।
ବର୍ତ୍ତମାନସୁଦ୍ଧା ସମିତି ୩୨ଟି ମାମଲାର ସମାଧାନ କରିସାରିଲାଣି। ଏହାର ସଫଳତାକୁ ଦେଖି ରାଜକୋଟ, ଉନା, ଜାମନଗର ଏବଂ ଏପରିକି ପୁଣେକୁ ସ୍ଥାନାନ୍ତରିତ ହୋଇ ଚାଲିଯାଇଥିବା ପରିବାର ମଧ୍ୟ ସେମାନଙ୍କ ନିକଟକୁ ଆସୁଛନ୍ତି। ଜିଲ୍ଲା ନ୍ୟାୟାଳୟ ପକ୍ଷରୁ ମଧ୍ୟ ସମର୍ଥନ ମିଳୁଛି; ଗୋଟିଏ ଉଦାହରଣ ସ୍ୱରୂପ, ବିଚାରପତି, ହୀରବେନ ମନେ ପକାଇ କୁହନ୍ତି, ଅପିଲକର୍ତ୍ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ, “ତୁମେ ଏଠାକୁ ଆସି କାହିଁକ ଟଙ୍କା ବର୍ବାଦ କରୁଛ? ଯାଅ ମହାସଂଘ (ମାଲିୟ ମହିଳା ମଞ୍ଚ)କୁ ସାକ୍ଷାତ କର ।” ଏହା ଏହି ଅସାଧାରଣ ମହିଳା ଏବଂ ସେମାନଙ୍କର ପ୍ରୟାସ ବିଷୟରେ ଅନେକ କଥା କହିଥାଏ।
ଅନୁବାଦ: ଓଡ଼ିଶାଲାଇଭ୍