ସାତଜେଲିଆର ଏଇ ଏକ ମାତ୍ର ଡାକଘରଟି ଉପରେ ହୁଏତ ତୁମ ଦୃଷ୍ଟି ପଡ଼ିନପାରେ। ଗୋଟିଏ ମାଟି ତିଆରି ଚାଳଘର ଆଗରେ ଝୁଲୁଥିବା ଲାଲ୍ ଡାକବାକ୍ସ ହେଉଛି ଚିହ୍ନଟ କରିବାର ଏକ ମାତ୍ର ଉପାୟ।
୮୦-ବର୍ଷ ପୁରୁଣା ଏହି ଉପ-ଡାକଘରଟି ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୨୪ଟି ଗ୍ରାମ ପଞ୍ଚାୟତରେ ସେବା ଯୋଗାଇ ଦିଏ। ଏହି ମାଟିଘରଟି ସୁନ୍ଦରବନରେ ସର୍ବନାଶ କରିଥିବା ଆଇଲା ଓ ଅମ୍ଫାନ୍ ପରି ସୁପର ସାଇକ୍ଲୋନ ସତ୍ତ୍ଵେ ତିଷ୍ଠି ରହିଛି। ଜୀବନ ରେଖା ସଦୃଶ ଏହି ଡାକଘରଟିରେ ବହୁ ସ୍ଥାନୀୟ ଅଧିବାସୀଙ୍କର ସଞ୍ଚୟ ଖାତା ରହିଛି, ଡାକ ଯୋଗେ ଏଠାରେ ଆସି ପହଞ୍ଚୁଥିବା ସେମାନଙ୍କର ଏକାଧିକ ପରିଚୟ ପତ୍ର ଭଳି ସରକାରୀ କାଗଜାତ ମଧ୍ୟ ରହିଛି।
ଗୋସାବା ବ୍ଲକକୁ ଘେରି ରହିଛି ତିନିଟି ନଦୀ – ଉତ୍ତର-ପଶ୍ଚିମରେ ଗୋମତୀ, ଦକ୍ଷିଣରେ ଦତ୍ତ ଓ ପୂର୍ବରେ ଗାଣ୍ଡାଲ। ଲାଖବାଗାନ ଗାଁର ଅଧିବାସୀ ଜୟନ୍ତ ମଣ୍ଡଳ କହନ୍ତି, “ଏହି ଦ୍ଵୀପାଞ୍ଚଳରେ ଥିବା ଏଇ ଡାକଘରଟି ହେଉଛି ଆମର ଏକ ମାତ୍ର ଭରସା [ସେମାନଙ୍କର ସରକାରୀ କାଗଜାତ ପାଇବା ପାଇଁ]”।
ନିରଞ୍ଜନ ମଣ୍ଡଳ, ବର୍ତ୍ତମାନର ପୋଷ୍ଟମାଷ୍ଟର ଏଠାରେ ଚାଳିଶି ବର୍ଷ ହେଲା କାମ କଲେଣି। ତାଙ୍କ ପୂର୍ବରୁ ତାଙ୍କର ବାପା ପୋଷ୍ଟମାଷ୍ଟର ଭାବେ କାମ କରୁଥିଲେ। ପ୍ରତି ଦିନ ସକାଳେ ସେ ତାଙ୍କ ଘରୁ ଚାଲିଚାଲି ଅଳ୍ପ କେତେ ମିନିଟ ଦୂରରେ ଥିବା ତାଙ୍କର ଏହି କାର୍ଯ୍ୟକ୍ଷେତ୍ରକୁ ଯାଉଥିଲେ। ଡାକଘର ପାଖରେ ଥିବା ସ୍ଥାନୀୟ ଚା’ ଦୋକାନଟିକୁ ସାରା ଦିନ ଲୋକମାନେ ଯିବା ଆସିବା କରୁଥିଲେ, ତେଣୁ ଡାକଘରଟିରେ ସବୁ ବେଳେ କେହି ନା କେହି ରହୁଥିଲେ।






