ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମୁଖ୍ୟସ୍ରୋତର ପ୍ରକାଶନ କାର୍ଯ୍ୟରେ, ଆପଣଙ୍କୁ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପରିବର୍ତ୍ତେ ମତୁଆଲା ଯୋଡ଼ି ଏବଂ ପୋଷା ପ୍ରାଣୀଙ୍କ ବିବାହ ବିଷୟରେ ଲେଖିବା ପାଇଁ ଦାୟିତ୍ୱ ମିଳିବାର ସମ୍ଭାବନା ଥିଲା। ନିଜ ଆଦର୍ଶକୁ ଧରି ରଖିଲେ ଆପଣଙ୍କୁ ‘ଝୋଲାୱାଲା’ (ଆକ୍ଷରିକ ଭାବେ କାନ୍ଧରେ ଏକ ଝୁଲା ବ୍ୟାଗ ପକାଇ ଚାଲୁଥିବା ଲୋକ, ସାଧାରଣତଃ ଉତ୍ତର ଭାରତରେ ବାମପନ୍ଥୀ ବିଚାରସମ୍ପନ୍ନ ସାମାଜିକ କର୍ମୀଙ୍କ ସହ ଜଡ଼ିତ ଏବଂ ଏହାକୁ ଏକ ଅପମାନଜନକ ସମ୍ବୋଧନ ରୂପରେ ବ୍ୟବହାର କରାଯାଉଥିଲା) ଭାବେ ମାନ୍ୟତା ଦିଆଯାଉଥିଲା।

୨୦୧୪ରେ ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥାଏ ଯେ, ପ୍ରାୟ ୮୦୦ଟି ଭାଷା କହୁଥିବା ଏବଂ ୮୩ କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଦେଶର ୬୯ ପ୍ରତିଶତ ସ୍ଥାନ ହାସଲ କରିଥିବା ଗ୍ରାମୀଣ ଭାରତର ଖବରକୁ ଗଣମାଧ୍ୟମରେ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା ଏବଂ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଏହି କ୍ଷେତ୍ରର ଖବର ମାତ୍ର ୦.୬୭ ପ୍ରତିଶତ ସ୍ଥାନ ଅକ୍ତିଆର କରିଥିଲା। ଜାତୀୟ ଦୈନିକ ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠାରେ କେବଳ ନୂଆଦିଲ୍ଲୀର ଖବର ୬୬ ପ୍ରତିଶତ ସ୍ଥାନ ନେଇଥାଏ ବୋଲି ଏଥିରେ କୁହାଯାଇଥିଲା।

‘‘କୌଣସି ଗୋଟିଏ ସମ୍ବାଦପତ୍ର କିମ୍ବା ଟିଭି ଚାନେଲ୍‌ କୃଷି, ଶ୍ରମ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମାଜିକ କ୍ଷେତ୍ର ଉପରେ କାମ କରିବା ଲାଗି ଜଣେ ହେଲେ ପୂର୍ଣ୍ଣକାଳୀନ ରିପୋର୍ଟରଙ୍କୁ ନିୟୋଜିତ କରିନଥିବା ମୁଁ ମୋ ୩୩ ବର୍ଷର ସାମ୍ବାଦିକତାରେ ଜାଣିବାକୁ ପାଇଛି। ବଲିଉଡ୍‌, ଉଚ୍ଚ ସାମାଜିକ ସମାରୋହ, ବ୍ୟବସାୟ ଉପରେ ଖବର ସଂଗ୍ରହ କରିବା ଲାଗି ସେମାନଙ୍କ ନିକଟରେ ପୂର୍ଣ୍ଣକାଳୀନ ପ୍ରତିନିଧି ରହିଛନ୍ତି, କିନ୍ତୁ କୃଷି ଓ ଶ୍ରମ ଉପରେ ଖବର ପ୍ରସ୍ତୁତ କରିବା ପାଇଁ ଜଣେ ହେଲେ ପ୍ରତିନିଧି ନାହାନ୍ତି। ଏପରି ଏକ ପୃଷ୍ଠଭୂମି ବିରୋଧରେ, ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (ପରୀ) ଜନ୍ମ ନେଇଥିଲା’’, ବିଶିଷ୍ଟ ସାମ୍ବାଦିକ ତଥା ପରୀର ପ୍ରତିଷ୍ଠାତା-ସମ୍ପାଦକ ପାଲାଗୁମ୍ମି ସାଇନାଥ କୁହନ୍ତି। ଦୀର୍ଘ ୪୩ ବର୍ଷ ଧରି ଗ୍ରାମୀଣ ଭାରତର ସାମ୍ବାଦିକତା ପାଇଁ ସେ ୬୦ରୁ ଅଧିକ ସାମ୍ବାଦିକତା ପୁରସ୍କାର ଜିତିଛନ୍ତି।

ପରୀ ହେଉଛି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର କାହାଣୀ କହୁଥିବା ଏକ ମଲ୍ଟିମିଡିଆ ଭଣ୍ଡାର ଏବଂ ଏକ ଜୀବନ୍ତ ପତ୍ରିକା ଓ ସଂକଳନ। ଡିସେମ୍ବର ୨୦୧୪ରେ ହାତଗଣତି କିଛି ଲୋକଙ୍କୁ ନେଇ କାଉଣ୍ଟର ମିଡିଆ ଟ୍ରଷ୍ଟ ଏହି ପ୍ରୟାସ ଆରମ୍ଭ କରିଥିଲା। ପ୍ରଥମେ ଏହା ଏକ ଗ୍ରାମୀଣ ସାମ୍ବାଦିକତା ସାଇଟ୍‌ ଭାବେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଗ୍ରାମୀଣ ଭାରତ, ବିଭିନ୍ନ କଳା ରୂପ ଓ ଗ୍ରାମୀଣ ଜୀବନ ଉପରେ ଆଧାରିତ ସରକାରୀ ରିପୋର୍ଟ ଓ ବିରଳ ଦସ୍ତାବିଜର ଏକ ଅନଲାଇନ ପାଠଗାର ତଥା ଏକ ଶିକ୍ଷା ପ୍ରୟାସରେ ପରିଣତ ହୋଇଥିଲା। ଲେଖା, ଫଟୋ, ଚିତ୍ର, ଅଡିଓ, ଭିଡିଓ ଏବଂ ଦସ୍ତାବିଜ ଆକାରରେ ମୌଳିକ କ୍ଷେତ୍ରୀୟ କାହାଣୀ ପରୀରେ ପ୍ରକାଶ ପାଇଥାଏ। ଏଥିରେ ସାଧାରଣ ଭାରତୀୟଙ୍କ ଜୀବନ କାହାଣୀ ବର୍ଣ୍ଣିତ ହୋଇଥାଏ ଏବଂ ଶ୍ରମ, ଜୀବିକା, ହସ୍ତଶିଳ୍ପ, ସଂକଟ, କାହାଣୀ, ସଙ୍ଗୀତ ଓ ଅନ୍ୟାନ୍ୟ ବିଷୟ ସ୍ଥାନ ପାଇଥାଏ।

PHOTO • Sanket Jain
PHOTO • Nithesh Mattu

ପରୀ ମଧ୍ୟ ସଂସ୍କୃତିର ପାଠାଗାର : ବେଲଗାମ୍‌ରେ ଶେହନାଇକୁ ନେଇ ନାରାୟଣ ଦେଶାଇଙ୍କ ଜୁଗାଡ଼ (ବାମ) ଏବଂ ଉପକୂଳ କର୍ଣ୍ଣାଟକର ପିଲି ବେଶ ଲୋକ ନୃତ୍ୟ (ଡାହାଣ)

PHOTO • Sweta Daga
PHOTO • P. Sainath

ଅରୁଣାଚଳ ପ୍ରଦେଶରେ ବାଉଁଶ ଝୁଡ଼ି ବୁଣୁଥିବା ମାକୋ ଲିଙ୍ଗି (ବାମ) ଏବଂ ପି. ସାଇନାଥଙ୍କ ‘ଭିଜିବଲ ୱର୍କ, ଇନଭିଜିବଲ ଉମେନ୍‌ : ଏ ଲାଇଫଟାଇମ୍‌ ବେଣ୍ଡିଂ’ ଅଧ୍ୟାୟ ଗ୍ରାମୀଣ ଭାରତରେ ଶ୍ରମ ଉପରେ ଆଲୋକପାତ କରିଥାଏ

ସାଇନାଥଙ୍କ ଶ୍ରେଣୀଗୃହରେ ପରୀ ପାଇଁ ବୀଜ ବପନ ହୋଇଥିଲା, ଯେଉଁଠି ଦୀର୍ଘ ୩୫ ବର୍ଷ ଧରି ଜଣେ ଶିକ୍ଷକ ଭାବେ ସେ ୨୦୦୦ରୁ ଅଧିକ ସାମ୍ବାଦିକଙ୍କୁ ରିପୋର୍ଟିଂର ନୈତିକ ଆଧାର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଏହା ମୋ ଭଳି ମହତ୍ୱାକାଂକ୍ଷୀ ସାମ୍ବାଦିକଙ୍କୁ ଅସମାନତା ଓ ଅନ୍ୟାୟକୁ ପ୍ରାସଙ୍ଗିକ କରିବା ଓ ବୃତ୍ତିଗତ ଦୁନିଆରେ ଆମ ବିବେକକୁ ଏକ ଚଷମା ଭାବେ ବ୍ୟବହାର କରିବାରେ ସହାୟତା ମିଳିଥିଲା।

ପରୀର ପରିଚାଳନା ସମ୍ପାଦିକା ନମିତା ୱାଇକର କୁହନ୍ତି, ‘‘ଏତେ ବର୍ଷ ମଧ୍ୟରେ ଗୋଟିଏ କଥା ଅପରିବର୍ତ୍ତିତ ରହିଛି - ତାହା ହେଉଛି ଆମ ସମସ୍ତଙ୍କୁ ପରୀ ଆଡ଼କୁ ଆକୃଷ୍ଟ କରିଥିବା ଆଦର୍ଶବାଦ, ଯାହା ସମସ୍ତ ଗ୍ରାମୀଣ ଭାରତୀୟଙ୍କ ପ୍ରଭାବଶାଳୀ କାହାଣୀ ଦ୍ୱାରା ଅନୁପ୍ରାଣିତ।’’ ମୁଖ୍ୟସ୍ରୋତର ନିର୍ଗମନରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ସାମ୍ବାଦିକଙ୍କ ପାଇଁ ପରୀ ଏକ ‘ଅମ୍ଳଜାନ ସ୍ରୋତ’ ଭାବେ କାର୍ଯ୍ୟ କରିଛି ।

ବିସ୍ମୃତ ତଥ୍ୟର ସଂକଳନ

ସର୍ବୋପରୀ ଆମେ ସାମ୍ବାଦିକ ହୋଇଥିବାରୁ, ପରୀ କାହାଣୀଗୁଡ଼ିକ ଗୋଟିଏ ସମୟ ବିନ୍ଦୁ ଉପରେ ଅବସ୍ଥିତ ରହିଛି, ତଥାପି ଏହା କାଳାତୀତ, କାରଣ ଏହା ମଧ୍ୟ ଏକ ଅଭିଲେଖାଗାର। ଏକ ଆଦର୍ଶ ଦୁନିଆରେ, ପରୀ ହୁଏତ’ ଜରୁରୀ ହେବ ନାହିଁ, କିନ୍ତୁ ସାଇନାଥ ଯଥାର୍ଥ ଭାବେ କହିଛନ୍ତି, ‘‘ପରୀ, ୨୫ରୁ ୫୦ ବର୍ଷ ମଧ୍ୟରେ, ଏପରି ଏକ ଡେଟାବେସ୍‌ ହେବ ଯାହାକୁ ଆମ ସମୟର ଗ୍ରାମୀଣ ଭାରତର ଲୋକମାନେ କିପରି ରହୁଥିଲେ ଏବଂ କାମ କରୁଥିଲେ ତାହା ଜାଣିବା ଲାଗି ଭାରତୀୟମାନେ ଉପଯୋଗ କରିବେ।’’

ମୁଖ୍ୟସ୍ରୋତର ଗଣମାଧ୍ୟମ ଜୁଲାଇ ୨୦୨୩ର ଦିଲ୍ଲୀ ବନ୍ୟା ଦୃଶ୍ୟରେ ଭରି ଯାଇଥିବା ବେଳେ ସେମାନେ ଯାହା ଛାଡ଼ି ଦେଇଥିଲେ ଆମେ ତାହା ପ୍ରକାଶ କରିଥିଲୁ। ସେହି ପ୍ରସଙ୍ଗ ହେଉଛି - ବିସ୍ଥାପିତ ଚାଷୀଙ୍କ ଦ୍ୱାରା ନିଜ ଘର ଓ ଜୀବିକା ପୁନଃନିର୍ମାଣ ରେ ହେଉଥିବା ଖର୍ଚ୍ଚ ପ୍ରସଙ୍ଗ। ସାଧାରଣ ଲୋକ ଓ ସେମାନଙ୍କର ଢାଞ୍ଚାଗତ ରୂପରେ ଜଟିଳ, ଭାବପ୍ରବଣତା ଜନିତ ଦୁର୍ବଳତାରେ ପୂର୍ଣ୍ଣ ଜୀବନ ଆମ କାହାଣୀର କେନ୍ଦ୍ରରେ ରହିଥିଲା। ଏସବୁ କୌଣସି ସୁଦୂର କ୍ଷେତ୍ରର ପୁରାତନ ଲୋକଙ୍କ କାହାଣୀ ନଥିଲା। କିଛି ପିଢ଼ି ପୂର୍ବରୁ ପ୍ରତ୍ୟେକ ସହରୀ ଭାରତୀୟ ଗୋଟିଏ ଗାଁରେ ରହୁଥିଲେ। ପରୀର ଲକ୍ଷ୍ୟ ହେଉଛି ନିଜ ପାଠକ ଓ ବିଷୟ ମଧ୍ୟରେ ସହାନୁଭୂତିର ଏକ ସେତୁ ନିର୍ମାଣ କରିବା - ଏଥିରେ ଇଂରାଜୀ କହୁଥିବା ସହରୀ ଭାରତୀୟଙ୍କୁ ସେମାନଙ୍କ ଗ୍ରାମୀଣ ସମକକ୍ଷଙ୍କ ଜୀବନ ସମ୍ପର୍କରେ ସୂଚନା ଦିଆଯାଇଥାଏ; ହିନ୍ଦୀ ପଢ଼ି ଜାଣିଥିବା ଚାଷୀ ଦେଶର ଭିନ୍ନ ଭିନ୍ନ ଭାଗରେ ଅନ୍ୟ ଚାଷୀଙ୍କ ବିଷୟରେ ଜାଣିପାରିଥାଏ; ଯୁବ ବର୍ଗଙ୍କୁ ପାଠ୍ୟପୁସ୍ତକରେ ପଢ଼ା ହେଉନଥିବା ଇତିହାସ ସହିତ ପରିଚିତ କରାଯାଏ; ଗବେଷକମାନେ ଲୁପ୍ତପ୍ରାୟ କାରିଗରୀ ଓ ଜୀବିକାର ଅନୁସନ୍ଧାନରେ ସମ୍ପୃକ୍ତ ରହିଥାନ୍ତି।

ପରୀ ପାଇଁ ରିପୋର୍ଟିଂ କରିବା ଦ୍ୱାରା ଜଣେ ସାମ୍ବାଦିକ ଭାବେ ପ୍ରସଙ୍ଗ ବିହୀନ ଗୋଟିଏ ଗୋଟିଏ ଘଟଣାକୁ ସହଜରେ ଉପସ୍ଥାପନା କରିବା ପରିବର୍ତ୍ତେ ଏକ ବିକାଶ ପ୍ରକ୍ରିୟାକୁ ଜାଣିବା, ବୁଝିବା ଓ ସେଥିରେ ସମ୍ପୃକ୍ତ ହେବାରେ ମୋତେ ସହାୟକ ହୋଇଥିଲା। ମୁଁ ଦିଲ୍ଲୀରେ ଜନ୍ମ ନେଇଥିଲି ଓ ବଡ଼ ହୋଇଥିଲି, କିନ୍ତୁ ଜଳବାୟୁ ପରିବର୍ତ୍ତନର ଏକ ରାଷ୍ଟ୍ରବ୍ୟାପୀ ଅଧ୍ୟାୟର ଅଂଶବିଶେଷ ଭାବେ ପରୀରେ ଗବେଷଣା ଦ୍ୱାରା ମୁଁ ଜାଣିବାକୁ ପାଇଥିଲି ଯେ, ମୁଁ ଯେଉଁଠି ରହୁଛି, ସେଠାରୁ ମାତ୍ର ୩ କିଲୋମିଟର ଦୂର ଯମୁନା ନଦୀରେ ୪୦ ବର୍ଷ ପୂର୍ବରୁ କଇଁଛ ଓ ଗଙ୍ଗା ଡଲଫିନ୍‌ମାନେ ଜଳକ୍ରୀଡ଼ା କରୁଥିଲେ! ମୁଁ ଦିଲ୍ଲୀ ଗେଜେଟ୍ଟିୟର (୧୯୧୨)କୁ ଉଲ୍ଲେଖ କରିଥିଲି, ଯମୁନାର ଅନ୍ତିମ ଜୀବିତ ଚାଷୀ ମତ୍ସ୍ୟଜୀବୀଙ୍କ ସାକ୍ଷାତକାର ନେଇଥିଲି, ଏବଂ ବର୍ତ୍ତମାନ ଓ ଅତୀତ ମଧ୍ୟରେ ରହିଥିବା ସମ୍ପର୍କକୁ ଚିହ୍ନଟ କରିଥିଲି ଯାହାଫଳରେ ମୁଁ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇପାରିବି। ମହାମାରୀ ପରେ ବିକାଶ ପାଇଁ ବିସ୍ଥାପନ ଏବଂ ୨୦୨୩ ବନ୍ୟା ଦ୍ୱାରା ହୋଇଥିବା ବିନାଶ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବା ଲାଗି ମୁଁ ପୁଣିଥରେ ସେମାନଙ୍କ ନିକଟକୁ ଯାଇଥିଲି। ମୁଖ୍ୟସ୍ରୋତର ରିପୋର୍ଟିଂ ସମୟରେ ଅଧିକ ଚାହିଦା ଥିବା ‘ପାରାଚୁଟ୍‌ ରିପୋର୍ଟିଂ’ (ଜନସମାଜ ସହ କୌଣସି ସମ୍ପର୍କ ନଥାଇ ଏକ ସଂକଟ ସମୟରେ ଆସିବା)ଠାରୁ ସମ୍ପୂର୍ଣ୍ଣ ଭିନ୍ନ କୌଣସି ପ୍ରସଙ୍ଗରେ ବିଶେଷଜ୍ଞତା ହାସଲ କରିବାରେ ମୋତେ ସହାୟକ ହୋଇଥିଲା। ଜଣେ ସାମ୍ବାଦିକ ଭାବେ ଆପଣ ଉନ୍ନତ ସୂଚନା ହାସଲ କରିଥାନ୍ତି, ପ୍ରସଙ୍ଗ ବିଷୟରେ ଆତ୍ମବିଶ୍ୱାସ ରଖିଥାନ୍ତି, ଏବଂ ପ୍ରାସଙ୍ଗିକ ପ୍ୟାନେଲ୍‌ ଓ ଆଲୋଚନାରେ ସେଗୁଡ଼ିକ ଉପରେ ଆଲୋଚନା କରିବାର କ୍ଷମତା ରଖିଥାନ୍ତି- ଏହିପରି ଭାବେ କାହାଣୀ ଓ ପ୍ରସଙ୍ଗକୁ ଆଗକୁ ଆହୁରି ବ୍ୟାପକ ରୂପରେ ଆଗେଇ ନେଇଥାନ୍ତି।

PHOTO • People's Archive of Rural India
PHOTO • Shalini Singh

ଦିଲ୍ଲୀରେ ଯମୁନା ନଦୀ ଉପରେ ଶାଲିନୀ ସିଂହଙ୍କ କାହାଣୀ ଜଳବାୟୁ ପରିବର୍ତ୍ତନ ଉପରେ ପର୍ଯ୍ୟବସିତ, କିନ୍ତୁ ଏଥିରେ ସେହି ଲୋକମାନଙ୍କ ସ୍ୱର ମଧ୍ୟ ସାମିଲ ରହିଛି ଯେଉଁମାନେ ଏହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି

ପରୀ କାହାଣୀରେ ସ୍ଥାନିତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ସ୍ତର ଓ ପର୍ଯ୍ୟାୟରେ ଆର୍ଥିକ ଓ ସାମାଜିକ ଆଘାତ ପାଇଛନ୍ତି। ସେମାନଙ୍କ ବିଷୟରେ ଜାଣିବା ଓ ଶୁଣିବା ଏକ ମାନବୀୟ ଆବଶ୍ୟକତା। ପରୀ ଯେଉଁ ଲୋକମାନଙ୍କ ବିଷୟରେ ଖବର ସଂଗ୍ରହ କରିଥାଏ, ସେମାନେ ନିଜ କାହାଣୀର ସକ୍ରିୟ ଭାଗିଦାର ହୋଇଥାନ୍ତି। ମୁଁ ଯେତେବେଳେ ଯମୁନାର ଚାଷୀଙ୍କ ବିଷୟରେ ଇଂରାଜୀରେ ରିପୋର୍ଟ ପ୍ରସ୍ତୁତ କରିଥିଲି, ମୁଁ ନିଜ ଲେଖାର ହିନ୍ଦୀ ସଂସ୍କରଣ ସେମାନଙ୍କୁ ଦେଇଥିଲି ଏବଂ ସେମାନଙ୍କ ପ୍ରତିକ୍ରିୟା ହାସଲ କରିଥିଲି। ଆମେ କେବଳ ସାମ୍ବାଦିକ ହୋଇଥିବାରୁ ଲୋକମାନେ ନିଜ କାହାଣୀ ଆମକୁ କହିନଥାନ୍ତି; ବରଂ ଆମକୁ ସେମାନଙ୍କ ବିଶ୍ୱାସ ଭାଜନ ହେବାକୁ ପଡ଼ିଥାଏ ଯାହାଫଳରେ ସେମାନେ ନିଜ କଥା ଆମକୁ କହିପାରିବେ।

ଗୋଟିଏ ସମାଜକୁ ନିଜ ଭିତରେ ମତବିନିମୟ ମାଧ୍ୟମରେ ଯୋଡ଼ି ରଖିବା ସାମ୍ବାଦିକତା ଭଳି କଳାର ଉଦ୍ଦେଶ୍ୟ। ସେଥିପାଇଁ ପରୀ ସୃଜନଶୀଳ ରଚନାକୁ ମଧ୍ୟ ଆପଣାଇଥାଏ। ‘‘ବେଳେବେଳେ ସତ କହିବା ପାଇଁ କବିତା ହିଁ ଏକମାତ୍ର ଉତ୍ସ ପାଲଟିଥାଏ। ସରଳ, ମାର୍ମିକ ଓ ମୌଳିକ କବିତାକୁ ପରୀ ସ୍ଥାନ ଦେଇଥାଏ ଯାହା ପ୍ରାୟତଃ ଗ୍ରାମୀଣ ଭାରତର କେନ୍ଦ୍ରସ୍ଥଳୀ ଓ ଏହାର ବିଭିନ୍ନ ଭାଷାରୁ ଆସିଥାଏ,’’ ପରୀର କବିତା ସମ୍ପାଦିକା ପ୍ରତିଷ୍ଠା ପାଣ୍ଡ୍ୟା କୁହନ୍ତି। ଜଣେ ସାମ୍ବାଦିକ ଭାବେ, ମୁଁ ସେହି ସବୁ କାହାଣୀକୁ ଧରି ରଖିବା ଲାଗି କବିତା ଲେଖିଥିଲି ଯାହା ପାରମ୍ପରିକ ରିପୋର୍ଟ ପାଇଁ ଉପଯୁକ୍ତ ନଥିଲା।

ଏକ ଜନ କଲ୍ୟାଣ ପ୍ରୟାସ

ଏକ ଗଣତାନ୍ତ୍ରିକ କାର୍ଯ୍ୟ ରୂପରେ, ସାମ୍ବାଦିକତାରେ ତଥ୍ୟଗତ ଯାଞ୍ଚ, ସମ୍ପାଦକୀୟ ମାନଦଣ୍ଡ ବଜାୟ ରଖିବା ଏବଂ କ୍ଷମତା ସମ୍ପର୍କରେ ସତ କହିବାର ଆବଶ୍ୟକତା ରହିଛି, ଏସବୁ ଏହାର ପ୍ରକ୍ରିୟାରେ ଅନ୍ତର୍ନିହିତ ରହିଛି । କିନ୍ତୁ ସାମାଜିକ ଗଣମାଧ୍ୟମର ପ୍ରସାର ବଢ଼ିବା ଏବଂ ସାମ୍ବାଦିକତାର ଏକ ନୂଆ ରୂପ ଆକାର ନେବା ସହିତ ଏସବୁ ଆଦର୍ଶ ଲୋପ ପାଇଯାଉଛି। ଛୋଟ ସଂଗଠନ ଏବଂ ମୁକ୍ତବୃତ୍ତିର ସାମ୍ବାଦିକ ଆଜି ୟୁଟ୍ୟୁବ୍‌ ଭଳି ପ୍ଲାଟଫର୍ମରେ କାହାଣୀ ଶୁଣାଇପାରିବେ, କିନ୍ତୁ ବାହାରକୁ ଯାଇ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ପାଖରେ ସମ୍ବଳ ଉପଲବ୍ଧ ରହିବା, ଦର୍ଶକଙ୍କୁ ସୃଷ୍ଟି କରିବା ଏବଂ ବ୍ୟବହାରିକ ଢଙ୍ଗରେ ରୋଜଗାର କରିବା ଏକ ଆହ୍ୱାନ ପାଲଟିଛି।

‘‘ପରୀ ଏବଂ ଏହାର ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭର ସୁରକ୍ଷା କରୁଛନ୍ତି। ଆମେ ସୀମିତ ସମ୍ବଳ ଓ ଅନ୍ୟାନ୍ୟ କାମ କରି ନିଜକୁ ସମର୍ଥନ ଯୋଗାଇ ଦେବା ସହ ଆମ ସ୍ୱାଧୀନତା ସଂଗ୍ରାମରୁ ଆମକୁ ମିଳିଥିବା ମିରାତ୍‌-ଉଲ୍‌-ଅଖବାର (ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଦ୍ୱାରା ୧୮୨୨ରେ ପ୍ରତିଷ୍ଠିତ ପତ୍ରିକା ଯାହା ତତ୍କାଳୀନ ସମୟର ବ୍ରିଟିଶ୍‌ ନୀତିଗୁଡ଼ିକର ଆଲୋଚନାତ୍ମକ ଯାଞ୍ଚ କରିଥିଲା), କେଶରୀ (୧୮୮୧ରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ଦ୍ୱାରା ପ୍ରକାଶିତ) ଏବଂ ଅନ୍ୟାନ୍ୟର ପରମ୍ପରାକୁ ଜୀବିତ ରଖିଛୁ,’’ ପରୀର ବୈଷୟିକ ସମ୍ପାଦକ ସିଦ୍ଧାର୍ଥ ଏଡେଲକର କୁହନ୍ତି।

PHOTO • Sanskriti Talwar
PHOTO • M. Palani Kumar

ଚାଷର କାହାଣୀ କେବଳ କୃଷି ସମ୍ବନ୍ଧୀୟ ପ୍ରସଙ୍ଗ ନୁହେଁ। ଶ୍ରୀ ମୁକ୍ତସର ସାହିବ ଜିଲ୍ଲା (ବାମ)ରେ ଭୂମିହୀନ ଦଳିତ ଶ୍ରମିକଙ୍କ ପିଲାମାନେ କମ୍‌ ବୟସରେ ଚାଷ କାମ କରିବା ଆରମ୍ଭ କରିଦେଇଥାନ୍ତି। ପରୀ ବିବିଧ ବେଉସା ବିଷୟରେ ଲେଖିଥାଏ ଏବଂ ଚିତ୍ର ଉତ୍ତୋଳନ କରିଥାଏ। ଗୋବିନ୍ଦାମ୍ମା (ଡାହାଣ) ଚେନ୍ନାଇର ବକିଂହାମ୍‌ କେନାଲରେ କଙ୍କଡ଼ା ଧରିବା ପାଇଁ ବୁଡ଼ ମାରୁଛନ୍ତି

PHOTO • Ritayan Mukherjee
PHOTO • Shrirang Swarge

ଯେଉଁ ଜନସମୁଦାୟ ନିଜ ଜୀବନ ଓ ଜୀବିକା ପାଇଁ ଜମି ଉପରେ ନିର୍ଭର କରିଥାନ୍ତି, ସେମାନେ ଜଳବାୟୁ ପରିବର୍ତ୍ତନ ଓ ଭେଦଭାବପୂର୍ଣ୍ଣ ନୀତିକୁ ନେଇ ସଂଘର୍ଷ କରୁଛନ୍ତି : ଲଦାଖରେ କାଶ୍ମୀରୀ ତିଆରି କରୁଥିବା ଚାଙ୍ଗପାମାନେ (ବାମ) ଏବଂ ମୁମ୍ବାଇରେ ଜଙ୍ଗଲ ଅଧିକାର ପାଇଁ ଶୋଭାଯାତ୍ରା କରୁଥିବା ଆଦିବାସୀ

ଏକ ଅଣ-ଲାଭକାରୀ ସାମ୍ବାଦିକତା ସଂଗଠନ ରୂପରେ, ପରୀ ସର୍ବସାଧାରଣ ଦାନ, ଫାଉଣ୍ଡେସନରୁ ମିଳୁଥିବା ପ୍ରକଳ୍ପ ସହ ଜଡ଼ିତ ଅର୍ଥରାଶି, ସିଏସଆର ପାଣ୍ଠି, ସ୍ୱେଚ୍ଛାକୃତ ଟ୍ରଷ୍ଟିଙ୍କ ଠାରୁ ଦାନ ଏବଂ ବୈଷୟିକ ଭଳି କ୍ଷେତ୍ରର ସ୍ୱେଚ୍ଛାସେବୀଙ୍କ ଶ୍ରମ ଉପରେ ନିର୍ଭର କରିଥାଏ। ପରୀକୁ ମିଳିଥିବା ପ୍ରାୟ ୬୩ଟି ସାମ୍ବାଦିକତା ପୁରସ୍କାରରୁ ଅତିକମରେ ୫ ଲକ୍ଷ ଟଙ୍କା ମିଳିଛି। ମୁଖ୍ୟସ୍ରୋତର ଗଣମାଧ୍ୟମ ସେଲିବ୍ରିଟୀ (ପ୍ରସିଦ୍ଧ ବ୍ୟକ୍ତିତ୍ୱ) ଏବଂ ବିଜ୍ଞାପନ କୈନ୍ଦ୍ରିକ ତଥା କ୍ଷମତାସୀନ ଅନୁଷ୍ଠାନ ପ୍ରତି ନତମସ୍ତକ ହୋଇରହିଥିବା ବେଳେ ପରୀ ବିଜ୍ଞାପନ ପ୍ରସାରଣ କରିନଥାଏ କିମ୍ବା ହସ୍ତକ୍ଷେପକାରୀ ରାଇଡର୍ସଙ୍କ ସହ ଆସୁଥିବା ପାଣ୍ଠିକୁ ସ୍ୱୀକାର କରେ ନାହିଁ। ଆଦର୍ଶଗତ ରୂପରେ, ପରୀ ସମ୍ପୂର୍ଣ୍ଣ ଦାନ ଦ୍ୱାରା ପରିଚାଳିତ ଏବଂ କେବଳ ନିଜ ଦର୍ଶକଙ୍କ ପ୍ରତି ଉତ୍ତରଦାୟୀ ରହିଥାଏ।

ବିଷୟବସ୍ତୁ ସମ୍ପୂର୍ଣ୍ଣ ରୂପରେ କ୍ରିଏଟିଭ୍‌ କମନ୍ସ ଅଟେ, ଯେଉଁଥିରେ କୌଣସି ପେ-ରୋଲ୍‌ ନାହିଁ; ଏବଂ ଲୋକମାନେ ଉଚିତ୍‌ ସ୍ୱୀକୃତି ସହିତ ବିଷୟବସ୍ତୁକୁ ମୁକ୍ତ ଭାବେ ପୁନଃମୁଦ୍ରଣ କରିପାରିବେ। ପରୀ ଭାଷା ଅନୁବାଦ ଦଳ ଦ୍ୱାରା ଇଂରାଜୀ ସମେତ ୧୫ଟି ଭାରତୀୟ ଭାଷାରେ ସବୁ ଲେଖାଗୁଡ଼ିକର ଅନୁବାଦ କରାଯାଇଥାଏ। ‘‘ଭାଷା ଏକ ଜାହାଜ ଯାହା ବିବିଧତା ନେଇ ଆସିଥାଏ। ମୁଁ ଅନୁବାଦକୁ ସାମାଜିକ ନ୍ୟାୟର ଚଷମାରେ ଦେଖିଥାଏ। ଭାରତ ଏକ ବହୁଭାଷୀ କ୍ଷେତ୍ର, ଅନୁବାଦ ମାଧ୍ୟମରେ ଜ୍ଞାନର ପ୍ରସାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ। ବିଶ୍ୱର ସବୁଠୁ ଜଟିଳ ଓ ବିବିଧ ଭାଷାଗତ କ୍ଷେତ୍ରରେ ଯେପରି ଗୋଟିଏ ଭାଷାର ଏକଚାଟିଆ ପ୍ରଭାବ ରହିବ ନାହିଁ ସେଥିପାଇଁ ଭାଷାଗୁଡ଼ିକର ଗଣତନ୍ତ୍ରୀକରଣ ସିଦ୍ଧାନ୍ତ ଉପରେ ପରୀର ଅନୁବାଦ କାର୍ଯ୍ୟକ୍ରମ ଆଧାରିତ,’’ ପରୀ-ଭାଷା ସମ୍ପାଦିତା ସ୍ମିତା ଖାଟୋର କୁହନ୍ତି।

ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ୱାରା ବ୍ୟବହାର ଏବଂ ସୃଷ୍ଟି କରାଯାଉଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ମଧ୍ୟ ପରୀ ଧ୍ୟାନ କେନ୍ଦ୍ରିତ କରିଥାଏ। ଏହାର ଶିକ୍ଷା ବିଭାଗ ବଡ଼ ସହରର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ, ସେମାନଙ୍କୁ ଶିଖାଏ ଯେ କେବଳ ଏକ ବିଦେଶୀ ଭାଷାରେ ଦକ୍ଷ ହେବା ଏବଂ ବିଶ୍ୱ ଘଟଣାବଳୀ ବିଷୟରେ ଜାଣିବା ଦ୍ୱାରା ଜଣେ ବିଶ୍ୱସ୍ତରୀୟ ନାଗରିକ ହୋଇପାରିବ ନାହିଁ ବରଂ ସେମାନଙ୍କ ଠାରୁ ୩୦-୫୦-୧୦୦ କିଲୋମିଟର ଦୂରରେ ଭିନ୍ନ ଭିନ୍ନ ଭାରତୀୟ ଭାଷା କହୁଥିବା ଅଞ୍ଚଳର ବାସ୍ତବିକତା ସହ ପରିଚିତ ହେବା ମଧ୍ୟ ଜରୁରୀ। ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା ପ୍ରୀତି ଡେଭିଡ୍‌ କୁହନ୍ତି, ‘‘ଆମେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଲେଖା (ପରୀରେ ପ୍ରକାଶିତ)ଗୁଡ଼ିକୁ ପରୀକ୍ଷାମୂଳକ ଅଧ୍ୟୟନ ପାଇଁ ପରୀ ଶିକ୍ଷାଶାସ୍ତ୍ରର ଉଦାହରଣ ଭାବେ ଦେଖିଥାଉ, ଏହା ପିଲାମାନଙ୍କୁ ଚିରାଚରିତ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଅନୁପ୍ରାଣିତ କରିଥାଏ, ସେମାନଙ୍କୁ ବିଭିନ୍ନ ପ୍ରଶ୍ନ କରିବା ଲାଗି ସକ୍ଷମ କରିଥାଏ : ଲୋକମାନେ ପ୍ରବାସ କରିବାକୁ କାହିଁକି ବାଧ୍ୟ ହୁଅନ୍ତି? ଚା’ ବଗିଚାରେ କାର୍ଯ୍ୟରତ ମହିଳା ଶ୍ରମିକଙ୍କୁ କାହିଁକି ପାଖରେ ଶୌଚାଳୟ ସୁବିଧା ମିଳେ ନାହିଁ? କାହିଁକି ତା’ର ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ - ଉତ୍ତରାଖଣ୍ଡର ମହିଳାମାନେ- ମାସିକ ଋତୁସ୍ରାବ ସମୟରେ ‘ଅପବିତ୍ର’ ବୋଲି ବିବେଚନା କରାଯାଏ ବୋଲି ଜଣେ ଛୋଟ ଝିଅ ପ୍ରଶ୍ନ କରିଥାଏ; ସେ ନିଜ ଶ୍ରେଣୀର ପୁଅମାନଙ୍କୁ ମଧ୍ୟ ପଚାରେ, ସେମାନେ କ’ଣ ଭବିଷ୍ୟତରେ ଏମିତି କରିବେ?’’

ଗ୍ରାମୀଣ ଭାରତରେ ସାଧାରଣ ଲୋକ, ଭାଷା, ବୃତ୍ତି, କଳା ଓ ଅନ୍ୟାନ୍ୟ ବିଷୟରେ ଅନେକ ଅଭିନବ ଓ ବିବିଧ କାହାଣୀ ଭରି ରହିଛି। ପରୀ ଏକ ‘ଭବିଷ୍ୟତର ପାଠ୍ୟପୁସ୍ତକ’, ଯାହାକି ଏସବୁ ବଦଳୁଥିବା ଓ ଲୋପ ପାଇଯାଉଥିବା କାହାଣୀର ଦସ୍ତାବିଜ ପ୍ରସ୍ତୁତ କରୁଛି ଓ ସଂକଳିତ କରୁଛି, ସେଗୁଡ଼ିକୁ ବିଭିନ୍ନ ଭାଷାରେ ଉପଲବ୍ଧ କରୁଛି ଏବଂ ଗ୍ରାମୀଣ ସାମ୍ବାଦିକତାକୁ ଶ୍ରେଣୀଗୃହକୁ ନେଇଯାଉଛି। ଯେପରି ଆଦେଲକର କୁହନ୍ତି, ‘‘ଦେଶର ସାରତତ୍ତ୍ୱ, ହୃତପିଣ୍ଡ ଓ ଆତ୍ମାକୁ ବାସ୍ତବରେ ଜୀବିତ ରଖୁଥିବା ଲୋକଙ୍କ କାହାଣୀ କହିବା’’ ଲାଗି ଭାରତର ସେହି ୯୫ଟି ଐତିହାସିକ କ୍ଷେତ୍ର ମଧ୍ୟରୁ ପ୍ରତ୍ୟେକରେ ଜଣେ ଲେଖାଏଁ ସାଥୀଙ୍କୁ ନିୟୋଜିତ କରିବା ପରୀର ଲକ୍ଷ୍ୟ। ପରୀ-ବାରରେ ଆମ ପାଇଁ, ଏହା କେବେଳ ସାମ୍ବାଦିକତା ନୁହେଁ। ଏହା ମଣିଷ ହେବା ଏବଂ ହୋଇ ରହିବା ଲାଗି ଏକ ଅଭ୍ୟାସ।

ଏହି ପ୍ରବନ୍ଧର ମୂଳ ସଂସ୍କରଣ ଡାର୍କ ‘ଏନ୍‌ ଲାଇଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ମୂଳତଃ ସେମାନଙ୍କର ୱେବସାଇଟରେ ଡିସେମ୍ବର ୨୦୨୩ରେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

ਸ਼ਾਲਿਨੀ ਸਿੰਘ ਕਾਊਂਟਰਮੀਡਿਆ ਟਰੱਸਟ ਦੀ ਮੋਢੀ ਟਰੱਸਟੀ ਹਨ ਜੋ ਪਾਰੀ ਪ੍ਰਕਾਸ਼ਤ ਕਰਦੀ ਹੈ। ਦਿੱਲੀ ਅਧਾਰਤ ਇਹ ਪੱਤਰਕਾਰ, ਵਾਤਾਵਾਰਣ, ਲਿੰਗ ਤੇ ਸੱਭਿਆਚਾਰਕ ਮਸਲਿਆਂ 'ਤੇ ਲਿਖਦੀ ਹਨ ਤੇ ਹਾਵਰਡ ਯੂਨੀਵਰਸਿਟੀ ਵਿਖੇ ਪੱਤਰਕਾਰਤਾ ਲਈ 2017-2018 ਵਿੱਚ ਨੀਮਨ ਫ਼ੈਲੋ ਰਹੀ ਹਨ।

Other stories by Shalini Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE