‘‘ବଜେଟ ସବୁ ବଡ଼ ଅଙ୍କ ପାଇଁ। ସରକାରଙ୍କ ପାଇଁ ମୋ ଭଳି ନାଗରିକର କୌଣସି ମୂଲ୍ୟ ନାହିଁ!’’
ଚାନ୍ଦ ରତନ ହାଲଦାର ‘ସରକାରୀ ବଜେଟ୍’ ନାଁ ଶୁଣିବା ମାତ୍ରେ ନିଜର ତିକ୍ତତାକୁ ଲୁଚେଇବାକୁ ଚେଷ୍ଟା କରନ୍ତି ନାହିଁ। ‘‘କେଉଁ ବଜେଟ୍? କାହାର ବଜେଟ? ଏହା ସବୁଠୁ ବଡ଼ ବିଶ୍ୱାସଘାତକତା!’’ ୫୩ ବର୍ଷ ବୟସ୍କ ହାଲଦାର କୋଲକାତାର ଯାଦବପୁରରେ ରିକ୍ସା ଚଳେଇଥା’ନ୍ତି।
‘‘ଏତେ ସାରା ବଜେଟ୍ ଏବଂ ଅନେକ ଯୋଜନା ପରେ ମଧ୍ୟ ଆମକୁ ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) କିମ୍ବା (ପ୍ରଧାନମନ୍ତ୍ରୀ) ମୋଦୀଙ୍କଠାରୁ ଘର ମିଳିନାହିଁ। ମୁଁ ତିରିପାଲ ଏବଂ ବାଉଁଶରେ ତିଆରି ପଟ୍ଟିରେ ନିର୍ମିତ ଝୁମ୍ପୁଡ଼ିରେ ରହିଥାଏ, ଯାହା ଭୂମିରେ ପାଖାପାଖି ଗୋଟିଏ ଫୁଟ ପର୍ଯ୍ୟନ୍ତ ଧସିଯାଇଛି,’’ ଚନ୍ଦୁ ଦା କୁହନ୍ତି ଯାହାଙ୍କର ଆଶା କେନ୍ଦ୍ର ବଜେଟରୁ ଆହୁରି ମଧ୍ୟ କମି କମି ଚାଲିଛି।
ସେ ପଶ୍ଚିମବଙ୍ଗ ସୁଭାଷଗ୍ରାମ ସହରର ଜଣେ ଭୂମିହୀନ ବାସିନ୍ଦା ଏବଂ ପ୍ରତ୍ୟେକ ଦିନ ସକାଳୁ ସିଆଲଦା ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନରେ ଯାଦବପୁର ଆସନ୍ତି। ସେଠାରେ ସେ ରାତି ହେବା ପର୍ଯ୍ୟନ୍ତ କାମ କରନ୍ତି ଏବଂ ତା’ପରେ ଘରକୁ ଫେରିଯାଆନ୍ତି। ‘‘ଆମ ଲୋକାଲ ଟ୍ରେନ ଭଳି ବଜେଟ୍ ଆସିବ ଓ ଯିବ। ସହରକୁ ଆସିବା ଏବେ ବଡ଼ କଷ୍ଟ ହେଲାଣି। ଆମ ଖାଲି ପେଟକୁ ଲାତ ମାରୁଥିବା ଏପରି ବଜେଟ୍ର ଲାଭ କ’ଣ?’’ ସେ ପ୍ରଶ୍ନ କରିଥା’ନ୍ତି।




