ତିନି ଦଶନ୍ଧି ପୂର୍ବେ ସଞ୍ଜୟ କାମ୍ବଳେ ଯେତେବେଳେ ଛୋଟ ଥିଲେ, ତାଙ୍କୁ ସେତେବେଳେ ବାଉଁଶ କାମ ଶିଖାଇବାକୁ କେହି ରାଜି ହୋଇ ନଥିଲେ। ଆଜି, ସେ ଯେତେବେଳେ ଏହି ହଜି ଯାଉଥିବା ହସ୍ତକଳାକୁ ସେ ଶିଖାଇବାକୁ ଚାହୁଁଛନ୍ତି, କେହି ଶିଖିବାକୁ ଚାହୁଁ ନାହାନ୍ତି। “ରୋଚକ କଥା ହେଲା ଯେ ସମୟ କେମିତି ବଦଳି ଯାଇଛି”, କହନ୍ତି ପଚାଶ-ବର୍ଷୀୟ ସଞ୍ଜୟ।
ତାଙ୍କର ଏକ ଏକର ଜମିରେ ଲାଗିଥିବା ବାଉଁଶରେ ହିଁ କାମ୍ବଳେ ହାତରେ ତିଆରି କରନ୍ତି ଇର୍ଲ – ଏହାକୁ ପଶ୍ଚିମ ମହାରାଷ୍ଟ୍ରର ଧାନ ଚାଷୀମାନେ ବର୍ଷାତି ଭାବେ ବ୍ୟବହାର କରନ୍ତି। “ପ୍ରାୟ କୋଡିଏ ବର୍ଷ ତଳେ ଆମ ସାହୁୱାଡ଼ି ତାଲୁକାରେ ବହୁତ ବର୍ଷା ହେଉଥିବା ଯୋଗୁଁ ଜମିରେ କାମ କରୁଥିବା ପ୍ରତ୍ୟେକ ଚାଷୀ ଇର୍ଲ ବ୍ୟବହାର କରୁଥିଲେ”, କହନ୍ତି କେର୍ଲେ ଗାଁର ଜଣେ ଅଧିବାସୀ। ଜମିରେ କାମ କଲାବେଳେ ସେ ବି ଇର୍ଲଟିଏ ପିନ୍ଧନ୍ତି। ଗୋଟିଏ ବାଉଁଶରେ ତିଆରି ଇର୍ଲ ଅନ୍ୟୁନ ସାତ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହୁଏ, ଏବଂ “ତା’ପରେ ବି ଏହାକୁ ସହଜରେ ମରାମତି କରିହୁଏ”, ସେ ଯୋଗ କରନ୍ତି।
କିନ୍ତୁ ବହୁତ କଥା ବଦଳି ଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ କୋଲ୍ହାପୁର ଜିଲ୍ଲାରେ ଗତ ୨୦ ବର୍ଷ ଭିତରେ ବୃଷ୍ଟିପାତ ପରିମାଣ ୧୩୦୮ ମିମି (୨୦୦୩)ରୁ ୯୭୩ ମିମି (୨୦୨୩)କୁ କମିଛି।
“କିଏ ଜାଣିଥିଲା ଯେ ବୃଷ୍ଟିପାତ ପରିମାଣ ଏତେ କମିଯିବ ଯେ ଦିନେ ହସ୍ତକଳା ଶେଷ ହୋଇଯିବ?”, ପଚାରନ୍ତି ଇର୍ଲ-ହସ୍ତଶିଳ୍ପୀ ସଞ୍ଜୟ କାମ୍ବଳେ।
“ବୃଷ୍ଟିପାତ ଉପରେ ନିର୍ଭରଶୀଳ ହୋଇଥିବାରୁ ଆମେ ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଷ କାମ କରୁ”, କହନ୍ତି କାମ୍ବଳେ। ବର୍ଷ ବର୍ଷ ଧରି ଅନିୟମିତ ବୃଷ୍ଟିପାତ ଯୋଗୁଁ ଏଠାକାର ଅଧିକାଂଶ ଗ୍ରାମର ଲୋକେ ମୁମ୍ବାଇ ଓ ପୁଣେ ପରି ସହରକୁ ଯାଇ ସେଠାରେ ରେଷ୍ଟୁରାଣ୍ଟରେ, କଣ୍ଡକ୍ଟର ଭାବେ ଘରୋଇ ବସ୍ କମ୍ପାନୀରେ, ରାଜମିସ୍ତ୍ରୀ, ଦିନ ମଜୁରିଆ ଓ ବୁଲା ବିକାଳି ଭାବେ କାମ କରୁଛନ୍ତି, ନଚେତ ସାରା ମହାରାଷ୍ଟ୍ରର ଚାଷ ଜମିରେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି।


















