ତାଙ୍କ ପରିବାରର ରନ୍ଧନ ଗ୍ୟାସ୍ ସିଲିଣ୍ଡରକୁ ଟେକି ଆଣିବା ଲାଗି ଦୌଡ଼ି ଗଲେ ହୀରାଲାଲ। ଭୟଙ୍କର ଗତିରେ ଆଖପାଖ ଅଞ୍ଚଳକୁ ମାଡ଼ି ଆସୁଥିଲା କଳା ରଙ୍ଗର ପାଣି ଏବଂ ଦିଲ୍ଲୀର ରାଜଘାଟ ନିକଟବର୍ତ୍ତୀ ବେଲା ଇଷ୍ଟେଟ୍ରେ ଅବସ୍ଥିତ ତାଙ୍କ ଘର ଭିତରକୁ ପାଣି ପଶିଆସୁଥିବା ବେଳେ ନିଜ ଘରର ଜିନିଷପତ୍ର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ।
ଏହା ଥିଲା ୨୦୨୩ ଜୁଲାଇ ୧୨ ତାରିଖର ରାତି। କିଛି ଦିନର ଲଗାଣ ବର୍ଷାରେ ଫୁଲି ଉଠିଥିଲା ଯମୁନା ନଦୀ, ଏବଂ ନଦୀକୂଳରେ ରହୁଥିବା ହୀରାଲାଲଙ୍କ ଭଳି ଅନେକ ଦିଲ୍ଲୀ ବାସିନ୍ଦାଙ୍କ ହାତରେ ସମୟ ନଥିଲା।
ମୟୂର ବିହାରର ଯମୁନା ପୁସ୍ତା ଅଞ୍ଚଳରେ ରହୁଥିବା ୬୦ ବର୍ଷୀୟା ଚମେଲି (ଗୀତା ନାଁରେ ବି ଜଣାଶୁଣା) ତାଙ୍କ ଯୁବ ପଡ଼ୋଶୀଙ୍କ ମାସକର ଶିଶୁ, ରିଙ୍କିକୁ ଜାବୁଡ଼ି ଧରି ଉଠାଇ ନେଲେ। ତେଣେ, ତାଙ୍କ ଚାରିପଟେ ଲୋକମାନେ ନିଜ ନିଜର ଭୟଭୀତ ଛେଳି ଓ ଆତଙ୍କିତ କୁକୁରମାନଙ୍କୁ କାନ୍ଧରେ ଉଠାଇ ନେଇଥିଲେ। କେତେକ ତ ବାଟରେ ହିଁ ହଜିଯାଇଥିଲେ। ନଈ ଫୁଲିବା ସହିତ ବନ୍ୟା ପାଣି ବଢ଼ିବାରେ ଲାଗିଥିଲା ଏବଂ ଖୁବ୍ ଶୀଘ୍ର ଘର ଭିତରେ ପଶି ସେମାନଙ୍କର ସବୁ ଜିନିଷପତ୍ର ଭସେଇ ନେବା ପୂର୍ବରୁ ଅସହାୟ ଲୋକେ ନିଜ ନିଜର ଲୁଗାପଟା ଓ ବାସନକୁସନ ଏକାଠି କରିବାରେ ଲାଗି ପଡ଼ିଥିଲେ।
ବେଲା ଇଷ୍ଟେଟ୍ରେ ହୀରାଲାଲଙ୍କ ପଡ଼ୋଶୀ, ୫୫ ବର୍ଷୀୟା ଶାନ୍ତି ଦେବୀ କହିଲେ, “ସକାଳ ହେଲା ବେଳକୁ ଚାରିଆଡ଼େ ପାଣି ମାଡ଼ିଯାଇଥିଲା। ଆମକୁ ଉଦ୍ଧାର କରିବା ପାଇଁ କୌଣସି ଡଙ୍ଗା ନଥିଲା। ଲୋକେ ଫ୍ଲାଏଓଭର ଆଡ଼କୁ, ଯେଉଁଠି ବି ଟିକେ ଶୁଖିଲା ଜାଗା ମିଳିଲା ସେଆଡ଼କୁ, ଧାଇଁଲେ। ଆମ ପିଲାମାନଙ୍କୁ ସୁରକ୍ଷିତ ରଖିବା ହିଁ ଆମର ପ୍ରଥମ ଚିନ୍ତା ଥିଲା, କାରଣ, ଗୋଳିଆ ପାଣିରେ ସାପ ଓ ଅନ୍ୟାନ୍ୟ ଜୀବ ରହିବାର ଆଶଙ୍କା ଥିଲା ଏବଂ ଅନ୍ଧାରରେ ସେମାନେ ଦିଶୁ ନଥିଲେ।”
ସେମାନଙ୍କର ସବୁ ଖାଦ୍ୟସାମଗ୍ରୀ ଏବଂ ପିଲାମାନଙ୍କର ବହିପତ୍ର ପାଣିରେ ଭାସୁଥିବା ବେଳେ ସେମାନେ ଅସହାୟ ଭାବରେ ଚାହିଁ ରହିଥିଲେ। “ପାଣିରେ ଆମେ ୨୫ କିଲୋ ଗହମ ହରାଇଲୁ, ଲୁଗାପଟା ଭାସିଗଲା...।”
କିଛି ସପ୍ତାହ ପରେ, ଗୀତା କଲୋନିର ଫ୍ଲାଏଓଭର ତଳେ ସେମାନଙ୍କ ଅସ୍ଥାୟୀ ଘରେ ରହୁଥିବା ବିସ୍ଥାପିତ ଲୋକେ ‘ପରୀ’ ଟିମ୍ ସହିତ କଥାବାର୍ତ୍ତା କରିଥିଲେ। “ପ୍ରଶାସନ ନେ ସମୟ ସେ ପହଲେ ଜଗହ ଖାଲି କରନେ କୀ ଚେତାବନୀ ନହିଁ ଦି। କପଡ଼େ ପହଲେ ସେ ବାନ୍ଧ କେ ରଖେ ଥେ, ଗୋଦ୍ ମେଁ ଉଠା ଉଠା କେ ବକରିୟାଁ ନିକାଲିଁ... ହମନେ ନାଓ ଭି ମାଙ୍ଗି ଜାନୱରୋଁ କୋ ବଚାନେ କେ ଲିୟେ, ପର କୁଛ ନହିଁ ମିଲା (ସମୟ ଥାଉ ଥାଉ ଘରୁ ବାହାରି ପଳାଇବା ଲାଗି ପ୍ରଶାସନ କୌଣସି ଘୋଷଣା କଲା ନାହିଁ। ଆମେ ଆମ ଲୁଗାପଟା ବାନ୍ଧି ସାରିଥିଲୁ, ଅନେକ ଛେଳିଙ୍କୁ କୋଳରେ ଧରି ଉଦ୍ଧାର କଲୁ, ଆମେ ଆମ ପୋଷା ଜୀବମାନଙ୍କୁ ବଞ୍ଚାଇବା ଲାଗି ଗୋଟିଏ ଡଙ୍ଗା ମାଗିଥିଲୁ, କିନ୍ତୁ କିଛି ମିଳିଲା ନାହିଁ।)” ଅଗଷ୍ଟ ପ୍ରଥମ ଭାଗରେ ଆମକୁ ଏହା କହିଥିଲେ ହୀରାଲାଲ।