ଉଜ୍ଜ୍ୱଳ ଦାସ ହେଉଛନ୍ତି ପାତାଳପୁରରେ ଠିଆ ହୋଇଥିବା ଶେଷ ମଣିଷ। ଆଉ, ଶେଷ କୃଷକ ପରିବାର।
ଗତବର୍ଷ ଅକ୍ଟୋବର ମାସରେ ହାତୀମାନେ ଉଜ୍ଜ୍ୱଳ ଦାସଙ୍କ ଘର କାନ୍ଥ ଭାଙ୍ଗି ଦେଇଥିଲେ, ସେଥରକୁ ମିଶାଇ ଗତ ୧୦ ବର୍ଷ ମଧ୍ୟରେ ଅଷ୍ଟମ ଥର ପାଇଁ ପାତାଲପୁର ଗାଁରେ ଥିବା ତାଙ୍କ ମାଟି କାନ୍ଥ ଘରକୁ ବଣୁଆ ହାତୀମାନେ ଭାଙ୍ଗି ନଷ୍ଟ କରି ଦେଇଥିଲେ।
ଚାଷ ସମୟ ଥିଲା ଏବଂ ଆଷାଢ଼ ଓ ଶ୍ରାବଣ ମାସ ହୋଇଥିବାରୁ ମୌସୁମୀ ମଧ୍ୟ ଆସିଯାଇଥିଲା। ହାତୀମାନେ ପ୍ରାୟ ୨୦୦ କିଲୋମିଟର ଦୂର ପାହାଡ଼ ଓ ଜଙ୍ଗଲ ଅତିକ୍ରମ କରି ପର୍ବତ ପାଦଦେଶରେ ଥିବା ପାତାଲପୁର ଗାଁରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ମୟୂରକାଶୀ ନଦୀର ଏକ ଶାଖା ନଦୀ ସିଦ୍ଧେଶ୍ୱରୀ କୂଳରେ ରହି କିଛି ସମୟ ବିଶ୍ରାମ ନେଇଥିଲେ। ଏହା ଗାଁଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିଲା। ଦୀର୍ଘ ୨୦୦ କିଲୋମିଟରର ଲମ୍ବା ଯାତ୍ରା କାରଣରୁ ଭୋକିଲା ଥିବା ହାତୀପଲ ସିଧାସଳଖ ଚାଷ ଜମିରେ ଠିଆ ହୋଇଥିବା ଫସଲ ଆଡ଼କୁ ମାଡ଼ି ଯାଇଥିଲେ।
‘‘ଆମେ ନିଜ ଜୀବନକୁ ବିପନ୍ନ କରି ହାତରେ ମଶାଲ ଧରି ସେମାନଙ୍କୁ ଘଉଡ଼ାଇବା ପାଇଁ ଯାଇଥିଲୁ,’’ ଚନ୍ଦନା ଓ ଉଜ୍ଜ୍ୱଳ ଦାସଙ୍କ ସାନପୁଅ ପ୍ରସେନଜିତ୍ କୁହନ୍ତି। ‘‘ଅନେକ ସମୟରେ, ହାତୀମାନେ ଆସିଛନ୍ତି ଏବଂ କ୍ଷେତରେ (ପାଚିଲା) ଧାନକୁ ନଷ୍ଟ କରିଦେଇ ଯାଇଛନ୍ତି। ଯଦି ହାତୀମାନେ ସବୁ ଫସଲ ଖାଇଦେବେ, ତା’ହେଲେ ଆମେ କ’ଣ ଖାଇବୁ?’’
କେବଳ ଧାନ ନଷ୍ଟ ହେବାକୁ ନେଇ ଦାସ ଚିନ୍ତିତ ନୁହନ୍ତି। ପରିବାର ପାଖରେ ଥିବା ୧୪ ବିଘା (ପ୍ରାୟ ୮.୬ ଏକର) ଜମିରେ ସେମାନେ ଆଳୁ, ଲାଉ, ବିଲାତି ବାଇଗଣ ଓ କଖାରୁ ସହିତ କଦଳୀ ଓ ଅମୃତଭଣ୍ଡା ମଧ୍ୟ ଚାଷ କରିଥାନ୍ତି।
ତା’ଛଡ଼ା ଉଜ୍ଜ୍ୱଳ ଦାସ ଜଣେ ସାଧାରଣ ଚାଷୀ ନୁହନ୍ତି। କଖାରୁ ଚାଷ ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା କୃଷକ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ପ୍ରତି ବ୍ଲକ୍ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଚାଷୀଙ୍କୁ ଏହି ପୁରସ୍କାର ଦିଆଯାଇଥାଏ। ୨୦୧୬ ଏବଂ ୨୦୨୨ରେ ସେ ରାଜନଗର ବ୍ଲକରୁ ଏହି ପୁରସ୍କାର ଜିତିଥିଲେ। ତାଙ୍କୁ ୧୦,୦୦୦ ଟଙ୍କାର ନଗଦ ଅର୍ଥରାଶି ଓ ଏକ ପ୍ରମାଣପତ୍ର ମିଳିଥିଲା।








