ଡ୍ରାଇଭର ତାଙ୍କୁ ଘରେ ଛାଡ଼ି ଦେବା ପାଇଁ ପ୍ରତିଶ୍ରୁତି ଦେଲା, କିନ୍ତୁ କାର୍ଟି ବିପରୀତ ଦିଗରେ ଖୁବ ଜୋରରେ ଦୌଡ଼ିବାକୁ ଲାଗିଲା। ଯେତେବେଳେ ସେ ରାଜପଥର ପ୍ରଥମ ୟୁ ଟର୍ଣ୍ଣ ନେଲେ ନାହିଁ, ନେହା ଭାବିଲେ ସେ ହୁଏତ’ ଅଜାଣତରେ ରାସ୍ତା ଛାଡ଼ି ଦେଲା। ଦ୍ୱିତୀୟ ୟୁ-ଟର୍ଣ୍ଣ ଆସିବା ଏବଂ ଚାଲି ଯିବା ପରେ ଏହି ୧୫ ବର୍ଷୀୟା କିଶୋରୀ ମନରେ ସନ୍ଦେହ ବଢ଼ିବାକୁ ଲାଗିଲା। ତୃତୀୟ ଥର ପାଇଁ ଏପରି ହେବାରୁ, ସେ ଚିନ୍ତାରେ ପଡ଼ିଲେ। ତାଙ୍କ ଆଖିରେ ଲୁହ ଚାଲି ଆସିଲା; ସେ ଭାଙ୍ଗି ପଡ଼ିଲେ।
ଅସ୍ୱସ୍ତିକର ଓ ଅନିଶ୍ଚିତତାର ଅନୁଭବ ମଧ୍ୟରେ ସେ ନିଜ ବାପାମା’ଙ୍କୁ ଦେଖିବା ପାଇଁ କାନ୍ଦିବାକୁ ଲାଗିଲେ। କାରରେ ତାଙ୍କ ପାଖରେ ବସିଥିବା ମହିଳା ଓ ଡ୍ରାଇଭର ତାଙ୍କୁ ଶାନ୍ତ୍ୱନା ଦେବାକୁ ଚେଷ୍ଟା କଲେ, ବ୍ୟସ୍ତ ନହେବାକୁ କହିଲେ।
କିନ୍ତୁ ମନ ଭିତରେ, ନେହା ଜାଣିଥିଲେ ଯେ ସେ ଏକ ବଡ଼ ସଙ୍କଟ ମଧ୍ୟରେ ପଡ଼ିଯାଇଛନ୍ତି। ଘର ଛାଡ଼ି ଚାଲି ଆସିବା ଏକ ଆବେଗପୂର୍ଣ୍ଣ ନିଷ୍ପତ୍ତି ଥିଲା ଏବଂ ସେ ଏଥିପାଇଁ ପଶ୍ଚାତାପ କରୁଥିଲେ।
ଚଳିତ ବର୍ଷ ପ୍ରାରମ୍ଭରେ, ୨୦୨୩ ମେ ମାସରେ, ଏହି କିଶୋରୀ ଜଣଙ୍କ ନିଜ ବାପାମା’ଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ାର କାରଣ ଥିଲା ସେ ପାଠପଢ଼ାରେ କମ୍ ସମୟ ଦେଉଛନ୍ତି ଏବଂ ମୋବାଇଲରେ ଅଧିକ ସମୟ ନଷ୍ଟ କରୁଛନ୍ତି। ବାପାମା’ ଏହାର ପ୍ରତିବାଦ କରିଥିଲେ ଏବଂ ନେହାଙ୍କଠାରୁ ତାଙ୍କ ଫୋନ୍ ଛଡ଼ାଇ ନିଆଯାଇଥିଲା।
ତଳକୁ ମୁହଁ କରି ଅତି ଧୀର ସ୍ୱରରେ ସେ କୁହନ୍ତି, ‘‘ବାପାମା’ ମୋ ଠାରୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବାରୁ ମୁଁ ଖୁବ୍ ଜୋରରେ ରାଗିଯାଇଥିଲି। ମୁଁ ସେମାନଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲି।’’
ତେଣୁ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଘର ଛାଡ଼ି ନିଜ ଘର ପାଖ ଗଳି ଅତିକ୍ରମ କରିବା ପରେ ରାଜପଥରେ ପହଞ୍ଚିଥିଲେ। ବାପାମା’ଙ୍କ ଉପରେ ଏବେ ବି ରାଗିଥିବା କାରଣରୁ ସେ ରାଜପଥରେ ୭-୮ କିଲୋମିଟର ବାଟ ଚାଲି ଆସିଥିଲେ। ଏହାପରେ ଘର ଠାରୁ ବହୁଦୂରକୁ ଚାଲି ଆସିଥିବା ସେ ହୃଦୟଙ୍ଗମ କରିଥିଲେ। ସେତେବେଳକୁ ସୂର୍ଯ୍ୟ ବୁଡ଼ିବାର କିଛି ଘଣ୍ଟା ବିତିସାରିଥାଏ ଏବଂ ତାଙ୍କୁ ଶୋଷ ଲାଗୁଥାଏ, ହେଲେ ପାଣି ବୋତଲଟିଏ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା।
ଏହି ସମୟରେ ଏକ ଚିକ୍କଣ କଳା ରଙ୍ଗର ଲମ୍ବା କାର୍ ତାଙ୍କ ଆଗରେ ଅଟକିଥିଲା। ‘‘ଜଣେ ପୁରୁଷ କାର୍ ଚଳାଉଥିଲା ଏବଂ ପଛରେ ଜଣେ ମହିଳା ବସିଥିଲା,’’ ନେହା ମନେ ପକାଇ କୁହନ୍ତି। ମହିଳା ଜଣକ କାର୍ କାଚ ତଳକୁ ଖସାଇ ନେହାଙ୍କୁ ଘରେ ଛାଡ଼ି ଦେବାକୁ କହିଲା। ‘‘ସେମାନେ ଭଲ ଲୋକ ଭଳି ଜଣାପଡ଼ୁଥିଲେ। ମୁଁ ଥକି ଯାଇଥିବାରୁ ଘରକୁ ଚାଲି ଚାଲି ଫେରିବା ସମ୍ଭବପର ନଥିଲା ଏବଂ ବସ୍ ଟିକେଟ୍ ପାଇଁ ମୋ ପାଖରେ ଟଙ୍କା ନଥିଲା।’’
ନେହା ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କଲେ। କାର୍ ଭିତରେ ଏସି ଚାଲୁଥିବାରୁ ତାଙ୍କୁ ଆରାମ ଲାଗିଲା, ସେ ମୁଣ୍ଡ ପଛକୁ ଡେରି ବସିପଡ଼ିଲେ ଏବଂ ରୁମାଲରେ କପାଳର ଝାଳକୁ ପୋଛିଦେଲେ। ମହିଳା ଜଣକ ତାଙ୍କୁ ପାଣି ବୋତଲ ପିଇବାକୁ ଦେଲା।
କିନ୍ତୁ ନେହାଙ୍କ ଆଶ୍ୱସ୍ତି ଖୁବ୍ଶୀଘ୍ର ବ୍ୟଗ୍ରତାରେ ପରିଣତ ହୋଇଗଲା। କାରଣ ପୁରୁଷ ଜଣଙ୍କ ତାଙ୍କ ଘରଠାରୁ ବିପରୀତ ଦିଗରେ ଦୂରକୁ କାର୍ ନେଇ ଯାଉଥିଲା। ସେ ପାଟିକରି ଚିଲ୍ଲାଇଲେ ଏବଂ ପ୍ରତିବାଦ କଲେ କିନ୍ତୁ କାର୍ ଶେଷରେ ଏକ ଘଣ୍ଟା ପରେ ଗୋଟିଏ ଜାଗାରେ ରହିଲା। ସେମାନେ ଭୋପାଳରେ ପହଞ୍ଚି ସାରିଥିଲେ। ନେହାଙ୍କୁ ଅପହରଣ କରି ନିଆଯାଇଥିଲା।
ମଧ୍ୟପ୍ରଦେଶରେ ଲଗାତାର ଭାବେ ସବୁଠୁ ଅଧିକ ଶିଶୁ ନିଖୋଜ ଘଟଣା ଘଟିଥାଏ। ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୬୦,୦୩୧ଟି ଘଟଣା ଘଟିଛି (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ)। ଚାଇଲ୍ଡ ରାଇଟ୍ସ ଏଣ୍ଡ ୟୁ (ସିଆରୱାଇ) ପକ୍ଷରୁ ଆବେଦନ କରାଯାଇଥିବା ଏକ ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ୨୦୨୨ରେ ୧୧,୭୧୭ ଶିଶୁ ନିଖୋଜ ହୋଇଯାଇଥିଲେ। ମଧ୍ୟପ୍ରଦେଶରେ ବାର୍ଷିକ ହାରାହାରୀ ୧୦,୨୫୦ ଏବଂ ଦୈନିକ ହାରାହାରୀ ୨୮ ଜଣ ଶିଶୁ ନିଖୋଜ ହୋଇଯାଆନ୍ତି - ଯାହା ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ।




