ଝାଡ଼ଖଣ୍ଡର ଚେଚରିୟା ଗାଁରେ ସବିତା ଦେବୀଙ୍କ ମାଟି ଘର କାନ୍ଥରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଫଟୋ ତଳକୁ ଚାହିଁ ରହିଛି। ସବିତା କୁହନ୍ତି, ‘‘ବାବାସାହେବ ଆମକୁ (ମତଦାନ ଅଧିକାର) ଦେଇଛନ୍ତି, ସେଥିପାଇଁ ଆମେ ମତଦାନ କରୁଛୁ।’’
ସବିତାଙ୍କର ଗୋଟିଏ ବିଘା (୦.୭୫ ଏକର) ଜମି ରହିଛି ଯେଉଁଥିରେ ସେ ଖରିଫ୍ ଋତୁରେ ଧାନ ଓ ମକା ଚାଷ କରନ୍ତି ଏବଂ ରବି ଋତୁରେ ଗହମ, ଚଣା ଓ ତୈଳବୀଜ ଚାଷ କରନ୍ତି। ସେ ଭାବିଥିଲେ ତାଙ୍କର ବାଡ଼ି ପଟେ ପନିପରିବା ଚାଷ କରିବେ। ‘‘କିନ୍ତୁ ଦୁଇ ବର୍ଷ ହେବ ପାଣି ଆସିନାହିଁ।’’ ଲଗାତାର ଅନେକ ବର୍ଷ ଧରି ମରୁଡ଼ି କାରଣରୁ ତାଙ୍କ ପରିବାର କରଜରେ ବୁଡ଼ିଯାଇଛି।
୩୨ ବର୍ଷୀୟା ସବିତା ପଲାମୁ ଜିଲ୍ଲାର ଏହି ଗାଁରେ ନିଜର ଚାରି ପିଲାଙ୍କ ସହିତ ରୁହନ୍ତି; ତାଙ୍କ ସ୍ୱାମୀ ପ୍ରମୋଦ ରାମ (୩୭) ୨,୦୦୦ କିଲୋମିଟର ଦୂର ବେ ଙ୍ଗାଲୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ କାମ କରନ୍ତି। ଏହି ଦଳିତ ଦିନ ମଜୁରିଆ କୁହନ୍ତି, ‘‘ସରକାର ଆମକୁ ଚାକିରି ଦେଉନାହିଁ । ପିଲାଙ୍କୁ ଖୁଆଇବା ପାଇଁ ଅତି କଷ୍ଟରେ ଯଥେଷ୍ଟ ଟଙ୍କା ଯୋଗାଡ଼ ହୋଇଥାଏ।’’
ନିର୍ମାଣ ସ୍ଥଳୀରେ କାମ କରି, ପ୍ରମୋଦ ମାସିକ ପାଖାପାଖି ୧୦,୦୦୦-୧୨,୦୦୦ ଟଙ୍କା ରୋଜଗାର କରିଥାନ୍ତି। ବେଳେବେଳେ ସେ ଜଣେ ଟ୍ରକ୍ ଡ୍ରାଇଭର୍ ଭାବେ କାମ କରନ୍ତି, କିନ୍ତୁ ଏହି ବିକଳ୍ପ ବର୍ଷ ସାରା ମିଳିନଥାଏ। ‘‘ଯଦି ପୁରୁଷ ଚାରି ମାସ ପାଇଁ ଘରେ ବସନ୍ତି, ତା’ହେଲେ ଆମକୁ ଭିକ ମାଗିବାକୁ ଆରମ୍ଭ କରିବାକୁ ହେବ। ଆମେ କ’ଣ କରିପାରିବୁ (ଯେମିତି ହେଉ ପ୍ରବାସ କରିବୁ)?’’ ସବିତା ପଚାରନ୍ତି।
୯୬୦ ଜଣ ନିବାସୀ (ଜନଗଣନା ୨୦୧୧) ଥିବା ଚେଚରିୟା ଗାଁର ଅଧିକାଂଶ ପୁରୁଷ କାମ ସନ୍ଧାନରେ ବାହାରକୁ ଚାଲିଯାଆନ୍ତି କାରଣ ‘‘ଏଠାରେ ଚାକିରି ସୁଯୋଗ ନାହିଁ । ଯଦି ଚାକିରି ଥାଆନ୍ତା, ଲୋକମାନେ ବାହାରକୁ କାହିଁକି ଯାଆନ୍ତେ?’’ ସବିତାଙ୍କ ଶାଶୂ ସୁର୍ପତୀ ଦେବୀ (୬୦) କହିଥାନ୍ତି।












