ମୁଁ ଯେବେ ଗାନ୍ଧୀନଗର ଏବଂ ଅଲଗପୁରୀରେ ପହଞ୍ଚିଲି, ଉଭୟ ଗାଁ ବିବ୍ରତ ଲୋକଙ୍କ ଭିଡ଼ରେ ଭରି ଯାଇଥିଲା। କେବଳ ଗୋଟିଏ ସଡ଼କ ଦୁଇ ଦଳିତ (ଅନୁସୂଚିତ ଜାତି) ଗାଁକୁ ପରସ୍ପର ଠାରୁ ଅଲଗା କରିଛି । ସେଠାରେ ବହୁସଂଖ୍ୟାରେ ପୁଲିସ କର୍ମୀ ଓ ଗାଡ଼ିର ଉପସ୍ଥିତି ରହିଥିଲା। ଶିବକାଶୀ ସହରରେ କନିଷ୍କ ଫାୟାର୍ୱାର୍କସ୍ କମ୍ପାନୀରେ ନିଆଁ ଲାଗିବା ଯୋଗୁ ଘଟିଥିବା ଦୁର୍ଘଟଣାରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବାର ବିନାଶକାରୀ ଖବର ସ୍ଥାନୀୟ ଲୋକମାନଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଥିଲା। କେବଳ ଗାନ୍ଧୀନଗର ଗାଁରେ ଛଅ ଜଣ ପ୍ରାଣ ହରାଇଥିଲେ ଏବଂ ସମସ୍ତେ ଦଳିତ ଥିଲେ।
ଲୋକମାନେ ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇ ରାସ୍ତା ଉପରେ କାନ୍ଦି କାନ୍ଦି ଗଡ଼ିଯାଉଥିଲେ। କିଛି ଲୋକ ଫୋନରେ କଥା ହେଉଥିଲେ, ବିରୁଦ୍ଧନଗର ଜିଲ୍ଲାର ଅନ୍ୟ ସହର ଓ ଗାଁରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଖବର ଦେଉଥିଲେ।
କିଛି ସମୟ ପରେ, ଲୋକମାନଙ୍କ ଭିଡ଼ ଶ୍ମଶାନ ଆଡ଼କୁ ଅଗ୍ରସର ହେଲା ଏବଂ ମୁଁ ସେମାନଙ୍କ ସହିତ ଯୋଗ ଦେଲି। ଗାଁ ସାରା ସମସ୍ତେ ଆମ ସହ ଯୋଗ ଦେଲେ ଏବଂ ୧୭ ଅକ୍ଟୋବର, ୨୦୨୩ରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗାଁର ଛଅ ଜଣ ମୃତ ଶ୍ରମିକଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ଶ୍ମଶାନକୁ ଗଲେ। ପୋଡ଼ି ଯାଇଥିବା ଶବଗୁଡ଼ିକୁ ବାହାର କରିବା ଦାୟିତ୍ୱରେ ଥିବା ଜଣେ ଅଗ୍ନିଶମ କର୍ମଚାରୀ ସେଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ନେବାରେ ଦେଖା ଦେଇଥିବା ସମସ୍ୟା ବିଷୟରେ କହୁଥିଲେ।
ରାତି ପ୍ରାୟ ୮:୩୦ ବେଳକୁ ଶେଷରେ ଛଅଟି ଆମ୍ବୁଲାନ୍ସ ଶ୍ମଶାନ ଘାଟରେ ପହଞ୍ଚିଲା ଏବଂ ଭିଡ଼ କାନ୍ଦବୋବାଳି ଛାଡ଼ି ସେହି ଆଡ଼କୁ ଦୌଡ଼ିଗଲା। କିଛି ମୁହୂର୍ତ୍ତ ପାଇଁ ମୁଁ ମୋ କାମ କଥା ଭୁଲିଗଲି; ମୁଁ ନିଜ କ୍ୟାମେରା ବାହାର କରିବା ଲାଗି ସକ୍ଷମ ହୋଇପାରୁନଥିଲି। ରାତିର ଅନ୍ଧକାର ଶ୍ମଶାନ ଉପରେ ପରଦା ଢାଙ୍କି ଦେଇଥିଲା ଏବଂ ଉଡ଼ୁଥିବା ଜୁଳୁଜୁଳିଆ ପୋକଙ୍କ ଯୋଗୁ ଚାରି ପାଖରେ ସୃଷ୍ଟି ହେଉଥିବା ଆଲୋକ ସେଠାରେ ଗାଁ ଲୋକ ଏକାଠି ହେବା ଭଳି ସଂକେତ ଦେଉଥିଲା।
ଶବ ବାହାର କରିବା ପରେ ଭିଡ଼ ଦୂରେଇ ଯାଇଥିଲା - ପୋଡ଼ି ଯାଇଥିବା ମାଂସର ଗନ୍ଧ ଅସହନୀୟ ଥିଲା। କିଛି ଲୋକଙ୍କର ବାନ୍ତି ମଧ୍ୟ ହେଲା। ନାଁର ଲେବୁଲ୍ ଲାଗିଥିବା ଯୋଗୁ ଶବଗୁଡ଼ିକୁ ଚିହ୍ନଟ କରି ହେଲା। ଭିଡ଼ ଦୂରେଇ ଯିବା ସହିତ ଶ୍ମଶାନ ଘାଟ ନିସଂଗ ହୋଇଯାଉଥିଲା।
୧୪ ବର୍ଷର ଛାତ୍ରୀ ଏମ. ସନ୍ଧ୍ୟା ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିଥିଲେ। ଦୁର୍ଘଟଣାରେ ନିଜ ମା’ ମୁନୀଶ୍ୱରୀଙ୍କୁ ହରାଇବା ପରେ ସେ ନିଜ ସ୍ୱପ୍ନ ଉପରେ ପୁନର୍ବିଚାର କରୁଛନ୍ତି। ସନ୍ଧ୍ୟାଙ୍କ ମା’ ଗତ ଆଠ ବର୍ଷ ଧରି କାରଖାନାରେ କାମ କରୁଥିଲେ; ସେ ନିଜ ଝିଅର ଆବଶ୍ୟକତାକୁ ପୂରଣ କରିବା ଲାଗି ଓଭର୍ଟାଇମ୍ କାମ କରୁଥିଲେ। ସନ୍ଧ୍ୟାଙ୍କ ଯତ୍ନ ନେଉଥିବା ତାଙ୍କ ପାତି (ଜେଜେ ମା’) କୁହନ୍ତି ଯେ ଏକାକିନୀ ଅଭିଭାବକ ରୂପେ ସେ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେଇଥିଲେ। ସନ୍ଧ୍ୟା କହିଥିଲେ, ‘‘ମୋ ପାତି କେତେ ଦିନ ପର୍ଯ୍ୟନ୍ତ ମୋର ଦେଖାଶୁଣା କରିପାରିବେ ମୁଁ ଜାଣେ ନାହିଁ। ସେ ଗମ୍ଭୀର ମଧୁମେହରେ ପୀଡ଼ିତ।’’
ପଞ୍ଚବର୍ଣ୍ଣମ୍ ଏହି ଦୁଃଖଦ ଘଟଣାରେ ସ୍ୱାମୀଙ୍କୁ ହରାଇଛନ୍ତି। ‘‘ବାହାରେ ରଖାଯାଇଥିବା ବାଣ ନମୁନାରେ ନିଆଁ ଲାଗିଯାଇଥିଲା,’’ ସେ କୁହନ୍ତି। ‘‘ପ୍ରସ୍ଥାନ ଦ୍ୱାର ପାଖରେ ବସିଥିବାରୁ ମୁଁ ବର୍ତ୍ତିଗଲି। କିନ୍ତୁ ଧୂଆଁ ଯୋଗୁ ସେ ବାହାରକୁ ଆସିପାରିନଥିଲେ।’’
ବାହାରକୁ ବାହାରି ଆସିବା ସମୟରେ ତାଙ୍କ ଶରୀରରେ ଲାଗିଥିବା ଫୋଟକା ଓ ଆଘାତ ସେ ମୋତେ ଦେଖାଇ ଦିଅନ୍ତି। ‘‘ସାଧାରଣତଃ ଅଧିକ ପରିମାଣରେ ବାଣ କିଣୁଥିବା ଗ୍ରାହକମାନେ ନମୁନା ଦେଖିବାକୁ ପସନ୍ଦ କରିଥା’ନ୍ତି। ଯଦି ସେମାନେ ନମୁନାର ପରୀକ୍ଷଣ କରିବା ଲାଗି ଯୋଜନା କରନ୍ତି ତା’ହେଲେ ସେମାନଙ୍କୁ କାରଖାନା ଠାରୁ ଅତିକମରେ ଗୋଟିଏ କିଲୋମିଟର ଦୂର ଯିବାକୁ ପଡ଼ିଥାଏ। କିନ୍ତୁ ଘଟଣା ଘଟିବା ଦିନ, ସେମାନେ କାରଖାନା ପାଖରେ ନମୁନା ପରୀକ୍ଷଣ କରିଥିଲେ। ପରୀକ୍ଷଣରୁ ବାହାରିଥିବା ନିଆଁ ହୁଳା ଚାରି ଆଡ଼କୁ ଉଡ଼ିଲା, ସେଗୁଡ଼ିକ କାରଖାନା ଛାତ ଉପରେ ପଡ଼ିଲା ଏବଂ ସେଠାରୁ ସେହିସବୁ ବାଣ ଉପରେ ପଡ଼ିଲା ଯାହାକୁ ସେମାନେ ତିଆରି କରୁଥିଲେ। କିଛି ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ କୋଠରୀରେ ନିଆଁ ଲାଗିଗଲା ଏବଂ ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧୩ ଜଣ ନିଆଁ କବଳରେ ପଡ଼ିଗଲେ। ଅନ୍ୟ ତିନି ଜଣ ଶ୍ରମିକ ଶୌଚାଳୟରେ ଥିବାରୁ ସାମାନ୍ୟ ଆଘାତ ପାଇ ବର୍ତ୍ତି ଯାଇଥିଲେ। ଏପରି ହୋଇନଥିଲେ, ସେମାନେ ଜୀବିତ ରହିପାରିନଥାନ୍ତେ। ବାହାରକୁ ଦୌଡ଼ି ପଳାଇ ଆସିବା ସମୟରେ ସେମାନଙ୍କ ଶାଢ଼ିରେ ନିଆଁ ଲାଗିଥିଲା,’’ ସେ କହିଥିଲେ।
ପଞ୍ଚବର୍ଣ୍ଣମ ଏବଂ ତାଙ୍କ ସ୍ୱାମୀ ବାଲାମୁରୁଗନଙ୍କ ରୋଜଗାର ସେମାନଙ୍କ ଶାରୀରିକ ଶ୍ରମ ଘଣ୍ଟା ଉପରେ ନିର୍ଭର କରୁଥିଲା। ନିଜ ପରିଶ୍ରମର ରୋଜଗାରରୁ ସେମାନେ ଗୋଟିଏ ଝିଅକୁ ପାଳିଛନ୍ତି ଯିଏକି ଏବେ ବିଏସସି ନର୍ସିଂର ପ୍ରଥମ ବର୍ଷରେ ପଢ଼ୁଛି ଏବଂ ଗୋଟିଏ ପୁଅ ଆଇଟିଆଇରେ ଡିପ୍ଲୋମା ପଢ଼ିଛି। ସ୍ୱାମୀ ବାଲମୁରୁଗନଙ୍କ କଥା ମନେ ପକାଇ ପଞ୍ଚବର୍ଣ୍ଣମ କହିଥିଲେ, ‘‘ସେ ଆମ ପିଲାଙ୍କୁ ଶିକ୍ଷିତ କରିବା ଲାଗି ଯଥାସମ୍ଭବ ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିଲେ।’ ତାଙ୍କ ଝିଅ ଭବାନୀ କହିଥିଲେ, ‘‘ସେ ସବୁବେଳେ ଗୋଟିଏ କଥା ଉପରେ ଜୋର ଦେଇଥିଲେ : ଶିକ୍ଷା। ଆମେ ତାଙ୍କ ଭଳି କଷ୍ଟ ସହୁ ବୋଲି ସେ ଚାହୁଁନଥିଲେ।’’
ଏବେ ଅଗ୍ନିକାଣ୍ଡ ଏବଂ ଏହାର ପରବର୍ତ୍ତୀ ଡାକ୍ତରଖାନା ଖର୍ଚ୍ଚ ପରେ ପଞ୍ଚବର୍ଣ୍ଣମ ଏବଂ ତାଙ୍କ ପରିବାର ଋଣ ଭାରରେ ବୁଡ଼ି ଯାଇଛି। କିଡନୀ ରୋଗ କାରଣରୁ ଏବେ ସୁଦ୍ଧା ତାଙ୍କର ପାଞ୍ଚଟି ଅସ୍ତ୍ରୋପଚାର ହୋଇସାରିଛି। ତାଙ୍କୁ ଏପରି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି ଯାହାର ଦାମ୍ ମାସିକ ୫,୦୦୦ ଟଙ୍କା। ‘‘ବର୍ତ୍ତମାନ ସୁଦ୍ଧା ଆମେ ଝିଅର କଲେଜ୍ ଫି’ (୨୦,୦୦୦ ଟଙ୍କା) ଦେଇନାହୁଁ। ଦୀପାବଳି ବୋନସରୁ ଆମେ ଏହି ଟଙ୍କା ପୈଠ କରିବୁ ବୋଲି ଭାବିଥିଲୁ,’’ ସେ କହିଥିଲେ। ପଞ୍ଚବର୍ଣ୍ଣମଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ବହନଯୋଗ୍ୟ ହୋଇନାହିଁ; ସେ କୁହନ୍ତି ଯେ ଲବଣ ସ୍ତରକୁ ନିୟନ୍ତ୍ରଣ ରଖିବା ଲାଗି ସେ ବଟିକା ଖାଇ ନିଜର ଦିନ ବିତାଉଛନ୍ତି।
ବାଲାମୁରୁଗନ ଏବଂ ପଞ୍ଚବର୍ଣ୍ଣମଙ୍କ ସାନ ଝିଅ ଭବାନୀକୁ ଏବେ ୧୮ ବର୍ଷ । ସେ ଏବେ ବି ନିଜ ପିତାଙ୍କ ମୃତ୍ୟୁର ଦୁଃଖରୁ ବାହାରି ପାରୁନାହାନ୍ତି । ‘‘ସେ ଏତେ ଭଲ ଭାବେ ଆମ ସମସ୍ତଙ୍କର ଯତ୍ନ ନେଉଥିଲେ ଏବଂ ଘରେ ଆମକୁ କିଛି କାମ କରିବାକୁ ଦେଉନଥିଲେ।। ଆମ ଘରେ ସେ ସବୁକିଛି ଦାୟିତ୍ୱ ନିର୍ବାହ କରୁଥିଲେ। ଆମ ମା’ ଅସୁସ୍ଥ ଥିବାରୁ ସଫାସଫି ଓ ରୋଷେଇ କାମ କରିପାରୁନଥିଲେ। ଏସବୁ କାମ ବାପା ହିଁ କରୁଥିଲେ ଏବଂ ମୋତେ କରିବାକୁ ଦେଉନଥିଲେ।’’ ବାପାଙ୍କ ଉପରେ ବହୁତ ଭରସା କରୁଥିବା ଭାଇଭଉଣୀ ଏବେ ତାଙ୍କ ବିୟୋଗର ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।
ସରକାର ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛନ୍ତି; ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚେକ୍ ପାଇଥିଲେ। ଆହୁରି କାରଖାନା ସେମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଏବଂ ଅକ୍ଟୋବରରେ ସେମାନଙ୍କୁ ୬ ଲକ୍ଷ ଟଙ୍କା ମିଳିଥିଲା। ସେମାନେ ସହାୟତା କରିବେ ବୋଲି ପଞ୍ଚବର୍ଣ୍ଣମଙ୍କର ବିଶ୍ୱାସ ଥିଲା କାରଣ ସେ ଓ ବାଲାମୁରୁଗନ ଉଭୟ ବିଶ୍ୱସ୍ତ କର୍ମଚାରୀ ଥିଲେ ଯେଉଁମାନେ ବିଗତ ୧୨ ବର୍ଷ ଧରି ବାଣ କାରଖାନାରେ କାମ କରିଆସୁଥିଲେ।
ଗାନ୍ଧୀନଗର ଗାଁରେ ମହିଳା ଓ ପୁରୁଷମାନେ ବହୁସଂଖ୍ୟାରେ କୃଷି କ୍ଷେତ୍ରରେ କିମ୍ବା ବାଣ କାରଖାନାରେ ଦିନ ମଜୁରିଆ ରୂପେ କାମ କରିଥାନ୍ତି। ପଞ୍ଚବର୍ଣ୍ଣମଙ୍କ ପରିବାର ଦ୍ୱିତୀୟ ବିକଳ୍ପ ବାଛିଥିଲା କାରଣ ଚାଷ ଜମି ଥିବା ଜମିଦାରଙ୍କ ତୁଳନାରେ କାରଖାନା ସାମାନ୍ୟ ଅଧିକ ଟଙ୍କା ଦେଇଥାଏ।
ସେମାନଙ୍କର ୧୯ ବର୍ଷୀୟ ପୁଅ ପାଣ୍ଡିୟାରାଜନ ଦୁର୍ଘଟଣାସ୍ଥଳକୁ ଯିବା ପରଠାରୁ ଭୟ ଓ ଦୁଃଖରେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଘଟଣା ତାଙ୍କୁ ଶକ୍ତ ଆଘାତ ପହଞ୍ଚାଇଥିବା ତାଙ୍କ ଭଉଣୀ କୁହନ୍ତି। ‘‘ସେଦିନ ସେ (ତାଙ୍କ ବାପା) ମୋତେ ଶେଷ ଥର ପାଇଁ ଫୋନ୍ କରିଥିଲେ। ମୁଁ ମଧ୍ୟାହ୍ନ ଭୋଜନ କରିଛି ବୋଲି ପଚାରିବାକୁ ସେ ଫୋନ୍ କରିଥିଲେ। ଅଧ ଘଣ୍ଟା ପରେ, ତାଙ୍କର ସହ-କର୍ମଚାରୀ ମୋତେ ଘଟଣା ବିଷୟରେ ସୂଚିତ କରିବା ଲାଗି ଫୋନ୍ କରିଥିଲେ। ମୁଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲି, କିନ୍ତୁ ସେମାନେ ମୋତେ ଭିତରକୁ ଯିବା ପାଇଁ ଦେଲେ ନାହିଁ। ଡାକ୍ତରଖାନା ପହଞ୍ଚିବା ପରେ ସେ ଜୀବିତ ନଥିବା ମୁଁ ଜାଣିବାକୁ ପାଇଲି,’’ ପାଣ୍ଡିୟାରାଜନ୍ କହିଥା’ନ୍ତି ।
‘‘ଏବେ କେମିତି ବଞ୍ଚିବୁ ଆମେ ଜାଣିନାହୁଁ । ଆମ ମା’ ଆମକୁ ଯେମିତି କହିବେ ଆମେ କରିବାକୁ ପ୍ରସ୍ତୁତ ଅଛୁ। ଯଦି ସେ ଆମକୁ ଆତ୍ମହତ୍ୟା କରିବା ଲାଗି କହିବେ, ତା’ହେଲେ ଆମେ କରିବୁ। ଆମ ସମ୍ପର୍କୀୟମାନେ ଆମକୁ କେତେଦିନ ପର୍ଯ୍ୟନ୍ତ ଆଶ୍ରୟ ଓ ଯତ୍ନ ପ୍ରଦାନ କରିବେ?’’ ଭବାନୀ ପଚାରନ୍ତି।
ପୋଡ଼ି ହୋଇ ପ୍ରାଣ ହରାଇବା ବେଳକୁ ତାମିଲସେଲଭୀଙ୍କୁ ୫୭ ବର୍ଷ ହୋଇଥିଲା। ସେ ୨୩ ବର୍ଷ ପୂର୍ବରୁ ବାଣ କାରଖାନାରେ ଯୋଗ ଦେଇଥିଲେ ଏବଂ ଦୈନିକ ୨୦୦ ଟଙ୍କା ପାଉଥିଲେ ଯାହା ଧୀରେ ଧୀରେ ଦୈନିକ ୪୦୦ ଟଙ୍କାକୁ ବୃଦ୍ଧି ପାଇଥିଲା।
ଟି. ଈଶ୍ୱରନ ତାଙ୍କର ସବୁଠୁ ସାନ ପୁଅ କହିଥିଲେ, ‘‘ମୋତେ ମାତ୍ର ଦୁଇ ବର୍ଷ ବୟସ ହୋଇଥିବା ବେଳେ ମୋ ବାପା ଆରପାରିକୁ ଚାଲି ଯାଇଥିଲେ। ସେବେଠାରୁ, ମୋ ମା’ ମୋର ବଡ଼ ଭାଇ ଓ ମୋର ଭରଣପୋଷଣ କରି ଆସୁଛନ୍ତି।’’ ସେ ଓ ତାଙ୍କ ଭାଇ ଉଭୟ ସ୍ନାତକ। ସେ କୁହନ୍ତି, ‘‘ମୁଁ କମ୍ପ୍ୟୁଟର୍ ସାଇନ୍ସ ପଢ଼ିଲି, ମୋ ଭାଇ ବିଏସସି ଡିଗ୍ରୀ ହାସଲ କଲେ,’’ ସେ କୁହନ୍ତି।
ତାମିଲସେଲଭୀଙ୍କ ବଡ଼ ପୁଅ ଏବେ ଜଣେ ପୁଲିସ ଅଧିକାରୀ ଏବଂ ସେ ତିରୁପୁରରେ କାମ କରୁଛନ୍ତି। ତାଙ୍କ ସମ୍ପର୍କୀୟମାନେ କହିଥିଲେ, ‘‘ସେ ତାଙ୍କର ସାରା ଜୀବନ ନିଜ ପୁଅଙ୍କ ଜୀବନରେ ସୁଧାର ଆଣିବାକୁ କାମ କରିଥିଲେ, କିନ୍ତୁ ଏବେ ସେ ସେହି ଉଚ୍ଚତାକୁ ଦେଖିପାରିବେ ନାହିଁ, ଯେଉଁଠି ସେମାନେ ପହଞ୍ଚିବାକୁ ଯାଉଛନ୍ତି।’’
ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା କୁରୁୱମ୍ମା କୁହନ୍ତି, ରାସାୟନିକ ପଦାର୍ଥ ଶୁଖାଇବା, କାଗଜରେ ଗୁଡ଼ାଇବା ଏବଂ ସେଥିରେ ବିସ୍ଫୋରକ ରାସାୟନିକ ଭରିବା ଏବଂ ଶେଷରେ ସେଗୁଡ଼ିକୁ ଏକାଠି ବାନ୍ଧିବା କାମ ପାଇଁ ତାଙ୍କୁ ଦୈନିକ ପ୍ରାୟ ୨୫୦ ଟଙ୍କା ମଜୁରି ମିଳିଥାଏ। ସପ୍ତାହ ଶେଷରେ ସେମାନଙ୍କୁ ଟଙ୍କା ଦିଆଯାଏ। ନିୟମିତ ସେମାନଙ୍କର ପାରିଶ୍ରମିକ ବଢ଼େ ନାହିଁ, ବରଂ ସେମାନଙ୍କୁ ଏକ ବୋନସ୍ ମିଳିଥାଏ। ବିନା ଛୁଟିରେ କାରଖାନାରେ କାମ କଲେ ସେମାନଙ୍କୁ ଛଅ ମାସରେ ଥରେ ୫,୦୦୦ ଟଙ୍କା ବୋନସ ପାଇବାକୁ ସେମାନେ ଯୋଗ୍ୟ ହୋଇଥାନ୍ତି।
କଠିନ ପରିସ୍ଥିତି ସତ୍ତ୍ୱେ ଏହିସବୁ କାରଖାନାରେ ବହୁସଂଖ୍ୟାରେ ମହିଳା କାମ କରନ୍ତି କାରଣ ଅଧିକାଂଶ ପରିବାର ସେମାନଙ୍କ ଆୟ ଉପରେ ନିର୍ଭର କରିଥା’ନ୍ତି। ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ସ୍ୱର୍ଗୀୟା କୁରୁୱମ୍ମଲ ଏମିତି ଜଣେ ମହିଳା ଥିଲେ ଯିଏକି ନିଜ କାନ୍ଧରେ ପରିବାରର ବୋଝ ଉଠାଇଥିଲେ। ତାଙ୍କ ସ୍ୱାମୀ ସୁବ୍ବୁ କାନି ବୋର୍ ୱେଲ୍ରେ କାମ କରିବା ସମୟରେ ଏପରି ଏକ ଅଗ୍ନିକାଣ୍ଡରେ ଆଂଶିକ ଦୃଷ୍ଟିଶକ୍ତି ହରାଇଥିଲେ। ସେ ଏବେ ଦିନ ମଜୁରି ଖଟି ପାରିବେ ନାହିଁ, ଆଉ ଏବେ କୁରୁୱମଲ ଆରପାରିକୁ ଚାଲିଯିବା ପରେ, ତିନି ସଦସ୍ୟ ବିଶିଷ୍ଟ ପରିବାର ଏବେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରହିଛି। ଲୁହ ଭିଜା ଆଖିରେ ସୁବ୍ବୁ କାନି କୁହନ୍ତି, ‘‘ସେ ମୋ ଆଖିର ଆଲୋକ ଥିଲା, ଦୃଷ୍ଟିଶକ୍ତି ଚାଲି ଯିବା ପରେ ସେ ମୋତେ ରାସ୍ତା ଦେଖାଇଥିଲା।’’
ଏହି ଭୟାନକ ଅଗ୍ନିକାଣ୍ଡର ଶିକାର ହୋଇଥିବା ଆଉ ଜଣେ ମହିଳା ହେଉଛନ୍ତି ଇନ୍ଦ୍ରାଣୀ, ସେ ଗମ୍ଭୀର ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିଲେ ଏବଂ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବା ତାଙ୍କ ପାଇଁ ପ୍ରାୟତଃ ଅସମ୍ଭବ ଥିଲା। କିନ୍ତୁ ଅପସ୍ମାରରେ ପୀଡ଼ିତ ସ୍ୱାମୀ ଓ ପିଲାମାନଙ୍କ ଯତ୍ନ ନେବା ପାଇଁ ସେ ଏହି କାମ କରିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କର ଚାରି ସଦସ୍ୟ ବିଶିଷ୍ଟ ପରିବାର ବଖୁରିକିଆ ଘରେ ରହୁଥିଲା ଏବଂ ସେମାନେ ଟଙ୍କା ଉଧାର ନେବା ପରେ ଏହି କୋଠରୀ ନିର୍ମାଣ କରିଥିଲେ।
‘‘ଆସନ୍ତା ଛଅ ମାସ ମଧ୍ୟରେ ଆମର ସବୁ ଋଣ ସୁଝି ଦେବା ପାଇଁ ମୋ ମା’ ଓ ମୁଁ ଯୋଜନା କରିଥିଲୁ। ମେ ମୋ ବିବାହକୁ ନେଇ ମଧ୍ୟ ଚିନ୍ତିତ ଥିଲେ। ଅପସ୍ମାର ପୀଡ଼ିତ ପିତା ଓ ଜଣେ ଅସୁସ୍ଥ ମା’ ଥିବା ଗୋଟିଏ ଗରିବ ଝିଅକୁ କିଏ ବାହା ହେବାକୁ ଚାହିଁବ?’’ ଇନ୍ଦ୍ରାଣୀଙ୍କ ଝିଅ କାର୍ତ୍ତିଶ୍ୱରୀ କୁହନ୍ତି। ଚଳିତ ବର୍ଷ ଏକ ସରକାରୀ ଚାକିରି ପାଇଁ ସେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେବାକୁ ଯୋଜନା କରୁଛନ୍ତି। ‘‘କୋଚିଂ ସେଣ୍ଟର୍ ଦାବି କରୁଥିବା ଫି’ ଦେବାକୁ ମୁଁ ସକ୍ଷମ ନୁହେଁ,’’ ସେ କହିଥିଲେ।
ଡିସେମ୍ବର ୨୦୨୩ରେ ବାପାଙ୍କ ମୃତ୍ୟୁ ପରେ ପରିବାର ଉପରେ ଆଉ ଗୋଟିଏ ଦୁଃଖର ବୋଝ ମାଡ଼ି ବସିଥିଲା। ଗୋଟିଏ ବଡ଼ଦିନ ତାରା ବାନ୍ଧିବା ସମୟରେ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ଏହା ଏକ ପ୍ରାଣଘାତୀ ପତନ ଥିଲା ଏବଂ ଯୁବତୀ କାର୍ତ୍ତିଶ୍ୱରୀ ଏବେ ପାରିବାରିକ ଋଣ ବୋଝ ଏବଂ ଚତୁର୍ଥ ଶ୍ରେଣୀ ଚାକିରିର ଆଶା ନେଇ ନିଜ ପରିବାରରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି।
ଗୁରୁୱମ୍ମାଙ୍କ ଭଳି ଗାଁର କିଛି ମହିଳା ଦିଆସିଲି କାରଖାନାରେ କାମ କରୁଥିଲେ, ସେମାନଙ୍କୁ ୧୧୦ଟି ଦିଆସିଲି ବାକ୍ସ କାଟିବା ଓ ପ୍ୟାକିଂ କରିବା ଲାଗି ମାତ୍ର ତିନି ଟଙ୍କା ମିଳୁଥିଲା। ଅତି କମ୍ ମଜୁରି ଦେଇ ସେମାନଙ୍କର ଶୋଷଣ କରାଯାଉଥିବା ମହିଳାମାନେ ହୃଦୟଙ୍ଗମ କରିଥିଲେ। ସେମାନେ ବାଣ କାରଖାନାକୁ ଯିବା ପାଇଁ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ।
ଏହି ଗାଁରେ କୃଷି ହିଁ ଏକମାତ୍ର ଅନ୍ୟ ବିକଳ୍ପ, କିନ୍ତୁ ତାହା ଏବେ ଉପଲବ୍ଧ ନାହିଁ କାହିଁକି ନା ମରୁଡ଼ି ଓ ଦୁର୍ଭିକ୍ଷ କାରଣରୁ କୃଷି ଉପଯୋଗୀ ଭୂମି ଏବେ ଅନୁର୍ବର ହୋଇପଡ଼ିଛି । କିଛି କ୍ଷେତ୍ରରେ, ଯଥେଷ୍ଟ ଭୂତଳ ଜଳ ଥିଲେ ସୁଦ୍ଧା ଜମିଦାର ଉଚିତ୍ ବେତନ ଦେଉନାହାନ୍ତି। ତେଣୁ, କୁରୁୱମ୍ମାଙ୍କ ଭଳି ମହିଳାମାନେ କାରଖାନାରେ କାମ କରିବା ସହିତ ମେଣ୍ଢା ଓ ଗୋପାଳନ ମଧ୍ୟ କରୁଛନ୍ତି। ତେବେ, ସେଥିରେ ମଧ୍ୟରେ ସେମାନଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି କାରଣ ମରୁଡ଼ି ଯୋଗୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ଯଥେଷ୍ଟ ଘାସ ପଡ଼ିଆ ମିଳୁନାହିଁ ।
ଗାଁ ଲୋକଙ୍କ ପାଇଁ ଅନ୍ୟତମ ଏକମାତ୍ର ରୋଜଗାର ପନ୍ଥା ହେଉଛି ମନରେଗା, ଯାହାକୁ ନୁର୍ ନାଲ୍ ଭେଲ୍ଲଇ (୧୦୦ ଦିନର କାମ) ବୋଲି ରାଜ୍ୟରେ କୁହାଯାଏ। ପତ୍ନୀ ତଙ୍ଗମାଲଇଙ୍କୁ ହରାଇ ଥିବା ଟି. ମହେନ୍ଦ୍ରନ କହିଥିଲେ, ଯଦି ସରକାର ୧୦୦ ଦିନ କାମ ଯୋଜନାକୁ ୩୬୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଅନ୍ତି ତା’ହେଲେ ଗାଁର ମହିଳାମାନେ ଲାଭ ପାଆନ୍ତେ।
ମହେନ୍ଦ୍ରନ୍ କୁହନ୍ତି ଯେ ଏହି ଅଞ୍ଚଳରେ ଥିବା ବାଣ କମ୍ପାନୀଗୁଡ଼ିକ ପାଖରେ ଉଚିତ୍ ଲାଇସେନ୍ସ ନାହିଁ ଏବଂ ସେ ଅଭିଯୋଗ କରନ୍ତି ଯେ ନିରୀକ୍ଷଣ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ଏସବୁ କାରଖାନାକୁ ଛଅ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ସାହସ କରନ୍ତି ନାହିଁ । ଯାହାଫଳରେ, କାରଖାନା ସପ୍ତମ ମାସରେ ପୁଣିଥରେ ଖୋଲିଯାଏ। ଏହା ପ୍ରଥମ ଅଗ୍ନିକାଣ୍ଡ ଦୁର୍ଘଟଣା ନୁହେଁ: ଅକ୍ଟୋବର ୨୦୨୩ରେ କ୍ରିଷ୍ଣାଗିରିରେ ଆଠ ଜଣ ଦଳିତ ପିଲା ପ୍ରାଣ ହରାଇଥିଲେ। ପଢ଼ନ୍ତୁ: ‘ସବୁ ଘର ମଶାଣି ଭଳି ଲାଗୁଥିଲା’
ଦୁଃଖ, କ୍ଷତି ଓ ଜୀବିତ ରହିଯାଇଥିବା ଲୋକମାନେ ସାମ୍ନା କରୁଥିବା କଠୋର ବାସ୍ତବତା ଉପରେ ଆଲୋକପାତ କରୁଥିବା ଏହି ହୃଦୟ ବିଦାରକ ଘଟଣା, ଉଭୟ ସାମାଜିକ ଓ ସରକାରୀ ସହାୟତାର ଜରୁରୀ ଆବଶ୍ୟକତାକୁ ଦର୍ଶାଇଥାଏ। ପ୍ରଭାବିତ ଲୋକଙ୍କ କାହାଣୀ ଉନ୍ନତ କାର୍ଯ୍ୟସ୍ଥଳୀ, ସୁରକ୍ଷା ଉପାୟ ଏବଂ ଏକ ବ୍ୟାପକ ସାମାଜିକ ସୁରକ୍ଷା ଜାଲ ଉପରେ ଗୁରୁତ୍ୱାରୋପ କରିଥାଏ। ପ୍ରତ୍ୟେକ ଦୁଃଖଦ ଘଟଣା ପଛରେ ମଣିଷ ଜୀବନର ସ୍ୱପ୍ନ, ସଂଘର୍ଷ ଏବଂ ମୃତକମାନେ ଛାଡ଼ି ଯାଇଥିବା ପ୍ରିୟଜନଙ୍କ ବିନାଶକାରୀ କ୍ଷତି ରହିଥାଏ, ଯାହା ଏହି ଘଟଣା ସ୍ପଷ୍ଟ ଭାବେ ସ୍ମରଣ କରାଇ ଦେଇଥାଏ।
ଅନୁବାଦ: ଓଡ଼ିଶାଲାଇଭ୍