ମୁଁ ଚତୁର୍ଥ ଦିବସରେ ପହଞ୍ଚିଲି; ମୁଁ ପହଞ୍ଚିଲା ବେଳକୁ ପ୍ରାୟ ଅପରାହ୍ଣ ହୋଇସାରିଥିଲା।
ଚେନ୍ନାଇରୁ ୱାୟନାଡ଼କୁ ଯାତ୍ରା କରିବା ସମୟରେ, ମୁଁ ସ୍ୱେଚ୍ଛାସେବୀଙ୍କ ସହିତ ଜଳମଗ୍ନ ହୋଇ ଯାଇଥିବା ଇଲାକା ଦେଇ ଗଲି। କୌଣସି ବସ୍ ନଥିଲା ଏବଂ ମୋତେ ଅଜଣା ଲୋକଙ୍କଠାରୁ ଲିଫ୍ଟ ମାଗି ଯିବାକୁ ପଡ଼ିଲା।
ଏହି ସ୍ଥାନ ଯୁଦ୍ଧକ୍ଷେତ୍ର ଭଳି ଲାଗୁଥିଲା, ଯେଉଁଠି ଆମ୍ବୁଲାନ୍ସ ଯାତାୟାତ କରୁଥିଲା। ଲୋକମାନେ ଓଜନିଆ ମେସିନ୍ ସହାୟତାରେ ଶବ ସନ୍ଧାନ କରିବାରେ ବ୍ୟସ୍ତ ଥିଲେ। ସୁ Aରଲ୍ମାଲା, ଆଟ୍ଟାମାଲା ଓ ମୁଣ୍ଡକ୍କଇ ସହର ଭଗ୍ନସ୍ତୁପରେ ବଦଳି ସାରିଥିଲା। ବାସୋପଯୋଗୀ ସ୍ଥାନ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇସାରିଥିଲା। ନିବାସୀଙ୍କ ଜୀବନ ବରବାଦ୍ ହୋଇଯାଇଥିଲା ଏବଂ ସେମାନେ ନିଜ ପ୍ରିୟଜନଙ୍କ ଶବକୁ ମଧ୍ୟ ଚିହ୍ନି ପାରୁନଥିଲେ।
ନଦୀ ତଟ ମାଟିଗଦା ଓ ଶବରେ ଭର୍ତ୍ତି ହୋଇସାରିଥିଲା, ସେଥିପାଇଁ ଉଦ୍ଧାରକାରୀ ଦଳ ଓ ଶବ ସନ୍ଧାନ କରୁଥିବା ପରିବାରର ସଦସ୍ୟଙ୍କୁ ନଦୀ କୂଳକୁ ଯିବା ଏବଂ ବାଲିରେ ପୋତି ହୋଇଯିବାରୁ ବର୍ତ୍ତିବା ପାଇଁ ଲାଠି ବ୍ୟବହାର କରିବାକୁ ପଡ଼ୁଥିଲା। ମୋ ପାଦ ବାଲିରେ ଫସିଗଲା। ଶବ ଚିହ୍ନଟ କରିବା ଅସମ୍ଭବ ଥିଲା, ସେଗୁଡ଼ିକ କେବଳ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ି ରହିଥିଲା। ପ୍ରକୃତି ସହ ମୋର ଏକ ନିବିଡ଼ ସମ୍ପର୍କ ରହିଛି, କିନ୍ତୁ ଏହି ଅନୁଭୂତି ମୋତେ ଭୟଭୀତ କରି ଦେଇଥିଲା।
ଭାଷାଗତ ବାଧକତା କାରଣରୁ, ମୁଁ କେବଳ ପ୍ରଳୟର ମୁକସାକ୍ଷୀ ସାଜି ପାରିଲି। ସେମାନଙ୍କୁ ସମସ୍ୟାରେ ପକାଇବାରୁ ମୁଁ ନିଜକୁ ରୋକିଦେଲି। ମୁଁ ଆରମ୍ଭରୁ ଏଠାକୁ ଆସିବାକୁ ଚାହୁଁଥିଲି, କିନ୍ତୁ ଖରାପ ସ୍ୱାସ୍ଥ୍ୟ କାରଣରୁ ଆସିପାରିନଥିଲି।
ପ୍ରବାହିତ ଜଳର ପଥ ଅନୁସରଣ କରି ମୁଁ ପ୍ରାୟ ତିନି କିଲୋମିଟର ଚାଲିଲି। ଘର ସବୁ ମାଟିରେ ପୋତି ହୋଇଯାଇଥିଲା ଏବଂ କେତେକ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। ସବୁଆଡ଼େ ମୁଁ ସ୍ୱେଚ୍ଛାସେବୀମାନଙ୍କୁ ଦେଖିଲି ଯେଉଁମାନେ ଶବଗୁଡ଼ିକୁ ଖୋଜୁଥିଲେ। ଏପରିକି ସେନା ଯବାନମାନେ ଶବ ଖୋଜିବାରେ ବ୍ୟସ୍ତ ଥିଲେ। ମୁଁ ଦୁଇ ଦିନ ପାଇଁ ରହିଲି ଏବଂ ସେହି ସମୟରେ ଆଦୌ ଶବ ମିଳିଲା ନାହିଁ, କିନ୍ତୁ ସନ୍ଧାନ ନିରନ୍ତର ଭାବେ ଜାରି ରହିଥିଲା। ସମସ୍ତେ ମିଳିତ ଭାବେ କାମ କରୁଥିଲେ, କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନଥିଲେ, ପରସ୍ପର ସହ ଖାଦ୍ୟ ଓ ଚା’ ବାଣ୍ଟି ଖାଉଥିଲେ। ଏହି ଏକତା ଭାବନା ମୋତେ ଚକିତ କରିଦେଲା।































