‘‘ଗୋଟିଏ ଛୋଟ ଭୁଲ ହେଲେ ଆପଣଙ୍କୁ କୋୟତା ସ୍ଥାନରେ ସତ୍ତୁର ମିଳିବ!’’ ରାଜେଶ ଚାଫେକରଙ୍କୁ କଂସେଇଙ୍କ ଛୁରୀ ଓ ଗୋଟିଏ ଦା’ ଭିତରେ ଫରକ ଜଣାଥିବ। ଜଣେ କୁଶଳୀ ଲୋହାର (କମାର) ଭାବେ ସେ ମହାରାଷ୍ଟ୍ରର ଆକଟଣ ଗାଁରେ ଥିବା ନିଜ କମାରଶାଳରେ ୧୦,୦୦୦ରୁ ଅଧିକ ଲୁହା ଯନ୍ତ୍ରପାତି ତିଆରି କରିଛନ୍ତି।
୫୨ ବର୍ଷ ବୟସ୍କ ରାଜେଶ ତାଙ୍କ ବାପା ଦତ୍ତାତ୍ରେୟ ଚାଫେକରଙ୍କଠାରୁ ଏହି କାମ ଶିଖିଛନ୍ତି ଏବଂ ସେ ପାଞ୍ଚାଲ ଲୋହାର ମାନଙ୍କ ଦୀର୍ଘ ଦିନର ବେଉସାକୁ ଆଗେଇ ନେଉଛନ୍ତି। ଜଣେ କମାର ଭାବେ ମହାରାଷ୍ଟ୍ରର କୃଷକ ସମାଜ ମଧ୍ୟରେ ତାଙ୍କର ବିଶେଷ ଲୋକପ୍ରିୟତା ରହିଛି। ‘‘ଲୋକମାନେ କୁହନ୍ତି, ‘ଆକଟଣ ସେ ହି ହତ୍ୟାର୍ ଲେକେ ଆଓ ’ (କେବଳ ଆକଟଣରୁ ଯନ୍ତ୍ରପାତି ନେଇ ଆସ),’’ ବସଇ ତାଲୁକାର ଏହି ସପ୍ତମ ପିଢ଼ିର କମାର କହିଥାନ୍ତି। ସେ ୨୫ଟି ଭିନ୍ନ ଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ତିଆରି କରିପାରିବେ।
ଡଙ୍ଗା ତିଆରିରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ତାସଣୀ ପାଇଁ ଅଧିକ ମାତ୍ରାରେ ଅର୍ଡର ଦେବାକୁ ଏଠାରୁ ୯୦ କିଲୋମିଟର ଦୂର ନଭୀ ମୁମ୍ବାଇର ଉରଣରୁ ଲୋକମାନେ ଆସୁଥିଲେ। ‘‘ଗିର୍ହାଇକ୍ (ଗ୍ରାହକ) ଆମ ଘରେ ଚାରି ଦିନ ରହୁଥିଲେ ଏବଂ ଆମେ ବିଭିନ୍ନ ଯନ୍ତ୍ରପାତି ତିଆରି କରିବା ସମୟରେ ସେଗୁଡ଼ିକୁ ଦେଖୁଥିଲେ,’’ ସେ ପୂର୍ବ କଥା ମନେ ପକାଇ କୁହନ୍ତି।
ଆକଟଣ ଗାଁର ସଂକୀର୍ଣ୍ଣ ଗଳିଗୁଡ଼ିକୁ ପାରମ୍ପରିକ ଭାବେ ଜାତି ଆଧାରିତ ବେଉସା ଅନୁଯାୟୀ ବିଭାଜିତ କରାଯାଇଛି: ସୋନାର (ବଣିଆ), ଲୋହାର୍ (କମାର), ସୂତାର୍ (ବଢ଼େଇ), ଚମ୍ଭାର (ମୋଚି) ଏବଂ କୁମ୍ଭାର (କୁମ୍ଭାର) ଆଦି। ଗାଁ ଲୋକମାନେ କୁହନ୍ତି ଯେ, ସେମାନେ ସବୁବେଳେ ଶିଳ୍ପକାରମାନଙ୍କର ପୂଜନୀୟ ଦେବତା ବିଶ୍ୱକର୍ମାଙ୍କୁ ସବୁବେଳେ ପୂଜା କରି ଆସୁଛନ୍ତି। ୨୦୦୮ ପରଠାରୁ ପାଞ୍ଚାଲ ଲୋହାର୍ମାନଙ୍କୁ ଯାଯାବର ଜନଜାତି ଭାବେ ତାଲିକାଭୁକ୍ତ କରାଯାଇଛି, ଏଥିପୂର୍ବରୁ ସେମାନେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଭାବେ ବର୍ଗୀକୃତ ହୋଇଥିଲେ।
ରାଜେଶ କୁହନ୍ତି ତାଙ୍କୁ ୧୯ ବର୍ଷ ବୟସ ହେବା ସମୟରେ ନିଜ ପରିବାରର କମାର ବେଉସାକୁ ଆଗେଇ ନେବା ଲାଗି ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ଏହା ପରିବର୍ତ୍ତେ ସେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ଷ୍ଟୋର୍ ଜଗିବା କାମ କରି ମାସିକ ୧,୨୦୦ ଟଙ୍କା ପାରିଶ୍ରମିକ ପାଉଥିଲେ । ହେଲେ ତାଙ୍କର ବଡ଼ ଯୌଥ ପରିବାରରେ ସମସ୍ୟା ଦେଖାଦେବା କାରଣରୁ ତାଙ୍କ ବାପା ବେକାର ହୋଇଗଲେ, ଫଳରେ ପରିବାରର ବଡ଼ ପୁଅ ହିସାବରେ ସେ ବାଧ୍ୟ ହୋଇ ପାରିବାରିକ ବେଉସାରେ ଯୋଗ ଦେଲେ।
























