“ମେଦପୁରମରେ ଆମେ ଯେଉଁଭଳି ଉଗାଦି ପର୍ବ ପାଳନ କରୁ, ତାହା ଆଉ କୌଣସି ଜାଗାରେ କରାଯାଏ ନାହିଁ,” କହନ୍ତି ପାସାଲା କୋଣ୍ଡାନ୍ନା। ଉଗାଦି ପର୍ବ ସଂପର୍କରେ ଗର୍ବର ସହ କହନ୍ତି ଏହି ୮୨ ବର୍ଷୀୟ ଚାଷୀ ଜଣକ – ପ୍ରତି ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଡୁଥିବା ତେଲୁଗୁ ନୂଆବର୍ଷ ଆନ୍ଧ୍ର ପ୍ରଦେଶର ତାଙ୍କ ଗାଁରେ ଖୁବ୍ ଧୂମଧାମରେ ପାଳିତ ହୁଏ।
ଶ୍ରୀ ସତ୍ୟସାଇ ଜିଲ୍ଲାର ମେଦପୁରମରେ ଏହି ଉତ୍ସବ ପାଳନର ମଙ୍ଗ ଧରିଥାଆନ୍ତି ଅଧିସୂଚିତ ଜାତି ସଂପ୍ରଦାୟର ଲୋକେ।
ଉଗାଦି ପୂର୍ବ ରାତିରେ ଦେବତାଙ୍କ ମୂର୍ତ୍ତି ସହିତ ଶୋଭାଯାତ୍ରାରୁ ଆରମ୍ଭ ହୁଏ ଏହି ଉତ୍ସବ। ଗୋଟିଏ ଗୁମ୍ଫାରୁ ମନ୍ଦିର ପର୍ଯ୍ୟନ୍ତ ମୂର୍ତ୍ତି ଶୋଭାଯାତ୍ରା ପାଇଁ ଭକ୍ତମାନଙ୍କ ମନରେ ଭରି ରହିଥାଏ ପ୍ରବଳ ଉତ୍କଣ୍ଠା ଓ ଆଗ୍ରହ। ଏହି ଉତ୍ସବର କେନ୍ଦ୍ରରେ ଥାଆନ୍ତି ମନ୍ଦିରର ଦାୟିତ୍ୱ ତୁଲାଉଥିବା ଆଠଟି ଅଧିସୂଚିତ ଜାତି ପରିବାର- ଯେଉଁମାନେ କି ଗାଁର ଅଳ୍ପସଂଖ୍ୟକ ଅଧିସୂଚିତ ଜାତିର ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି। ମେଦପୁରମର ଲୋକସଂଖ୍ୟା ୬,୬୪୧ (୨୦୧୧ ଜନଗଣନା) ଏବଂ ଗାଁରେ ଅଧିସୂଚିତ ଜାତିର ଲୋକେ ସଂଖ୍ୟାଲଘୁ ହୋଇଥିଲେ ହେଁ ସେମାନେ ହିଁ ଉତ୍ସବ ପାଳନ କରନ୍ତି।
ଉଗାଦି ଦିନ ଉତ୍ସବମୁଖରିତ ହୋଇଉଠେ ସାରା ଗାଁ। ରଙ୍ଗିନ ସାଜସଜ୍ଜାରେ ଶୋଭିତ ଅନେକ ଦେବତାଙ୍କ ଯାନ ମନ୍ଦିର ଚାରିପଟେ ଶୋଭାଯାତ୍ରାରେ ପରିକ୍ରମା କରନ୍ତି। ସାଂପ୍ରଦାୟିକ ସଦ୍ଭାବନାର ସନ୍ତକ ଏବଂ ଆଗାମୀ ବର୍ଷ ପାଇଁ ଭଗବତ୍ ଆଶୀର୍ବାଦ କାମନା କରି ଭକ୍ତମାନେ ପ୍ରସାଦମ୍ ବ ଣ୍ଟନ କରନ୍ତି। ମୂର୍ତ୍ତି ସହିତ ଯାନଗୁଡ଼ିକର ଶୋଭାଯାତ୍ରା ପରିସମାପ୍ତି ପରେ ଅପରାହ୍ଣରେ ପାଞ୍ଜୁ ସେବା ରୀତି ପାଳିତ ହୁଏ। ଏହି ପ୍ରଥାରେ, ଅଂଶଗ୍ରହଣକାରୀମାନେ ପୂର୍ବ ରାତିରେ ଯେଉଁ ରାସ୍ତାରେ ଶୋଭାଯାତ୍ରା ଯାଇଥିଲା, ସେହି ରାସ୍ତାର ଶୁଦ୍ଧିକରଣ କରନ୍ତି।
ଏହି ଉତ୍ସବ ପାଳନ ମନେ ପକାଇ ଦିଏ ମାଦିଗା ସଂପ୍ରଦାୟର ସଂଘର୍ଷ କାହାଣୀ, ଗାଁକୁ ମୂର୍ତ୍ତି ଆଣିବା ସମୟର ସଂପୂର୍ଣ୍ଣ ଗାଥା ପୁଣି ଜୀବନ୍ତ ହୋଇଉଠେ।
ଅନୁବାଦ: ଓଡ଼ିଶାଲାଇଭ୍