ଅଞ୍ଜନ ଗାଁ ନିକଟରେ ଥିବା ଏକ ପବିତ୍ର ପାହାଡ଼ ଉପରେ ଉଭୟ ଗେରୁଆ ଓ ଧଳା ରଙ୍ଗର ପତାକା ଉଡ଼ୁଥିବା ଦେଖିବାକୁ ମିଳିଥାଏ। ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଥିବା ଏହି ପାହାଡ଼ ଉପରେ ଶୋଭା ପାଉଥିବା ଧଳା ପତାକା ପ୍ରକୃତିକୁ ପୂଜା କରୁଥିବା ସରନା ଅନୁମାଗୀ ଓରାଓଁ ଆଦିବାସୀ ସମୁଦାୟର ହୋଇଥିବା ବେଳେ ଗେରୁଆ ପତାକା ହିନ୍ଦୁମାନଙ୍କର ଯେଉଁମାନେ ୧୯୮୫ ମସିହାରେ ପାହାଡ଼ ଶିଖର ଉପରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଥିଲେ। ଏହା ହିନ୍ଦୁ ଭଗବାନ ହନୁମାନଙ୍କ ଜନ୍ମସ୍ଥାନ ବୋଲି ସେମାନେ ଦାବି କରନ୍ତି ।
ବାଉଁଶର ଫାଟକ ଉପରେ ଦୁଇଟି ବଡ଼ ବ୍ୟାନର ଲାଗିଛି ଯେଉଁଥିରେ ଦୁଇଟି ସମିତିର ନାମ ଲେଖା ହୋଇଛି। ବନ ବିଭାଗ ଏବଂ ଅଞ୍ଜନ ଗାଁର ଲୋକଙ୍କ ଦ୍ୱାରା ମିଳିତ ଭାବେ ଗୁମଲା ବନ ପ୍ରବନ୍ଧନ ମଣ୍ଡଳ (ସଂଯୁକ୍ତ ଗ୍ରାମ ବନ ପ୍ରବନ୍ଧନ ସମିତି ଭାବେ ଏକତ୍ରିତ) ପରିଚାଳିତ ହୋଇଥାଏ ଯାହାକି ୨୦୧୬ ଠାରୁ ଏହି ପର୍ଯ୍ୟଟନ ସ୍ଥଳୀର ପରିଚାଳନା କରିଆସୁଛି। ହିନ୍ଦୁମାନଙ୍କର ଅଞ୍ଜନ ଧାମ ମନ୍ଦିର ବିକାଶ ସମିତି ୨୦୧୯ରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହି ସଂସ୍ଥା ଏଠାରେ ଥିବା ମନ୍ଦିର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛି।
ସ୍ୱାଗତ ଫାଟକ ଭିତରକୁ ପ୍ରବେଶ କରିବା ମାତ୍ରେ ଆମେ ଦୁଇଟି ଶିଢ଼ି ଦେଖିବାକୁ ପାଇଲୁ, ପ୍ରତ୍ୟେକ ଶିଢ଼ି ଭିନ୍ନ ଭିନ୍ନ ପୂଜାସ୍ଥଳୀ ଆଡ଼କୁ ଯାଇଥିଲା। ଗୋଟିଏ ଆପଣଙ୍କୁ ସିଧାସଳଖ ପାହାଡ଼ ଶିଖର ଉପରେ ଥିବା ହନୁମାନ ମନ୍ଦିରକୁ ନେଇଯାଇଥାଏ। ଅନ୍ୟ ଶିଢ଼ି ଦୁଇଟି ଗୁମ୍ଫା ଆଡ଼କୁ ପଡ଼ିଛି, ଯେଉଁଥିରେ ଆଦିବାସୀ ପାହନ ମାନେ ହିନ୍ଦୁ ମନ୍ଦିର ନିର୍ମାଣ ହେବାର ବହୁ ପୂର୍ବରୁ ପୂଜା କରି ଆସୁଛନ୍ତି।
ଦୁଇଟି ଭିନ୍ନ ଭିନ୍ନ ପୂଜାସ୍ଥଳୀ ନିକଟରେ, ଭିନ୍ନ ଦେବତାମାନଙ୍କର ଦୁଇଟି ଅଲଗା ଅଲଗା ଦାନ ବାକ୍ସ, ଦୁଇଟି ଭିନ୍ନ ସମୁଦାୟର ସେବା ପାଇଁ ରଖାଯାଇଛି । ଗୋଟିଏ ଗୁମ୍ଫା ପାଖରେ ଏବଂ ଆଉ ଗୋଟିଏ ମନ୍ଦିର ଭିତରେ । ପରିସରରେ ଥିବା ତୃତୀୟ ଦାନ ବାକ୍ସ ବଜରଙ୍ଗ ଦଳ ପକ୍ଷରୁ ରଖାଯାଇଛି । ଏହି ଦାନ ପେଟିରୁ ସଂଗୃହିତ ଅର୍ଥକୁ ମଙ୍ଗଳବାର ଦିନ ଭକ୍ତ, ସାଧୁସନ୍ଥଙ୍କ ପାଇଁ ଆୟୋଜିତ ହେଉଥିବା ଭୋଜି ବା ଭଣ୍ଡାରାରେ ଉପଯୋଗ କରାଯାଇଥାଏ। ପାହାଡ଼ ପାଦଦେଶରେ ଆଉ ଗୋଟିଏ ଦାନ ପେଟି ରହିଛି, ଯେଉଁଥିରେ ଜମା ହୋଇଥିବା ଅର୍ଥରାଶିରୁ ଗାଁ ଆଦିବାସୀଙ୍କୁ ପୂଜା ସାମଗ୍ରୀ କିମ୍ବା ଭୋଗ କିଣିବାରେ ସହାୟତା ମିଳିଥାଏ।
‘‘ଏହା ସମ୍ପୂର୍ଣ୍ଣ ଆଦିବାସୀ କ୍ଷେତ୍ର। ଅଞ୍ଜନ ଗାଁରେ ପୂର୍ବରୁ କେହି ପଣ୍ଡିତ ନଥିଲେ।’’ ଏହି ଧାର୍ମିକ ସ୍ଥଳୀରେ ଏଭଳି ଅଦ୍ଭୂତ ପୂଜା ବ୍ୟବସ୍ଥା ସମ୍ପର୍କରେ ମୋ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ଗାଁ ମୁଖିଆ ୪୨ ବର୍ଷ ବୟସ୍କ ରଞ୍ଜୟ ଓରାଓଁ କହିଥାନ୍ତି । ‘‘କିଛି ଦିନ ପୂର୍ବରୁ ବନାରସରୁ ପଣ୍ଡିତମାନେ ଏହି କ୍ଷେତ୍ରକୁ ଆସିଛନ୍ତି। ଏଠାକାର ଓରାଓଁ ଆଦିବାସୀମାନେ ବହୁ ଦିନ ହେବ ଅଞ୍ଜନୀ ଦେବୀଙ୍କୁ ପୂଜା କରି ଆସୁଛନ୍ତି, କିନ୍ତୁ ହନୁମାନଙ୍କ ସହିତ ଅଞ୍ଜନୀ ଦେବୀଙ୍କ ସମ୍ପର୍କ ରହିଛି ବୋଲି ଆମେ କେବେ ଜାଣିନଥିଲୁ,’’ ସେ କୁହନ୍ତି।
ରଞ୍ଜୟ କୁହନ୍ତି, ‘‘ପଣ୍ଡିତମାନେ ଆସି ଏଠାରେ ପୂଜା ପାଉଥିବା ଅଞ୍ଜନୀ ଦେବୀ ହନୁମାନଙ୍କ ମା’ ବୋଲି ପ୍ରଚାର କରାଇଛନ୍ତି। ଅଞ୍ଜନକୁ ହନୁମାନଙ୍କ ପବିତ୍ର ଜନ୍ମସ୍ଥାନ ଭାବେ ଘୋଷଣା କରାଗଲା। କେହି କିଛି ବୁଝିବା ପୂର୍ବରୁ ପାହାଡ଼ ଶିଖର ଉପରେ ହନୁମାନ ମନ୍ଦିର ନିର୍ମାଣ କରାଗଲା ଏବଂ ଏହି ସ୍ଥାନକୁ ଅଞ୍ଜନ ଧାମ ନାମରେ ଘୋଷଣା କରାଗଲା।’’










