“ଆଗରୁ ମୁଁ କେବଳ ମନଦୁଃଖରେ ଥିଲି, ଏବେ ମୁଁ ସଂପୂର୍ଣ୍ଣ ହତାଶ ଓ ନିରାଶ ହୋଇପଡ଼ିଛି,” କଜରିଙ୍କ ୫୬ ବର୍ଷୀୟ ବାପା ଧୀରେନ୍ଦ୍ର ସିଂହ କହନ୍ତି । ଲକ୍ଷ୍ନୌର ଏକ ବେସରକାରୀ କଲେଜରେ ସେ ସୁରକ୍ଷା କର୍ମୀ ଭାବରେ କାମ କରନ୍ତି ଏବଂ ଗୋଟିଏ ଭଡ଼ାଘରେ ରହନ୍ତି । ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଥିବା ସେମାନଙ୍କ ନିଜଘରେ ତାଙ୍କ ପତ୍ନୀ ଏବଂ କଜରିଙ୍କ ସମେତ ଦୁଇ ଝିଅ ରହନ୍ତି ।
“ପ୍ରାୟ ୧୫ ବର୍ଷ ହେଲା ଲକ୍ଷ୍ନୌର ଭିନ୍ନ ଭିନ୍ନ କମ୍ପାନୀ କିମ୍ବା କଲେଜରେ ମୁଁ ସୁରକ୍ଷା କର୍ମୀ ଭାବରେ କାମ କରିଆସୁଛି । କିନ୍ତୁ ୨୦୨୧ ପରଠାରୁ ଗୋଟିଏ ସ୍ଥାନରେ କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି । କାରଣ, କଜରିର ବୟାନ ରେକର୍ଡ କରିବା ଲାଗି ତାକୁ ପୋଲିସ ପାଖକୁ ନେବା, ତା’ର ଡାକ୍ତରୀ ପରୀକ୍ଷା କରାଇବା ପ୍ରଭୃତି କାମ ନିମନ୍ତେ ମୋର ଛୁଟି ନେବା ଦରକାର ହେଉଛି । ବାରମ୍ବାର ଛୁଟି ମାଗିବା ଦ୍ୱାରା ମୋତେ ଚାକିରିରୁ ବିଦା କରିଦିଆଯାଏ । ତା’ପରେ ମୁଁ ପୁଣି ଗୋଟିଏ ନୂଆ ଚାକିରି ଖୋଜିବାରେ ଲାଗେ,” ଧୀରେନ୍ଦ୍ର କହନ୍ତି ।
ଧୀରେନ୍ଦ୍ର ମାସକୁ ୯,୦୦୦ ଟଙ୍କା ରୋଜଗାର କରନ୍ତି, ଯାହାକି ପରିବାରର ଖର୍ଚ୍ଚ ତୁଲାଇବା ଲାଗି ପର୍ଯ୍ୟାପ୍ତ ନୁହେଁ । “ଯେତେବଳେ କେହି କିଛି ହେଲେ କରୁନାହାନ୍ତି, ଏବଂ କଜରିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ରହିଛି, ସେ ସମୟରେ ମୋର ଅଳ୍ପ କିଛି ରୋଜଗାରକୁ ଯିବାଆସିବାରେ ଖର୍ଚ୍ଚ କରି ମୁଁ ତାକୁ ଥରକୁ ଥର ଲକ୍ଷ୍ନୌ ଆଣିପାରିବି ନାହିଁ ।”
କଜରି ମିଳିଯିବାର ସାଢ଼େ ତିନି ବର୍ଷ ବିତିଯିବା ପରେ ବି ନ୍ୟାୟ ପାଇବାକୁ ତାଙ୍କ ଉଦ୍ୟମ ପ୍ରାୟତଃ ବ୍ୟର୍ଥ ହୋଇଛି । ଏମିତି କି ଆଇନ ସହାୟତା କାର୍ଯ୍ୟାଳୟ, ମୋହନଲାଲଗଞ୍ଜ ଥାନା ଏବଂ ଲକ୍ଷ୍ନୌର କୈସରବାଗସ୍ଥିତ ଜିଲ୍ଲା ଅଦାଲତକୁ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଫୌଜଦାରି କାର୍ଯ୍ୟବିଧି ସଂହିତାର ୧୬୪ ଧାରା ଅନୁସାରେ କଜରିଙ୍କ ବୟାନ ରେକର୍ଡ କରାଯାଇନାହିଁ, କାରଣ ବୁଝାଇବାକୁ ଯାଇ ଧୀରେନ୍ଦ୍ର କହନ୍ତି, “ଅଦାଲତ ୨୦୨୦ରେ ପୋଲିସ ପାଖରେ ଦାୟର କରାଯାଇଥିବା ଏତଲା ଚାହୁଁଛନ୍ତି” ସେହି ସମୟର, ଯେଉଁ ସମୟରେ କଜରିକୁ ଉଦ୍ଧାର କରାଯାଇଥିଲା ।
ଡିସେମ୍ବର ମାସରେ, କଜରି ନିଖୋଜ ହୋଇଯିବାର ଦୁଇ ଦିନ ପରେ, ଧୀରେନ୍ଦ୍ର ଥାନାରେ ଦେଇଥିବା ଏତଲା ହିଁ ଏକମାତ୍ର ଏତଲା, ଯାହା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୬୩ ଏବଂ ୩୬୪ ଅନୁସାରେ ଦାୟର ହୋଇଥିଲା । ଏବେ ଏହା ଅସ୍ପଷ୍ଟ ହାତଲେଖା ସମ୍ବଳିତ ଚିରାଫଟା ଏକ ଦସ୍ତାବିଜ୍ । ୧୪ ବର୍ଷ ପରେ ସେଥିରୁ ବେଶି କିଛି ପଢ଼ି ହେଉନାହିଁ । ୨୦୧୦ ମସିହାର ଏହି ଏତଲାର ଏକ ନକଲ, କାଗଜରେ ହେଉ କିମ୍ବା ଡିଜିଟାଲ ଭାବରେ – ପୋଲିସ ପାଖରେ ନାହିଁ ଏବଂ ସେମାନଙ୍କ କହିବା ଅନୁସାରେ, ୨୦୨୦ରେ କଜରିଙ୍କୁ ଉଦ୍ଧାର କରାଯିବା ପରବର୍ତ୍ତୀ ସମୟରେ, ସଂଘଟିତ ଘଟଣାବଳୀର ବିବରଣୀ ସମ୍ବଳିତ ଏକ ଅନୁବର୍ତ୍ତୀ ଏତଲା ଦାୟର କରାଯିବା ସକାଶେ ୨୦୧୦ରେ ଦିଆଯାଇଥିବା ଏହି ଏତଲା ଆବଶ୍ୟକ ।
ଅନ୍ୟ ଭାଷାରେ, ଅଦାଲତ ଆବଶ୍ୟକ କରୁଥିବା ‘୨୦୨୦ ଏତଲା’ର ଅସ୍ତିତ୍ୱ ନାହିଁ ଏବଂ ତେଣୁ, କଜରିଙ୍କ ମାମଲା ବିଚାର ବ୍ୟବସ୍ଥାରେ ହିଁ ନାହିଁ ।