ପ୍ରତ୍ୟେକ ଥର ମୁଁ ମୋ ଲୋକଙ୍କ ମୃତ୍ୟୁକୁ ନେଇ କିଛି ଲେଖିବାକୁ ଚେଷ୍ଟା କଲେ ମୋର ମସ୍ତିଷ୍କ ଖାଲି ହୋଇଯାଏ, ଯେମିତି ଶରୀରରୁ ପ୍ରାଣ ଛାଡ଼ି ଚାଲିଯାଏ।
ଆମ ଚାରି ପାଖରେ ଦୁନିଆ ଏତେ ଆଧୁନିକ ହୋଇସାରିଥିଲେ ହେଁ ଆମ ସମାଜ ହାତରେ ମଇଳା କାଢ଼ୁଥିବା ଶ୍ରମିକଙ୍କ ପ୍ରତି ଧ୍ୟାନ ଦେଉନାହିଁ। ସରକାର କେବଳ ଏହି ମୃତ୍ୟୁର ଘଟଣାକୁ ଅସ୍ୱୀକାର କରିଥା’ନ୍ତି, କିନ୍ତୁ ଚଳିତ ବର୍ଷ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ ତଥ୍ୟ ପ୍ରଦାନ କରି ଦର୍ଶାଇଛନ୍ତି ଯେ ‘‘ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କିଗୁଡ଼ିକର ବିପଜ୍ଜନକ ସଫେଇ କାରଣରୁ’’ ୨୦୧୯-୨୦୨୩ ମଧ୍ୟରେ ୩୭୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ଗତ ସାତ ବର୍ଷ ମଧ୍ୟରେ ମୁଁ ଏକାକୀ ସଂଖ୍ୟାଧିକ ଭୂଗର୍ଭ ନର୍ଦ୍ଦମା ବା ମ୍ୟାନହୋଲ୍ ଜନିତ ମୃତ୍ୟୁକୁ ପାଖରୁ ଦେଖିଛି। ୨୦୨୨ ପରଠାରୁ କେବଳ ଚେନ୍ନାଇ ଜିଲ୍ଲାର ଆୱଡ଼ିରେ ୧୨ରୁ ଅଧିକ ମ୍ୟାନହୋଲ ମୃତ୍ୟୁ ହୋଇଛି।
ଅଗଷ୍ଟ ୧୧ ତାରିଖରେ, ଠିକା ଶ୍ରମିକ ଭାବେ କାମ କରୁଥିବା ୨୫ ବର୍ଷ ବୟସ୍କ ଆୱଡି ବାସିନ୍ଦା ତଥା ଅରୁନ୍ଧତିୟାର ସମ୍ପ୍ରଦାୟର ସଦସ୍ୟ ହରି ଏକ ସ୍ୱେରେଜ୍ କେନାଲ ସଫା କରୁଥିବାବେଳେ ବୁଡ଼ି ଯାଇଥିଲେ।
ହରି ଆନ୍ନା ଙ୍କ ମୃତ୍ୟୁର ୧୨ ଦିନ ପରେ ମୁଁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିଲି। ମୁଁ ଦେଖିଲି ତାଙ୍କ ଘରେ ଏକ ଫ୍ରିଜର୍ ବାକ୍ସ ଭିତରେ ଶବ ପଡ଼ିରହିଛି। ତାଙ୍କ ପତ୍ନୀ ତାମିଲ ସେଲଭିଙ୍କୁ ପରିବାର ଲୋକମାନେ ଶେଷରେ ଜଣେ ବିଧବାଙ୍କ ଦ୍ୱାରା କରାଯିବାକୁ ଥିବା ସମସ୍ତ ରୀତିନୀତି ପାଳନ କରିବାକୁ କହିଥିଲେ। ତାଙ୍କ ପଡ଼ୋଶୀ ଓ ସମ୍ପର୍କୀୟମାନେ ତାଙ୍କ ଦେହସାରା ହଳଦୀ ଲେପ ଲଗାଇଥିଲେ ଏବଂ ତା'ପରେ ତାଙ୍କ ଥାଳି (ଜଣେ ବିବାହିତ ମହିଳାଙ୍କ ପ୍ରତୀକ) କାଟିବା ପୂର୍ବରୁ ତାଙ୍କୁ ଗାଧୋଇଥିଲେ। ଏହି ରୀତିନୀତି ସମୟରେ ସେ ଗମ୍ଭୀର ଏବଂ ନୀରବ ରହିଥିଲେ।




















