‘‘ମିର୍ଚି ମେଁ ଆଗ୍ ଲଗ୍ ଗୟି (ଲଙ୍କାଗୁଡ଼ିକ ଜଳୁଛି)।’’
୨ ଡିସେମ୍ବର ୧୯୮୪ର ରାତିରେ ଭୋପାଳ ବାସିନ୍ଦା ନୁସରତ ଜାହାଁଙ୍କର ଯେତେବେଳେ ନିଦ ଭାଙ୍ଗିଲା ସେ ଠିକ୍ ଭାବେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁନଥିଲେ ଏବଂ ତାଙ୍କ ଆଖି ପୋଡ଼ୁଥିଲା ଓ ସେଥିରୁ ପାଣି ଗଡ଼ୁଥିଲା। କିଛି ସମୟ ପରେ ତାଙ୍କ ଛଅ ବର୍ଷର ପୁଅ କାନ୍ଦିବାକୁ ଲାଗିଲା। କୋଳାହଳ ଶୁଣି ତାଙ୍କର ସ୍ୱାମୀ ମହମ୍ମଦ ଶଫିକଙ୍କର ମଧ୍ୟ ନିଦ ଭାଙ୍ଗିଗଲା।
‘‘କୟାମତ୍ କା ମଞ୍ଜର୍ ଥା’’ (ପ୍ରଳୟ ଆସିବା ଭଳି ଦୃଶ୍ୟ ଥିଲା),’’ ନୱାବ୍ କଲୋନୀ ସ୍ଥିତ ନିଜ ଘରେ ବସି ୭୦ ବର୍ଷ ବୟସ୍କ ଶଫିକ୍ କୁହନ୍ତି। ମଧ୍ୟପ୍ରଦେଶର ରାଜଧାନୀରେ ୪୦ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିବା ଭୋପାଳ ଗ୍ୟାସ ଦୁର୍ଘଟଣା (ବିଜିଡି)ର ଘଟଣାକ୍ରମ ବିଷୟରେ ସେ ସ୍ମରଣ କରିଥା’ନ୍ତି।
ଶଫିକ୍ ଗୋଟିଏ ପେପର୍ ମିଲରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିଷାକ୍ତ ବାଷ୍ପର ଗମ୍ଭୀର କୁପ୍ରଭାବ ପଡ଼ିଥିଲା। କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ବ୍ୟତିବ୍ୟସ୍ତ ହୋଇ ଏଣେତେଣେ ଦୌଡ଼ିବାକୁ ପଡ଼ିଲା। ପାଣିର ଏକମାତ୍ର ଉତ୍ସ ବିଷାକ୍ତ କୂଅ ପାଣି ବ୍ୟବହାର କରିବା କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଗଲା। ଏହି ପାଣି ବ୍ୟବହାର କରିବା କାରଣରୁ ତାଙ୍କର ଆଖି ପୋଡ଼ୁଥିଲା କିନ୍ତୁ ଅନ୍ୟ କୌଣସି ଉତ୍ସ ନଥିଲା। ୨୦୧୨ରେ ଯାଇ ସମ୍ଭାବନା ଟ୍ରଷ୍ଟ କ୍ଲିନିକ ସେହି ପାଣିକୁ ପରୀକ୍ଷା କରିଥିଲା ଏବଂ ସେଥିରେ ବିଷାକ୍ତ ଉପାଦାନ ପାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳର ସବୁ ନଳକୂପକୁ ବନ୍ଦ କରିଦେଲେ।
୧୯୮୪ର ସେହି ରାତିରେ ଶଫିକଙ୍କ ଘରେ ଯେଉଁ ବିଷାକ୍ତ ଗ୍ୟାସ ସଂକଟ ସୃଷ୍ଟି କରିଥିଲା, ତାହା ୟୁନିଅନ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ (ୟୁସିଆଇଏଲ)ରୁ ବାହାରିଥିଲା। ସେତେବେଳେ ଏହି କମ୍ପାନୀର ମାଲିକାନା ବହୁରାଷ୍ଟ୍ରୀୟ ୟୁନିଅନ୍ କାର୍ବାଇଡ୍ କର୍ପୋରେସନ୍ (ୟୁସିସି) ପାଖରେ ରହିଥିଲା। ଡିସେମ୍ବର ୨ ତାରିଖ ରାତିରେ ଏହି ଗ୍ୟାସ ଲିକ୍ ହୋଇଥିଲା। ୟୁସିଆଇଏଲ କାରଖାନାରୁ ଅତ୍ୟଧିକ ବିଷାକ୍ତ ମିଥାଇଲ ଆଇସୋସାଇନେଟ ଗ୍ୟାସ ଲିକ୍ ହୋଇଥିଲା ଏବଂ ଏହାକୁ ବିଶ୍ୱର ସବୁଠୁ ଭୟାବହ ଶିଳ୍ପ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ।











