ପ୍ରଦୂଷିତ ପାଣି ଯୋଗୁଁ ପ୍ରଭାବିତ ଲୋକଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରିବା ଲାଗି ୨୦୨୪ ଅଗଷ୍ଟ ୨୪ ତାରିଖରେ ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନର ଶହ ଶହ ଲୋକ ଲୁଧିଆନାରେ ଏକତ୍ର ହୋଇଥିଲେ । ‘କାଲେ ପାନି ଦା ମୋର୍ଚ୍ଚା’ (ଜଳ ପ୍ରଦୂଷଣ ବିରୋଧରେ ପ୍ରତିବାଦ) ଶୀର୍ଷକ ପ୍ରତିବାଦରେ ସାମିଲ ହୋଇଥିଲେ ସତଲେଜ ନଦୀ ସଂଲଗ୍ନ ବିଭିନ୍ନ ଅଞ୍ଚଳର ପ୍ରଭାବିତ ଲୋକେ ।
‘ବୁଡ୍ଡା ଦରିୟା (ନଦୀ) ବଞ୍ଚାଅ! ସତଲେଜ ବଞ୍ଚାଅ ।’
ବୁଡ୍ଡା ନାଲାର ପ୍ରଦୂଷଣ ପ୍ରତିବାଦରେ ସ୍ୱର ଉତ୍ତୋଳନ ନୂଆ କଥା ନୁହେଁ କି ଏହାକୁ ପରିଷ୍କାର କରିବା ଲାଗି ପ୍ରକଳ୍ପ ବି ନୂଆ ନୁହେଁ । ଅନ୍ୟୂନ ତିନି ଦଶନ୍ଧି ଧରି ଏହା ଚାଲି ଆସିଛି, ହେଲେ ଫଳ କିଛି ମିଳିନାହିଁ । ସତଲେଜ ନଦୀ ସଫା କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଯୋଜନା ନାମକ ପ୍ରଥମ ପ୍ରକଳ୍ପ ଆରମ୍ଭ ହୋଇଥିଲା ୧୯୯୬ରେ; ସେତେବେଳେ ଜମାଲପୁର, ଭଟ୍ଟିଆଁ ଏବଂ ବଲ୍ଲୋକେ ଗାଁରେ ତିନିଟି ନର୍ଦ୍ଦମା ପାଣି ଶୋଧନ ସଂଯନ୍ତ୍ର ବା ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ସ୍ଥାପନ କରାଯାଇଥିଲା
ବୁଡ୍ଡା ନାଲାର ପୁନରୁଦ୍ଧାର ନିମନ୍ତେ ୨୦୨୦ରେ ପଞ୍ଜାବ ସରକାର ୬୫୦ କୋଟି ଟଙ୍କାର ଏକ ଦୁଇ ବର୍ଷିଆ ପ୍ରକଳ୍ପ ଆରମ୍ଭ କରିଥିଲେ । ପ୍ରଦୂଷଣ ଲାଗି ପୂର୍ବତନ ସରକାର ଉପରେ ଦୋଷାରୋପ କରିବା ସହିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ବୁଡ୍ଡା ନାଲାକୁ ନବଜୀବନ ପ୍ରଦାନ ଲାଗି ଜମାଲପୁରରେ ଏକ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମେତ ମୋଟ ୩୧୫ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପକୁ ଉଦଘାଟନ କରିଥିଲେ ।
ପରସ୍ପର ଉପରେ ଦୋଷାରୋପର ଏହି ଧାରା ଅବ୍ୟାହତ ରହିଥିବା ବେଳେ, କଶ୍ମୀରା ବାଇ କହନ୍ତି ଯେ, ନା ସରକାର ନା କୌଣସି ରାଜନୈତିକ ଦଳ, ଏ ସମସ୍ୟାର ସମାଧାନ ଦିଗରେ କେହି କିଛି ହେଲେ କରିନାହାନ୍ତି । ବାରମ୍ବାର ଲୁଧିଆନାର ସାମାଜିକ କର୍ମୀମାନେ ଏହି ସମସ୍ୟାକୁ ପଞ୍ଜାବ ସରକାରଙ୍କ ପାଖରେ ଉପସ୍ଥାପନ କରିଆସିଛନ୍ତି, କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ନାଲା ଯେମିତି ପ୍ରଦୂଷିତ ଥିଲା, ସେମିତି ରହିଛି ଏବଂ ଥରକୁ ଥର ରାସ୍ତାକୁ ଆସି ପ୍ରତିବାଦ କରିବା ଲାଗି ଲୋକେ ବାଧ୍ୟ ହୋଇଛନ୍ତି ।
ଆନ୍ଦୋଳନରେ ଯୋଗ ଦେବା ଲାଗି ସୁଦୂର ମାନସା ଜିଲ୍ଲାର ଅହମଦପୁରରୁ ଆସିଛନ୍ତି ୬୦ ବର୍ଷୀୟା ମଲକୀତ କୌର । “ପ୍ରଦୂଷିତ ପାଣି, ଶିଳ୍ପ ସଂସ୍ଥାରୁ ନିର୍ଗତ ଆବର୍ଜନା ଯୋଗୁଁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ । ଜଳ ହେଉଛି ଜୀବନର ମୌଳିକ ଆବଶ୍ୟକତା, ଏବଂ ଆମ ପାଖରେ ପରିଷ୍କାର ପାଣି ପାଇବାର ଉପାୟ ରହିବା ଉଚିତ,” ସେ କହିଲେ ।