‘‘ଟ୍ରେନ୍ ମାତ୍ର ପାଞ୍ଚ ମିନିଟ୍ ପାଇଁ ଅଟକିଥାଏ, ଏବଂ ଆମେ ବହୁତ ଭିଡ଼ ଓ ଠେଲାପେଲା ଭିତରେ ଚଢ଼ିଥାଉ। ବେଳେ ବେଳେ ଟ୍ରେନ୍ ଚାଲିବା ଆରମ୍ଭ କରିଦିଏ ଏବଂ ଆମକୁ ପ୍ଲାଟଫର୍ମରେ କିଛି ବଣ୍ଡଲ୍ ଛାଡ଼ି ଚାଲିଯିବାକୁ ହୋଇଥାଏ।’’ ସାରଙ୍ଗା ରାଜଭୋଇ ଜଣେ ରଶି କାରୀଗର ଏବଂ ଯେଉଁ ବଣ୍ଡଲ୍କୁ ସେ ପଛରେ ଛାଡ଼ି ଦେଇଯିବାକୁ ବାଧ୍ୟ ହୋଇଥା’ନ୍ତି, ସେଗୁଡ଼ିକ ପୋଷାକ କାରଖାନାରେ ବଳି ପଡ଼ିଥିବା ତନ୍ତୁର ଗଣ୍ଠିଲି ହୋଇଥାଏ। ତାଙ୍କ ଭଳି ମହିଳାମାନେ ଏସବୁ ତନ୍ତୁରେ ରଶି ତିଆରି କରି ବିକ୍ରି କରିଥା’ନ୍ତି। ଗାଈ-ମଇଁଷିଙ୍କୁ ବାନ୍ଧିବା, ଟ୍ରକ୍ ଓ ଟ୍ରାକ୍ଟରରେ ମାଲ୍ ଲଦିବା ଏବଂ କପଡ଼ା ଶୁଖାଇବା ନିମନ୍ତେ ଟାଙ୍ଗିବାରେ ଏସବୁ ରଶି ବ୍ୟବହାର କରାଯାଏ।
‘‘ହମାରା ଖାନଦାନି ହୈ (ଆମର ପାରିବାରିକ ବ୍ୟବସାୟ),’’ ସନ୍ତ୍ରା ରାଜଭୋଇ କୁହନ୍ତି। ଅହମ୍ମଦାବାଦର ୱଟୱା ସ୍ଥିତ ନଗରପାଳିକା ଆବାସିକ ବ୍ଲକରେ ନିଜ ଘର ପାଖରେ ଥିବା ଏକ ଖୋଲା ସ୍ଥାନରେ ବସି, ସେ ସିନ୍ଥେଟିକ୍ ଫାଇବର ଗଦାରୁ ଗଣ୍ଠି ଖୋଲିବାରେ ବ୍ୟସ୍ତ ଅଛନ୍ତି।
ସାରଙ୍ଗା ଓ ସନ୍ତ୍ରା ଗୁଜରାଟର ରାଜଭୋଇ ଯାଯାବର ସମ୍ପ୍ରଦାୟର ଅଟନ୍ତି। ସେମାନେ ଅହମ୍ମଦାବାଦରୁ ସୁରତ ପର୍ଯ୍ୟନ୍ତ ଯାତ୍ରା କରିଥା’ନ୍ତି ଏବଂ ରାସ୍ତାରେ ପଡ଼ୁଥିବା ପୋଷାକ କାରଖାନାରୁ ଅପଶିଷ୍ଟ ତନ୍ତୁ ବା ଫାଇବର୍ କିଣିଥାନ୍ତି ଯେଉଁଥିରେ ସେମାନେ ରଶି ତିଆରି କରନ୍ତି। ଏହା ଏକ ଏପରି କାମ ଯାହା ପାଇଁ ସେମାନେ ରାତି ୧୧ଟା ପାଖାପାଖି ଘରୁ ବାହାରନ୍ତି ଏବଂ ପରଦିନ ସନ୍ଧ୍ୟା ସାତଟାରେ ଘରକୁ ଫେରନ୍ତି। ସେମାନଙ୍କ ଛୋଟ ପିଲାମାନଙ୍କୁ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ପାଖରେ ଛାଡ଼ି ଦେଇ ଯିବାକୁ ହୋଇଥାଏ।
ସେମାନେ ଯେଉଁ ଟ୍ରେନ୍ ଧରନ୍ତି ତାହା ପ୍ରାୟତଃ ରାତି ଗୋଟାଏ କିମ୍ବା ଦୁଇଟା ବେଳେ ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚିଥାଏ, ସେଥିପାଇଁ ରଶି ତିଆରି କରୁଥିବା ମହିଳାମାନେ ରେଳ ପ୍ଲାଟଫର୍ମରେ ଶୁଅନ୍ତି। ଏହି କାରଣରୁ ସେମାନଙ୍କୁ ପ୍ରାୟତଃ ହଇରାଣ ହରକତ କରାଯାଇଥାଏ। ‘‘ଆମକୁ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ପୁଲିସ ଷ୍ଟେସନରେ ବସାଇ ଦିଆଯାଏ ଏବଂ ଆମେ କେଉଁଠୁ ଆସିଛୁ ବୋଲି ଜେରା କରାଯାଏ। ପୁଲିସବାଲା ଗରିବ ଲୋକଙ୍କୁ ଧରି ନିଅନ୍ତି,’’ କରୁଣା କୁହନ୍ତି। ‘‘ଆମକୁ ଅଟକ ରଖିବାକୁ ଚାହିଁଲେ ସେମାନେ ତାହା କରିଥା’ନ୍ତି।
କରୁଣା, ସନ୍ତ୍ରା ଓ ସାରଙ୍ଗା ସମସ୍ତେ ୱଟୱାସ୍ଥିତ ଚାର ମଲିୟା ନଗରପାଳିକା ଆବାସିକ ଅଞ୍ଚଳରେ ପରସ୍ପରର ପଡ଼ୋଶୀ ଭାବେ ରୁହନ୍ତି। ସେମାନେ କୁହନ୍ତି ଯେ ସେମାନଙ୍କ ଘରେ ନିୟମିତ ଜଳଯୋଗାଣ ଏବଂ ବର୍ଜ୍ୟଜଳ ନିଷ୍କାସନ ଭଳି ମୌଳିକ ସୁବିଧା ନାହିଁ। ଦୀର୍ଘଦିନ ଧରି ସଂଘର୍ଷ କରିବା ପରେ ସେମାନଙ୍କୁ ବିଦ୍ୟୁତ ସଂଯୋଗ ମିଳିପାରିଛି।
ସେମାନେ ରାଜଭୋଇ ସମ୍ପ୍ରଦାୟର ଅଟନ୍ତି, ଯେଉଁଥିରେ ମହିଳାମାନେ ରଶି ତିଆରିର ପାରମ୍ପରିକ ବେଉସା ଅବଲମ୍ବନ କରୁଥିବା ବେଳେ ମହିଳାମାନେ କାନ ମଳି ସଫା କରିବା ଭଳି କାମ କରନ୍ତି। ସେମାନଙ୍କ ସମ୍ପ୍ରଦାୟ ଉଚିତ୍ ମାନ୍ୟତା, ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ଲାଭ ଏବଂ ଉନ୍ନତ ଜୀବନଧାରଣ ସ୍ତର ପାଇଁ ସଂଘର୍ଷ କରୁଛି। ରାଜଭୋଇମାନେ ଏକ ଯାଯାବର ଜନଜାତି ଅଟନ୍ତି, କିନ୍ତ ‘‘ଆମ ଜାତି ନିଗମ (ଗୁଜରାଟ ଯାଯାବର ଏବଂ ବିମୁକ୍ତ ଜନଜାତି ବିକାଶ ନିଗମ)ରେ ତାଲିକାଭୁକ୍ତ ନାହିଁ,’’ ସମ୍ପ୍ରଦାୟର ମୁଖିଆ ବା ପ୍ରମୁଖ ରାଜେଶ ରାଜଭୋଇ କୁହନ୍ତି।
ଯାଯାବର ସମ୍ପ୍ରଦାୟ ପାଇଁ ଉପଲବ୍ଧ କାମ ସୁଯୋଗ ଏବଂ ଅନ୍ୟ ଯୋଜନା ପର୍ଯ୍ୟନ୍ତ ପହଞ୍ଚିବାର ସିଧାସଳଖ ପ୍ରକ୍ରିୟା ନାହିଁ, ‘‘ଆମକୁ ସେଠାରେ ‘ରାଜଭୋଇ’ ପରିବର୍ତ୍ତେ ‘ଭୋଇରାଜ’ ରୂପରେ ତାଲିକାଭୁକ୍ତ କରାଯାଇଛି ଏବଂ ସରକାରୀ କାମ କଥା ଆସିଲେ ଆମ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ।’’
ଗୁଜରାଟ ସରକାରଙ୍କ ୱେବସାଇଟ୍ରେ ତାଲିକାଭୁକ୍ତ ୨୮ଟି ଯାଯାବର ଜନଜାତି ଓ ୧୨ଟି ବିମୁକ୍ତ ଜନଜାତି ତାଲିକାରେ ରାଜଭୋଇ କିମ୍ବା ଭୋଇରାଜଙ୍କୁ ସ୍ଥାନ ମିଳିନାହିଁ। ଗୁଜରାଟର ‘ଭୋଇ’ଙ୍କୁ ଭାରତର ବିମୁକ୍ତ ଜନଜାତି, ଯାଯାବର ଜନଜାତି ଏବଂ ଅର୍ଦ୍ଧଯାଯାବର ଜନଜାତି (ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ)ର ଡ୍ରାଫ୍ଟ ତାଲିକାରେ ସାମିଲ ରହିଛି। ଗୁଜରାଟରେ ଭୋଇରାଜମାନଙ୍କୁ ଅନ୍ୟାନ୍ୟ ପଛୁଆବର୍ଗ ଭାବେ ତାଲିକାଭୁକ୍ତ କରାଯାଇଛି। ‘‘ଗୁଜରାଟ ବାହାରେ ଆମ ସମ୍ପ୍ରଦାୟର ଲୋକମାନଙ୍କୁ ସଲାଟ୍-ଘେରା ମଧ୍ୟ କୁହାଯାଏ ଏବଂ ସେମାନେ ଶିଳ ଓ ଫେସା ତିଆରି କାମରେ ନିୟୋଜିତ ଅଛନ୍ତି।’’ ସଲାଟ୍-ଘେରା ମଧ୍ୟ ଏକ ଯାଯାବର ସମ୍ପ୍ରଦାୟ ଅଟେ ଏବଂ ୱେବସାଇଟ୍ରେ ଏହି ରୂପରେ ତାଲିକାଭୁକ୍ତ ରହିଛି।
*****
ରଶି ତିଆରି କରିବା ପାଇଁ ଏହି ମହିଳାମାନେ ସୁରତ୍ର ପୋଷାକ କାରଖାନାରୁ ତନ୍ତୁ ସଂଗ୍ରହ କରିଥା’ନ୍ତି। ‘‘ୱଟୱାରୁ ମଣିନଗର ଏବଂ ମଣିନଗରରୁ କିମ୍। ଆମେ କିଲୋ ପ୍ରତି ୨୫ ଟଙ୍କା ଦରରେ (କଞ୍ଚା) ମାଲ୍ କିଣିଥାଉ,’’ ସାରଙ୍ଗା ରାଜଭୋଇ ପାନ ଚୋବାଇ ଚୋବାଇ କୁହନ୍ତି। ତାଙ୍କ ହାତ ତନ୍ତୁ ଉପରେ ଚାଲୁଥାଏ।
ଅହମ୍ମଦାବାଦର ମଣିନଗରଠାରୁ ସୁରତ୍ର କିମ୍ ପର୍ଯ୍ୟନ୍ତ ଦୂରତା ପାଖାପାଖି ୨୩୦ କିଲୋମିଟର ହେବ। ସେମାନଙ୍କ ପାଖରେ ଟ୍ରେନରେ ଯାତ୍ରା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ; ଭଡ଼ା ଅଧିକ, କିନ୍ତୁ ସାରଙ୍ଗା ହସି ହସି, ନିଜ ଥୋଡ଼ିକୁ ବୋହି ଯାଉଥିବା ପାନ ପିକକୁ ପୋଛି କୁହନ୍ତି, ‘‘ଆମେ ଟିକେଟ୍ କିଣିନଥାଉ।’’ କିମ୍ ରେଳ ଷ୍ଟେସନରୁ ମହିଳାମାନେ ସ୍ଥାନୀୟ ଅଞ୍ଚଳର ପୋଷାକ କାରଖାନା ପର୍ଯ୍ୟନ୍ତ ରିକ୍ସାରେ ଯାଇଥା’ନ୍ତି।
‘‘ଯେକୌଣସି ଖରାପ ସାମଗ୍ରୀକୁ ଅଲଗା ରଖାଯାଇଥାଏ। ଶ୍ରମିକମାନେ ଏସବୁ ଆମକୁ ବିକ୍ରି କରିଥା’ନ୍ତି,’’ ୪୭ ବର୍ଷୀୟା ଗୀତା ରାଜଭୋଇ କୁହନ୍ତି। କିନ୍ତୁ କେବଳ ତନ୍ତୁ ଚଳିବ ନାହିଁ, କରୁଣା କୁହନ୍ତି: ‘‘ସୂତା କପଡ଼ା ଆମର କୌଣସି କାମରେ ଲାଗେ ନାହିଁ। ଆମେ କେବଳ ରେଶମ (ସିନ୍ଥେଟିକ୍ ରେଶମ) ଉପଯୋଗ କରିପାରିବୁ, ଏବଂ କେବଳ କିମ୍ରେ ଥିବା କାରଖାନାରେ ଏଥିରେ କାମ ହୋଇଥାଏ।’’
ଗୀତା କୁହନ୍ତି, ପରସ୍ପର ସହ ଛନ୍ଦି ହୋଇ ରହିଥିବା କଞ୍ଚା ମାଲ୍ ପ୍ରାୟତଃ (ତନ୍ତୁ) ଶସ୍ତାରେ ମିଳିଥାଏ। କିଲୋ ପ୍ରତି ଦର ୧୫ରୁ ୨୭ ଟଙ୍କା ମଧ୍ୟରେ ହୋଇଥାଏ। ସୋଫା, ଗଦି ଓ ତକିଆରେ ବ୍ୟବହୃତ ଧଳା ତନ୍ତୁ ସବୁଠୁ ଅଧିକ ଦାମ୍ - କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି ହୋଇଥାଏ।
‘‘ଜଣେ ମହିଳା ୧୦୦ କିଲୋ ଆଣିପାରିବେ। ସେ ୨୫ କିଲୋଗ୍ରାମ କିମ୍ବା ୧୦ କିଲୋଗ୍ରାମ ଆଣିପାରନ୍ତି,’’ ସନ୍ତ୍ରା କୁହନ୍ତି। କିନ୍ତୁ ସେତିକି ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ - କାରଣ କିଣିବାକୁ ଅନେକ ଲୋକ ଥାଆନ୍ତି ଏବଂ ଯଥେଷ୍ଟ ପରିମାଣରେ ତନ୍ତୁ ନଥାଏ।
କିମ୍ରୁ ଅହମ୍ମଦାବାଦକୁ କଞ୍ଚାମାଲ୍ ବୋହି ଆଣିବା ପାଇଁ ସେମାନଙ୍କୁ ‘‘କଞ୍ଚାମାଲ କିଣିବା ଓ ସେଗୁଡ଼ିକୁ ଷ୍ଟେସନକୁ ଆଣିବା ପାଇଁ କିମ୍ରେ (ଏକାଧିକ କାରଖାନାରେ) ବୁଲିବାକୁ ହୋଇଥାଏ,’’ ସାରଙ୍ଗା କୁହନ୍ତି।
ଷ୍ଟେସନରେ, ସେମାନଙ୍କ ବଡ଼ ବଡ଼ ଗଣ୍ଠିଲି ରେଳ କର୍ମଚାରୀଙ୍କ ଧ୍ୟାନ ଆକର୍ଷଣ କରିଥାଏ। ‘‘ସେମାନେ ଆମକୁ ଧରିଲେ ଆମେ ନିଜକୁ ଗରିବ ବୋଲି କହିଲେ ବେଳେବେଳେ ସେମାନେ ଛାଡ଼ି ଦିଅନ୍ତି । ହେଲେ ଜଣେ କଠୋର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଲେ ଆମକୁ ୧୦୦-୨୦୦ ଟଙ୍କା ଦେବାକୁ ହୁଏ,’’ କରୁଣା ରାଜଭୋଇ କୁହନ୍ତି। ‘‘ପ୍ରତ୍ୟେକ ଥର ଆମେ ହଜାରେ ଟଙ୍କାର କଞ୍ଚାମାଲ କିଣିଥାଉ, ଶେଷରେ ଯିବା ଆସିବାରେ ତିନି ଶହ ଟଙ୍କା ଯାଇଥାଏ।’’ ସେମାନଙ୍କୁ ଆବଶ୍ୟକ କଞ୍ଚାମାଲ ମିଳୁ କି ନମିଳୁ ୩୦୦ ଟଙ୍କା ଯାତ୍ରା ଖର୍ଚ୍ଚ ହେବା ଥୟ।
ଗୋଟିଏ ୩୦ ହାତ ରଶି ୮୦ ଟଙ୍କାରେ ଏବଂ ୫୦ ହାତ ରଶି ୧୦୦ ଟଙ୍କାରେ ବିକ୍ରି ହୁଏ।
ମହିଳାମାନେ ସାଙ୍ଗରେ ୪୦-୫୦ ରଶି ନେଇ ବିକ୍ରି କରିବାକୁ ଯାଆନ୍ତି। ବେଳେବେଳେ ସେମାନେ ସବୁ ବିକ୍ରି କରିଦିଅନ୍ତି ଏବଂ ଆଉ କେତେବେଳେ ପ୍ରାୟ ୨୦ଟି ବିକ୍ରି ହୋଇଥାଏ। ସେମାନେ ମହମଦାବାଦ, ଆନନ୍ଦ, ଲିମ୍ବାଚି, ତାରାପୁର, କଠଲାଲ, ଖେଡ଼ା, ଗୋବିନ୍ଦପୁରା, ମାତର୍, ଚାଙ୍ଗା, ପାଲ୍ଲା, ଗୋମତିପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିକ୍ରିବଟା କରିଥା’ନ୍ତି।
ସାରଙ୍ଗା କୁହନ୍ତି, ‘‘ଆମେ ରଶି ତିଆରି କରିବା ଲାଗି କଠିନ ପରିଶ୍ରମ କରିଥାଉ ଏବଂ ଟଙ୍କା ଖର୍ଚ୍ଚ କରି ସେଗୁଡ଼ିକୁ ନଡ଼ିୟାଦ ଏବଂ ଖେଡ଼ାର ଗାଁରେ ବିକ୍ରି କରୁ, କିନ୍ତୁ ମୂଲଚାଲ ୧୦୦ରୁ କମି ୫୦-୬୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଏ।’’ ଆଉ ତା’ପରେ ଯାତ୍ରା ଖର୍ଚ୍ଚ ଓ ଜୋରିମାନା ସେମାନଙ୍କ ରୋଜଗାରକୁ ପ୍ରଭାବିତ କରିଥାଏ।
ରଶି ତିଆରି କରିବା କଠିନ ଓ ଶ୍ରମସାପେକ୍ଷ କାମ ଯାହାକୁ ସେମାନେ ଘରକରଣା କାମ ସହିତ କରିଥା’ନ୍ତି। ‘‘ ଜବ୍ ନଲ୍ ଆତା ହୈ ତବ୍ ଉଠ୍ ଯାତେ ହେଁ। (ଯେତେବେଳେ ପାଣି ଆସିଥାଏ ଆମେ ଉଠିଯାଉ),’’ ଅରୁଣା ରାଜଭୋଇ କୁହନ୍ତି।
କାମ କରିବା ଲାଗି ସେମାନଙ୍କ ଛୋଟ ଛୋଟ ଘରେ ଯଥେଷ୍ଟ ସ୍ଥାନ ନଥାଏ, ମହିଳାମାନେ ବାହାରେ ଟାଣ ଖରାରେ ବସି କାମ କରନ୍ତି। ‘‘ଆମେ ସକାଳ ସାତଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ଦୁଇଟାରୁ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ କାମ କରିଥାଉ,’’ ସେ କୁହନ୍ତି। ‘‘ଦିନ ବଡ଼ ହୋଇଥିବାରୁ ଆମେ ଖରା ଦିନେ ଅଧିକ ରଶି ତିଆରି କରୁ- ଦିନକୁ ପ୍ରାୟ ୨୦-୨୫ଟି। କିନ୍ତୁ ଶୀତ ଦିନେ ମାତ୍ର ୧୦-୧୫ଟି ତିଆରି କରିବା ସମ୍ଭବ ହୋଇଥାଏ,’’ ରୂପା କୁହନ୍ତି।
ଗୋଟିଏ ଛୋଟ ହାତ ଚକା ଏବଂ ବଡ଼ ସ୍ଥିର ଚରଖା ତାଙ୍କ ବ୍ୟବସାୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ।
ଜଣେ ମହିଳା ଚକ ବୁଲାନ୍ତି ଆଉ ଅନ୍ୟ ଜଣେ ଖିଅକୁ ଧରି ସେଗୁଡ଼ିକୁ ପରସ୍ପର ସହ ଲାଗିଯିବାରୁ ଅଟକାଇଥା’ନ୍ତି। ତଥାପି ଆଉ ଜଣେ ମହିଳା ରଶିର ଶେଷ ଭାଗଗୁଡ଼ିକୁ ଧରି ରଖିଥା’ନ୍ତି। ଯେହେତୁ ଗୋଟିଏ ସମୟରେ ତିନି କିମ୍ବା ଚାରି ଜଣ ଲୋକଙ୍କ ଆବଶ୍ୟକତା ରହିଥାଏ, ପରିବାର ସଦସ୍ୟମାନେ ପ୍ରାୟତଃ ସାଥୀ ହୋଇ କାମ କରନ୍ତି। ‘‘ଆମେ ଚକା ବୁଲାଇବା ସହିତ ତନ୍ତୁଗୁଡ଼ିକ ସୂତାରେ ପରିବର୍ତ୍ତିତ ହୋଇଯାଏ। ତିନୋଟି ଭିନ୍ନ ଭିନ୍ନ ଖିଅ ପ୍ରସ୍ତୁତ ହୋଇଯାଏ ଏବଂ ପରସ୍ପର ସହ ଯୋଡ଼ି ହୋଇ ଗୋଟିଏ ରଶି ତିଆରି ହୋଇଥାଏ,’’ ସର୍ବିଲା ରାଜଭୋଇ କୁହନ୍ତି। ଗୋଟିଏ ୧୫-୨୦ ଫୁଟ ରଶି ତିଆରି ପାଇଁ ୩୦-୪୦ ମିନିଟ୍ ସମୟ ଲାଗୁଥିବା ସେ ସୂଚନା ଦିଅନ୍ତି। ଗୋଟିଏ ଦିନରେ ଗୋଟିଏ ଦଳ ୮-୧୦ଟି ରଶି ତିଆରି କରିପାରିବ ଏବଂ ବେଳେବେଳେ ୨୦ଟି ମଧ୍ୟ କରିପାରିବ। ଅର୍ଡର ମିଳିଲେ ସେମାନେ ୫୦-୧୦୦ ଫୁଟ ଲମ୍ବା ରଶି ମଧ୍ୟ ତିଆରି କରନ୍ତି।
ରାଜ୍ୟର ଭୋଇ ସମ୍ପ୍ରଦାୟର ଲୋକମାନେ ବହୁସଂଖ୍ୟାରେ ସୌରାଷ୍ଟ୍ର କ୍ଷେତ୍ରରେ ରୁହନ୍ତି। ୧୯୪୦ ଦଶକରେ ପ୍ରକାଶିତ ଏକ ବିଶ୍ୱକୋଷ ଗୁଜରାଟୀ ଶବ୍ଦକୋଷ ଭଗୱଦ୍ ଗୋମଣ୍ଡଳରେ ଥିବା ବର୍ଣ୍ଣନା ମୁତାବକ, ଭୋଇ ‘‘ଏକ ପଛୁଆ ଶୁଦ୍ର ସମ୍ପ୍ରଦାୟ’’ ଅଟେ ଯେଉଁମାନେ ପୂର୍ବରୁ ଚମଡ଼ା ଛାଲିବା କାମ କରୁଥିଲେ। କିନ୍ତୁ ପ୍ରଭାବଶାଳୀ ଜୈନ ସମ୍ପ୍ରଦାୟ ପ୍ରାଣୀ ହତ୍ୟାକୁ ବିରୋଧ କରିବା କାରଣରୁ ସେମାନେ କୃଷି ଓ ଅନ୍ୟାନ୍ୟ ଶ୍ରମ କାର୍ଯ୍ୟ ପାଇଁ ବାଧ୍ୟ ହୋଇଥିଲେ। ଭିନ୍ନ ଭିନ୍ନ ବେଉସା ଆପଣାଉଥିବା ଭୋଇମାନେ ଭିନ୍ନ ଭିନ୍ନ ନାମରେ ପରିଚିତ ହେଲେ। ରାଜଭୋଇମାନେ ପାଲିଙ୍କି ବୋହିବା କାମ ମଧ୍ୟ କରିପାରୁଥିଲେ।
ମହିଳାଙ୍କ ଉଦ୍ୟୋଗ ଏବଂ କଠିନ ପରିଶ୍ରମକୁ ଭାନୁ ରାଜଭୋଇଙ୍କ ସମେତ ସମାଜର ପୁରୁଷମାନେ ଅଣଦେଖା କରିଥା’ନ୍ତି। କାନ ମଳି ସଫା କରିବା କାମ କରୁଥିବା ଭାନୁ ମହିଳାଙ୍କ ରୋଜଗାରକୁ ନେଇ କୁହନ୍ତି : ‘‘ଏଥିରୁ କୌଣସି ବିଶେଷ ସହାୟତା ମିଳେ ନାହିଁ। କେବଳ ଘର ଖର୍ଚ୍ଚରେ ସାମାନ୍ୟ ସହାୟତା ମିଳିଥାଏ।’’ ଶେଷରେ ଜାତି ଆଧାରିତ ପାରମ୍ପରିକ ରୂପରେ କରାଯାଉଥିବା ବେଉସାକୁ କେବଳ ‘‘ ଥୋଡ଼ା ବହୋତ୍ ଘର୍ କା ଖରଚ୍’’ (ଅଳ୍ପବହୁତ ଘର ଖର୍ଚ୍ଚ) ମାନ୍ୟତା ମିଳିଥାଏ।
କିନ୍ତୁ ଗୀତା ରାଜଭୋଇ ଏବେ ବି ଦରମାରେ ଚାକିରି କରିବା ଅପେକ୍ଷା ଆଉ କିଛି କରିବା ପାଇଁ ଚେଷ୍ଟା କରୁଛନ୍ତି, ଯେତେବେଳେ ସେ କହନ୍ତି ‘‘ଦଶମ କ୍ଲାସ୍ ପରେ କଲେଜ, ତା’ ପରେ ଯାଇ ଚାକିରି ମିଳିଥାଏ। ଏହାଠୁ ଭଲ ନିଜ ଧନ୍ଦା ସମ୍ଭାଳିବା।’’
ରିପୋର୍ଟର ଏଠାରେ ଆତିଶ ଇନ୍ଦ୍ରେକର ଛାରାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍