“ଘରେ ଜମା ରଖାଯାଇଥିବା କପାର ରଙ୍ଗ ଛାଡୁଛି ଓ ଏହାର ଓଜନ କମୁଛି। ଏହାର ରଙ୍ଗ ଯେତେ ଫିକା ପଡ଼ି ପଡ଼ି ଯିବ ବେପାରୀମାନେ ଆମକୁ ସେତେ କମ୍ ଦର ଦେବେ,” ଚିନ୍ତିତ କଣ୍ଠରେ କହିଲେ ସନ୍ଦୀପ। ମଧ୍ୟ ପ୍ରଦେଶ ଖରଗୋନ୍ ଜିଲ୍ଲାର ଗୋଗାଓଁ ତହସିଲର ଜଣେ କପାଚାଷୀ ସନ୍ଦୀପ, ୨୦୨୨ ଅକ୍ଟୋବରରେ କପା ଅମଳ ହେବା ପରଠାରୁ କପାର ଦର ବଢ଼ିବ ବୋଲି ଆଶା ବାନ୍ଧି ଅପେକ୍ଷା କରିଆସୁଛନ୍ତି।
ମଧ୍ୟ ପ୍ରଦେଶର ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା ମଧ୍ୟରୁ ଅନ୍ୟତମ ଖରଗୋନ୍ ଜିଲ୍ଲାର ୨.୧୫ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଏ। ପ୍ରତି ବର୍ଷ ମେ ମାସରେ କପା ବିହନ ବୁଣାଯାଏ ଏବଂ ଅକ୍ଟୋବରରୁ ଡିସେମ୍ବରର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅମଳ କରାଯାଏ। ଏହି ଆଠ ମାସ (ଅକ୍ଟୋବରରୁ ମେ) ଭିତରେ ଖରଗୋନର କପା ମଣ୍ଡିରୁ ଦୈନିକ ପ୍ରାୟ ୬ କୋଟି ଟଙ୍କାର କପା କିଣାଯାଏ। ମଧ୍ୟ ପ୍ରଦେଶରେ ତାଙ୍କର ମୋଟ ୧୮ ଏକର ଚାଷ ଜମିରୁ ୧୦ ଏକରରେ ସନ୍ଦୀପ କପାଚାଷ କରନ୍ତି।
୨୦୨୨ ଅକ୍ଟୋବରରେ ପ୍ରାୟ ୩୦ କୁଇଣ୍ଟାଲ କପା ଅମଳ କରି ସନ୍ଦୀପ ଖୁସି ହୋଇଥିଲେ। ବହରମପୁରା ଗାଁରେ ଥିବା ତାଙ୍କ ଜମିରୁ ପ୍ରଥମ ପର୍ଯ୍ୟାୟ କପା ତୋଳାରୁ ସେ ଏତକ ଅମଳ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ କପାତୋଳାରୁ ସେ ସମାନ ପରିମାଣର କପା ପାଇବେ ବୋଲି ଆକଳନ କରିଥିଲେ ଏବଂ ୨୬ କୁଇଣ୍ଟାଲ ପାଇଥିଲେ।
କିନ୍ତୁ କିଛି ଦିନ ପରେ, ଖରଗୋନର କପା ମଣ୍ଡିରେ ୩୦ କୁଇଣ୍ଟାଲ କପା ବିକିବାରେ ସେ ଅସମର୍ଥ ବୋଲି ଜାଣିପାରିଥିଲେ। ପ୍ରକୃତ କଥା ହେଲା, ୨୦୨୨ ଅକ୍ଟୋବର ୧୧ ତାରିଖରୁ କପା ବ୍ୟବସାୟୀମାନଙ୍କ ଆନ୍ଦୋଳନ କାରଣରୁ ମଧ୍ୟ ପ୍ରଦେଶର ସବୁ କପା ମଣ୍ଡି ବନ୍ଦ ରହିଥିଲା। ବ୍ୟବସାୟୀମାନେ ମଣ୍ଡି ଟିକସରେ ରିହାତି ଦାବି କରୁଥିଲେ। ମଧ୍ୟ ପ୍ରଦେଶରେ ଏହି ଟିକସ ହାର ପ୍ରତି ୧୦୦ ଟଙ୍କା ଉପରେ ୧ ଟଙ୍କା ୭୦ ପଇସା ଥିଲା ଏବଂ ସାରା ଦେଶରେ ଏହା ସର୍ବାଧିକ। ବ୍ୟବସାୟୀମାନଙ୍କ ଧର୍ମଘଟ ଆଠ ଦିନ ଚାଲିଲା।
ଧର୍ମଘଟର ଦିନକ ପୂର୍ବରୁ (ଅକ୍ଟୋବର ୧୦) ଖରଗୋନ୍ କପା ମଣ୍ଡିରେ କପା ଦର କୁଇଣ୍ଟାଲ ପିଛା ୮,୭୪୦ ଟଙ୍କା ଥିଲା। ଧର୍ମଘଟ ସରିବା ପରେ ଏହି ଦର କୁଇଣ୍ଟାଲ ପିଛା ୮୯୦ ଟଙ୍କା ହ୍ରାସ ପାଇ ୭,୮୫୦ ଟଙ୍କା ହେଲା। ୨୦୨୨ ମସିହା ଅକ୍ଟୋବର ୧୯ ତାରିଖ ଦିନ ମଣ୍ଡି ପୁଣି ଖୋଲିଲା ସତ, ହେଲେ ଦର କମିଯାଇଥିବାରୁ ସେ ତାଙ୍କ କପା ବିକିଲେ ନାହିଁ। ୨୦୨୨ ଅକ୍ଟୋବର ମାସରେ PARI ସହ କଥାବାର୍ତ୍ତା ଅବସରରେ ଏହି ୩୪ ବର୍ଷୀୟ ଚାଷୀ କହିଲେ, “ମୁଁ ଏବେ ଯଦି ମୋ ଫସଲ ବିକିବି, ତେବେ କିଛି ଲାଭ ପାଇବି ନାହିଁ।”








