“ମୁଁ ଯେବେ ପ୍ରଥମେ ହରିଣ ଦେଖିଲି, ମୁଁ ସେଥିରେ ଏତେ ମୁଗ୍ଧ ହେଇଗଲି ଯେ ଆଉ ମୁଁ ହଲି ପାରିଲି ନାହିଁ”, ମନେ ପକାନ୍ତି ସବିର ହୁସେନ ଭଟ୍ଟ। ମୂଳତଃ କାଶ୍ମୀରରେ ରହୁଥିବା ଭୀଷଣ ବିପଦଗ୍ରସ୍ତ ସେହି ହରିଣ (ସର୍ଭସ ଏଲାଫସ ହଙ୍ଗଲୁ) ଦର୍ଶନ ପାଇବାକୁ ସେ ବାରମ୍ବାର ସେହି ସମାନ ସ୍ଥାନକୁ ଯିବାରେ ଲାଗିଲେ।
ଏହାର ପ୍ରାୟ ପାଖାପାଖି ୨୦ ବର୍ଷ ପରେ ବି ୧୪୧ ବର୍ଗ କି. ମି. ପରିମିତ ଏହି ଉଦ୍ୟାନରେ ଜୀବଜନ୍ତୁ, ଚଢ଼େଇ, ଗଛଲତା ଓ ଫୁଲ ଇତ୍ୟାଦି ପ୍ରତି ତାଙ୍କର ଆକର୍ଷଣ ଆଦୌ କମିନାହିଁ ବୋଲି ଜଣେଇବା ସହ ସେ କହନ୍ତି, “ମୁଁ ନିର୍ଦ୍ଦିଷ୍ଟ ଭାବେ କହିବି ଯେ, ହଙ୍ଗଲୁ (ହରିଣ) ମୋ ଭିତରେ ଏକ ପ୍ରକାର ଚମକ ସୃଷ୍ଟି କଲା ଓ ହିମାଳୟର କଳା ଭାଲୁ ମଧ୍ୟ”।
ଉଦ୍ୟାନରେ ତାଙ୍କୁ ଶ୍ରଦ୍ଧାରେ ‘ଡଚିଗାମର ଏନସାଇକ୍ଳୋପିଡିଆ’ ବୋଲି କୁହାଯାଏ। “ବର୍ତ୍ତମାନ ସୁଦ୍ଧା ମୁଁ ଏହି ଅଞ୍ଚଳର ୪୦୦ ପ୍ରଜାତିର ଗଛଲତା, ୨୦୦ ରୁ ଅଧିକ ପ୍ରଜାତିର ଚଢ଼େଇ ଓ ପ୍ରାୟ ସମସ୍ତ ପ୍ରଜାତିର ଜୀବଜନ୍ତୁଙ୍କୁ ଚିହ୍ନଟ କରି ସାରିଲିଣି”, ସେ ‘ପରୀ’କୁ କହନ୍ତି। ଏହି ଉଦ୍ୟାନରେ ଦେଖିବାକୁ ମିଳୁଥିବା ଅନ୍ୟାନ୍ୟ ହିଂସ୍ରଜନ୍ତୁଙ୍କ ମଧ୍ୟରେ ରହିଛନ୍ତି: କସ୍ତୁରୀ ମୃଗ (ମସ୍କ ଡିଅର), ହିମାଳୟର ମାଟିଆ ଭାଲୁ (ହିମାଲୟାନ ବ୍ରାଉନ ବିଅର), ତୁଷାର ଚିତାବାଘ (ସ୍ନୋ ଲିଓପାର୍ଡ) ଓ ସୁବର୍ଣ୍ଣ ବାଜପକ୍ଷୀ (ଗୋଲ୍ଡେନ ଇଗଲ)।
















