ଏଠି ମାଜୁଲିରେ ଗାଈ ଗୋବର, ମାଟି ଏବଂ ବାଉଁଶକୁ ଏକ ସଙ୍ଗେ ମିଶାଇ ମୁଖା ତିଆରି କରାଯାଏ। ବ୍ରହ୍ମପୁତ୍ରର ଏହି ଦ୍ୱୀପରେ ରହୁଥିବା ଶିଳ୍ପକାରମାନେ ପିଢ଼ି ପିଢ଼ି ଧରି ଏହି କୌଶଳକୁ ଅଭ୍ୟାସ କରି ଆସୁଛନ୍ତି । ଶିଳ୍ପୀ ଅନୁପମ ଗୋସ୍ୱାମୀ କୁହନ୍ତି, ‘‘ମୁଖା ଆମ ସଂସ୍କୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନ ଏହାକୁ ତିଆରି କରୁଥିବା ଶେଷ ପରିବାରଗୁଡ଼ିକ ମଧ୍ୟରୁ ଆମେ ଅନ୍ୟତମ।’’ ଏଠାରେ ତିଆରି କରାଯାଉଥିବା ସରଳ ଏବଂ ବଡ଼, ଉଭୟ ପ୍ରକାରର ମୁଖା ବ୍ରହ୍ମପୁତ୍ରରେ ଏହି ଦ୍ୱୀପରେ ଆୟୋଜନ କରାଯାଉଥିବା ବାର୍ଷିକ ନାଟ୍ୟ କାର୍ଯ୍ୟକ୍ରମ ଓ ସାରା ଦେଶରେ ଆୟୋଜିତ ପର୍ବପର୍ବାଣୀରେ ପିନ୍ଧା ଯାଇଥାଏ।
୨୫ ବର୍ଷ ବୟସ୍କ ଅନୁପମ କୁହନ୍ତି, ‘‘ନିଜ ପାରିବାରିକ ପରମ୍ପରାକୁ ଆଗକୁ ବଢ଼ାଇବାର ଦାୟିତ୍ୱ ମୋର।’’ ସେମାନଙ୍କ ପରିବାର ଅନେକ ପିଢ଼ି ଧରି ଏହି କାମ କରିଆସୁଛି ଏବଂ ୯ ଜଣିଆ ପରିବାରରେ ସମସ୍ତେ ଏହି ଶିଳ୍ପ ସହ ଯୋଡ଼ି ହୋଇ ରହିଛନ୍ତି ।
ଦିବେନ୍ଦ୍ର ଗୋସ୍ୱାମୀ କୁହନ୍ତି, ‘‘ସାରା ବିଶ୍ୱରୁ ଅନେକ ପର୍ଯ୍ୟଟକ ମାଜୁଲି ବୁଲିବା ପାଇଁ ଆସିଥାନ୍ତି ଏବଂ ସେମାନେ ସ୍ମୃତିଚିହ୍ନ ରୂପରେ ମୁଖା କିଣିଥାନ୍ତି।’’ ସେ ଅନୁପମଙ୍କର ୪୪ ବର୍ଷ ବୟସ୍କ କକା, ଯିଏକି ପରିବାରର ମାଲିକାନାରେ ଥିବା ଦୋକାନରେ ଭିନ୍ନ ଭିନ୍ନ ଆକାରର ମୁଖା ବିକ୍ରି କରିଥାନ୍ତି । ଗୋଟିଏ ମୁଖାର ଦାମ୍ ୩୦୦ ଟଙ୍କା, କିନ୍ତୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ବଡ଼ ମୁଖାର ଦାମ୍ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ।
ମାଜୁଲି ଭାରତର ସବୁଠୁ ବଡ଼ ନଦୀ ଦ୍ୱୀପ ଏବଂ ୨୦୧୧ ଜନଗଣନା ଅନୁଯାୟୀ, ‘୬୨ଟି ସତ୍ର (ବୈଷ୍ଣବ ମଠ) ଥିବାରୁ ଏହାକୁ ଅହମୀୟା ବୈଷ୍ଣବ ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ବିବେଚନା କରାଯାଏ












