ନାରାୟଣ ଗାଏକୱାଡ଼ ନିଜ ଜମିରେ ଫଳିଥିବା କିଛି ଜଡ଼ା ଗଛକୁ ଦେଖିଲେ ତାଙ୍କର କୋହ୍ଲାପୁରୀ ଚପଲ କଥା ମନେ ପଡ଼ିଥାଏ ଯାହାକୁ ସେ ୨୦ ବର୍ଷ ପୂର୍ବରୁ ବ୍ୟବହାର କରୁଥିଲେ। ‘‘ଆମେ କୋହ୍ଲାପୁରୀ ଚପଲରେ ଜଡ଼ା ତେଲ ମାରୁଥିଲୁ। ଏହା ଚପଲର ସ୍ଥାୟିତ୍ୱ ବଢ଼ାଉଥିଲା,’’ ଏହି ୭୭ ବର୍ଷ ବୟସ୍କ ଚାଷୀ କହିଥାନ୍ତି। ତେଲ ଓ ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରସିଦ୍ଧି ଆଣି ଦେଇଥିବା ଚପଲ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ ବିଷୟରେ ସେ ବର୍ଣ୍ଣନା କରିଥା’ନ୍ତି।
କୋହ୍ଲାପୁରୀ ଚପଲକୁ ତୈଳାକ୍ତ କରିବା ଲାଗି କୋହ୍ଲାପୁର ଜିଲ୍ଲାରୁ ମୁଖ୍ୟତଃ ଜଡ଼ା ତେଲ ପ୍ରସ୍ତୁତ କରାଯାଏ। ମଈଁଷି କିମ୍ବା ଗାଈ ଚମଡ଼ାରେ ଏହି ଚପଲ ତିଆରି କରାଯିବା ପରେ କୋମଳତା ଓ ଆକୃତିକୁ ବଜାୟ ରଖିବା ପାଇଁ ତେଲ ଲଗାଇ ଏହାକୁ ତୈଳାକ୍ତ କରାଯାଉଥିଲା। ଏଥିପାଇଁ ଜଡ଼ା ଗଛରୁ ବାହାରୁଥିବା ତେଲକୁ ବେଶୀ ପ୍ରାଥମିକତା ଦିଆଯାଉଥିଲା।
କୋହ୍ଲାପୁର ଦେଶୀୟ ପ୍ରଜାତି ହୋଇନଥିଲେ ସୁଦ୍ଧା ଜଡ଼ା (ରିସିନସ୍ କମ୍ୟୁନିସ୍) ଏହି ଅଞ୍ଚଳର ଏକ ଲୋକପ୍ରିୟ ଫସଲ ଥିଲା। ସବୁଜ ପତ୍ର ଓ ମୋଟା ଗଣ୍ଡି ଥିବା ଏହି ଉଦ୍ଭିଦ ବର୍ଷ ସାରା ହୋଇପାରିବ। ଭାରତରେ ବିଶ୍ୱର ସର୍ବାଧିକ ଜଡ଼ା ଉତ୍ପାଦନ ହୋଇଥାଏ। ୨୦୨୧-୨୨ରେ ଆନୁମାନିକ ୧୬.୫ ଲକ୍ଷ ଟନ୍ ଜଡ଼ା ଉତ୍ପାଦିତ ହୋଇଥିଲା। ଭାରତରେ ସବୁଠୁ ଅଧିକ ଜଡ଼ା ଉତ୍ପାଦନକାରୀ ରାଜ୍ୟ ହେଲେ - ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ରାଜସ୍ଥାନ।
‘‘ମାଝେ ୱଡିଲ୍ ୯୬ ବର୍ଷ ଜଗଲେ (ମୋ ବାପା ୯୬ ବର୍ଷ ବଞ୍ଚିଥିଲେ)- ଏବଂ ସେ ପ୍ରତିବର୍ଷ ଏରଣ୍ଡି (ଜଡ଼ା) ଚାଷ କରୁଥିଲେ,’’ ନାରାୟଣ କୁହନ୍ତି। ସେ ବର୍ଷ ପରେ ବର୍ଷ ଏହି ପରମ୍ପରାକୁ ବଜାୟ ରଖି ନିଜର ୩.୨୫ ଏକର ଜମିରେ ଜଡ଼ା ଚାଷ କରିଛନ୍ତି। ‘‘ଆମେ ଏହି ସ୍ୱଦେଶୀ ଏରଣ୍ଡି ବିନ୍ ଆକୃତିର ମଞ୍ଜିକୁ ସଂରକ୍ଷିତ କରି ରଖିଛୁ। ଏଗୁଡ଼ିକ ଅତିକମରେ ୧୫୦ ବର୍ଷ ପୁରଣା ହେବ,’’ ଖବରକାଗଜରେ ସୁରକ୍ଷିତ ଭାବେ ଗୁଡ଼ାଇ ରଖିଥିବା ମଞ୍ଜିକୁ ଦେଖାଇ ନାରାୟଣ କହିଥାନ୍ତି। ‘‘ଫକ୍ତ ବାଇକୋ ଆଣି ମି ଶେୱକିଣ (କେବଳ ମୁଁ ଓ ମୋ ପତ୍ନୀ ଏବେ ଏହାର ସଂରକ୍ଷକ)।’’
ନାରାୟଣ ଓ ତାଙ୍କ ପତ୍ନୀ କୁସୁମ (୬୬) ଜଡ଼ା ମଞ୍ଜିରୁ ହାତରେ ତେଲ ବାହାର କରିଥା’ନ୍ତି। ପାଖରେ ତେଲ କଳ ରହିଥିଲେ ସୁଦ୍ଧା ସେମାନେ ପରିଶ୍ରମ କରି ହାତରେ ତେଲ ବାହାର କରିଥା’ନ୍ତି। ‘‘ପୂର୍ବରୁ ଆମେ, ପ୍ରତି ତିନି ମାସରେ ଥରେ ତେଲ ବାହାର କରୁଥିଲୁ,’’ ନାରାୟଣ କୁହନ୍ତି।



















