ପୋଲୋ ଖେଳ ଆୟୋଜନ କରାଯାଉଥିବା ଭାରତର ବିଭିନ୍ନ ସ୍ଥାନ ସମ୍ପର୍କରେ ତାଲିକା ଦେଇ ରଞ୍ଜିତ ମଲ କୁହନ୍ତି, ‘‘କୋଲକାତା ହେଉ, କିମ୍ବା ଜୟପୁର, ଦିଲ୍ଲୀ ହେଉ ଅଥବା ମୁମ୍ବାଇ, ବାଉଁଶର ପୋଲୋ ବଲ୍ ସିଧାସଳଖ ଦିଓଲପୁରରୁ ଯାଉଥିଲା।’’
ପଶ୍ଚିମବଙ୍ଗର ଜନବହୁଳ ସହର ଦିଓଲପୁରର ଜଣେ ପୋଲୋ ବଲ୍ କାରିଗର ରଞ୍ଜିତ (୭୧) ପ୍ରାୟ ୪୦ ବର୍ଷ ଧରି ଗୁଆଡୁଆ ବାଉଁଶ ମୂଳରେ ବଲ୍ ତିଆରି କରି ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାଁଶେ-ର୍ ଗଡ଼ା କୁହାଯାଉଥିବା ବାଉଁଶ ଗଛର ମୂଳ ଅଂଶ ମାଟି ତଳେ ରହିଥାଏ ଏବଂ ଏହା ଗଛକୁ ବଢ଼ିବା ଓ ବିସ୍ତାରିତ ହେବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସେ ଏହି ଶିଳ୍ପର ଅନ୍ତିମ ଶିଳ୍ପକାର (କାରିଗର) ଅଟନ୍ତି; ଏହି କୌଶଳ ଏବେ ଇତିହାସ ଗର୍ଭରେ ଲୀନ ହୋଇଗଲାଣି ବୋଲି ସେ କୁହନ୍ତି।
କିନ୍ତୁ, ୧୬୦ ବର୍ଷରୁ ଅଧିକ ସମୟ ଧରି ଖେଳାଯାଇ ଆସୁଥିବା ଆଧୁନିକ ପୋଲୋ ଖେଳକୁ ପ୍ରାରମ୍ଭିକ ଅବସ୍ଥାରେ ସେନା ଅଧିକାରୀ, ରାଜବଂଶଜ ଓ ବିଶିଷ୍ଟ କ୍ଲବ୍ଗୁଡ଼ିକ ଦ୍ୱାରା ଖେଳାଯାଉଥିଲା। ଏଥିପାଇଁ ବାଉଁଶ ବଲ୍ ଦିଓଲପୁରରୁ ଆସୁଥିଲା। ବାସ୍ତବରେ, ବିଶ୍ୱର ପ୍ରଥମ ପୋଲୋ କ୍ଲବ୍ ୧୮୫୯ରେ ଆସାମର ସିଲଚରରେ ପ୍ରତିଷ୍ଠା କରାଯାଇଥିଲା; ଦ୍ୱିତୀୟ କ୍ଲବ୍ ୧୮୬୩ରେ କଲିକତାରେ ସ୍ଥାପନ ହେଲା। ଆଧୁନିକ ପୋଲୋ ଖେଳ ସଗୋଲ କାଙ୍ଗଜେଇ (ମଣିପୁରରେ ମୈତୈ ସମ୍ପ୍ରଦାୟର ଏକ ପାରମ୍ପରିକ ଖେଳ)ର ଏକ ନୂଆ ସଂସ୍କରଣ। ମୈତୈ ଲୋକମାନେ ହିଁ ଖେଳରେ ବାଉଁଶ ମୂଳରେ ତିଆରି ହୋଇଥିବା ବଲ୍ ବ୍ୟବହାର କରୁଥିଲେ ।
୧୯୪୦ ଦଶକର ପ୍ରାରମ୍ଭିକ ଭାଗରେ, ଦିଓଲପୁର ଗାଁରେ ଛଅରୁ ସାତଟି ପରିବାର ୧୨୫ରୁ ଅଧିକ କାରିଗରଙ୍କୁ ରୋଜଗାର ଦେଇଥିଲେ, ଯେଉଁମାନେ ସାମୂହିକ ରୂପରେ ବାର୍ଷିକ ଏକ ଲକ୍ଷ ପୋଲୋ ବଲ୍ ତିଆରି କରୁଥିଲେ। ରଞ୍ଜିତ କୁହନ୍ତି, ‘‘ଆମ କୁଶଳୀ ଶିଳ୍ପକାର ମାନେ ପୋଲୋ ବଜାରକୁ ଜାଣିଥିଲେ।’’ ତାଙ୍କର ଏହି ଦାବିକୁ ହାଓଡ଼ା ଜିଲ୍ଲାର ଏକ ବ୍ରିଟିଶ କାଳର ସର୍ବେକ୍ଷଣ ଏବଂ ବନ୍ଦୋବସ୍ତ ରିପୋର୍ଟ ପ୍ରମାଣିତ କରିଥାଏ, ଯେଉଁଥିରେ କୁହାଯାଇଛି : ‘‘ଦିଓଲପୁର ଭାରତର ଏକମାତ୍ର ସ୍ଥାନ ଯେଉଁଠି ପୋଲୋ ବଲ୍ ତିଆରି କରାଯାଇଥାଏ।’’
ରଞ୍ଜିତଙ୍କ ପତ୍ନୀ ମିନୋତୀ ମଲ କୁହନ୍ତି, ‘‘ପୋଲୋ ବଲ୍ ତିଆରି କରିବାର ବ୍ୟବସାୟ ଖୁବ୍ ଭଲ ଚାଲୁଥିବା କାରଣରୁ ମୋ ବାପା ମାତ୍ର ୧୪ ବର୍ଷ ବୟସରେ ଏଠାରେ ମୋ ବାହାଘର କରାଇ ଦେଇଥିଲେ।’’ ଏବେ ତାଙ୍କ ବୟସ ଷାଠିଏ ବର୍ଷରୁ ଅଧିକ ହେବ ଏବଂ ଦଶ ବର୍ଷ ପୂର୍ବରୁ ସେ ଏହି କାମରେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରୁଥିଲେ। ସେମାନଙ୍କ ପରିବାର ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମଲ ସମ୍ପ୍ରଦାୟର ବାସିନ୍ଦା ଅଟନ୍ତି; ରଞ୍ଜିତ ତାଙ୍କ ଜୀବନର ଅଧିକାଂଶ ସମୟ ଦିଓଲପୁରରେ ବିତାଇଛନ୍ତି।
ନିଜ ଘରେ ଏକ ମଦୁର ଘାସ ଚଟେଇ ଉପରେ ବସି ସେ ପୁରୁଣା ସମ୍ବାଦପତ୍ର ଏବଂ ପତ୍ରିକାରେ ପ୍ରକାଶ ପାଇଥିବା ଖବର ଓ ଲେଖାଗୁଡ଼ିକୁ ନେଇ ତାଙ୍କର ମୂଲ୍ୟବାନ ସଂଗ୍ରହକୁ ଖୋଜୁଛନ୍ତି । ସେ ଗର୍ବର ସହ କହିଥାନ୍ତି, ‘‘ଯଦି ଆପଣଙ୍କୁ ଏ ଦୁନିଆରେ କେଉଁଠି ଲୁଙ୍ଗି ପିନ୍ଧି ପୋଲୋ ବଲ୍ ତିଆରି କରୁଥିବା ବ୍ୟକ୍ତିର ଫଟୋ ମିଳେ, ତା’ହେଲେ ସେହି ଫଟୋ ମୋର ହୋଇଥିବ।’’














