କମଲକୋଷ ଚଟେଇର ସୂକ୍ଷ୍ମ ବୁଣାକାମକୁ ଅଳ୍ପ କେତେ ଜଣ ପସନ୍ଦ କରନ୍ତି।
ଆହୁରି କମ୍ ଲୋକ ଏହାକୁ ବୁଣିପାରନ୍ତି।
ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ତିଆରି ହୋଇଥାଏ ଏହି ଅତି ସୂକ୍ଷ୍ମ କାରିଗରୀ କୌଶଳ ସନ୍ନିହିତ ବେତ ଚଟେଇ। ମଣ୍ଡଦିଆ ଅତି ପତଳା ବେତ ପାତିଆରୁ ତିଆରି ଏହି ଚଟେଇ ଅନ୍ୟାନ୍ୟ ଚଟେଇଠାରୁ ଏଥିପାଇଁ ଭିନ୍ନ ଯେ, ଏହା ଉପରେ ଅଙ୍କା ହୋଇଥାଏ ବିଭିନ୍ନ ସାଂସ୍କୃତିକ ସନ୍ତକ।
“ଗୋଟିଏ ପାରମ୍ପରିକ କମଲକୋଷ ରେ ଶୋଭା ପାଉଥାଏ କଲା ଗାଛ (କଦଳୀ ଗଛ), ମୟୂର, ମଙ୍ଗଲ ଘଟ (ନଡ଼ିଆ ସହିତ ପୂର୍ଣ୍ଣକୁମ୍ଭ), ସ୍ୱସ୍ତିକ (ଶୁଭ ଚିହ୍ନ),” ପ୍ରଭାତୀ ଧର କହନ୍ତି।
ପ୍ରଭାତୀ ସେହି ହାତଗଣତି କମଲକୋଷ ବୁଣାକାରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏଥିରେ ଚଟେଇ ବୁଣିପାରନ୍ତି, ଏବଂ ସେ ଏହି ବୁଣାକାମ ଆରମ୍ଭ କରିଥିଲେ ପିଲାଟି ଦିନରୁ, ମାତ୍ର ୧୦ ବର୍ଷ ବୟସରୁ। “ଏହି ଗାଁ (ଘେଘିରଘାଟ)ର ପ୍ରତ୍ୟେକ ବ୍ୟକ୍ତି ଖୁବ୍ ଅଳ୍ପ ବୟସରୁ ଚଟେଇ ବୁଣା ଆରମ୍ଭ କରନ୍ତି,” ଅଳ୍ପ ବୟସରେ ପରିପକ୍ୱତା ସମ୍ଭାବନାକୁ ଅଗ୍ରାହ୍ୟ କରି କହନ୍ତି ଏହି ୩୬ ବର୍ଷୀୟା ମହିଳା ଜଣକ। “ମୋ ମାଆ କମଲକୋଷ ର କେତେକ ଅଂଶ ବୁଣି ପାରୁଥିଲେ। କିନ୍ତୁ ମୋ ବାପା ଏହାର ଡିଜାଇନକୁ ଭଲ ଭାବରେ ଜାଣିଥିଲେ ଏବଂ ବେଳେବେଳେ ସେ ଏହାକୁ ବୁଝାଇ ଦେବାକୁ ଯାଇ ‘ଏହି ଡିଜାଇନକୁ ଏମିତି ବୁଣିବାକୁ ଚେଷ୍ଟା କର’ ବୋଲି କହୁଥିଲେ। ସେ ନିଜେ ବୁଣାକାମ କରି ପାରୁନଥିଲେ ସତ, କିନ୍ତୁ ଏ ସଂପର୍କିତ ତାଙ୍କର ବିସ୍ତୃତ ଜ୍ଞାନରୁ ପ୍ରଭାତୀ ବହୁତ କିଛି ଶିଖିଛନ୍ତି ବୋଲି ମନେ କରନ୍ତି।
ଆମେ ବସିଛୁ ଘେଘିରଘାଟ ଗାଁର ତାଙ୍କ ଘର ବାରଣ୍ଡାରେ। ଏ ଅଞ୍ଚଳର ଅନେକ ବୁଣାକାର ଏମିତି ଛାତ ତଳେ ଥିବା ବାରଣ୍ଡାରେ କାମ କରିବାକୁ ପସନ୍ଦ କରନ୍ତି। ପରିବାରର ଅନ୍ୟମାନେ ତାଙ୍କ ଆଖପାଖରେ ଥାଆନ୍ତି ଏବଂ ବୁଣାକାମ ସହ ସଂପୃକ୍ତ ଛୋଟମୋଟ କାମରେ ତାଙ୍କର ସହାୟତା କରନ୍ତି। ବେତ ଚଟେଇ ଉପରେ, ସରୁ ସରୁ ବେତର ପାତିଆରେ ବୁଣା ହେଉଥିବା ଏ ସବୁ ଶୁଭ ସଂକେତର ପରିକଳ୍ପନା କେବଳ ସେ ନିଜେ କରିଥାଆନ୍ତି। ତାଙ୍କ ଡିଜାଇନ ଅଙ୍କନର ପ୍ରକ୍ରିୟା ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି, “ଆମେ ଯାହା ମନେ ରଖିଛୁ, ସେଥିରୁ ହିଁ ଏହା କରିବାରେ ଅଭ୍ୟସ୍ତ।”
ନିକଟବର୍ତ୍ତୀ ଧାଲିଆବାଡ଼ି ସହରର ଜଣେ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଭୌମିକ ଅନେକ ସମୟରେ କମଲକୋଷ ପାଇଁ ପ୍ରଭାତୀଙ୍କୁ ବରାଦ ଦିଅନ୍ତି। “ କମଲକୋଷ ହଲୋ ଏକ୍ଟି ଶୌକୀନ ଜିନିଷ (କମଲକୋଷ ହେଉଛି ଗୁଣଗ୍ରାହୀ ଲୋକଙ୍କ ପସନ୍ଦର ଜିନିଷ)। କେବଳ ଜଣେ ବଙ୍ଗାଳି ବ୍ୟକ୍ତି ହିଁ ଗୋଟିଏ ଭଲ ପାଟି ର ମୂଲ୍ୟ ବୁଝିପାରିବେ। ସେହି କାରଣରୁ, ସେମାନେ ହିଁ ଉଚ୍ଚ ଗୁଣମାନ ବିଶିଷ୍ଟ ଚଟେଇର ମୁଖ୍ୟ ଗ୍ରାହକ,” ‘ପରୀ’କୁ ସେ କହନ୍ତି।
ଧର ପରିବାର ରହନ୍ତି ଘେଘିରଘାଟ ଗାଁରେ। ଏହି ଗାଁର ପ୍ରାୟ ସମସ୍ତେ କେବଳ ବୁଣାକାର ପରିବାରର, ବାସ୍ତବରେ ସମଗ୍ର କୁଚ୍ବିହାର-ପ୍ରଥମ ବ୍ଲକ୍ର ପ୍ରାୟ ସମସ୍ତେ ବୁଣାକାର। ସେମାନେ ହେଲେ ପାଟି ବୁଣାକାର, ବାଂଲାଦେଶର ମୂଳ ବାସିନ୍ଦା। ପ୍ରତ୍ୟେକ ବୁଣାକାରଙ୍କର ରହିଛି ପୃଥକ୍ ପୃଥକ୍ ନିଜସ୍ୱ ଶୈଳୀ ଓ କାରିଗରୀ, ଯାହାକି ସେମାନଙ୍କର ମୂଳ ବାସସ୍ଥାନ ଉପରେ ଆଧାରିତ। ହେଲେ ତାହା ଆଉ ଏକ କାହାଣୀ, ଖୁବ୍ ଶୀଘ୍ର ପ୍ରକାଶ ପାଇବ।
ମୋଟାମୋଟି ଭାବେ ଚଟେଇ ବୁଣାକୁ ପାଟି ବୁଣା ରୂପେ ବର୍ଗୀକରଣ କରାଯାଏ ଏବଂ ଏହା ମୋଟା ପାଟି ରୁ ଆରମ୍ଭ କରି ଅତି ସୂକ୍ଷ୍ମ ପାଟି ଏବଂ ବିରଳ କମଲକୋଷ ରୂପରେ ବୁଣାଯାଏ। ଏହି ବେତ ( Schumannianthus dichotomus ) ଏକ ଦେଶୀ ପ୍ରଜାତିର ବେତ ଏବଂ ଏହା ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରେ ମିଳିଥାଏ।
କମଲକୋଷ ଚଟେଇର ବାହ୍ୟ ଆସ୍ତରଣ ପ୍ରସ୍ତୁତି ନିମନ୍ତେ ବେତର କାଣ୍ଡକୁ ଅତି ଯତ୍ନରେ ପତଳା ପାତିଆରେ ପରିଣତ କରାଯାଏ। ଯାହାକୁ ବେତ୍ ବୋଲି କୁହାଯାଏ। ତା’ପରେ ଅଧିକ ଚମକ ଏବଂ ଶୁଭ୍ରତା ଲାଗି ଏହାକୁ ମଣ୍ଡ ଦେଇ ସିଝାଇ ଦିଆଯାଏ- କପଡ଼ାରେ ରଙ୍ଗ ଦେବା ଲାଗି ଏହି ପ୍ରକ୍ରିୟା ଅଧିକ ଉପଯୋଗୀ।
ତାଙ୍କ ସ୍ୱାମୀ ମନୋରଞ୍ଜନ ଧର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି କାର୍ଯ୍ୟ କରିଥାଆନ୍ତି। ପୁରୁଣା କଥାକୁ ମନେ ପକାଇ ସେ କହନ୍ତି ଯେ, ତାଙ୍କ ବିବାହ ପରେ, ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ଖୁବ୍ ସୂକ୍ଷ୍ମ ଭାବରେ ଚଟେଇ ବୁଣି ପାରନ୍ତି। କିନ୍ତୁ ଏଥିପାଇଁ ଉପଯୁକ୍ତ କଞ୍ଚାମାଲ ଆବଶ୍ୟକ ଏବଂ ଏହା ପରେ “ଧୀରେ ଧୀରେ ମୋ ସ୍ୱାମୀ କମଲକୋଷ ବୁଣିବା ଲାଗି ବେତକୁ କାଟି ଅତି ପତଳା ପାତିଆ ତିଆରି କରିବା ଶିଖିଯାଇଥିଲେ।”
ପ୍ରଭାତୀ ଆମକୁ କହୁଥିବା ବେଳେ ଆମେ ତାଙ୍କ ହାତକୁ ଲକ୍ଷ୍ୟ କରୁଥାଉ। ଆମ କଥାବାର୍ତ୍ତାର ଶବ୍ଦ ବ୍ୟତୀତ ଆଉ ଯେଉଁ ଶବ୍ଦ ଆମ କାନରେ ବାଜୁଥାଏ, ତାହା ହେଲା ତାଙ୍କର ଚଳଚଞ୍ଚଳ ଆଙ୍ଗୁଠି ଭିତର ଦେଇ ଯାଉଥିବା ବେତ ପାତିଆଗୁଡ଼ିକ ଘଷି ହେବାର ଶବ୍ଦ। ଏ ଅଞ୍ଚଳର ଶାନ୍ତ ପରିବେଶରେ ଲଗାଲଗି ହୋଇ ଗଢ଼ି ଉଠିଛି ସେମାନଙ୍କ ଘରଗୁଡ଼ିକ। ମଝିରେ ମଝିରେ ରାସ୍ତାରେ ଗାଡ଼ିମଟର ଯିବାର ଶବ୍ଦ ଶୁଭୁଥାଏ। ତାଙ୍କ ଘରକୁ ଘେରି ରହିଥାଏ କେତେକ କଦଳୀ ଓ ଗୁଆ ଗଛ; ଘର ଭିତରୁ ଦିଶୁଥାଏ ପ୍ରାୟ ସାତ ଫୁଟ ଉଚ୍ଚ ଯାଏଁ ଗଦା ହୋଇ ରହିଥିବା ଅନେକ ଗହଳିଆ ବେତ ଗୋଛା।
ହାତମାପରେ କାମ କରନ୍ତି ଏହି ପ୍ରବୀଣ କାରିଗର ଜଣକ- ‘ ଏକ୍ ହାଥ୍ ’ କହିଲେ ମୋଟାମୋଟି ୧୮ ଇଞ୍ଚ, ଯାହା ଗୋଟିଏ ହାତର ଲମ୍ବା ଅନୁସାରେ ମାପ କରାଯାଏ। ଅଢ଼େଇ ହାତ ଚଉଡ଼ା ଏବଂ ଚାରି ହାତ ଲମ୍ବା ଚଟେଇ ଅର୍ଥାତ୍ ପ୍ରାୟ ଚାରି ଫୁଟ ଚଉଡ଼ା ଓ ଛଅ ଫୁଟ ଲମ୍ବାର ଚଟେଇ।
କାମରୁ କିଛି ସମୟ ବିରତି ନେଇ ପ୍ରଭାତୀ ତାଙ୍କ ମୋବାଇଲରେ ଫଟୋ ଖୋଜିବାରେ ଲାଗନ୍ତି ଏବଂ ତାଙ୍କ ଗ୍ରାହକମାନଙ୍କ ପାଇଁ ସେ ତିଆରି କରିଥିବା କେତେକ କମଲକୋଷ ଚଟେଇର ଫଟୋ ଆମକୁ ଦେଖାନ୍ତି। “ କମଲକୋଷ ଚଟେଇ କେବଳ ବରାଦ ଦେଲେ ତିଆରି ହୁଏ। ଏଠାକାର ବ୍ୟବସାୟୀମାନେ ବରାଦ ଦେଲେ ହିଁ ଆମେ ତାକୁ ବୁଣିଥାଉ। ଏଭଳି ସ୍ୱତନ୍ତ୍ର ଧରଣର ଚଟେଇ ହାଟରେ (ସାପ୍ତାହିକ ବଜାରରେ) ବିକ୍ରି ହୁଏ ନାହିଁ।”
ଆଜିକାଲି ଚଟେଇ ଉପରେ ନାଁ ଓ ତାରିଖ ବୁଣି ଏହାକୁ ବ୍ୟକ୍ତିଗତ କରି ରଖିବାର ଏକ ନୂତନ ଧାରା ଚାଲିଛି। “ବିବାହ ଉତ୍ସବ ପାଇଁ ଚଟେଇ ଉପରେ ବର ଓ କନ୍ୟାଙ୍କ ନାମ ବୁଣିଦେବା ଲାଗି ଗ୍ରାହକମାନେ ଆମକୁ କହନ୍ତି। ବିଜୟା ଦଶମୀ ଅବସରରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଲାଗି ବ୍ୟବହୃତ ‘ ଶୁଭ ବିଜୟା ’ ଭଳି ଶବ୍ଦ ଲେଖିବାକୁ ଅନେକ ଲୋକ ଅନୁରୋଧ କରନ୍ତି,” ପର୍ବପର୍ବାଣୀ ଏବଂ ବିବାହ ଉତ୍ସବ ସମୟରେ ଲୋକେ ଏଭଳି ସ୍ୱତନ୍ତ୍ର ଚଟେଇ କିଣନ୍ତି ବୋଲି ସେ କହନ୍ତି। ପ୍ରଭାତୀ କହନ୍ତି “ବଙ୍ଗାଳି ଭାଷା ତୁଳନାରେ ଇଂଲିଶରେ ଶବ୍ଦ ବୁଣିବା ଅଧିକ ସହଜ।” ବଙ୍ଗାଳି ଲିପିରେ ଅକ୍ଷରଗୁଡ଼ିକ ବକ୍ରାକାର ହୋଇଥିବାରୁ ଏହା ବୁଣିବା କଷ୍ଟକର।
ଏହା ଏକ ବିରଳ ଦକ୍ଷତା ବୋଲି ପ୍ରମାଣିତ କରନ୍ତି କୁଚବିହାର-ପ୍ରଥମ ବ୍ଲକ୍ ପାଟି ଶିଳ୍ପ ସମବାୟ ସମିତିର ସଂପାଦକ ପ୍ରଦୀପ କୁମାର ରାୟ। ସେ ନିଜେ ଜଣେ ବୁଣାକାର ଏବଂ ସେ କହନ୍ତି, ସମଗ୍ର କୁଚବିହାର ଜିଲ୍ଲାରେ ପ୍ରାୟ ୧୦,୦୦୦ ଚଟେଇ ବୁଣାକାର ଅଛନ୍ତି। ହେଲେ, ଏ ଅଞ୍ଚଳରେ ବିରଳ କମଲକୋଷ ବୁଣାକାରଙ୍କ ସଂଖ୍ୟା ଅତି ବେଶୀରେ ୧୦-୧୨ ହେବ।”
୧୯୯୨ରେ ଏହି ସମିତି ଗଠିତ ହୋଇଥିଲା ଏବଂ ଏଥିରେ ୩୦୦ ବୁଣାକାର ସଦସ୍ୟ ଅଛନ୍ତି। ଏ ଅଞ୍ଚଳରେ ଚଟେଇ ବୁଣାକାରମାନଙ୍କର ଏହା ସର୍ବପ୍ରଥମ ସମବାୟ ସମିତି ଏବଂ ସମିତି ପକ୍ଷରୁ ଘୁଘୁମାରିରେ ପ୍ରତି ଦୁଇ ସପ୍ତାହରେ ଥରେ ପାଟି ହାଟ (ସାପ୍ତାହିକ ଚଟେଇ ବଜାର) ଆୟୋଜିତ ହୋଇଥାଏ। କେବଳ ଚଟେଇ ଓ ମସିଣା କାରବାର ଲାଗି ଉଦ୍ଦିଷ୍ଟ ଏହି ହାଟ କୁଚବିହାର ଅଞ୍ଚଳରେ ଏ ଧରଣର ଏକମାତ୍ର ବଜାର, ଯେଉଁଠାରେ କି ଗୋଟିଏ ହାଟ ଦିନରେ ମୋଟାମୋଟି ଏକ ହଜାର ବୁଣାକାର ଏବଂ ପ୍ରାୟ ୧୦୦ ବ୍ୟବସାୟୀ ଏକତ୍ର ହୁଅନ୍ତି।
ଏ ଅଞ୍ଚଳରେ ଶେଷ ପିଢ଼ିର କମଲକୋଷ ବୁଣାକାରମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରଭାତୀ ଏବଂ ନିଷ୍ଠାପୂର୍ଣ୍ଣ ଭାବରେ ସେ ଏହି ଦାୟିତ୍ୱ ତୁଲାଇଥାଆନ୍ତି। “ମୋ ମାଆ ପ୍ରତିଦିନ ବୁଣନ୍ତି। ଏମିତି କି ସେ ଦିନେ ହେଲେ ଛୁଟି ନିଅନ୍ତି ନାହିଁ। କେବଳ ଯଦି ଆମେ ବଜାର କରିବାକୁ ଯାଉ, କିମ୍ବା ମୋ ଜେଜେବାପାଙ୍କ ଘରକୁ ଯାଉ, ତେବେ ସେ ବିରତି ନିଅନ୍ତି,” ତାଙ୍କ ଝିଅ ମନ୍ଦିରା କହନ୍ତି। ମାତ୍ର ପାଞ୍ଚ ବର୍ଷ ବୟସରୁ ଏହି ବୁଣାକାମ ଦେଖିଦେଖି ମନ୍ଦିରା ଏଥିରେ ଦକ୍ଷତା ହାସଲ କରିବାରେ ଲାଗିଛନ୍ତି।
ପ୍ରଭାତୀ ଓ ମନୋରଞ୍ଜନଙ୍କର ଦୁଇଟି ସନ୍ତାନ, ୧୫ ବର୍ଷ ବୟସର ମନ୍ଦିରା ଏବଂ ୭ ବର୍ଷର ପୀୟୂଷ (ଆଦରରେ ଡାକନ୍ତି ତୋଜୋ)। ସ୍କୁଲ ସମୟ ବାହାରେ ସମୟ ବାହାର କରି ଦୁହେଁ ଏହି କାରିଗରୀକୁ ମନ ଦେଇ ଶିଖୁଛନ୍ତି। ମନ୍ଦିରା ପ୍ରଭାତୀଙ୍କ ବାପାମାଆଙ୍କ ସାଙ୍ଗରେ ରହନ୍ତି ଏବଂ ସପ୍ତାହକୁ ଦୁଇ ଥର ଘରକୁ ଆସି ମାଆଙ୍କୁ ବୁଣାକାମରେ ସାହାଯ୍ୟ କରନ୍ତି। ଅଳ୍ପ ବୟସର ହେଲେ ବି ବେଶ୍ ଉତ୍ସାହୀ ତୋଜୋ ବି ମନଦେଇ ଏହା ଶିଖନ୍ତି ଏବଂ ମାଆଙ୍କ ବୁଣିବା ପାଇଁ ନିଷ୍ଠାର ସହିତ ବେତ ପାତିଆ ତିଆରି କରନ୍ତି। ସାଙ୍ଗମାନେ ଖେଳରେ ମାତିଥିବା ବେଳେ ସେ କାମ କରିବାରେ ଲାଗନ୍ତି।
ପ୍ରଭାତୀଙ୍କର ଏହି କାରିଗରୀ କୌଶଳ ଶିଖିବା ଲାଗି ଆଗ୍ରହୀ ସେଠାକାର ପିଲାମାନେ ଏହି ବିଷୟରେ କ୍ଲାସ୍ ନେବାକୁ ତାଙ୍କୁ ବାରମ୍ବାର ଅନୁରୋଧ କରନ୍ତି: “ମୋ ପଡ଼ୋଶୀଙ୍କ ଝିଅ ମୋତେ କହିଲା, ‘ କାକୀ (ଖୁଡ଼ି) ମୋତେ ବି ଶିଖାଇ ଦିଅ!’। ସପ୍ତାହାନ୍ତରେ ଏବଂ ଛୁଟିଦିନରେ ତାଙ୍କ ଘର ଏକ ସୃଜନଶୀଳ ପରିସରର ରୂପ ନିଏ। “କେମିତି ମୟୂର ଓ ଗଛ ବୁଣିବାକୁ ହେବ ଶିଖିବା ଲାଗି ସେମାନେ ଖୁବ୍ ଆଗ୍ରହୀ। ହେଲେ, ଶିଖିବା ମାତ୍ରେ ତ ସେମାନେ ଏହା ବୁଣିବାରେ ସମର୍ଥ ହେବେ ନାହିଁ। ତେଣୁ, ମୁଁ ତାଙ୍କୁ ପ୍ରଥମେ ଚଟେଇର ଧାର ବୁଣି ଶିଖିବାକୁ କହେ ଏବଂ ମୁଁ ବୁଣୁଥିବା ବେଳେ ସେହି ବୁଣିବା ଶୈଳୀକୁ ଭଲ ଭାବରେ ଦେଖିବାକୁ କହେ। ଧୀରେ ଧୀରେ ମୁଁ ସେମାନଙ୍କୁ ଶିଖାଇବି,” ସେ କହନ୍ତି।
ଯଦିଓ ମନ୍ଦିରା କମଲକୋଷ ବୁଣିବା ଶିଖୁଛନ୍ତି, ତଥାପି ସେ ଅନ୍ୟ ଏକ ଏଭଳି ବୃତ୍ତିକୁ ଆପଣେଇବାକୁ ଚାହାଁନ୍ତି ଯେଉଁଥିରୁ ଅଧିକ ରୋଜଗାର କରିହେଉଥିବ ଏବଂ ଖାଲି ସମୟ ମିଳୁଥିବ। “ହୁଏତ ମୁଁ ନର୍ସିଂରେ ପ୍ରଶିକ୍ଷଣ ନେବି,” ସେ କହନ୍ତି। “ଚଟେଇ ବୁଣିବାରେ ବହୁ ପରିଶ୍ରମ କରିବାକୁ ପଡ଼େ। ଯଦି କେହି (ଅନ୍ୟ ଏକ) ଚାକିରି କରନ୍ତି ତେବେ ସେ ଘରେ ବସି ଆରାମ କରିପାରିବେ ଏବଂ ରୋଜଗାର କରିପାରିବେ। ଏତେ ବେଶୀ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେଥିପାଇଁ (ଆମ ପିଢ଼ିର) କେହି ହେଲେ ଏହି ଚଟେଇ ବୁଣା କାମ କରିବାକୁ ଚାହୁଁନାହାନ୍ତି।
ତାଙ୍କ କଥାର ପ୍ରମାଣ ଦେବାକୁ ଯାଇ ସେ ତାଙ୍କ ମାଆଙ୍କ ଦିନକର କାମ ସଂପର୍କରେ କହନ୍ତି: “ମୋ ମାଆ ସବୁଦିନ ୫ଟା ୩୦ରେ ଉଠନ୍ତି। ସେ ଝାଡୁ ମାରି ଘର ସଫା କରନ୍ତି। ତା’ପରେ ସେ ଘଣ୍ଟାକ ପାଇଁ ଗୋଟିଏ ଚଟେଇ ବୁଣିବାକୁ ବସନ୍ତି। ଆମେମାନେ ସକାଳେ ଖାଉଥିବାରୁ ସେ ରନ୍ଧାରନ୍ଧି ମଧ୍ୟ କରନ୍ତି। ତା’ପରେ ସେ ନିଜେ ଖାଇ ମଧ୍ୟାହ୍ନ ଯାଏଁ ବୁଣନ୍ତି ଏବଂ ମଝିରେ ଗାଧୋଇବାକୁ ବିରତି ନିଅନ୍ତି। ତା’ପରେ ପୁଣି ସେ ଘର ସଫା କରି ଅପରାହ୍ଣ ଯାଏଁ ବୁଣିବାରେ ଲାଗନ୍ତି। ରାତି ୯ଟା ଯାଏଁ ସେ ବୁଣିବାରେ ଲାଗିଥାଆନ୍ତି। ତା’ପରେ ସେ ପୁଣି ରାନ୍ଧନ୍ତି, ଆମେମାନେ ଖାଉ ଏବଂ ଶୋଇବାକୁ ଯାଉ।”
“ଘରେ ବହୁତ କାମ ଥିବାରୁ ମୋ ବାପାମାଆ ମେଳା ଦେଖିବାକୁ ଯାଆନ୍ତି ନାହିଁ। ଆମେ ପ୍ରତିଦିନ ଗୋଟିଏ ପାଟି ତିଆରି କରିବାକୁ ଚେଷ୍ଟା କରୁ। କାରଣ ତା’ହେଲେ ଯାଇ ଆମ ପରିବାର ମାସକୁ ୧୫,୦୦୦ ଟଙ୍କା ରୋଜଗାର କରିପାରିବ ଯାହାକି ଆମର ନିତିଦିନିଆ ଜରୁରୀ ଖର୍ଚ୍ଚ ପାଇଁ ନିହାତି ଆବଶ୍ୟକ.” ମନ୍ଦିରା କହନ୍ତି।
*****
ସ୍ଥାନୀୟ ଭାଷାରେ ପାଟି ତିଆରି ପ୍ରକ୍ରିୟାକୁ କୁହାଯାଏ ସମଷ୍ଟିଗତ କାଜ - ପରିବାର ଓ ସଂପ୍ରଦାୟର ସାମୂହିକ ପ୍ରୟାସ। “ ଏଟା ଆମାଦେର ପାଟିଶିଳ୍ପୀର କାଜ୍ଟା ଏକକ ଭାବେ ହୟ ନା । ଟାକା ଯୋଡ଼ାତେ ଗେଲେ ସୋବାଇ କେ ହାଥ୍ ଦିତେ ହୟ (ଆମର ଏହି ଚଟେଇ ବୁଣା କାମ ଏକା ଏକା ହୁଏ ନାହିଁ। ମାସ ଶେଷରେ ଭଲ ରୋଜଗାର ପାଇବା ଲାଗି ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼େ),” ପ୍ରଭାତୀ କହନ୍ତି। ବୁଣାକାମର ପ୍ରସ୍ତୁତି ଲାଗି ତାଙ୍କ ପରିବାର ଉପରେ ସେ ନିର୍ଭର କରନ୍ତି।
ଏହି କାମ “ ମାଠେର କାଜ (ବାହାର କାମ) ଏବଂ ବାଡ଼ିର କାଜ (ଘରେ ହେଉଥିବା କାମ) ଭାବରେ ଦୁଇ ଭାଗରେ ବିଭକ୍ତ,” କାଞ୍ଚନ ଦେ କହନ୍ତି। ସେ ଗୋଟିଏ ବୁଣାକାର ପରିବାରର ଏବଂ ଏହି କାରିଗରୀରେ ତାଙ୍କର ବିଶେଷ ଦକ୍ଷତା ରହିଛି। ସେ ଆମକୁ ବୁଝାଇ ଦିଅନ୍ତି ଯେ କେମିତି ପୁରୁଷମାନେ ବେତକୁ ଗଛରୁ ଅମଳ କରନ୍ତି, ଏହାକୁ ଚିରି ବୁଣାଯୋଗ୍ୟ ପାତିଆରେ ପରିଣତ କରନ୍ତି ଏବଂ ମହିଳାମାନେ ଏହି ପାତିଆକୁ ମଣ୍ଡରେ ସିଝାଇବା ପରେ ଶୁଖାଇ ଦିଅନ୍ତି ଏବଂ ସେଥିରେ ଚଟେଇ ବୁଣନ୍ତି। ଏମିତି କି ଛୋଟପିଲାମାନେ ବି ଏହି ଲିଙ୍ଗଭିତ୍ତିକ କାର୍ଯ୍ୟ ବିଭାଜନକୁ ଅନୁସରଣ କରିବାରେ ଲାଗିଛନ୍ତି- ଝିଅମାନେ ସେ କେମିତି ବୁଣୁଛନ୍ତି ତାହା ଦେଖିବାକୁ ଆସନ୍ତି, ତେଣେ ପୁଅମାନେ ବେତ ଚିରିବା ଅଭ୍ୟାସ କରନ୍ତି। କାଞ୍ଚନ ଦେ ପଡ଼ୋଶୀ ଗଙ୍ଗାଲେର କୁଠି ଗାଁ ସ୍କୁଲର ଜଣେ ଶିକ୍ଷକ।
ଗୋଟିଏ ସାଧାରଣ ଆକାରର ବା ୬x୭ ଫୁଟ୍ ପାଟି (ଚଟେଇ) ତିଆରି କରିବା ଲାଗି ୧୬୦ଟି ବେତ ଖାଡ଼ି ବା ପାତିଆ ଲାଗିଥାଏ। ଏହି ବେତ ପାତିଆକୁ ପ୍ରସ୍ତୁତ କରିବା, ଅର୍ଥାତ୍ ବୁଣାକାମରେ ବ୍ୟବହାରଯୋଗ୍ୟ ଭଳି ନରମ କରିବା ଲାଗି ଦୁଇ ଦିନ କାମ କରିବାକୁ ପଡ଼େ। ଏହାକୁ ପୁରୁଷମାନେ କରନ୍ତି। ଏହି ଦୁଇ-ପାଖିଆ ପ୍ରକ୍ରିୟାକୁ କହନ୍ତି ବେତ ଶୋଲାଇ ଏବଂ ବେତ ତୋଲା । ଏଥିରେ ବେତର କାଣ୍ଡକୁ ବହୁଭାଗରେ କାଟିବାକୁ ପଡ଼େ, ଏହାର ଭିତର ପାଖରୁ କାଠ ଭଳି କଠିନ ଅଂଶକୁ ପାଦ ଦେବାକୁ ହୁଏ ଏବଂ ତା’ପରେ ଏହାକୁ ସତର୍କତାର ସହ ଚିରି ଅନେକ ପତଳା ପତଳା ପାତିଆ- ଯେମିତି କି ୨ ମିଲିମିଟରରୁ ୦.୫ ମିଲିମିଟର ମୋଟେଇର- ପ୍ରସ୍ତୁତ କରାଯାଏ। ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ବେତକୁ ଅତି ପତଳା କରି ଚିରିବା ଲାଗି ଅଭ୍ୟସ୍ତ ଓ ସୁଦକ୍ଷ କାରିଗରୀ ହାତ ଦରକାର ହୁଏ।
ବୁଣିବା ପରେ ଚଟେଇକୁ ଶୁଖାଇ ଦିଆଯାଏ। ସାଧାରଣ ଚଟେଇଗୁଡ଼ିକ ପ୍ରାକୃତିକ ବେତ ଖାଡ଼ିର ରଙ୍ଗରେ ବୁଣା ହେଉଥିବା ବେଳେ କମଲକୋଷ ସ୍ୱାଭାବିକ ଭାବେ ଦୁଇଟି ରଙ୍ଗରେ ହିଁ ବୁଣାଯାଇଥାଏ,” କହନ୍ତି ଏହି ପ୍ରବୀଣ ବୁଣାକାର ଜଣକ। ବୁଣିବା ପାଇଁ ସେ ଘଣ୍ଟା ଘଣ୍ଟା ଧରି ଚକାପାରି ବସନ୍ତି, କିଛିଟା ଆରାମ ପାଇବା ଲାଗି ବେଳେବେଳେ ସେ କାଠର ପିରି (ପିଢ଼ା) ବ୍ୟବହାର କରନ୍ତି। ଚଟେଇ ଘଷି ହୋଇ ନଷ୍ଟ ନହେବା ଉଦ୍ଦେଶ୍ୟରେ ପ୍ରଭାତୀ ନିଜ ପାଦରେ ଚଟେଇର ବୁଣା ସରିଥିବା ଅଂଶର ଧାରକୁ ଚାପି ଧରନ୍ତି। ବୁଣିବା ଶୈଳୀର ଆବଶ୍ୟକତା ଅନୁସାରେ ସେ ଦୁଇ ହାତରେ ଆନୁମାନିକ ପରିମାଣର ବେତ ପାତିଆ ବିଡ଼ାକୁ ଉଠାନ୍ତି।
ଥରକରେ ସେ ପ୍ରାୟ ୭୦ଟି ବେତ ପାତିଆ ଧରି ବୁଣିପାରନ୍ତି। ଚଟେଇର ପ୍ରତିଟି ଧାଡ଼ି ବୁଣି ସାରିବା ପରେ ପ୍ରଭାତୀ ବେତକୁ ଛନ୍ଦି ତଳୁ ଉପରକୁ ଆଉ ଗୋଟିଏ ଧାଡ଼ି ବୁଣନ୍ତି, ଯାହା କି ପ୍ରାୟ ୬୦୦ ବେତ ପାତିଆ ଭିତର ଦେଇ ଯାଇଥାଏ। ଏହାକୁ ଧରି ରଖିବା ପାଇଁ ତାଙ୍କ ପାଖରେ କେବଳ ନିଜ ହାତ ବ୍ୟତୀତ ଅନ୍ୟ କୌଣସି ଯାନ୍ତ୍ରିକ ଉପକରଣ ନଥାଏ। ଗୋଟିଏ ଛଅ ଫୁଟ ଓସାର ଓ ସାତ ଫୁଟ ଲମ୍ବା ଚଟେଇ ବୁଣିବା ଲାଗି ତାଙ୍କୁ ହାତରେ ପ୍ରାୟ ୭୦୦ ଥର ଏମିତି କରିବାକୁ ପଡ଼େ।
ଗୋଟିଏ କମଲକୋଷ ଚଟେଇ ଲାଗି ବେତ ପ୍ରସ୍ତୁତ କରିବା ଏବଂ ବୁଣିବାରେ ଯେତିକି ସମୟ ଲାଗେ ସେହି ସମୟ ମଧ୍ୟରେ ୧୦ଟି ସାଧାରଣ ଚଟେଇ ବୁଣାଯାଇ ପାରିବ ଏବଂ ମୂଲ୍ୟରେ ଏହା ପ୍ରତିଫଳିତ ହୋଇଥାଏ ବୋଲି ପ୍ରଭାତୀ କହନ୍ତି। “ କମଲକୋଷ ତିଆରି କରିବା ଅଧିକ କଠିନ କାମ, କିନ୍ତୁ ଏଥିରେ ଅଧିକ ପଇସା ବି ମିଳେ।” ଯେତେବେଳେ ଅଳ୍ପ ପରିମାଣର କମଲକୋଷ ବରାଦ ଥାଏ, ପ୍ରଭାତୀ ଅନ୍ୟ ସାଧାରଣ ଚଟେଇ ବି ବୁଣନ୍ତି। ପ୍ରକୃତରେ, ବର୍ଷକ ଭିତରେ ସେ ଅଧିକ ପରିମାଣର ସାଧାରଣ ଚଟେଇ ବୁଣିଥାଆନ୍ତି। କାରଣ, ସେ କହନ୍ତି ଯେ, ଏଗୁଡ଼ିକ ଅତି ଶୀଘ୍ର ବିକ୍ରି ହୋଇଯାଏ।
ବିନମ୍ର ପ୍ରଭାତୀ କହନ୍ତି ଯେ, ଜଣେ ମାଆ ହିସାବରେ ତାଙ୍କ ଭୂମିକା ସହିତ ଜଣେ କମଲକୋଷ ବୁଣାକାର ଭାବରେ ତାଙ୍କ ଖ୍ୟାତିକୁ ସେ ଉପଭୋଗ କରନ୍ତି। “ମୋ ପାଖରେ କମଲକୋଷ ବୁଣିବାର ସାମର୍ଥ୍ୟ ଅଛି, ସେଥିପାଇଁ ମୁଁ ତାହା କରେ। ଆମି ଗର୍ବବୋଧ କରି । ମୁଁ ଗର୍ବ ଅନୁଭବ କରେ।”
କିଛିଟା ଦ୍ୱିଧାବୋଧ ସହିତ ସେ ଆହୁରି କହନ୍ତି, “ଅନ୍ୟ ଅନେକ ଲୋକ ଏହାକୁ ବୁଣିପାରିବେ ନାହିଁ। ମୁଁ ଏହି ବିରଳ ଚଟେଇ ବୁଣି ପାରୁଥିବାରୁ ଆପଣ ମୋତେ ଦେଖା କରିବାକୁ ଆସିଛନ୍ତି, ନୁହେଁ କି ? ଆପଣ ଆଉ କାହା ପାଖକୁ ତ ଗଲେ ନାହିଁ !”
ଏହି ରିପୋର୍ଟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF)ର ଏକ ଫେଲୋସିପର ସହାୟତା ରହିଛି।
ଅନୁବାଦ: ଓଡ଼ିଶାଲାଇଭ୍