କମଲକୋଷ ଚଟେଇର ସୂକ୍ଷ୍ମ ବୁଣାକାମକୁ ଅଳ୍ପ କେତେ ଜଣ ପସନ୍ଦ କରନ୍ତି।
ଆହୁରି କମ୍ ଲୋକ ଏହାକୁ ବୁଣିପାରନ୍ତି।
ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ତିଆରି ହୋଇଥାଏ ଏହି ଅତି ସୂକ୍ଷ୍ମ କାରିଗରୀ କୌଶଳ ସନ୍ନିହିତ ବେତ ଚଟେଇ। ମଣ୍ଡଦିଆ ଅତି ପତଳା ବେତ ପାତିଆରୁ ତିଆରି ଏହି ଚଟେଇ ଅନ୍ୟାନ୍ୟ ଚଟେଇଠାରୁ ଏଥିପାଇଁ ଭିନ୍ନ ଯେ, ଏହା ଉପରେ ଅଙ୍କା ହୋଇଥାଏ ବିଭିନ୍ନ ସାଂସ୍କୃତିକ ସନ୍ତକ।
“ଗୋଟିଏ ପାରମ୍ପରିକ କମଲକୋଷରେ ଶୋଭା ପାଉଥାଏ କଲା ଗାଛ (କଦଳୀ ଗଛ), ମୟୂର, ମଙ୍ଗଲ ଘଟ (ନଡ଼ିଆ ସହିତ ପୂର୍ଣ୍ଣକୁମ୍ଭ), ସ୍ୱସ୍ତିକ (ଶୁଭ ଚିହ୍ନ),” ପ୍ରଭାତୀ ଧର କହନ୍ତି।
ପ୍ରଭାତୀ ସେହି ହାତଗଣତି କମଲକୋଷ ବୁଣାକାରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏଥିରେ ଚଟେଇ ବୁଣିପାରନ୍ତି, ଏବଂ ସେ ଏହି ବୁଣାକାମ ଆରମ୍ଭ କରିଥିଲେ ପିଲାଟି ଦିନରୁ, ମାତ୍ର ୧୦ ବର୍ଷ ବୟସରୁ। “ଏହି ଗାଁ (ଘେଘିରଘାଟ)ର ପ୍ରତ୍ୟେକ ବ୍ୟକ୍ତି ଖୁବ୍ ଅଳ୍ପ ବୟସରୁ ଚଟେଇ ବୁଣା ଆରମ୍ଭ କରନ୍ତି,” ଅଳ୍ପ ବୟସରେ ପରିପକ୍ୱତା ସମ୍ଭାବନାକୁ ଅଗ୍ରାହ୍ୟ କରି କହନ୍ତି ଏହି ୩୬ ବର୍ଷୀୟା ମହିଳା ଜଣକ। “ମୋ ମାଆ କମଲକୋଷର କେତେକ ଅଂଶ ବୁଣି ପାରୁଥିଲେ। କିନ୍ତୁ ମୋ ବାପା ଏହାର ଡିଜାଇନକୁ ଭଲ ଭାବରେ ଜାଣିଥିଲେ ଏବଂ ବେଳେବେଳେ ସେ ଏହାକୁ ବୁଝାଇ ଦେବାକୁ ଯାଇ ‘ଏହି ଡିଜାଇନକୁ ଏମିତି ବୁଣିବାକୁ ଚେଷ୍ଟା କର’ ବୋଲି କହୁଥିଲେ। ସେ ନିଜେ ବୁଣାକାମ କରି ପାରୁନଥିଲେ ସତ, କିନ୍ତୁ ଏ ସଂପର୍କିତ ତାଙ୍କର ବିସ୍ତୃତ ଜ୍ଞାନରୁ ପ୍ରଭାତୀ ବହୁତ କିଛି ଶିଖିଛନ୍ତି ବୋଲି ମନେ କରନ୍ତି।
ଆମେ ବସିଛୁ ଘେଘିରଘାଟ ଗାଁର ତାଙ୍କ ଘର ବାରଣ୍ଡାରେ। ଏ ଅଞ୍ଚଳର ଅନେକ ବୁଣାକାର ଏମିତି ଛାତ ତଳେ ଥିବା ବାରଣ୍ଡାରେ କାମ କରିବାକୁ ପସନ୍ଦ କରନ୍ତି। ପରିବାରର ଅନ୍ୟମାନେ ତାଙ୍କ ଆଖପାଖରେ ଥାଆନ୍ତି ଏବଂ ବୁଣାକାମ ସହ ସଂପୃକ୍ତ ଛୋଟମୋଟ କାମରେ ତାଙ୍କର ସହାୟତା କରନ୍ତି। ବେତ ଚଟେଇ ଉପରେ, ସରୁ ସରୁ ବେତର ପାତିଆରେ ବୁଣା ହେଉଥିବା ଏ ସବୁ ଶୁଭ ସଂକେତର ପରିକଳ୍ପନା କେବଳ ସେ ନିଜେ କରିଥାଆନ୍ତି। ତାଙ୍କ ଡିଜାଇନ ଅଙ୍କନର ପ୍ରକ୍ରିୟା ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି, “ଆମେ ଯାହା ମନେ ରଖିଛୁ, ସେଥିରୁ ହିଁ ଏହା କରିବାରେ ଅଭ୍ୟସ୍ତ।”


























