ଯେତେବେଳେ ଆମେ ତାଙ୍କୁ ଭେଟିଥିଲୁ, ତାଙ୍କୁ ୧୦୪ ବର୍ଷ ହୋଇଥିଲା, ନିଜ କୋଠରୀରୁ ବାହାରିଥିଲେ, ନିଜ ବାଡ଼ିରେ ଭରା ଦେବା ବ୍ୟତୀତ ଭବାନୀ ମାହାତୋ ନା କାହାଠାରୁ ସାହାଯ୍ୟ ଲୋଡ଼ିଥିଲେ କିମ୍ବା କାହାଠାରୁ ସାହାଯ୍ୟ ଗ୍ରହଣ କରିଥିଲେ । ଏପରିକି ସେହି ବୟସରେ ନିଜ ଦମ୍ ରେ ଚାଲୁଥିଲେ, ଛିଡ଼ା ହେଉଥିଲେ ଓ ବସୁଥିଲେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଚେପୁଆ ଗାଁରେ ତାଙ୍କର ବିଶାଳ ଯୌଥ ପରିବାର ଏହି କୃଷକ ଓ ଗୃହିଣୀଙ୍କ ଉପରେ ନିର୍ଭରଶୀଳ ଥିଲେ, ଯିଏ ସେମାନଙ୍କ ଜୀବନ ଓ ଭବିଷ୍ୟତର କେନ୍ଦ୍ରବିନ୍ଦୁ ଥିଲେ ।
ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଶୋଇଥିବା ବେଳେ ପରମଶାନ୍ତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ, ମୋ ପୁସ୍ତକ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜରସ୍ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍ (ପେଙ୍ଗୁଇନ୍ ନଭେମ୍ବର ୨୦୨୨)ରେ ଥିବା ୧୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ମାତ୍ର ଚାରିଜଣ ଜୀବିତ ଅଛନ୍ତି । ଗୋଟିଏ ଅର୍ଥରେ, ଭବାନୀ ଅନେକ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ବି ବ୍ୟତିକ୍ରମ ଥିଲେ, ଯାହାଙ୍କ ସାକ୍ଷାତକାର ‘ପରୀ’ର ପ୍ରିଡମ ଫାଇଟରସ୍ ଗ୍ୟାଲେରୀରେ ସ୍ଥାନିତ ହୋଇଥିଲା । ସେ ହିଁ ଏକମାତ୍ର ଥିଲେ, ଯିଏ କି ଆମ ସହ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ ବେଳେ ସେହି ମହାସଂଗ୍ରାମରେ ତାଙ୍କର କିଛି ଭୂମିକା ଥିଲା ବୋଲି ଅସ୍ୱୀକାର କରିଥିଲେ । “ମୋର ସେଥିରେ କିମ୍ବା ସେହିଭଳି କିଛି ଘଟଣାରେ କୌଣସି ଭୂମିକା ଅଛି କି?” ୨୦୨୨ ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମେ ଭେଟିବା ବେଳେ ପ୍ରଶ୍ନ କରିଥିଲେ ।








