ତାଙ୍କ ଘରର ଝରକା ଦେଇ ଆଖି ଦେଖି ପାରିବା ପର୍ଯ୍ୟନ୍ତ ଚାରିଆଡ଼େ ଖାଲି ପାଣି – ଏ ବର୍ଷର ବନ୍ୟା ପାଣି ଆହୁରି ଛାଡ଼ି ନାହିଁ। ରୂପାଲି ପେଗୁ ରହନ୍ତି ସୁବାନସିରି ନଦୀଠାରୁ ମାତ୍ର ଏକ କି.ମି. ଦୂରରେ – ଏହି ନଦୀ ବ୍ରହ୍ମପୁତ୍ରର ଗୋଟିଏ ବଡ଼ ଉପନଦୀ ଯାହା ଦ୍ଵାରା ପ୍ରତି ବର୍ଷ ଆସାମର ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଥାଏ।
ସେ କହନ୍ତି, “ଚାରିପଟେ ପାଣି ଘେରି ରହିଥିବ, କିନ୍ତୁ ବିଡମ୍ବନାର କଥା ହେଲା ଯେ ପିଇବା ପାଣି ମୁନ୍ଦେ ମିଳିବା ଭାରି କଷ୍ଟ”। ଆସାମର ଲକ୍ଷ୍ମୀପୁର ଜିଲ୍ଲାସ୍ଥିତ ତାଙ୍କ ଗାଁ ବୋରଦୁବି ମଲୁୱାଲରେ ପିଇବା ପାଣି ଅତି ଦୂଷିତ। “ଆମ ଗାଁ ଓ ଆଖପାଖ ଗାଁଗୁଡ଼ିକରେ ଥିବା ଅଧିକାଂଶ ହାତ-ପମ୍ପ ନଳକୂଅ ପାଣିରେ ବୁଡ଼ି ରହୁଛି”, ସେ ବୁଝାଇ କହନ୍ତି।
ରାସ୍ତା ପାଖରେ ଥିବା ହାତ-ପମ୍ପ ନଳକୂଅରୁ ପାଣି ଆଣିବାକୁ ସେ ଗୋଟିଏ ହୁଲିଡଙ୍ଗା ଉପରେ ନିର୍ଭର କରନ୍ତି। ତିନିଟି ପାଣି ରଖିବା ଷ୍ଟିଲ ପାତ୍ର ସାଙ୍ଗରେ ନେଇ ରୂପାଲି ପ୍ରାୟ ଅଧାଅଧି ପାଣିରେ ବୁଡ଼ି ଡଙ୍ଗା ବାହି ରାସ୍ତା ପାଖକୁ ଯାଆନ୍ତି। ବନ୍ୟା-ପ୍ଳାବିତ ଗାଁ ଭିତର ଦେଇ ଗୋଟିଏ ବାଉଁଶ କାତ ସାହାଯ୍ୟରେ ସେ ଡଙ୍ଗା ବାହି ନିଅନ୍ତି। “ମୋନି, ଆସ... ଯିବା”, ସେ ଡାକନ୍ତି ତାଙ୍କ ପଡ଼ୋଶୀଙ୍କୁ ଯିଏ ପ୍ରାୟତଃ ତାଙ୍କ ସହ ଯାଆନ୍ତି। ଦୁଇ ସାଙ୍ଗ ପାଣି ପାତ୍ରଗୁଡ଼ିକୁ ଭର୍ତ୍ତି କରିବାରେ ପରସ୍ପରଙ୍କୁ ସାହାଯ୍ୟ କରନ୍ତି।








