ସକାଳ ୯ଟା ବାଜିଛି । ମଜାଦାର ସପ୍ତାହାନ୍ତ ଖେଳ ପାଇଁ ଯୁବ କ୍ରିକେଟର୍ମାନଙ୍କୁ ନେଇ ମୁମ୍ବାଇର ଆଜାଦ୍ ମୈଦାନ ସକ୍ରିୟ ହୋଇ ଉଠିଛି । ଖେଳ ଆଗକୁ ବଢ଼ିବା ସହିତ ଖୁସି ଓ ନିରାଶାର କୋଳାହଳ ବାରମ୍ବାର ଶୁଭୁଛି ।
ମାତ୍ର ୫୦ ମିଟର ଦୂରରେ ଆଉ ଏକ ‘ଖେଳ’ ନିରବତାର ସହିତ ଜାରି ରହିଛି ଯେଉଁଥିରେ ୫,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଦୀର୍ଘ ଦିନ ଧରି ଏକ ଖେଳ ଚାଲିଛି, ଏଥିରେ ମୂଲ୍ୟବାନ ବାଜି ଲାଗିଛି ଏବଂ ଗତ ମାସ ମୁମ୍ବାଇର ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା)- ସ୍ୱାସ୍ଥ୍ୟକର୍ମୀଙ୍କ ଏ ଆନ୍ଦୋଳନର କୌଣସି ପରିସମାପ୍ତି ଦେଖିବାକୁ ମିଳୁନାହିଁ । ଫେବୃଆରୀ ୯ ତାରିଖରେ ଆରମ୍ଭ ହୋଇଥିବା ଏହି ଧାରଣାର ପ୍ରଥମ ସପ୍ତାହରେ ୫୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ବ୍ୟସ୍ତବହୁଳ ସଡ଼କ ଆଡ଼କୁ ଚାହିଁ, ପ୍ରାୟ ୩୦ ବର୍ଷ ବୟସର ଜଣେ ଆଶା କର୍ମୀ ତଳେ ବସି ରହିଛନ୍ତି। ତାଙ୍କ ଆଖପାଖ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟିରୁ ନିଜକୁ ଲୁଚାଇ ଭୟଭୀତ ହୋଇ ଏଣେତେଣେ ଚାହୁଁଛନ୍ତି। ଯେମିତି ସେ ଶୀଘ୍ର ଶୀଘ୍ର ନିଜ ପୋଷାକ ବଦଳାଉଛନ୍ତି, ମହିଳାଙ୍କ ଏକ ଦଳ ତାଙ୍କୁ ଦୁପଟ୍ଟା (ଓଢ଼ଣି) ଏବଂ ଚାଦର ରେ ଢାଙ୍କି ଦେଉଛନ୍ତି ।
କିଛି ଘଣ୍ଟା ପରେ, ମଧ୍ୟାହ୍ନ ଭୋଜନ ସମୟ ଆସିଯାଇଛି, ଟାଣ ଖରାରେ, ଆଶା କର୍ମୀମାନେ ସେମାନଙ୍କ ସହଯୋଗୀ ରୀତା ଚାଓ୍ୱଡ଼େଙ୍କ ଆଖପାଖରେ ଏକତ୍ରିତ ହେଉଛନ୍ତି, ସମସ୍ତଙ୍କ ହାତରେ ଖାଲି ଟିଫିନ୍ ବାକ୍ସ, ପ୍ଲେଟ୍ ଏବଂ ଠିପି ରହିଛି। ସେମାନେ ଧୈର୍ଯ୍ୟପୂର୍ବକ ନିଜ ପାଳି ଆସିବାକୁ ଅପେକ୍ଷା କରି ରହିଛନ୍ତି କାରଣ ୪୭ ବର୍ଷ ବୟସ୍କା ରୀତା ନିଜ ଘରୁ ତିଆରି କରି ଆଣିଥିବା ଖାଦ୍ୟ ପରଷି ଦେଉଛନ୍ତି। ଅନ୍ୟ ୧୭ ଜଣ ଆଶା କର୍ମୀଙ୍କ ସହିତ ଠଣେ ଜିଲ୍ଲାର ତିସଗାଓଁରୁ ଦୈନିକ ଦୁଇ ଘଣ୍ଟା ଯାତ୍ରା କରି ଆଜାଦ୍ ମୈଦାନରେ ପହଞ୍ଚୁଥିବା ରୀତା କୁହନ୍ତି, ‘‘ଏଠାରେ ଆନ୍ଦୋଳନରତ ପ୍ରାୟ ୮୦ରୁ ୧୦୦ ଜଣ ଆଶାକର୍ମୀଙ୍କ ପାଇଁ ମୁଁ ଖାଇବା ବ୍ୟବସ୍ଥା କରିଥାଏ।’’
ଫେବୃଆରୀ ୨୦୨୪ର ଶେଷ ଭାଗରେ ପରୀ ସହ କଥା ହୋଇ ସେ ଆହୁରି କୁହନ୍ତି, ‘‘କେହି ଜଣେ ଆଶା କର୍ମୀ ଯେମିତି ଭୋକରେ ରହିବେ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। କିନ୍ତୁ ଏବେ ଆମେ ଅସୁସ୍ଥ ହୋଇପଡ଼ୁଛୁ । ଆଉ ଆମେ ଥକି ଗଲୁଣି।’’



















