‘‘ଗୁଲାମ ନବୀ, ତୁମ ଆଖି ଖରାପ ହୋଇଯିବ। ତୁମେ କ’ଣ କରୁଛ? ଶୋଇବାକୁ ଯାଅ!’’
ବିଳମ୍ବିତ ରାତିରେ କାଠ କାରୁକାର୍ଯ୍ୟ କରୁଥିବାର ଦେଖିଲେ ମୋ ମା’ ମୋତେ ଏହି କଥା କହୁଥିଲେ। ତାଙ୍କ ଠାରୁ ଗାଳି ଖାଇବା ସତ୍ତ୍ୱେ ମୁଁ ଅଧିକାଂଶ ସମୟରେ କାମ ବନ୍ଦ କରୁନଥିଲି! ଦୀର୍ଘ ୬୦ ବର୍ଷ ଧରି ଏହି କାରିଗରୀକୁ ଅଭ୍ୟାସ କରିବା ପରେ ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି। ମୋ ନା’ ହେଉଛି ଗୁଲାମ ନବୀ ଦାର ଏବଂ ମୁଁ କାଶ୍ମୀର ଶ୍ରୀନଗର ସହରର ଜଣେ କାଠ ଶିଳ୍ପୀ।
ମୋର ଜନ୍ମ କେବେ ହୋଇଥିଲା ଜାଣେ ନାହିଁ କିନ୍ତୁ ଏବେ ମୋତେ ୭୦ ବର୍ଷ ହେଲାଣି। ସାରା ଜୀବନ ମୁଁ ଏହି ସହରର ମାଲିକ ସାହିବ ସଫକଦଲ ଅଞ୍ଚଳରେ ରହିଆସିଛି । ପାଖରେ ଥିବା ଏକ ଘରୋଇ ବିଦ୍ୟାଳୟରେ ମୁଁ ପଢ଼ୁଥିଲି, କିନ୍ତୁ ପରିବାରର ଆର୍ଥିକ ପରିସ୍ଥିତି କାରଣରୁ ମୋତେ ତୃତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ମୋ ବାପା, ଅଲୀ ମହମ୍ମଦ ଦାର ପଡ଼ୋଶୀ ଅନନ୍ତନାଗ ଜିଲ୍ଲାରେ କାମ କରୁଥିଲେ କିନ୍ତୁ ମୋତେ ୧୦ ବର୍ଷ ହୋଇଥିବା ସମୟରେ ସେ ଶ୍ରୀନଗର ଫେରି ଆସିଥିଲେ।
ଆମ ପରିବାରରେ ବାପାଙ୍କୁ ଛାଡ଼ି ଦେଲେ ମୋ ମା’ ଅଜ୍ଜି ଏବଂ ୧୨ ଜଣ ପିଲା ଥିଲେ। ପରିବାର ଚଳେଇବା ପାଇଁ ମୋ ବାପା ସହରରେ ପନିପରିବା ଓ ତମାଖୁ ବିକ୍ରି କରିବା ଆରମ୍ଭ କରିଥିଲେ। ସବାବଡ଼ ପୁଅ ହୋଇଥିବାରୁ ମୁଁ ମୋ ବାପାଙ୍କୁ ସାହାଯ୍ୟ କରୁଥିଲି ଏବଂ ମୋ ଭାଇ ବଶିର ଅହମ୍ମଦ ଦାର ମଧ୍ୟ ସେମିତି କରୁଥିଲା। ଯେତେବେଳେ ବେଶୀ କାମ ନଥିଲା, ଆମେ ଏଣେତେଣେ ବୁଲୁଥିଲୁ। ଏହା ଦେଖି ଥରେ ମୋ ମାମୁଁ ବାପାଙ୍କ ଆଗରେ ଅଭିଯୋଗ କରିଥିଲେ। ତା’ପରେ ଆମ ମୋ ମାମୁଁ ହିଁ ଆମକୁ କାଠ କାରିଗରୀ କାମ କରିବାକୁ ପରାମର୍ଶ ଦେଇଥିଲେ।














